ସ୍ମୃତିକୁ ବଞ୍ଚାଇ ରଖିବାକୁ ଅଭିନବ ପ୍ରଚେଷ୍ଟା: ଅରୁନ୍ଧତୀ ଫାଉଣ୍ଡେସନ

ସ୍ମୃତିକୁ ବଞ୍ଚାଇ ରଖିବାକୁ ଅଭିନବ ପ୍ରଚେଷ୍ଟା: ଅରୁନ୍ଧତୀ ଫାଉଣ୍ଡେସନ

Friday February 19, 2016,

4 min Read

୯ ସେପ୍ଟେମ୍ବର, ୨୦୧୪ରେ ଘଟିଥିବା ଏକ ବିଭତ୍ସ ଦୁର୍ଘଟଣାରେ ତାମ୍ବେକର ଦମ୍ପତ୍ତି ନିଜ ଝିଅ ଅରୁନ୍ଧତୀକୁ ସବୁ ଦିନ ପାଇଁ ହରାଇ ବସିଲେ । ସେଦିନ ଅରୁନ୍ଧତୀ ଏକ ମଟରସାଇକେଲ୍ ପଛରେ ବସି ଭେଲୁରରେ ଥିବା ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ୍(ସିଏମସି)କୁ ଯାଉଥିଲା । ସେଠାରେ ସେ କ୍ଲିନିକାଲ୍ ପାଥୋଲୋଜିରେ ପିଜି ଡିପ୍ଲୋମା କରୁଥିଲା । ହେଲମେଟ୍ ପିନ୍ଧିଥିଲେ ମଧ୍ୟ ସେହି ଦୁର୍ଘଟଣାରେ ତା’ର ମୃତ୍ୟୁ ହୋଇଥିଲା । ଏହାର ମୁଖ୍ୟ କାରଣ ଥିଲା ରାସ୍ତାର ଦୂରାବସ୍ଥା ।


image


ଝିଅର ମୃତ୍ୟୁରେ ତାମ୍ବେକର୍ ଦମ୍ପତ୍ତି ଭାଙ୍ଗି ପଡିଥିଲେ ସତ, କିନ୍ତୁ ଯେତେବେଳେ ସେମାନେ ସଳଖ ହୋଇ ଛିଡାହେଲେ, ଅରୁନ୍ଧତୀ ସେମାନଙ୍କ ପ୍ରୋତ୍ସାହିତ କରିଥିଲା । ଦୁହେଁ ନିଜ ଝିଅର ସ୍ମୃତିକୁ ଏକ ମହତ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ସ୍ଥିର କରିଥିଲେ । ସେହିଠୁ ୨୦୧୪ ଡିସେମ୍ବର ମାସରେ ଜନ୍ମ ନେଇଥିଲା ଏକ ନନ୍ ପ୍ରୋଫିଟ୍ ସଂସ୍ଥା, ଯାହାର ନାମ ଥିଲା ଅରୁନ୍ଧତୀ ଫାଉଣ୍ଡେସନ୍ । ଅରୁନ୍ଧତୀଙ୍କ ପାଇଁ ତାମ୍ବେକର ଦମ୍ପତ୍ତି ସଞ୍ଚି ଥିବା ଅର୍ଥକୁ ସେମାନେ ଏହି ଫାଉଣ୍ଡେସନ୍ ପାଇଁ ବ୍ୟବହାର କରିଥିଲେ ।

ପଢନ୍ତୁ - ପୈତୃକ ଘର ବିକି କୋଟିଏ ଟଙ୍କାରେ ପ୍ରତିଷ୍ଠା କଲେ ହସ୍ପିଟାଲ୍, ଦୋକାନ କରି ନିଜ ଗୁଜରାଣ ମେଣ୍ଟାଉଛନ୍ତି ହନୁମାନ ସହାୟ

