ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ଅଫିସରଙ୍କୁ ସାହସିକତା ପୁରସ୍କାର

ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ଅଫିସରଙ୍କୁ ସାହସିକତା ପୁରସ୍କାର

Thursday February 23, 2017,

2 min Read

ସ୍କଟଲ୍ୟାଣ୍ଡ ୟାର୍ଡରେ କାମ କରୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ଅଫିସର ନିଜ ଜୀବନ ସହ ଖେଳି ନିଆଁ ଲାଗିଥିବା ଏକ ଘରୁ ଏକ ପରିବାରକୁ ବଞ୍ଚାଇଥିବାରୁ ତାଙ୍କୁ ଇଂଲଣ୍ଡର ସମ୍ମାନନୀୟ ସାହସିକତା ପୁରସ୍କାର ମିଳିଛି।

ଶାନ୍ଦ ପାନେସର ନିଜ ସହକର୍ମୀ କ୍ରେଗ ନିକୋଲସନ ଙ୍କ ସହ ଅସାଧାରଣ ସାହସିକତାର ପ୍ରଦର୍ଶନ ପାଇଁ ଚଳିତ ବର୍ଷ Total Excellence in Policing Awardsରେ ପୁରସ୍କାର ଲାଭ କରିଛନ୍ତି। ପିଟିଆଇର ଏକ ରିପୋର୍ଟ ଅନୁସାରେ ହଜାର ହଜାର ଲଣ୍ଡନ ନିବାସୀ ଏକ ସର୍ବସାଧାରଣ ଭୋଟିଙ୍ଗରେ ଭାଗ ନେଇ ଚଳିତ ବର୍ଷର ବିଜେତା ମାନଙ୍କୁ ବାଛିଛନ୍ତି ବୋଲି ମେଟ୍ରୋପଲିଟାନ ପୋଲିସ ଏକ ବିବୃତ୍ତିରେ ଜଣାଇଛନ୍ତି।

image


ସେପ୍ଟେମ୍ବର ୨୦୧୬ରେ ପିସି ନିକୋଲସନ ଓ ପିସି ପାନେସର ହିଲ୍ଲିଙ୍ଗଡନରେ ଏକ ଘରେ ନିଆଁ ଲାଗିଯାଇଥିବାର ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲେ। ଦମକଳ ବିଭାଗ ସେପର୍ଯ୍ୟନ୍ତ ସେଠାରେ ପହଞ୍ଚି ନଥାଏ। ସେମାନେ ଜାଣିବାକୁ ପାଇଲେ ଯେ ଜଳନ୍ତା ଘର ଭିତରେ ଦୁଇ ଜଣ ଲୋକ ଫସି ରହିଛନ୍ତି। ଯଦିଓ ସେମାନଙ୍କ ପାଖରେ ଅଗ୍ନି ସୁରକ୍ଷା ଉପକରଣ ବା ପୋଷାକ ନଥିଲା କିନ୍ତୁ ସେମାନେ ସେହି ପରିବାରର ଯିବାନ ବଞ୍ଚାଇବା ଲାଗି ନିଜ ଜୀବନକୁ ଭ୍ରୂକ୍ଷେପ ନକରି ଘର ଭିତରେ ପଶିଗଲେ।

