୨୫ ବର୍ଷୀୟ ଉମର ସବ୍ ଅଲ୍ଲା ସବ୍ ନଦାଫ୍ । ତାଙ୍କ ଆଖିରେ ଦୁର୍ବଳତା ରହିଛି ସତ, କିନ୍ତୁ ଦୃଷ୍ଟି ତାଙ୍କର ଦିଗନ୍ତପ୍ରସାରୀ । ମାତ୍ର ଆଠବର୍ଷ ବୟସରେ ଦୁର୍ଘଟଣା ଯୋଗୁଁ ଆଖିରେ ଆଘାତ ପାଇଥିଲେ ଉମର । ତେଣୁ ତାଙ୍କର ଦୃଷ୍ଟିଶକ୍ତି କ୍ଷୀଣ । ତେବେ ଆସୋସିଏସନ୍ ଅଫ୍ ପିପୁଲ ୱିଥ୍ ଡିସାବିଲିଟି(ଏପିଡି)ର ବେଙ୍ଗାଲୁର କ୍ୟାଲାସନାହଲି ସ୍ଥିତ ଉଦ୍ୟାନକୃଷି ପ୍ରଶିକ୍ଷଣ କେନ୍ଦ୍ରରେ ଯୋଗଦେବା ପରେ ଉମରଙ୍କ ଜୀବନର ଗତିପଥ ବଦଳିଗଲା । ୧୦ ମାସର ଉଦ୍ୟାନକୃଷି ଶିକ୍ଷା ପରେ ଏକ କମ୍ପାନିରେ ଚାକିରି ବି ପାଇଗଲେ ।

ଏପିଡିର ଉଦ୍ୟାନକୃଷି ପ୍ରଶିକ୍ଷଣ ଲାଭ କରିଥିବା ସେମିତି ଆଉଜଣେ ଉଦାହରଣ ହେଲେ ନେତ୍ରବତୀ ଯିଏ ଯାବତୀୟ କଣ୍ଟକିତ ପଥ ଡେଇଁ ଏବେ ସଫଳତାର ଶୀର୍ଷରେ । ପୋଲିଓ ରୋଗରେ ପୀଡ଼ିତ ଏବଂ ଅଧାରୁ ସ୍କୁଲ ଛାଡ଼ିଥିବା ଜେଞ୍ଚଗୌଡ଼ାଙ୍କ ପାଇଁ ବି ନୂଆସକାଳ ଆଣିଦେଇଛି ଏପିଡିର ଉଦ୍ୟାନକୃଷି ପ୍ରଶିକ୍ଷଣ । ଜେଞ୍ଜଗୌଡ଼ା ଏବେ ବେଙ୍ଗାଲୁରୁର ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ଉଦ୍ୟାନ ସହାୟକ । ଏମାନଙ୍କ ଭଳି ବହୁ ସଫଳ ଭିନ୍ନକ୍ଷମଙ୍କ କାହାଣୀ ଆପଣ ଏପିଡି ୱେବ୍ସାଇଟରୁ ପଢ଼ିପାରିବେ ।

ତାଙ୍କର ଅଧିକାଂଶ ବନ୍ଧୁ କେବେଠୁ ଅବସର ଜୀବନ ବିତାଉଛନ୍ତି, କିନ୍ତୁ ଏନ୍ଏସ୍ ହେମା ଏବେ ବି କର୍ମତତ୍ପର। ଭିନ୍ନକ୍ଷମ ବାଳକବାଳିକାଙ୍କୁ ଆଶାର କିରଣ ବାଣ୍ଟିଦେବା ଲାଗି ଏବେ ବି ସେ ଆଗୁସାର । ମାତ୍ର ୨୧ ବର୍ଷ ବୟସରେ ୧୯୫୯ରେ ସେ ପ୍ରତିଷ୍ଠା କରିଥିଲେ ଏପିଡି ।

୧୯୭୦ରେ ସେ ପରୀକ୍ଷାମୂଳକ ଭାବେ ଉଦ୍ୟାନ କୃଷି ପ୍ରଶିକ୍ଷଣ ଆରମ୍ଭ କଲେ ।

ବାଙ୍ଗାଲୋର ଉପକଣ୍ଠରେ କିଛି ସମମନସ୍କ ବ୍ୟକ୍ତିଙ୍କ ସହଯୋଗରେ ହେମା ଏପିଡି ଆରମ୍ଭ କରିଥିଲେ । ସମାଜର ବିଭିନ୍ନ ସ୍ରୋତରେ ଭିନ୍ନକ୍ଷମଙ୍କୁ ସାମିଲ କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା । ୨୦୦୯ରେ ଏପିଡି ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି । ଏ ଅବସରରେ ୟୁ-ଟ୍ୟୁବ୍ ଏପିଡି ଭିଡିଓରେ ହେମା କହିଛନ୍ତି- କେମିତି ୫୦ ବର୍ଷ ବିତିଗଲା ଜଣା ପଡ଼ିଲାନି । ଆମେ ସମସ୍ତେ ଏ ଯାତ୍ରାରେ ସାମିଲ ଥିଲୁ । ଏଇ ଯାତ୍ରା ଆମପାଇଁ କେବେ ଆମୋଦଦାୟକ ଥିଲା ତ କେବେ କଷ୍ଟକର । ପ୍ରକୃତରେ ଅକ୍ଷମତା କେବଳ ଏକ ଭାବନା ।

