ଶିବିକା ସିହ୍ନା: ଆଧୁନିକ ବିଶ୍ଵର ମୁକ୍ତ ବିହଙ୍ଗ ଓ ନିଆରାପଣର ନୂତନ ପରିଭାଷା

0

ଶିବିକା- ନାଁ ଟି ଯେମିତି ନିଆରା, ତାଙ୍କ କାମ, ରୁଚି ଓ ସୃଜନଶୀଳତା ବି ସେମିତି ନିଆରା। ଶିବିକା ଶବ୍ଦର ଅର୍ଥ ହେଉଛି ପାଲିଙ୍କି, ଆଉ ନିଜର ଏଇ ଅଭିନବ ନାମକୁ ବହୁତ ଭଲ ପାଆନ୍ତି ଶିବିକା। HerStoryର ପାଠକ ପାଠିକା ମାନଙ୍କ ପାଇଁ ଶିବିକା ନୂଆ ନୁହନ୍ତି। କିଛି ସପ୍ତାହ ତଳେ HerStoryରେ ପ୍ରକାଶିତ ତାଙ୍କର ଲେଖା 20 Lessons from my 20’sବହୁତ ଲୋକପ୍ରିୟ ହୋଇଥିଲା। ପେଷାରେ ଶିବିକା ଜଣେ ଡିଜିଟାଲ ମାର୍କେଟର। ପ୍ରତିଷ୍ଠିତ ଫ୍ୟାଶନ ବ୍ରାଣ୍ଡମାନଙ୍କ ପାଇଁ ସେ କାମ କରନ୍ତି। ଏହି କର୍ପୋରେଟ ବୃତ୍ତି ବାଦ, ଶିବିକା ତାଙ୍କ କଳାତ୍ମକ ଅଭିବ୍ୟକ୍ତି ଓ ସୃଜନଶୀଳତା ପାଇଁ ବେଶ ଜଣାଶୁଣା। ନିଜ ଜୀବନ ଓ ଜୀବିକା ଉପରେ ଶିବିକାଙ୍କ ମତାମତ ତାଙ୍କ ନିଜ ଭାଷାରେ:

ମୋ ପିଲାଦିନକୁ ମୁଁ ଗୋଟିଏ ଶବ୍ଦରେ ବର୍ଣ୍ଣନା କରିପାରିବି, ତାହା ହେଲା ଯାଯାବର। ପିଲାଦିନର ଭିନ୍ନ ଭିନ୍ନ ସମୟ ବିଶ୍ଵର ଭିନ୍ନ ଭିନ୍ନ ସ୍ଥାନରେ କଟିଛି। ଏଥିରୁ ହିଁ ମୁଁ ମାନବିକତାର ପ୍ରକୃତ ବାସ୍ନା ପାଇଛି ଓ ବୁଝିପାରିଛି ଯେ ଭିନ୍ନତା ମଣିଷମାନଙ୍କ ମଧ୍ୟରେ ସେତେ ବଡ ସମସ୍ୟା ନୁହେଁ। ଆଫ୍ରିକା ହେଉ କି ଆମେରିକା,ଭାରତ ହେଉ କି ଭିଏତନାମ, ମୁଁ ସବୁଠାରେ ମୋ ପାଇଁ ସାଙ୍ଗ ତିଆରି କରିପାରିଛି। ଆଉ ସବୁ ସାଙ୍ଗଙ୍କ ଭିତରେ ମୁଁ ଏକ ପ୍ରକାରର ସ୍ଵପ୍ନ, ଆଶା ଓ ଖୁସି ଲକ୍ଷ୍ୟ କରିଛି।

ପିଲାଦିନେ ଭାବୁଥିଲି ଯେ ବଡ ହେଲେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ହେବି। ମଞ୍ଚ ଓ ଦର୍ଶକ ସବୁବେଳେ ମତେ ଆକର୍ଷିତ କରୁଥିଲେ। ଫାଇନ ଆର୍ଟରେ ସ୍ନାତକ ଶିକ୍ଷା ଶେଷ କଲାପରେ ନିଉୟର୍କରେ ଜଣେ ପେଷାଦାର ନୃତ୍ୟଶିଳ୍ପୀ ଭାବେ କାମ କରିବା ଆରମ୍ଭ କଲି।

କର୍ପୋରେଟ ଜଗତରେ ପ୍ରବେଶ କଲା ପରେ ମୋ କାମର ପ୍ରକୃତି ବଦଳିଗଲା। ନିଜର ପେଷାଦାର ଜୀବନରେ, ବର୍ତ୍ତମାନ ମୁଁ ବ୍ରାଣ୍ଡର ବିକ୍ରି କିପରି ବଢେଇ ହେବ ତାହ ସୁନିଶ୍ଚିତ କରିବା ଦିଗରେ କାମ କରୁଛି। ଏହି କାମର ସଫଳତା ସୃଜନଶୀଳତା ଓ ଟ୍ରେଣ୍ଡକୁ ବିଶ୍ଳେଷଣ କରିପାରିବାର ଦକ୍ଷତା ଉପରେ ଗଭୀର ଭାବେ ନିର୍ଭରଶୀଳ। ଫ୍ୟାଶନ ଜଗତ ଦ୍ରୁତ ଗତିରେ ବଦଲୁଛି, ଆଉ ତା ସହ ତାଳ ଦେଇ ମୋ କାମ ମଧ୍ୟ ପରିବର୍ତିତ ହୋଇ ଚାଲିଛି।

