Paytm ପ୍ରତିଷ୍ଠାତାଙ୍କ ସଂଘର୍ଷ କାହାଣୀ:ଖାଇବାକୁ ଟଙ୍କା ନ ଥିଲା, ଇଞ୍ଜିନିୟରିଂ ପରେ ଚାକିରି ନ ଥିଲା

Paytm ପ୍ରତିଷ୍ଠାତାଙ୍କ ସଂଘର୍ଷ କାହାଣୀ:ଖାଇବାକୁ ଟଙ୍କା ନ ଥିଲା, ଇଞ୍ଜିନିୟରିଂ ପରେ ଚାକିରି ନ ଥିଲା

Tuesday February 09, 2016,

2 min Read

ଉଦ୍ୟୋଗିପଣ ଯାହା ପାଖରେ ଅଛି ତାହା ଦିନେ ନା ଦିନେ ଫୁଟିକି ପଦାକୁ ବାହାରିବ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି Paytmର ପ୍ରତିଷ୍ଠାତା ବିଜୟ ଶଙ୍କର ଶର୍ମା । ତାଙ୍କ ଜୀବନ କାହାଣୀ କୌଣସି ବଲିଉଡ୍ ସିନେମାର କାହାଣୀଠାରୁ କମ ନୁହେଁ । ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ ହିନ୍ଦୀ ଭାଷାର ସ୍କୁଲରେ ପାଠ ପଢ଼ିଥିବା ଓ ଇଂରାଜି କହିବା କିମ୍ବା ବୁଝିବାକୁ ଭୟ କରୁଥିବା ଜଣେ ପିଲା ଯେ ଦିନେ କୋଟିପତି ଭାବେ ଉଭା ହେବ ତାହା ଅବିଶ୍ୱାସ ଭଳି ଲାଗୁଥିଲା । କିନ୍ତୁ ନିଜକୁ ପ୍ରମାଣିତ କରିପାରିଛନ୍ତି ବିଜୟ ଶଙ୍କର ଶର୍ମା । ସେ ନିଜର ଅଦମ୍ୟ ଇଛା ଶକ୍ତି ଜରିଆରେ ତାହା କରି ଦେଖାଇଛନ୍ତି ଯାହା ତାଙ୍କଠାରୁ ମେଧାରେ ଅଧିକ ଉନ୍ନତ ଥିବା ସହପାଠୀ କିମ୍ବା ବନ୍ଧୁମାନେ କରିପାରି ନାହାନ୍ତି ।

image


Paytm ମୋବାଇଲ୍ ୱାଲେଟର ପ୍ରତିଷ୍ଠାତା ବିଜୟ ଶଙ୍କର ଶର୍ମା ନିଜ ସଂଘର୍ଷ କାହାଣୀ ବିଷୟରେ ଆମିଟି ବିଶ୍ୱବିଦ୍ୟାଳୟରେ ବର୍ଣ୍ଣନା କରିଛନ୍ତି । ଏକ ସମୟ ଥିଲା ଯେତେବେଳେ ଖାଇବାକୁ ତାଙ୍କ ପାଖରେ ଟଙ୍କା ନ ଥିଲା । କଲେଜ କ୍ୟାଣ୍ଟିନରେ ଖାଇବା ପାଇଁ ସେ ୧୪ କିଲୋମିଟର ଯାତ୍ରା କରୁଥିଲେ । ସେ ଦିଲ୍ଲୀର ବସନ୍ତକୁଞ୍ଜଠାରେ ଥିବା ପ୍ରିୟା ସିନେମା ପାଖରେ ରହୁଥିଲେ । ଖାଦ୍ୟ ଖାଇବା ପାଇଁ କାଶ୍ମୀର ଗେଟ ଠାରେ ଥିବା ନିଜ କଲେଜ କ୍ୟାମ୍ପସ୍ ପର୍ଯ୍ୟନ୍ତ ଯାଉଥିଲେ । ତାଙ୍କ ଘରଠାରୁ କଲେଜ କ୍ୟାମ୍ପସର ଦୂରତା ଥିଲା ୧୪ କିଲୋମିଟର । ଇଞ୍ଜିନିୟରିଂ ପାସ୍ କରିବା ପରେ ଚାକିରି ଖଣ୍ଡେ ପାଇବାକୁ ସେ ବହୁତ ସଂଘର୍ଷ କରିଥିଲେ। ଚାକିରି ନ ମିଳିବାକୁ ଆଉ ପାଖରେ ଟଙ୍କା ମଧ୍ୟ ନଥିଲା । ତେଣୁ ଖାଇବାକୁ ତାଙ୍କୁ ବହୁତ ଦିନ ସଂଘର୍ଷ କରିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି । ଆମିଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡକ୍ଟରେଟ୍ ଡିଗ୍ରି ପ୍ରଦାନ କରାଯାଇଛି । ତାଙ୍କ ଜୀବନରେ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ତାଙ୍କ ପାଖରେ ଚାକିରି ନ ଥିଲା କିନ୍ତୁ ପରିବାର ଲୋକ ବାହା ହେବାକୁ ଚାପ ପକାଉଥିଲେ । ସବୁ ପ୍ରକାର ସମସ୍ୟା ସତ୍ୱେ କେବେ ହାରି ଯାଇନଥିଲେ ବିଜୟ । 

ନିଜର ପାଠପଢ଼ା ସମୟର ଜୀବନ ବିଷୟରେ ସେ କହିଛନ୍ତି ଯେ, ମୁଁ ଏକ ହିନ୍ଦୀ ଭାଷାର ସ୍କୁଲରୁ ଆସି ଇଂରାଜିରେ ପାଠପଢ଼ା ହେଉଥିବା ଏକ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲି । ଇଂରାଜିରେ ପଢ଼ା ହେଉଥିବା ପାଠ ବୁଝି ପାରିବି ନା ନାହିଁ ଓ ପରୀକ୍ଷାରେ ପାସ୍ କରିପାରିବି ନା ନାହିଁ ବୋଲି ଚିନ୍ତା ସେତେବେଳେ ତାଙ୍କୁ ମାଡ଼ି ବସିଥିଲା ।

ଚାକିରି ନ ପାଇ ନିରାଶ ହୋଇ ବସିଥିବା ବେଳେ ତାଙ୍କ ମୁଣ୍ଡକୁ Paytm ପ୍ରତିଷ୍ଠା କରିବାର ଚିନ୍ତା ଆସିଥିଲା । ଏ ବିଷୟରେ ସେ ନିଜର ପ୍ରିୟଜନମାନଙ୍କୁ ଜଣାଇଥିଲେ। ସମସ୍ତେ କହିଥିଲେ ଯେ ଏହା କାମ ଦେବନି । ଆଗକୁ ନିଶ୍ଚିତ କିଏ ଏହି କାମ କରିସାରିଥିବ ଭଳି ବହୁ ପ୍ରକାର କଥା କହି ତାକୁ ନିରୁତ୍ସାହିତ କରିଥିଲେ । କିନ୍ତୁ ବିଜୟ ନିଜର ଚିନ୍ତାଧାରାର ଶକ୍ତିରେ ଏତେ ଦୃଢ଼ମନା ହୋ ଥିଲେ ଯେ Paytm ପ୍ରତିଷ୍ଠା କରିବାକୁ ଆଗେଇ ଆସିଲେ । ଆଜି ଦେଶର ପ୍ରତିଟି ସ୍ମାର୍ଟଫୋନରେ ପେଟିଏମ୍ ରହିଛି ବୋଲି କହିଲେ ଭୁଲ ହେବ ନାହିଁ ।