ଆପଣ ପୂରା ଭିଡିଓଟି ଏଇଠି ଦେଖିପାରିବେ ।

ଏପିଡିରେ ଉଦ୍ୟାନକୃଷି ପ୍ରଶିକ୍ଷଣ ପାଇଁ ବେଶ୍ ବୃହତ ଚିନ୍ତା କରିଥିଲେ ହେମା । ୧୯୮୨ରେ ଏପିଡି ଏକ ଅକ୍ସଫାମ୍ ସମ୍ବାଦପୁସ୍ତିକା ପ୍ରାପ୍ତକଲା ଯେଉଁଠି ଇଂଲଣ୍ଡର ଫ୍ରୋମ୍ ଠାରେ ଥିବା ଏକ ଯୋଜନା ବିଷୟରେ ଉଲ୍ଲେଖ ଥିଲା, ଯେଉଁଠି ଭିନ୍ନକ୍ଷମଙ୍କ ପାଇଁ ଉଦ୍ୟାନକୃଷିକୁ ଏକ ଚିକିତ୍ସା ଭଳି ବ୍ୟବହାର କରାଯାଉଥିଲା । ହେମା ସେ ଯୋଜନା ବିଷୟରେ ଲେଖିଥିବା କ୍ରିସ୍ ଅଣ୍ଡରହିଲଙ୍କ ସହ ଯୋଗାଯୋଗ କଲେ । ୧୯୮୩ରେ ସେଇ ଫ୍ରୋମ୍ରୁ ପିଟର ମାସ୍ଫାଇଦିଆନ୍ ବାଙ୍ଗାଲୁର ସ୍ଥିତ ଏପିଡି ଭ୍ରମଣରେ ଆସିଲେ । ପିଟର ଉଦ୍ୟାନକୃଷିରେ ପ୍ରଶିକ୍ଷଣ ନେଇଥିଲେ ଓ ଭିନ୍ନକ୍ଷମଙ୍କ ସହ ଉଭୟ ଭାରତ ଓ ଆଫ୍ରିକାରେ କାମ କରୁଥିଲେ । ତାଙ୍କ ସହଯୋଗରେ ହେମା ଏକ କ୍ଷୁଦ୍ର ଦଳ ଗଠନ କଲେ ଓ ସରକାରଙ୍କ ସହଯୋଗରେ ବେଙ୍ଗାଲୁରୁ ବାହାରେ ଏକ ଜମିରେ ପ୍ରଶିକ୍ଷଣ ଆରମ୍ଭ କଲେ । ୧୯୮୬ରେ ବେଙ୍ଗାଲୁରୁ ଉନ୍ନୟନ କର୍ତୃପକ୍ଷଙ୍କ ଠାରୁ ଜୀବନବୀମା ନଗରରେ ଏକ ଏକର ଜମି ପାଇବା ପରେ ହେମା ଆଉ ପଛକୁ ଚାହିଁନାହାନ୍ତି ।

୧୯୮୮ରୁ ପୂର୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇଥିବା ଜୀବନବୀମା ନଗର ଉଦ୍ୟାନକୃଷି ପ୍ରଶିକ୍ଷଣ କେନ୍ଦ୍ର ୨୦୧୩ରେ ରୌପ୍ୟଜୟନ୍ତୀ ପାଳନ କରିଛି । ଏଠାରେ ଭିନ୍ନକ୍ଷମ ପଶିକ୍ଷାର୍ଥୀଙ୍କ ଭିଡ଼ ବଢ଼ିବା ପରେ ଦ୍ୱିତୀୟ କେନ୍ଦ୍ରର ଯୋଜନା କଲେ ହେମା । ୨୦୦୧ରେ କର୍ଣ୍ଣାଟକ ସରକାର ତାଙ୍କୁ କିଲାସାନାହାଲିରେ ୫ ଏକର ଜମି ଦେଲେ । ଏହିଠାରେ ହିଁ ହେମାଙ୍କ ସ୍ଵପ୍ନ ସମ୍ପୂର୍ଣ ଫଳବତୀ ହେଲା । ୨୦୦୪ରୁ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୦୬ରେ ଏହା ଉଦ୍ଘାଟିତ ହେଲା । ଏବେ ଏହା ଶହ ଶହ ଭିନ୍ନକ୍ଷମଙ୍କ ପାଇଁ କେବଳ ରୋଜଗାରର ଆଶା ଆଣିଛି ତାହା ନୁହେଁ, ବରଂ ସମ୍ମାନର ସହ ବଞ୍ଚିବାର ରାହା ଦେଖାଇଛି ଏ ଆଶାର ଉଦ୍ୟାନ ।

ମୂଳ ଲେଖା - ଶରତ ଆହୁଜା

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା