ସମସ୍ତଙ୍କୁ ମାଗଣା ଔଷଧ ଦେବାର ପ୍ରୟାସ : ‘ଇ-ଔଷଧୀ’ କରିବ ସହାୟତା

ସମସ୍ତଙ୍କୁ ମାଗଣା ଔଷଧ ଦେବାର ପ୍ରୟାସ :  ‘ଇ-ଔଷଧୀ’ କରିବ ସହାୟତା

Sunday January 31, 2016,

2 min Read

ରାଜ୍ୟର ସମସ୍ତ ଲୋକ କିପରି ମାଗଣାରେ ଅତ୍ୟାବଶ୍ୟକ ଔଷଧ ମାଗଣାରେ ପାଇପାରିବ, ସେହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନିରାମୟ ଯୋଜନା | ତେବେ ଅନେକ ଡାକ୍ତରଖାନାରେ ଏହି ଔଷଧ ମିଳୁନଥିବା ଅଭିଯୋଗ ହେଉଥିଲା | ପୁଣି କେଉଁ ଡାକ୍ତରଖାନାରେ କେଉଁ ଔଷଧ ଉପଲବ୍ଧ ନୁହେଁ ଏବଂ ଏହାର କାରଣ କଣ ? ଏସବୁ ଜାଣିବା ଅତ୍ୟନ୍ତ ଜଟିଳ ବ୍ୟାପାର ଥିଲା | ଏହି ସମସ୍ୟାର ସମାଧାନ କରିବା ଲାଗି ସରକାର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସହାୟତା ନେଇଛନ୍ତି | ଏଣିକି ଏସବୁର ନଜର ରଖିବ ସଫ୍ଟୱେର୍ ଇ-ଔଷଧୀ | ଏହି ସଫ୍ଟୱେର୍ କାର୍ଯ୍ୟକାରୀ ହେଲେ କେଉଁ ଡାକ୍ତରଖାନାରେ କେତେ ପ୍ରକାର ଓ କଣ କଣ ଔଷଧ ମହଜୁଦ ରହିଛି, ତାହା ଏକ କ୍ଲିକ୍ ରେ ଜାଣିହେବ| ପୁଣି ଯେଉଁ ଔଷଧ ମହଜୁଦ ନଥିବା, ତାକୁ ମଗାଇହେବ | ତେଣୁ ଡାକ୍ତରମାନେ ରୋଗୀଙ୍କୁ ପ୍ରେସ୍କ୍ରିପସନ୍ ଦେଇ ଔଷଧ ଦୋକାନକୁ ପଠାଇବା ଘଟଣା କମିଯିବ |

ନିରାମୟ ଯୋଜନାକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି | ମାଗଣା ଔଷଧ ଯୋଗାଇବା ଓ ଏହାର ସୁପରିଚାଳନା ପାଇଁ ଗଠିତ ହୋଇଛି ରାଜ୍ୟ ଔଷଧ ନିଗମ | ନିରାମୟ ଯୋଜନାରୁ ଗରିବ ଓ ଅବହେଳିତ ଲୋକେ କିପରି ସୁଫଳ ପାଇପାରିବେ, ସେ ଦିଗରେ ନିଗମ ଗୁରୁତ୍ୱ ଦେଉଛି |

image


ନିଗମର ନିର୍ଦ୍ଦେଶିକା ରୂପା ମିଶ୍ର କହନ୍ତି,

ନିଗମ ନିକଟରେ ବର୍ତ୍ତମାନ ୪୨୧ ପ୍ରକାର ଔଷଧ ମହଜୁଦ ରହିଛି | ବିଭିନ୍ନ ହସ୍ପିଟାଲ୍ ଓ ମେଡିକାଲ କଲେଜ୍ କୁ ଔଷଧ ଯୋଗାଇବା କାମ ନିଗମ କରିଥାଏ | କିନ୍ତୁ ଅନେକ ସମୟରେ ତ୍ରୁଟିପୂର୍ଣ ଔଷଧ ତାଲିକା ଆସୁଥିବାରୁ ଔଷଧ ଯୋଗାଣରେ ସମସ୍ୟା ସୃଷ୍ଟି ହେଉଛି | ରାଜ୍ୟର ପ୍ରତ୍ୟେକ ଅଂଚଳରେ ଔଷଧ ପଂହଚାଇବା ପାଇଁ ନିଗମ ସଦାସର୍ବଦା ପ୍ରୟାସ କରୁଛି |

ନିୟମ ଅନୁସାରେ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୫ ପ୍ରକାର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୨୦ ପ୍ରକାର ଓ ଜିଲ୍ଲାସ୍ତରୀୟ ଚିକିତ୍ସାଳୟରେ ୨୦୦ ପ୍ରକାର ଔଷଧ ରହିବା କଥା | ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବାହ୍ୟରୋଗୀ ବିଭାଗରେ ୧୨୦ ପ୍ରକାର ଓ ଡାକ୍ତରଖାନାରେ ଆଡମିଶନ ହେଉଥିବା ରୋଗୀମାନଙ୍କ ପାଇଁ ୨୦ ପ୍ରକାର ଔଷଧ ରଖାଯିବା ଦରକାର | ତେଣୁ ଏସବୁ ମହଜୁବ ରଖିବା ଲାଗି ଜିଲ୍ଲା ଚିକିତ୍ସା ଅଧିକାରୀମାନଙ୍କୁ ବିଭାଗ ପକ୍ଷରୁ କୁହାଯାଇଛି |

image


ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଆରତୀ ଆହୁଜା ଏହି ଯୋଜନା ସମ୍ପର୍କରେ କୁହନ୍ତି,

ଗରିବ ଶ୍ରେଣୀର ରୋଗୀଟିଏ କିପରି ମାଗଣା ଔଷଧ ପାଇପାରିବ, ତାହା ଆମର ଲକ୍ଷ୍ୟ | ଚିକିତ୍ସା ସମୟରେ ଯେପରି ଔଷଧ କିଣିବା ପାଇଁ ତାର ଟଙ୍କା ଖର୍ଚ୍ଚ ନହୁଏ, ସେଥିପ୍ରତି ବିଭାଗ ଦୃଷ୍ଟି ଦେଉଛି | ଡାକ୍ତରମାନେ ଯେପରି ରୋଗୀଙ୍କ ପାଇଁ ମାଗଣା ଔଷଧ ଲେଖିବେ, ସେ ନେଇ ଇ-ଔଷଧୀ ସଫ୍ଟୱେର୍ ସହାୟକ ହେବ | କାରଣ ପ୍ରତିଦିନ ଏହି ପ୍ରେସ୍କ୍ରିପସନ୍ ଗୁଡିକକୁ ଏହି ସଫ୍ଟୱେର୍ ରେ ଅପଲୋଡ୍ କରାଯିବ |

ଇ-ଔଷଧୀ ହିଁ ନିରାମୟ ଯୋଜନାର ସଫଳ ରୂପାୟନ ଦିଗରେ ସହାୟକ ହେବ | ଏହା ଦ୍ୱାରା ପରିଚାଳନାରେ ସ୍ୱଚ୍ଛତା ବୃଦ୍ଧି ହେବା ସହ ଉଚ୍ଚାଧିକାରୀମାନଙ୍କ ପାଇଁ ସମୀକ୍ଷା ଓ ମନିଟରିଂ କାର୍ଯ୍ୟ ମଧ୍ୟ ସହଜ ଓ ସରଳ ହେବ | ଫଳରେ ସାଧାରଣ ଲୋକମାନେ ଅଧିକରୁ ଅଧିକ ମାଗଣା ଔଷଧ ପାଇପାରିବେ |