କୃଷି ବିଭାଗରେ ‘ଡିବିଟି’, ଚାଷୀଙ୍କ ଖାତାକୁ ଯିବ ବିହନ ରିହାତି

କୃଷି ବିଭାଗରେ ‘ଡିବିଟି’, ଚାଷୀଙ୍କ ଖାତାକୁ ଯିବ ବିହନ ରିହାତି

Thursday March 03, 2016,

2 min Read

ଡାଇରେକ୍ଟ ବେନିଫିଟ୍ ଟ୍ରାନସଫର୍ (ଡିବିଟି) ବ୍ୟବସ୍ଥାକୁ ଆପଣାଇବା ପାଇଁ ଅନେକ ସରକାରୀ ବିଭାଗ ଆଗେଇ ଆସିବା ଦେଖିବାକୁ ମିଳୁଛି | କେନ୍ଦ୍ର ସରକାର ଏଲପିଜି ରିହାତି ଡିବିଟି ମାଧ୍ୟମରେ ଦେବା ପରେ ଅନ୍ୟାନ୍ୟ ରିହାତି ମଧ୍ୟ ଡିବିଟି ଆକାରରେ ଦେବା ଲାଗି ପ୍ରୟାସ ଆରମ୍ଭ ହୋଇଛି | ଏଥିରେ ପଛରେ ପଡିନାହିଁ ଓଡିଶା | ନିକଟରେ ଚାଷୀମାନଙ୍କୁ ବିହନରେ ରିହାତି ଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଡିବିଟିକୁ ଆପଣେଇଛି | ଆସନ୍ତା ଖରିଫ୍ ଋତୁରୁ ଏହି ବ୍ୟବସ୍ଥା ସାରା ରାଜ୍ୟରେ ଲାଗୁ କରିବା ଲାଗି ଚିନ୍ତା କରାଯାଉଛି |

image


ଡିବିଟି ଲାଗୁ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି | ଚାଷୀମାନଙ୍କୁ ପ୍ରଥମେ ପଂଜିକରଣ କରାଯାଉଛି | ଏଥିପାଇଁ ସେମାନଙ୍କୁ ମୋବାଇଲ୍ ଓ ବିଭିନ୍ନ ପ୍ରକାରରେ ସଚେତନ କରାଯାଉଛି | ଏହାପରେ ଯେଉଁ ଚାଷୀ ଯେତିକି ପରିମାଣର ଜମି ଚାଷ କରିବେ, ସେହି ଅନୁସାରେ ସେ ନିକଟସ୍ଥ ଡିଲରଙ୍କୁ ଅବଗତ କରାଇବେ | ଚାଷୀ ପ୍ରଥମେ ପୁରା ପଇସା ଦେଇ ବିହନ କିଣିବେ | ତାଙ୍କୁ ଯେତିକି ଅର୍ଥ ରିହାତି ମିଳିବା କଥା, ତାହା ତାଙ୍କ ଆକାଉଣ୍ଟକୁ ସପ୍ତାହକ ମଧ୍ୟରେ ଆସିବ |

ଏବେ ସରକାରଙ୍କ ପକ୍ଷରୁ ବିହନରେ ୫୦ ପ୍ରତିଶତ ରିହାତି ଦିଆଯାଉଛି | ସମୟକ୍ରମେ ଏହା ପରିବର୍ତ୍ତନ ମଧ୍ୟ ହେବ | ତେଣୁ ସେହି ଅନୁସାରେ ବ୍ୟବସ୍ଥା ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାରଙ୍କ ନେସନାଲ୍ ଇନଫରମେଟିକ୍ସ ସେଂଟର (ଏନଆଇସି) ଅଧିକାରୀମାନଙ୍କ ସହ ଆଲୋଚନା ହୋଇଛି| ସେମାନେ ଏହାକୁ ପ୍ରସ୍ତୁତ କରିସାରିଲେଣି |