ସବୁ ମାତାପିତାଙ୍କ ପରି ତାମ୍ବେକରଙ୍କ ପାଇଁ ଅରୁନ୍ଧତୀ ଥିଲା ଅଲିଅଳି । ମା’ ଶୁଭାଙ୍ଗୀଙ୍କ କହିବା ଅନୁଯାୟୀ, “ଗୋଟିଏ ମା’ ଯେମିତିକା ଝିଅଟିଏ ଆଶା କରିଥାଏ, ସେସବୁ ଗୁଣ ମୋ ଝିଅ ଅରୁନ୍ଧତୀ ପାଖରେ ଥିଲା । ସେ ଅନ୍ତରରୁ ଯେତିକି ସୁନ୍ଦର ଥିଲା, ବାହାରୁ ମଧ୍ୟ ସେତିକି । ସେ ଥିଲା କଠିନ ପରିଶ୍ରମୀ, ସରଳ ଏବଂ ବୁଦ୍ଧିମତୀ । ଅରୁନ୍ଧତୀ କୋଲାରରେ ଥିବା ଶ୍ରୀ ଦେବରାଜ ୟୋର୍ସ ମେଡିକାଲ୍ କଲେଜରୁ ଏମବିବିଏସ୍ ପଢ଼ିବା ସହ ନିଜ କ୍ଲାସ୍ ଟପ୍ପର ମଧ୍ୟ ହୋଇଥିଲା । ଏହା ସହ ସେ ଜଣେ ଚମତ୍କାର ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଓ କବି ଥିଲା । ଅନ୍ୟମାନଙ୍କୁ ସାହାଯ୍ୟ କରିବା ସହ ସମସ୍ତଙ୍କୁ ଅଗ୍ରାଧିକାର ମଧ୍ୟ ଦେଉଥିଲା ।”

ଅରୁନ୍ଧତୀ ଫାଉଣ୍ଡେସନ୍ ଆରମ୍ଭ ହେବା ପରେ ଏହା ଜରିଆରେ ତାମ୍ବେକର୍ ଦମ୍ପତ୍ତି କିଛି ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରୁଛନ୍ତି । ଅରୁନ୍ଧତୀ ପଢ଼ୁଥିବା ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜର କ୍ଲିନିକାଲ୍ ପାଥୋଲୋଜିରେ ଡିପ୍ଲୋମା, ଇମ୍ୟୁନୋହେମାଟୋଲୋଜି ଓ ଟ୍ରାନ୍ସଫ୍ୟୁଜନ୍ ମେଡିସିନରେ ସ୍ନାତକ ଏବଂ ଜେନେରାଲ୍ ପାଥୋଲୋଜିରେ ସ୍ନାତକ ବିଭାଗରେ ଯିଏ ସବୁଠୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହେଉଛନ୍ତି, ସେହି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ‘ଦ ଡକ୍ଟର ଅରୁନ୍ଧତୀ ତାମ୍ବେକର୍’ ସମ୍ମାନରେ ସମ୍ମାନୀତ କରାଯାଉଛି । ଅରୁନ୍ଧତୀଙ୍କ ମା’ ଶୁଭାଙ୍ଗୀଙ୍କ କହିବା ଅନୁଯାୟୀ, ଯେଉଁ ଛାତ୍ରଛାତ୍ରୀମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି, ସେମାନେ କେବଳ ପାଠପଢ଼ାରେ ଭଲ ନୁହନ୍ତି ବରଂ ଅରୁନ୍ଧତୀ ଭଳି ଅନ୍ୟ କିଛି ଗୋଟେ ପସନ୍ଦର କାର୍ଯ୍ୟରେ ନିପୁଣ ଥିବା ଆବଶ୍ୟକ । ଏହି ସମ୍ମାନକୁ ଜିତିଥିବା ପ୍ରଥମ ଛାତ୍ରୀ ଜଣଙ୍କ ହେଉଛନ୍ତି ଡଃ. ଏଲିଜା କୋଶୀ ।

ଏହି ସମ୍ମାନ ବ୍ୟତୀତ ଅରୁନ୍ଧତୀ ଫାଉଣ୍ଡେସନ୍ ପକ୍ଷରୁ ‘ଧ୍ୱନି’ ନାମକ ଆଉ ଏକ ପଦକ୍ଷେପ ମଧ୍ୟ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଫାଉଣ୍ଡେସନ୍ ପକ୍ଷରୁ ମୂକମାନଙ୍କୁ ଚିକିତ୍ସା ପ୍ରଦାନ କରାଯିବା ସହ ବଧୀର ମାନଙ୍କୁ ମାଗଣାରେ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଉଛି । ବେଙ୍ଗାଲୁରୁରେ ଥିବା ରାଜନ ମୁକ ବଧୀର ଚିକିତ୍ସାଳୟର ମିଳିତ ସହଯୋଗରେ ଅରୁନ୍ଧତୀ ଫାଉଣ୍ଡେସନ୍ ପକ୍ଷରୁ ଧ୍ୱନି କାର୍ଯ୍ୟକ୍ରମ ଜାରି ରହିଛି । ସେହିପରି ‘ଅଦିତି’ ନାମକ ଆଉ କାର୍ଯ୍ୟକ୍ରମ ଜରିଆରେ ଗୋଆ ମେଡିକାଲ୍ କଲେଜ୍ ଓ ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ୍ର ଛାତ୍ରୀମାନଙ୍କୁ ମାଗଣାରେ ମେଡିକାଲ୍ ସମ୍ବନ୍ଧୀୟ ପୁସ୍ତକ ଯୋଗାଇ ଦିଆଯାଉଛି ।


