ଝାଡ଼ଖଣ୍ଡର ଏକ ଆଦିବାସୀ ଅଧ୍ୟୁଷିତ ଗାଁରେ ରହୁଥିବା ଡାକ୍ତର ଦମ୍ପତ୍ତିଙ୍କର ପ୍ରୟାସ – ଏକଜୁଟ

ଝାଡ଼ଖଣ୍ଡର ଏକ ଆଦିବାସୀ ଅଧ୍ୟୁଷିତ ଗାଁରେ ରହୁଥିବା ଡାକ୍ତର ଦମ୍ପତ୍ତିଙ୍କର ପ୍ରୟାସ – ଏକଜୁଟ

Monday June 06, 2016,

6 min Read

ଝାଡ଼ଖଣ୍ଡର ନାମ ଶୁଣିଲେ ହିଁ ଆଖି ଆଗରେ କିଛି ଚିତ୍ର ଭାସିଉଠେ – ଆଦିବାସୀ ବହୁଳ, ଅନଗ୍ରସର ଓ ନକ୍ସଲପନ୍ଥୀଙ୍କ ଦୌରାତ୍ମ୍ୟ। ସ୍ମାର୍ଟ ସିଟିରେ ଏସି ଅପାର୍ଟମେଣ୍ଟରେ ବସି ଭାବିଲେ ନିଶ୍ଚୟ ଏହାର ରୂପ ଆକର୍ଷଣୀୟ ଲାଗିବ ନାହିଁ। ମାତ୍ର ପ୍ରକୃତ ଦୃଶ୍ୟଟି ଟିଭିରେ ଦେଉଥିବା ଦୃଶ୍ୟଠାରୁ କିଛି ଅଲଗା। ରାଞ୍ଚିଠାରୁ ତିନି ଘଣ୍ଟାର ବାଟ ଚକ୍ରଧରପୁର। ରାସ୍ତାର ଦୁଇ ପାଖେ ଶାଳ ବରଗଛର ସବୁଜ ଛାଇ। ଦୂର ଦୂର ଯାଏଁ ଅନ୍ୟ କୌଣସି ଗାଡିମଟରର ଦର୍ଶନ ନାହିଁ। ଏକଦମ ଶାନ୍ତ ସ୍ଥିର ବାତାବରଣ। ଏହିପରି ଏକ ପରିବେଶରେ ରହନ୍ତି ଏକ ଡାକ୍ତର ଦମ୍ପତ୍ତି। ଡାଃ ପ୍ରଶାନ୍ତ ତ୍ରିପାଠୀ ଓ ଡାଃ ନିର୍ମଳା ନାୟାର। ଦିନେ ଦେଶର ଏକ ଅଗ୍ରଣୀ ସଂସ୍ଥାରେ ଦୁହେଁ କାର୍ଯ୍ୟରତ ଥିଲେ। ମାତ୍ର ଡାକ୍ତରୀର ଅର୍ଥ ଯେ କେବଳ ରୋଗର ଉପଚାର କରିବା ତା’ ନୁହେଁ, ବରଂ ରୋଗକୁ ବ୍ୟାପିବାରୁ ଅଟକାଇବା, ପ୍ରତିରୋଧ କରିବା ଓ ରୋଗର ମୂଳ କାରଣ ଯାଏଁ ପହଞ୍ଚିବା, ଏହା ଏହି ଡାକ୍ତର ଦମ୍ପତି ବୁଝିପାରିଥିଲେ। ଆଜି ଏକ ଛୋଟ ଗାଁରେ ରହି ଝାଡ଼ଖଣ୍ଡ ଓ ଓଡିଶାର କିଛି ଗ୍ରାମୀଣ ଅଞ୍ଚଳ ଯେଉଁଠାରେ କି ମା’ ମୃତ୍ୟୁ ଓ ଶିଶୁ ମୃତ୍ୟୁ ହାର ବହୁତ ଅଧିକ, ତାକୁ ରୋକିବା ସହିତ କୁପୋଷଣକୁ ଦୂର କରିବା ପାଇଁ କାର୍ଯ୍ୟ କରୁଛି ଏହି ଦମ୍ପତ୍ତିଙ୍କ ଦ୍ଵାରା ପ୍ରତିଷ୍ଠିତ ଏକ ଏନଜିଓ, ଏକଜୁଟ