କୃଷି କମିଶନର ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି,

ଗତ ଜାନୁୟାରୀରୁ କୃଷକମାନଙ୍କର ପଂଜିକରଣ ଆରମ୍ଭ ହୋଇଛି | ଏହା ପ୍ରାୟ ଶେଷ ହେବାକୁ ବସିଲାଣି | ପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ୨୦୧୬-୧ଓ୭ ଖରିଫ୍ ଋତୁରୁ ସାରା ରାଜ୍ୟରେ ଲାଗୁ କରିବା ଲାଗି ବିଭାଗ ନିଷ୍ପତ୍ତି ନେଇଛି |

ଡିବିଟି ଲାଗୁ କରିବାରେ କୃଷି ବିଭାଗ ରାଜ୍ୟର ପ୍ରଥମ ବିଭାଗ | ପ୍ରଥମେ ବିହନ ଉପରେ ଏହା ଲାଗୁ ହୋଇଛି | ଧୀରେ ଧୀରେ ଅନ୍ୟାନ୍ୟ ଯୋଜନାରେ ଚାଷୀଙ୍କୁ ମିଳିଥିବା ସବସିଡିକୁ ମଧ୍ୟ ସରକାର ଡିବିଟି ଜରିଆରେ ଦେବାର ବେଳ ଆସିଛି |

image


ରାଜ୍ୟରେ ଅନେକ ଚାଷୀ ସାକ୍ଷର ନୁହନ୍ତି ଓ ଅନେକ ଚାଷୀଙ୍କର ବ୍ୟାଙ୍କ ଖାତା ନାହିଁ | ତେଣୁ ପ୍ରଥମେ ସେମାନଙ୍କୁ ବିଭିନ୍ନ ଉପାୟରେ ଏଥିପ୍ରତି ସଚେନତ କରାଇବା ସହ ସେମାନଙ୍କ ବ୍ୟାଙ୍କ ଖାତା ଖୋଲାଇବାର ଆବଶ୍ୟକତା ରହିଛି | ତେବେ ଯିଏ ଯେତିକି ଜମି ବିହନ ପାଇଁ ପଂଜିକୃତ କରିବ, ସେହି ଚାଷୀକୁ ଆଗୁଆ ସବସିଡ୍ ପ୍ରଦାନ କରିବା ଲାଗି ଚାଷୀ ନେତା ସୁଦର୍ଶନ ପ୍ରସ୍ତାବ ଦେଇଛନ୍ତି | ଏହି ବ୍ୟବସ୍ଥା ଦ୍ୱାରା ଚାଷୀଙ୍କୁ ମିଳୁଥିବା ଅର୍ଥ ବାଟମାରଣା ହେବାର ଆଶଙ୍କା କମିଯିବ ଓ ସ୍ୱଚ୍ଛତା ବୃଦ୍ଧି ପାଇବ | କିନ୍ତୁ ଯେପରି କୌଣସି ବି ଚାଷୀ ଏଥିରୁ ବାଦ୍ ନ ପଡିବେ, କୃଷି ଅଧିକାରୀମାନେ ସେଥିପ୍ରତି ଯତ୍ନବାନ ହେବା ଦରକାର |

ପଢନ୍ତୁ ଆଉ କିଛି ସମ୍ବନ୍ଧିତ କାହାଣୀ -

ମାଛ ଚାଷ ପାଇଁ ଯୋଜନା: ୫ ବର୍ଷ ମଧ୍ୟରେ ମାଛ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟ, ମତ୍ସ୍ୟଜୀବୀଙ୍କ ଉନ୍ନତିକୁ ପ୍ରାଥମିକତା

CropConnect: ଗାଁରୁ ଆଣି ସହରରେ ପହଂଚାଉଛି ତଟକା ପନିପରିବା

ଛାତ ଉପର ବିପ୍ଲବ'(Roof Top Revolution)