image


ଅନ୍ୟପକ୍ଷରେ ଅରୁନ୍ଧତୀ ଫାଉଣ୍ଡେସନର ସବୁଠୁ ବଡ ଓ ସଫଳ କାର୍ଯ୍ୟକ୍ରମ ହେଉଛି ‘ବିକ୍ରମ’ । ଦୁର୍ଘଟଣାକୁ ଅଟକାଇବା ଏବଂ ଖରାପ ରାସ୍ତାର ପୁନର୍ନିର୍ମାଣ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଖରାପ ଅବସ୍ଥାରେ ଥିବା ରାସ୍ତାଗୁଡିକର ମରାମତି ପାଇଁ ଅରୁନ୍ଧତୀ ଫାଉଣ୍ଡେସନ୍ ପକ୍ଷରୁ ଯୋଜନା ପ୍ରସ୍ତୁତକାରୀ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଛି । ଏ ବାବଦରେ ଶୁଭାଙ୍ଗୀ କୁହନ୍ତି, “ମୁଁ ଭାଗ୍ୟରେ ବିଶ୍ୱାସ କରେ ନାହିଁ । ଯଦି କିଛି ଦୁର୍ଘଟଣା ଘଟୁଛି, ତାହା ପଛରେ କିଛି ନା କିଛି କାରଣ ନିଶ୍ଚିତ ରହିଥିବ । ଅଧିକାଂଶ ସ୍ଥଳେ ରାସ୍ତାର ଦୂରାବସ୍ଥା କାରଣରୁ ଦୁର୍ଘଟଣା ଘଟିଥାଏ । ସେହିପରି କିଛି କ୍ଷେତ୍ରରେ ଚାଳକର ତ୍ରୁଟି ବଶତଃ ଏହା ହୋଇଥାଏ । ବିନା କାରଣରେ ଦୁର୍ଘଟଣା ହୋଇ ନଥାଏ । ଏକ ଗବେଷଣାରୁ ଜଣା ପଡିଛି ଏହି ତ୍ରୁଟିକୁ ଏଡାଇ ପାରିଲେ ଆମେ ୯୭% ଦୁର୍ଘଟଣାକୁ ଅଟକାଇ ପାରିବା ।”

ଏଣୁ ବିକ୍ରମ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସଡକ ସଚେତନତା କାର୍ଯ୍ୟକ୍ରମ ତାମ୍ବେକର ଦମ୍ପତ୍ତି ଜାରି ରଖିଛନ୍ତି । ସେମାନଙ୍କ ହିସାବରେ ସଡକ ବିଷୟରେ ଛୋଟ ପିଲା ଓ ଯୁବକ ଯୁବତୀମାନଙ୍କୁ ସଚେତନ କରି ପାରିଲେ, ଆଗାମୀ ପିଢ଼ୀ ନିରାପଦ ରହିବେ । ଏଣୁ ବେଙ୍ଗାଲୁରୁର ବିଭିନ୍ନ ସ୍କୁଲ୍ ଓ କଲେଜମାନଙ୍କର ତାମ୍ବେକର ଦମ୍ପତ୍ତିଙ୍କର ସଚେତନତା କାର୍ଯ୍ୟକ୍ରମ ଅନେକ ସମୟରେ ଦେଖିବାକୁ ମିଳେ । ୫-୧୦ ବର୍ଷର ପିଲାମାନଙ୍କୁ କାର୍ଟୁନ୍ ଦେଖାଇ, ଗପ ଶୁଣାଇ ସଡକ ସୁରକ୍ଷା ବାବଦରେ ସଚେତନ କରାଯାଏ । ସେହିପରି ୧୨-୧୬ ବର୍ଷର ପିଲାମାନଙ୍କୁ ଚଳଚ୍ଚିତ୍ର ଦେଖାଇ ସଚେତନ ରହିବାକୁ ପରାମର୍ଶ ଦିଆଯାଏ ।