ଏକଜୁଟ ବିଷୟରେ ଜାଣିବା ପୂର୍ବରୁ ଜାଣିବାକୁ ହେବ ତା’ର ପ୍ରତିଷ୍ଠାତା ଦମ୍ପତ୍ତିଙ୍କ କାହାଣୀ। ପ୍ରଶାନ୍ତ ସାରଙ୍କ ଉପରେ ପ୍ରଥମ ନଜର ଆଉ ମନରେ ଆସେ ଏକ ଆର୍ମି ଅଫିସରର ଚେହେରା। ପତଳା ଡେଙ୍ଗା ଶରୀର, କଳା ଧଳା ବାଳ ଓ ଲମ୍ବା ନିଶ। ତାଙ୍କର ମୋର ପ୍ରଥମ ଦେଖା ଏକ ମିଟିଂରେ। ଶୀତ ଦିନ। ସେସବୁ ମିଟିଂ ବେଶ ଲମ୍ବା ସମୟ ଚାଲେ ବୋଲି ମୁଁ ଘରକୁ କେତେବେଳେ ଫେରିବି ଭାବି ବ୍ୟସ୍ତ ହେଉଥାଏ। ଏହି ସମୟରେ ସେ ପ୍ରଥମେ ମୋ ଆଡେ ଚାହିଁଲେ ଓ ପଚାରିଲେ – ତୁମ ଘର ଏଠାରୁ କେତେ କିଲୋମିଟର ଦୂର। ମୁଁ ଉତ୍ତର ଦେଲି - ପାଖାପାଖି ୮ କିଲୋମିଟର ହେବ। ପୁଣି ପଚାରିଲେ – ଘରକୁ ପ୍ରାୟ କେତେବେଳେ ଯାଅ। ମୁଁ କହିଲି – ସନ୍ଧ୍ୟା ୬। ପ୍ରଶାନ୍ତ ସମସ୍ତଙ୍କୁ ଚାହିଁଲେ ଓ ଗୁରୁଗମ୍ଭୀର ସ୍ଵରରେ କହିଲେ ଆଜିର ମିଟିଂ ଠିକ ୬ଟାରେ ସରିବ। ପ୍ରଥମ ଥର ପାଇଁ କେହି ଜଣେ ଏକ ମିଟିଂରେ ନିଜର ବକ୍ତବ୍ୟ ଅପେକ୍ଷା ସେଥିରେ ଭାଗ ନେଉଥିବା ଲୋକଙ୍କ ବିଷୟରେ ଜାଣି ତାଙ୍କର ସୁବିଧା ଅସୁବିଧା ଓ ଆଗ୍ରହ ବିଷୟରେ ଜାଣିବାକୁ ଚାହିଁଥିଲା। ଏଥିରୁ ଜଣାପଡେ ଯେ ପ୍ରକୃତରେ ସହଭାଗୀ ଶିକ୍ଷା ଓ କାର୍ଯ୍ୟ କଣ ଏଇ ବ୍ୟକ୍ତି ତା’ର ପ୍ରତିଟି କାର୍ଯ୍ୟ ଓ କଥାରେ କରି ଦେଖାଉଛି।

