ବସ୍ତିପିଲାଙ୍କୁ ବହିଖାତା ଧରାଇବାର ଏକ ଅଭିନବ ପ୍ରୟୋଗଶାଳା: ମ୍ୟୁଜିୟମ ସ୍କୁଲ

0

  • ୧୦ ବର୍ଷ ହେଲା ଚାଲିଛି ମ୍ୟୁଜିୟମ୍ ସ୍କୁଲ
  • ମ୍ୟୁଜିୟମ ମାଧ୍ୟମରେ ଦିଆଯାଏ ପୁସ୍ତକ ଜ୍ଞାନ
  • ବସ୍ତି ଓ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢାଯାଏ

ମ୍ୟୁଜିୟମରୁ କୌଣସି ଦେଶର କଳା ସଂସ୍କୃତି ଓ ଇତିହାସକୁ ବୁଝିହୁଏ | ଏହାକୁ ଶିକ୍ଷାଦାନ ପାଇଁ ମଧ୍ୟ ବ୍ୟବହାର କରିହେବ | ଭୋପାଳରେ ରହୁଥିବା ଶିବାନୀ ଘୋଷ ସେଠାରେ ଥିବା ବିଭିନ୍ନ ମ୍ୟୁଜିୟମ୍ କୁ ପାଠ ସହିତ ଯୋଡିଛନ୍ତି ଓ ହଜାର ହଜାର ପିଲାଙ୍କୁ ଶିକ୍ଷାଦାନ କରିପାରିଛନ୍ତି | ସେ ‘ପରବରିସ୍, ଦି ମ୍ୟୁଜିୟମ୍ ସ୍କୁଲ’ ସଂସ୍ଥା ଜରିଆରେ ବସ୍ତି ଓ ଗରିବ ପିଲାମାନଙ୍କୁ ମ୍ୟୁଜିୟମ୍ ମାଧ୍ୟମରେ ପଢାଇବାର କାମ କରୁଛନ୍ତି | ଏହି ସ୍କୁଲରେ ପଢିଥିବା ପିଲାମାନେ ଆଜି ଇଂଜିନିୟରିଂ ଓ ଅନ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି |

ଶିବାନୀ ଯେତେବେଳେ ବିଏଡ୍ ପଢୁଥିଲେ, ସେ ଲକ୍ଷ୍ୟ କଲେ ଏହି ତାଲିମ ପାଠ୍ୟକ୍ରମରେ ଯେଉଁ ଶିକ୍ଷା ପଦ୍ଧତି ପଢାଯାଉଛି, ତାହା ଖୁବ୍ ଭଲ | କିନ୍ତୁ ତାହାର ବ୍ୟବହାର ଅଧିକାଂଶ ସ୍କୁଲରେ ହୋଇପାରୁନାହିଁ | ତେଣୁ ଏହି ପାଠପଢା ଶେଷ କରିବା ପରେ ଯଦି ସେ କୌଣସି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଯୋଗ ଦିଅନ୍ତି, ଏସବୁ ପଦ୍ଧତିର ଉପଯୋଗ ଓ ଜ୍ଞାନ ସେଠାକାର ଛାତ୍ରଛାତ୍ରୀଙ୍କ ନିକଟରେ ପହଁଚାଇ ହେବନାହିଁ | ତେଣୁ ଯେଉଁ ପିଲାମାନେ ଗୁଣବତ୍ତା ଶିକ୍ଷାରୁ ବଂଚିତ ହେଉଛନ୍ତି, ସେମାନଙ୍କୁ ପଢାଇବାକୁ ସେ ନିଷ୍ପତି ନେଲେ | ଏଥିପାଇଁ ଗୋଟିଏ ସ୍କୁଲ କରିବା ଲାଗି ସେ ସ୍ଥିର କରି ସାରିଥିଲେ | ଏହି ସ୍କୁଲ ଆରମ୍ଭ କରିବା ପୂର୍ବରୁ ସେ ଦେଶର ବିଭିନ୍ନ ସ୍କୁଲ ବୁଲିଲେ | ସେ ପଣ୍ଡିଚେରୀର ଅରବିନ୍ଦ ଆଶ୍ରମ ଓ ଅନ୍ୟ ସ୍କୁଲର ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ | ଏସବୁ ଦେଖି ସେ ଭାବିଲେ ଭୋପାଳରେ ଥିବା ମିଜ୍ୟୁୟମଗୁଡିକୁ କାହିଁକି ଶିକ୍ଷାର ସାଧନା ଭାବେ ବ୍ୟବହାର କରାନଯିବ ?