ଅରୁନ୍ଧତୀ ଫାଉଣ୍ଡେସନ୍ ଓ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ମିଳିତ ଭାବେ ସହରରେ ଥିବା ଖରାପ ରାସ୍ତା ଓ ଅତ୍ୟଧିକ ଭିଡ ଅଞ୍ଚଳଗୁଡିକ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛନ୍ତି । ସୂଚନାଧିକାର ଓ ସିଭିକ୍ ଚ୍ୟାନେଲ୍ ମାଧ୍ୟମରେ ଏମାନେ ନାନା ପ୍ରଶ୍ନ ସରକାରଙ୍କ ଆଗରେ ରଖୁଛନ୍ତି ।

ଏଭଳି କାର୍ଯ୍ୟ ତାଙ୍କୁ ତାମ୍ବେକର ଦମ୍ପତ୍ତିଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରୁଛି । ଖାଲି ସେତେକି ନୁହେଁ ଅରୁନ୍ଧତୀର ସ୍ମୃତିକୁ ମଧ୍ୟ ସେମାନଙ୍କ ହୃଦୟରେ ସବୁବେଳେ ବଞ୍ଚାଇ ରଖୁଛି । ଡଃ. ଶୁଭାଙ୍ଗୀଙ୍କ ହିସାବରେ, “ଛୋଟ ଛୋଟ ପରିବର୍ତ୍ତନରୁ ସମାଜରେ ଏକ ବଡ ପରିବର୍ତ୍ତନର ଆଶା କରାଯାଇପାରେ । ଦାୟିତ୍ୱବୋଧ ଦ୍ୱାରା ଏହି ଛୋଟ ପରିବର୍ତ୍ତନ କରାଯାଇ ପାରେ ।”

ନିମ୍ନରେ ଅରୁନ୍ଧତୀ ଫାଉଣ୍ଡେସନର କିଛି ଅନୁରୋଧ:

- ମୋ ଗାଡି ପଛପଟେ ବସିଥିବା ବ୍ୟକ୍ତିକୁ ମଧ୍ୟ ହେଲମେଟ୍ ପିନ୍ଧାଇ ତାକୁ ନିରାପଦ ରଖିବି ।

- କେବେ ବି ମଦ୍ୟପାନ କରି ଗାଡି ଚଳାଇବି ନାହିଁ ।

- ଯଦି ଗାଡି ଚଳାଇବା ବେଳେ ଫୋନ୍ ଆସେ, ତେବେ ଗାଡି ଅଟକାଇ କଥା ହୋଇ ସାରିବା ପରେ ପୁଣି ଗାଡି ଚଳାଇବି ।

- ପଦଚାରୀମାନଙ୍କୁ ପ୍ରଥମେ ରାସ୍ତା ଅତିକ୍ରମ କରିବାକୁ ସୁଯୋଗ ଦେବି ।

- ମୋର ଅପ୍ରାପ୍ତ ବୟସ୍କ ପିଲାମାନଙ୍କୁ ଗାଡି ଚଳାଇବାକୁ ଅନୁମତି ଦେବି ନାହିଁ ।

- ଟ୍ରାଫିକ୍ ନିୟମ ମାନିବି

- ଉପରୋକ୍ତ ସବୁ ବିଷୟରେ ମୁଁ ମୋର ପିଲା ଓ ସାଙ୍ଗମାନଙ୍କୁ ସଚେତନ କରାଇବି ।

Website

ପଢନ୍ତୁ ଆଉ କିଛି ସମାନ ଧାରାର କାହାଣୀ - 

1। ଆମ ଦେଶର ଅଜବ ବ୍ୟାଙ୍କ

2। ବସ୍ତିପିଲାଙ୍କୁ ବହିଖାତା ଧରାଇବାର ଏକ ଅଭିନବ ପ୍ରୟୋଗଶାଳା: ମ୍ୟୁଜିୟମ ସ୍କୁଲ

3। ଶ୍ରୁତି: କୋର୍ଟରେ ଚା ବିକାଳୀଙ୍କ ଝିଅରୁ ବିଚାରପତି