ନିର୍ମଳା ମ୍ୟାଡାମଙ୍କ ସହ ଦେଖା ଏକ ଟ୍ରେନିଂ କାର୍ଯ୍ୟକ୍ରମ ସମୟରେ। ପତଳା ଭାବଗମ୍ଭୀର ଚେହେରା। ସବୁ ଅଧିବେଶନ ସରିବା ପରେ ତାଙ୍କ ସହ ଏକ ପ୍ରଶ୍ନୋତ୍ତର ଅଧିବେଶନ ଥାଏ। ରାତି ବେଶି ହେଲାଣି କିନ୍ତୁ ପ୍ରଶ୍ନ ସରୁନାହିଁ। କେହି ଜଣେ କିଛି ଗୋଟେ ସାଧାସିଧା ପ୍ରଶ୍ନ ପଚାରିଦେଲେ। ଆୟୋଜକ ମଣ୍ଡଳୀରୁ ଜଣେ ସିନିୟର ବାବୁ ବିରକ୍ତି ପ୍ରକାଶ କରି କହିଲେ – ଡେରି ହେଇଗଲାଣି। ମ୍ୟାଡାମ ଏଥର ଯିବେ। ନିର୍ମଳା କିନ୍ତୁ ବିଲକୁଲ ଅସନ୍ତୋଷ ଭାବ ପ୍ରକାଶ ନକରି ସେ ବାବୁ ଜଣଙ୍କୁ ଅଟକାଇଲେ ଓ କହିଲେ – ମୁଁ ଉତ୍ତର ଦେବି। କୌଣସି ପ୍ରଶ୍ନ ଭୁଲ ହେଇନଥାଏ। ଯଦି ପାଖରେ ଉତ୍ତର ଅଛି ତେବେ ଦେବା ଉଚିତ। ଯେଉଁ କାର୍ଯ୍ୟଭାର ଏକଜୁଟ ଉଠାଇଛି ତା’ ଶୁଣିବାକୁ ସହଜ ଲାଗୁଥିଲେ ମଧ୍ୟ ପ୍ରକୃତରେ ଏକ ଗୁରୁଗମ୍ଭୀର କାର୍ଯ୍ୟ। ସେଥିପାଇଁ ଯେଉଁ ଧୈର୍ଯ୍ୟ ଓ ସକାରାତ୍ମକ ମନୋବୃତ୍ତି ଆବଶ୍ୟକ ନିର୍ମଳା ହେଲେ ତା’ର ଏକ ଗନ୍ତାଘର।

ପ୍ରଶାନ୍ତଙ୍କର ଜନ୍ମ ଓ ପିଲାବେଳ କଟିଥିଲା ଝାଡ଼ଖଣ୍ଡର ଏକ ଗାଁରେ। ଡାକ୍ତରୀ ଡିଗ୍ରୀ ସରିବା ପରେ ସେ ଆଦିବାସୀ ଅଞ୍ଚଳରେ ହିଁ ଏକ ଡାକ୍ତର ଭାବେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ପରେ ଇନଷ୍ଟିଚ୍ୟୁଟ ଅଫ ଚାଇଲ୍ଡ ହେଲ୍ଥ, ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ସେ ତାଙ୍କର ମାଷ୍ଟର ଡିଗ୍ରୀ ଅର୍ଜନ କରିଥିଲେ। ମାଷ୍ଟର ଡିଗ୍ରୀରେ ତାଙ୍କର ଗବେଷଣାର ବିଷୟ ଥିଲା ଭାରତରେ ଶିଶୁ ମୃତ୍ୟୁ ହାର। ଏହି ଗବେଷଣା ସମୟରେ ସେ ଜାଣିଥିଲେ ଯେ ୧୯୮୦ ରୁ ୧୯୯୦ ମଧ୍ୟରେ ସରକାରଙ୍କ ଦ୍ଵାରା ନାନା ପ୍ରଚେଷ୍ଟା ସତ୍ତ୍ୱେ ଶିଶୁ ମୃତ୍ୟୁ ହାର କିଛି ଖାସ କମିନଥିଲା।

ପ୍ରଶାନ୍ତ ଦେଶକୁ ଫେରି ଟାଟା ଷ୍ଟିଲର ଝାଡଖଣ୍ଡ ପାଇଁ ଥିବା ସିଏସଆର ବିଭାଗରେ ଯୋଗ ଦେଲେ। ନିର୍ମଳା ମଧ୍ୟ ସେ ସମୟରେ ଟାଟା ଷ୍ଟିଲର ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ। ପ୍ରଶାନ୍ତ ଏହି ସମୟରେ ସେଠାରେ ପ୍ରଥମେ ଗୋଷ୍ଠୀକୁ ନେଇ କୁପୋଷଣ ରୋକିବା ନିମନ୍ତେ ଏକ କାର୍ଯ୍ୟକ୍ରମ ଡିଜାଇନ କରିଥିଲେ। ଏହି ସମୟରେ ମା’ ମାନଙ୍କୁ ଶିଶୁ କୁପୋଷଣ ରୋକିବା ପାଇଁ ନିୟମିତ ଭାବେ ସେ ଭେଟୁଥିଲେ ଓ ସେମାନଙ୍କୁ ଏ ସମ୍ପର୍କରେ ବୁଝାଉଥିଲେ। ଏହି କାର୍ଯ୍ୟକ୍ରମ ଦ୍ଵାରା ହେଇଥିବା ସକାରାତ୍ମକ ପରିବର୍ତ୍ତନ ଦେଖି ସେ ବୁଝିପାରିଥିଲେ ଯେ ସହଭାଗୀ ଶିକ୍ଷା (participatory approach) କୁ ସଠିକ ଭାବେ ରୂପରେଖ ଦେଲେ ଏକ ସୁସ୍ଥ ଗୋଷ୍ଠୀ ନିର୍ମାଣରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇପାରେ।