ଏହା ପରେ ସେ ଭୋପାଳର ବିଭିନ୍ନ ବସ୍ତି ସର୍ଭେ କଲେ | ସେ ସେଠାରେ ଦେଖିଲେ ବସ୍ତିରେ ରହୁଥିବା ଅଧିକାଂଶ ପିଲା ସ୍କୁଲକୁ ଯାନ୍ତି ନାହିଁ | ସେମାନେ କାହା ଘରେ କାମ କରୁଛନ୍ତି, ନ ହେଲେ କେଉଁଠି ଶ୍ରମିକ ଭାବେ ଖଟୁଛନ୍ତି | କାରଣ ସେମାନେ ପରିବାର ଅର୍ଥନୈତିକ ବୋଝକୁ ଉପାର୍ଜନ ମାଧ୍ୟମରେ ହାଲକା କରିବାକୁ ଚାହିଁଥାନ୍ତି | ସେ କିଛି ବସ୍ତିପିଲାଙ୍କ ସହ କଥା ହୋଇ କହିଥିଲେ ଯେ ସେ ବସ୍ତି ବାହାରେ କୌଣସି ଏକ ସ୍କୁଲରେ ପଢିବା ଲାଗି ବ୍ୟବସ୍ଥା କରିବେ | ଏଥିରେ କିଛି ପିଲା ରାଜି ହୋଇଥିଲେ ବି କାଳେ ରୋଜଗାର ପଳାଇବ ସେ ନେଇ ଚିନ୍ତାରେ ପଡି ଯାଇଥିଲେ | ଶିବାନୀ ସେମାନଙ୍କୁ ବୁଝାଇ କହିଥିଲେ – ଯେଉଁମାନେ କାମ କରିବାକୁ ଚାହିଁବେ, ସେମାନେ କାମ କରିପାରିବେ ଓ ତା ସହ ପାଠ ମଧ୍ୟ ପଢିପାରିବେ | ଏକଥା ଶୁଣି ତାଙ୍କ ସାଙ୍ଗରେ ୪୦ ପିଲା ପଢିବା ପାଇଁ ରାଜି ହୋଇଥିଲେ | ଅପରାହ୍ନ ୩ଟାରୁ ୫ ପର୍ଯ୍ୟନ୍ତ ପାଠପଢାଇବା ପାଇଁ ସ୍ଥିର ହେଲା | ଏହା ସହ ଭୋପାଳରେ ଥିବା ୫ ମ୍ୟୁଜିୟମ୍ ସହ ମଧ୍ୟ କଥାବାର୍ତ୍ତା ହେଲା | ସେଗୁଡିକ ହେଲା ରିଜିଓନାଲ୍ ସାଇନ୍ସ ସେଣ୍ଟର, ମାନବ ସଂଗ୍ରହାଳୟ, ଷ୍ଟେଟ୍ ମ୍ୟୁଜିୟମ୍, ନେସନାଲ୍ ହିଷ୍ଟ୍ରି ମ୍ୟୁଜିୟମ୍ ଓ ଆଦିବାସୀ ମ୍ୟୁଜିୟମ୍ |

ଏହି ପରି ଭାବେ ୨୦୦୫ ସେପ୍ଟେମ୍ବର ମାସରେ ପରବରିସ୍, ଦି ମ୍ୟୁଜିୟମ୍ ସ୍କୁଲ ଆରମ୍ଭ ହେଲା | ୟୋରଷ୍ଟୋରୀକୁ ଶିବାନୀ କହନ୍ତି,