ଘନ କଳା ଧୂଆଁ ଭିତରେ ସେମାନଙ୍କୁ କିଛି ଦେଖା ଯାଉନଥାଏ। କିନ୍ତୁ ଘର ଭିତରେ ଫସି ରହିଥିବା ଲୋକଙ୍କ ଜୀବନ ବଞ୍ଚାଇବା ବେଶି ମୂଲ୍ୟବାନ ଥିଲା। ତେଣୁ ସେମାନେ କୌଣସି ଖାତିର ନକରି ପଶିଗଲେ ସତ କିନ୍ତୁ ପ୍ରଚଣ୍ଡ ଅଗ୍ନିଶିଖା ଓ ଧୂଆଁ ଯୋଗୁ ପୁଣି ବାହାରିଯିବାକୁ ପଡିଲା। ସେମାନେ ବୁଝିପାରିଲେ ଯେ ଏମିତି ଆଉଥରେ ପଶିଗଲେ ମୃତ୍ୟୁ ସୁନିଶ୍ଚିତ। ନିକୋଲସନ କିଛିଥର ଦୀର୍ଘଶ୍ଵାସ ନେଇ ବିଷାକ୍ତ ଧୂଆଁରୁ ବଞ୍ଚିବା ପାଇଁ କେବଳ ତାଙ୍କ ୟୁନିଫର୍ମର ଧଳା ଶାର୍ଟକୁ ନାକ ଓ ମୁହଁରେ ଦେଇ ଘର ଭିତରେ ପଶିଲେ। ପ୍ରଚଣ୍ଡ ଉତ୍ତାପ ଓ ଧୂଆଁ ମଧ୍ୟରେ ପାହାଚରେ ଉପର ମହଲାକୁ ଯାଇ କୌଣସି ମତେ ସେଠାରେ ଥିବା ଜଣେ ପୁରୁଷ ଓ ମହିଳାଙ୍କୁ ସେ ଘର ବାହାରକୁ ଆଣିପାରିଲେ। ବାହାରକୁ ଆସିବା ପରେ ଯଦିଓ ସେ ନିଜେ ଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିଲେ, କିନ୍ତୁ ତାକୁ ଖାତିର ନକରି ପ୍ରଥମେ ସେହି ପୁରୁଷ ମହିଳାଙ୍କୁ ଫାଷ୍ଟଏଡ଼ ଦେବା ଆରମ୍ଭ କଲେ। ମହିଳା ଜଣକ ପ୍ରତିକ୍ରିୟାହୀନ ଥିଲେ। ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଡାକ୍ତର କୁହନ୍ତି ମହିଳା ଜଣଙ୍କୁ ଉଦ୍ଧାର କରିବାରେ ଆଉ ବିଳମ୍ବ ହେଇଥିଲେ ଓ ତାଙ୍କ ଉପରେ ସିପିଆର କରାନହେଇଥିଲେ ତାଙ୍କର ବଞ୍ଚିବା ମୁସ୍କିଲ ହେଇଥାନ୍ତା।

ମେଟ କମିଶନର ବର୍ଣ୍ଣାର୍ଡ ହୋଗାନ-ହୋୱି କୁହନ୍ତି, ଏହି ପୁରସ୍କାର ଗୁଡ଼ିକ ଆମ ଅଫିସରଙ୍କ ଭିତରେ ଥିବା ଅସୀମ ସାହସ ଓ କର୍ମନିଷ୍ଠତାକୁ ଚିହ୍ନି ତାକୁ ସମ୍ମାନ କରିବା ପାଇଁ ଆମକୁ ଏକ ସୁଯୋଗ ଦିଏ। ଆମ ଅଫିସର ମାନେ ନିତି ଜୀବନ ବଞ୍ଚାନ୍ତି, ଭୟଙ୍କର ଅପରାଧୀ ମାନଙ୍କ ସହ ଳଢନ୍ତି। ସେମାନଙ୍କ ସାହସିକତାକୁ ସମ୍ମାନ ଦେବା ପାଇଁ ଇଯେ ଏକ ଛୋଟ ଉଦ୍ୟମ।

ଆମେ ସମସ୍ତେ ଲଣ୍ଡନବାସୀଙ୍କୁ ଏକ ସୁରକ୍ଷିତ ଜୀବନ ଦେବାର ଶପଥ ନେଇ ମେଟ ରେ ଯୋଗ ଦେଇଥିଲୁ। ମୁଁ ବହୁତ ଗର୍ବ ଅନୁଭବ କରେ ଯେ ମୁଁ ଏପରି ଏକ ସଂସ୍ଥାରେ କାମ କରୁଛି ଯେଉଁଠାରେ ପ୍ରତିଦିନ କିଛି ଚମତ୍କାର ହୁଏ। ଆଜି ମେଟର ସମସ୍ତ ପୁରୁଷ ଓ ମହିଳା କର୍ମୀଙ୍କୁ ଧନ୍ୟବାଦ ଦେବାର ଏକ ସୁଯୋଗ ମିଳିଛି ଯେଉଁମାନେ କି ନିଜ ଜୀବନକୁ ଲଣ୍ଡନବାସୀଙ୍କ ସୁରକ୍ଷା ପାଇଁ ସମର୍ପି ଦେଇଛନ୍ତି।