ଏହି ସମୟ ମଧ୍ୟରେ ଜାମଖେଡରେ ସେ ରାଜ ଓ ମାବେଲ ଆରୋଲଙ୍କୁ ଭେଟିଥିଲେ। ଏହି ଗୋଟିଏ ଭେଟ ତାଙ୍କର ବର୍ତ୍ତମାନର କାମକୁ ଅନେକ ମାତ୍ରାରେ ପ୍ରେରିତ କରିଥିଲା। 

ପ୍ରଶାନ୍ତ କୁହନ୍ତି

ସେମାନେ ଲୋକଙ୍କୁ ବିଶ୍ଵାସ କଲେ, ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜଣାଇଲେ, ସଭିଙ୍କୁ ସମ୍ମାନ ଦେଲେ, ଲୋକଙ୍କ ସାମନାରେ ସତ୍ୟ ହିଁ ରଖିଲେ ଏବଂ ବଦଳରେ ଜାମଖେଡ ଓ ପାଖାପାଖି ଗାଁର ଲୋକେ ବଦଳୁଥିବା ଦୁନିଆର ଜଟିଳ ପରିସ୍ଥିତି ମଧ୍ୟରେ ନିଜକୁ ଖୁବ ସୁନ୍ଦର ଭାବେ ସାମିଲ କରିନେଲେ।

୧୯୯୮ ମସିହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏପରି ଏକ ପ୍ରୟାସ କିଭଳି ଭାବେ ଏକ ବଡ ଆକାରରେ ପ୍ରଭାବ ପକାଇପାରିବ ବୁଝିବାକୁ ପ୍ରଶାନ୍ତ ଦିଲ୍ଲୀରେ ଥିବା ଏକ ବଡ ଅନ୍ତର୍ଜାତୀୟ ବିକାଶମୂଳକ ସଂସ୍ଥାରେ ଯୋଗ ଦେଲେ। କିଛି ବର୍ଷ ମଧ୍ୟରେ କିନ୍ତୁ ସେ ସଂସ୍ଥାର ଟପ–ଡାଉନ ଆଭିମୁଖ୍ୟରେ ଅତିଷ୍ଠ ହେଇଗଲେ। ଏପରି ଏକ ଅଭିମୁଖ ଯେଉଁଥିରେ ପ୍ରୟାସ ପ୍ରଥମେ ଅଗ୍ରରୁ ଆରମ୍ଭ ହୁଏ...ତଦ୍ୱାରା ଅସମାନତା କେବଳ ବଢେ, କୌଣସି ପ୍ରକାରେ କମେ ନାହିଁ।

ଏହା ପରେ ପ୍ରଶାନ୍ତ ଓ ନିର୍ମଳା ନିଷ୍ପତ୍ତି ନେଲେ ଯେ ନିଜର ସଂସ୍ଥା ଆରମ୍ଭ କରିବେ। ସେମାନେ ଝାଡ଼ଖଣ୍ଡ ଫେରିଗଲେ। ସଂସ୍ଥା ଆରମ୍ଭ କରିବା ଆଗରୁ ତାଙ୍କର ଯୋଜନା ପ୍ରସ୍ତୁତ କରିବା ସମୟରେ ଗାଁ ରେ ଖବର ଖେଳିଗଲା ଯେ ଦୁଇ ଜଣ ଡାକ୍ତର ଆସି ସେଠାରେ ରହୁଛନ୍ତି। ଧୀରେ ଧୀରେ ଗାଁ ଲୋକେ ଆସି ନିଜର ସ୍ୱାସ୍ଥ୍ୟ ସମସ୍ୟା କହିବାକୁ ଲାଗିଲେ। ତେଣୁ ଦୁହିଁଙ୍କୁ ସେଠାରେ ଏକ ଛୋଟ କ୍ଲିନିକ ଚଲେଇବାକୁ ପଡିଲା। ଆସୁଥିବା ଅନେକ ରୋଗୀଙ୍କ ମଧ୍ୟରୁ ବେଶି ଥିଲେ କୁପୋଷିତ ଶିଶୁ ଓ ତାଙ୍କ ମା’।