“ଆରମ୍ଭରୁ ଆମେ ଏକ ବସ୍ ଭଡାରେ ନେଲୁ ଓ ବସ୍ତିରୁ ପିଲାଙ୍କୁ ନେଇ ବିଭିନ୍ନ ମ୍ୟୁଜିୟମ୍ ବୁଲାଇଲୁ | ପିଲାମାନଙ୍କୁ ମ୍ୟୁଜିୟମରେ ଛାଡି ଦିଆଯାଏ, ସେମାନେ ବୁଲି ବୁଲି ବିଭିନ୍ନ ଜିନିଷ ଦେଖିବା ପରେ ସେମାନଙ୍କ ମନରେ ଆସୁଥିବା ପ୍ରଶ୍ନର ଉତ୍ତର ସେହିଠାରେ ଦିଆଯାଏ | ସେମାନଙ୍କୁ ପାଠ କଥା କୁହାଯାଇନଥିଲା | କେବଳ ସେମାନଙ୍କର ପ୍ରଶ୍ନର ଉତ୍ତର ଦିଆଗଲା |”

ଧୀରେ ଧୀରେ ପିଲାମାନେ ଯେତେବେଳେ ଅଧିକ ଆଗ୍ରହ ଦେଖାଇଲେ, ସେମାନଙ୍କୁ ମ୍ୟୁଜିୟମ୍ ନେବା ସହିତ ମ୍ୟୁଜିୟମ୍ ସ୍କୁଲରେ ସେମାନଙ୍କ ନାମ ଲେଖା ଗଲା | ସେତେବେଳକୁ ତାଙ୍କ ବାପାମା ମାନେ ବୁଝିସାରିଥିଲେ ଯେ ତାଙ୍କ ପିଲାମାନେ ପାଠ ପଢିବାକୁ ଚାହୁଁଛନ୍ତି | ଏହା ପରେ ପାଠ ପଢା ଚାଲିଲା |

ଶିବାନୀ ତାଙ୍କ ଆଖପାଖରେ ରହୁଥିବା ପିଲାମାନଙ୍କୁ ନ୍ୟାସନାଲ୍ ଓପନ୍ ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଇଲେ | ଏଠାରେ ପଢିଥିବା ଅନେକ ପିଲା କେବଳ କଲେଜରେ ପଢିନାହାନ୍ତି, ବଂର କେତେକ ଇଂଜିନିୟରିଂ ମଧ୍ୟ ଶେଷ କରିଲେଣି | ଏଥିରେ ଏମିତି ମଧ୍ୟ ପିଲା ଅଛନ୍ତି, ଯେଉଁମାନେ ନିଜର ବ୍ୟବସାୟ ମଧ୍ୟ ଆରମ୍ଭ କରିଛନ୍ତି | ଶିବାନୀ କହନ୍ତି, ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ପିଲାଙ୍କର ପାଠପଢା ସହ ସର୍ବାଙ୍ଗୀନ ବିକାଶ | ତେଣୁ ଏଠାକୁ ଆସୁଥିବା ପିଲାମାନଙ୍କୁ ବିଭିନ୍ନ ଭୋକେସନାଲ୍ ଟ୍ରେନିଂ ଦିଆଯାଏ | ବିଗତ ୧୦ ବର୍ଷ ମଧ୍ୟରେ ୧୨୦୦ ପିଲା ଏଠାରୁ ଶିକ୍ଷା ନେଇ ଆତ୍ମନିର୍ଭର ହୋଇପାରିଛନ୍ତି |