ତାଙ୍କୁ ସେଠାକାର ଜଣେ ମହିଳା ସୁମିତ୍ରା ହିଁ ପ୍ରଥମେ ତାଙ୍କୁ ପାଖ ଗାଁ କୁ ଡାକି ନେଇଥିଲେ।। ସେଠାରେ ଯାଇ ସେମାନେ ଗାଁ ଲୋକଙ୍କୁ ଭେଟିଥିଲେ, ତାଙ୍କ ସହ ମିଶି ସେମାନେ ସାମନା କରୁଥିବା ସମସ୍ୟା ଗୁଡିକ ବିଷୟରେ ଜାଣିପାରିଥିଲେ ଓ ଜାଣିପାରିଥିଲେ ଯେ ସମସ୍ୟାଗୁଡିକର ସମାଧାନ ପାଇଁ ତାଙ୍କୁ କଣ କରିବା ଉଚିତ। ଧୀରେ ଧୀରେ ସେମାନେ ସେଇ ଗାଁ ଓ ଆହୁରି ଅନେକ ଗାଁର ମହିଳା ମାନଙ୍କ ସହ କାମ କରିବାକୁ ଲାଗିଲେ। ତଥ୍ୟ ସଂଗ୍ରହ, ରିସର୍ଚ ଓ ମହିଳା ମାନଙ୍କର ନିଜର କ୍ଷମତା କିପରି ଭାବେ ବଢିବ ସେ ନେଇ କାମ କରିବାକୁ ଲାଗିଲେ। ସେମାନେ ବୁଝିଲେ ଯେ ପରିବାରର ସ୍ୱାସ୍ଥ୍ୟର ଚାବିକାଠି ସେହି ପରିବାରର ମା’ ପାଖରେ ଥାଏ। ତେଣୁ ମା’ ର ସ୍ୱାସ୍ଥ୍ୟସେବା ନେଇ ଜ୍ଞାନ ବଢିବା ସହ ସ୍ୱାସ୍ଥ୍ୟକୁ ନେଇ ନିଷ୍ପତ୍ତି ନେବାର କ୍ଷମତା ବଢିଲେ ହିଁ ପରିବାରର ସୁସ୍ଥ ରହିବ। ଏପରି ଏକ ବିଚାରରୁ ଜନ୍ମ ହେଲା ଏକଜୁଟ।

ଅନ୍ତର୍ଜାତୀୟ ସ୍ତରରେ ବେଶ ସମ୍ମାନନୀୟ ସ୍ୱାସ୍ଥ୍ୟ ଜର୍ନାଲ “The Lancet” ରେ ୨୦୧୦ରେ ‘ଏକଜୁଟ ଟ୍ରାୟଲ’ ସମ୍ବନ୍ଧରେ ଏକ ବିସ୍ତୃତ ଲେଖା ପ୍ରକାଶିତ ହେଇଥିଲା। ଏଥିରେ ଝାଡ଼ଖଣ୍ଡ ଏବଂ ଓଡିଶାର ଆଦିବାସୀ ବହୁଳ ଅଞ୍ଚଳରେ ସହଭାଗୀ ଶିକ୍ଷା ଓ କାର୍ଯ୍ୟ (Participatory Learning and Action, PLA) ଜରିଆରେ ମହିଳା ଗୃପ ମିଟିଂ ଦ୍ଵାରା ୩ ବର୍ଷ ମଧ୍ୟରେ ନବଜାତ ଶିଶୁର ମୃତ୍ୟୁ ହାର ଏକ ତୃତୀୟାଂଶ ପର୍ଯ୍ୟନ୍ତ କମ ହେଇ ପାରିଥିଲା। Institute of Child Health, University College Londonର ସହଭାଗିତାରେ ଏକଜୁଟ ଏହି କାର୍ଯ୍ୟ ଏବଂ ଏହା ପରେ ଅନେକ କାର୍ଯ୍ୟ କରିଆସିଛି। 

ଏକଜୁଟ ଏହିପରି ପ୍ରୟାସ ଅନେକ ଥର କରିଲା ପରେ ଓଡିଶା ସରକାର ମଧ୍ୟ ରାଜ୍ୟରେ ମା’ ଓ ଶିଶୁ ମୃତ୍ୟୁହାର ଓ କୁପୋଷଣ କୁ କମାଇବା ଏବଂ ଜଳ ପରିମଳରେ ଉନ୍ନତି ପାଇଁ ଏକଜୁଟର ସାହାଯ୍ୟ ନେଇ ଶକ୍ତି ବାର୍ତ୍ତା ନାମକ ଏକ କାର୍ଯ୍ୟକ୍ରମ ଚଳାଇଥିଲେ। ଏବେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ((National Health Mission) ଦେଶର ୧୦ଟି ରାଜ୍ୟରେ ମାତୃ ଓ ନବଜାତ ଶିଶୁ ମୃତ୍ୟୁ ହାର କମେଇବା ପାଇଁ ଏହି ସହଭାଗୀ ଶିକ୍ଷା ଓ କାର୍ଯ୍ୟ (Participatory Learning and Action) ଶୈଳୀରେ କାର୍ଯ୍ୟକାରିତା ସ୍ଥିର କରିଛି ଏବଂ ଏଥିଲାଗି ଏକଜୁଟ ଠାରୁ ବୈଷୟିକ ସହାୟତା ନେଉଛି। 

୨୦୧୪ ମସିହାରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO), ମହିଳା ଗୃପ ଦ୍ଵାରା ଏହି PLA ମିଟିଂ କରିଲେ ମାତୃ ଓ ଶିଶୁ ମୃତ୍ୟୁହାର ଯେ କମିପାରିବ ବୋଲି ଏକ ମାନ୍ୟତା ଦେଇଛି। ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ କିଛି ଉଦାହରଣ ସୃଷ୍ଟି କରିପାରିଥିବା ଯୋଗୁଁ ୨୦୧୫ ମସିହାରେ ଏକଜୁଟ କୁ WHO ତରଫରୁ ପବ୍ଲିକ ହେଲ୍ଥ ଚମ୍ପିୟାନ ଆୱାର୍ଡ ମଧ୍ୟ ମିଳିଛି।

ଏକଜୁଟର ଫର୍ମୁଲା ଏକଦମ ସରଳ ଓ ସହଜ। ମହିଳା ସ୍ଵୟଂସହାୟକ ଗୋଷ୍ଠୀ ମାନଙ୍କର ପ୍ରସାରକୁ ବ୍ୟବହାର କରି ଏଭଳି ମଞ୍ଚ ମାନଙ୍କରେ ମା’ ଓ ଶିଶୁର ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆଲୋଚନା କରିବା ସହ ପରସ୍ପରର ଅଭିଜ୍ଞତା ବାଣ୍ଟିବା। ଶିକ୍ଷା ଦେବା ନୁହେଁ ବରଂ ପରସ୍ପରର ଅନୁଭୂତି ଓ ଅଭିଜ୍ଞତାରୁ ଶିଖିବା। ଏକ ଏଭଳି ମଞ୍ଚ ପ୍ରସ୍ତୁତ କରିବା ଯେଉଁଠାରେ ସଭିଏଁ ସମାନ ସ୍ତରରେ ରହିବେ ଏବଂ ସମାନ ଭାବେ ସମ୍ମାନ ମଧ୍ୟ ପାଉଥିବେ। ଏଠାରେ କେହି ଶିକ୍ଷକ ନୁହନ୍ତି ବା କେହି ବିଦ୍ୟାର୍ଥୀ ନୁହନ୍ତି। କେବଳ ମିଳିମିଶି ଗପଶପ ଓ ଆଲୋଚନା ଜରିଆରେ ସଶକ୍ତିକରଣ।

ଏବେ ଏକଜୁଟ ପୁରା ଝାଡ଼ଖଣ୍ଡ ଓ ଓଡିଶାର କେଉଁଝର, ମୟୂରଭଞ୍ଜ, କରଞ୍ଜିଆ ଓ ରାୟଗଡ଼ାରେ କାର୍ଯ୍ୟ କରୁଛି।