ବର୍ତ୍ତମାନ ୧୫୦ ପିଲା ତାଙ୍କ ସ୍କୁଲରେ ପାଠ ପଢୁଛନ୍ତି | ଏହି ସ୍କୁଲରେ ସାତ ଦିନ ଯାକ ପାଠ ପଢାହୁଏ | ଏହି ସ୍କୁଲରୁ ପଢିଥିବା ୧୦ ଜଣ ଝିଅ ଏବେ ପିଲାମାନଙ୍କୁ ପଢାଉଛନ୍ତି | ମ୍ୟୁଜିୟମ୍ କ୍ଲାସ୍ ସ୍ୱେଚ୍ଛାସେବୀମାନେ ସମ୍ଭାଳିଥାନ୍ତି | ଯେଉଁ ବିଷୟ ପିଲାମାନେ ପଢନ୍ତି, ସେ ସମ୍ପର୍କିତ ମ୍ୟୁଜିୟମ୍ ଗ୍ୟାଲେରୀକୁ ପିଲାମାନଙ୍କୁ ନିଆଯାଇଥାଏ | ଏହି ଲୋକମାନେ ଖାତା ବହି ବ୍ୟତୀତ ପ୍ରାକ୍ଟିକାଲ୍ ମାଧ୍ୟମରେ ବିଭିନ୍ନ ବିଷୟରେ ଜ୍ଞାନ ଲାଭ କରନ୍ତି | ଉଦାହରଣ ସ୍ୱରୂପ ନର୍ମଦା ନଦୀର ପଛରେ କି କାହାଣୀ ରହିଛି, ଆଦିବାସୀମାନଙ୍କ ଇତିହାସ କେତେ ପୁରୁଣା, ଚୁମ୍ବକୀୟ ଶକ୍ତି ଯୋଗୁଁ ପ୍ରତ୍ୟେକ ବସ୍ତୁ ପୃଥିବୀ ଉପରେ ପଡେ, କିନ୍ତୁ ଧୂଆଁ କାହିଁକି ଆକାଶରେ ଉଡେ ? ଏମିତି ଅନେକ ପ୍ରଶ୍ନର ଉତ୍ତର ମ୍ୟୁଜିୟମରେ ପାଠପଢାଇଲା ବେଳେ କରାଯାଇଥାଏ |

ବର୍ତ୍ତମାନ ‘ପରବରିସ୍, ଦି ମ୍ୟୁଜିୟମ୍ ସ୍କୁଲ’ ପଢୁଥିବା କିଛି ପିଲା ଟିବି କାର୍ଯ୍ୟକ୍ରମରେ ନିଜର ଅଭିନୟ ଦେଖାଇ ସାରିଲେଣି | ଡ୍ୟାନ୍ସ ପ୍ରତିଯୋଗୀତାରେ ମଧ୍ୟ ଭାଗ ନେଲେଣି | ସ୍କୁଲରେ ପିଲାମାନଙ୍କୁ ନିଜ ରୁଚି ଅନୁସାରେ ବିଭିନ୍ନ ଶିକ୍ଷା ଦିଆଯାଇଥାଏ | ଏହି ସ୍କୁଲରେ ପଢୁଥିବା ଅରୁଣ ମାତ୍ରେ ଆଜି ଇଂଜିନିୟରିଂ ପଢୁଛନ୍ତି | ତାଙ୍କ ମା ଅନ୍ୟମାନଙ୍କ ଘରେ କାମ କରନ୍ତି ଓ ବାପା ଗୋଟିଏ କମ୍ପାନୀରେ ଚପରାସୀ ଚାକିରି କରନ୍ତି | ଶିବାନୀଙ୍କ କହିବା କଥା -

“ଆମେ ଏହି କାମକୁ ଅନ୍ୟ ସହରରେ କରିବା ଲାଗି ମଧ୍ୟ ଯୋଜନା କରିଛୁ | ଯେଉଁ ସଂସ୍ଥାଗୁଡିକ ପିଲାମାନଙ୍କର ପାଠପଢାକୁ ମ୍ୟୁଜିୟମ୍ ସହ ସହ ଯୋଡିପାରିବେ, ସେଭଳି ସଂସ୍ଥା ଅନ୍ୱେଷଣରେ ଆମେ ଅଛୁ |”

ମୂଳ ଲେଖା - ହରିଶ ବିଷ୍ଟ

ଭାଷାନ୍ତର - ଅଖଣ୍ଡ

Akhand is a noted social worker, freelance journalist and writer. He basically writes on various development issues. Can be reached at: indiamediacentre@gmail.com / +91 9938871989

Related Stories