ସ୍ୱଳ୍ପ ସମୟ ଭିତରେ ଭିନ୍ନ ଭିନ୍ନ କ୍ଷେତ୍ରରେ କାମ କରିବା ମୋ କ୍ୟାରିଅରକୁ ଅନ୍ୟମାନଙ୍କ ଠାରୁ ଅଲଗା କରି ଗଢି ତୋଳିଛି। କେବେ ପତ୍ରିକା ପ୍ରକାଶନ ତ କେବେ UNICEF,କେବେ ଫ୍ୟାଶନ ତ କେବେ ଖୁଚୁରା ବ୍ୟବସାୟ- ମୋ ପେଷାଦାର ଜୀବନ ଅନେକ ଅନୁଭୂତିର ସମାହାର। ତା ସହ ନୃତ୍ୟ ଓ କଳା ପରି ବ୍ୟକ୍ତିଗତ ରୁଚି ମିଶି ଅନୁଭୂତିକୁ ଅଧିକ ସାବଲୀଳ କରିଛି।

୨୦ ରୁ ୩୦ ବୟସ ଶ୍ରେଣୀ ଭିତରେ ଥିବା ସମସ୍ତଙ୍କୁ ମୁଁ ଏତିକି କହିବି ଯେ କଠିନ ପରିଶ୍ରମ କର, ନୂଆ କିଛି ଶିଖିବା ପାଇଁ ଆଗ୍ରହ ରଖ, ଅଧିକ ଲୋକଙ୍କ ସହ କଥା ହୁଅ, ଜିଜ୍ଞାସୁ ହୁଅ ଓ ରିସ୍କ ନେବାକୁ ଭୟ କରନାହିଁ। ୨୦ ରୁ ୩୦ ବୟସ ଭିତରେ ଥିବା ଯୁବକ ଯୁବତୀ ମାନେ ସାମାଜିକ ପୁଞ୍ଜିକୁ ଅଣଦେଖା କରନ୍ତୁ ନାହିଁ। ଏହି ସମୟ ହେଉଛି ସ୍ଵପ୍ନ ଦେଖିବା ଓ ତାକୁ ସାକାର କରିବାର ସମୟ। ଏବେ ନକଲେ ଭବିଷ୍ୟତରେ ପସ୍ତାଇବାକୁ ପଡିପାରେ।

ନିଜ ଚିନ୍ତାଧାରାକୁ ଠିକ ଭାବେ ରୂପରେଖ ଦେଇ ପାରିଥିବାରୁ ହିଁ ମତେ ସଫଳତା ମିଳି ପାରିଲା। ପ୍ରତି ସକାଳେ ମୁଁ ଏହି ଆଶା ସହ ଉଠେ ଯେ ମୁଁ ମୋ ଆଜିର କାମ କୁ ଗତକାଲି ଠାରୁ ଆହୁରି ଭଲ ଭାବେ କରିବି। ମୁଁ ଯେଉଁ ସଂସ୍ଥା ଓ ବ୍ରାଣ୍ଡମାନଙ୍କ ସହ ଜଡିତ ସେମାନଙ୍କ ପ୍ରଚାର,ପ୍ରସାର ଓ ଉପାର୍ଜନ ବୃଦ୍ଧି ମୋ ଲକ୍ଷ୍ୟ। ତା ଛଡା ମୋ କାମ ଦ୍ଵାରା ମୁଁ କିପରି ମୋ ସହ ଥିବା ଲୋକମାନଙ୍କ ଜୀବନକୁ ପ୍ରଭାବିତ କରିପାରିବି ସେ ପ୍ରତି ମଧ୍ୟ ଦୃଷ୍ଟିଦିଏ।

ଫ୍ୟାଶନ ଜଗତ ସହ କାମ କଲା ପରେ ମୋ ବ୍ୟକ୍ତିଗତ ରୁଚିରେ ମଧ୍ୟ ପରିବର୍ତ୍ତନ ଆସିଛି। କର୍ମକ୍ଷେତ୍ରକୁ ଗଲାବେଳେ ମୁଁ ଠିକ ଭାବେ ସିଲେଇ ହୋଇଥିବା ସିଧା ସିଧା କିନ୍ତୁ ସୁନ୍ଦର କପଡା ପିନ୍ଧେ। ସପ୍ତାହନ୍ତରେ ରଙ୍ଗୀନ ଓ ଟ୍ରେଣ୍ଡି କପଡା ପିନ୍ଧିବାକୁ ଭଲପାଏ।

କାମ ନଥିଲା ବେଳେ ମୁଁ ଚିତ୍ର ଆଙ୍କିବାକୁ ଓ ଫଟୋ ଉଠାଇବାକୁ ଭଲପାଏ। ତା ଛଡା ମୁଁ ନିଜର ବ୍ଲଗ ମଧ୍ୟ ଲେଖେ। ଜଣେ ପେଷାଦାର ନୃତ୍ୟଶିଳ୍ପୀ ଭାବେ କାମ କରୁଥିଲା ବେଳେ ଗୋଟିଏ ଦୁର୍ଘଟଣାରେ ମୋ ମେରୁଦଣ୍ଡ ହାଡ କ୍ଷତିଗ୍ରସ୍ତ ହୋଇଥିଲା। ଏହା ମୋ ଜୀବନର ସବୁଠାରୁ କଠିନ ସମୟ ଥିଲା। ମୁଁ ଆଉ କେବେ ପୂର୍ବ ଭଳି ଚାଲିବୁଲି ପାରିବିନି ବୋଲି ଡାକ୍ତର କହିଥିଲେ। ମାତ୍ର ଦୃଢ ଇଚ୍ଛା ଶକ୍ତି ବଳରେ ମୁଁ ଠିକ ହେଇ ପାରିଲି।

ନିଜ ବିଫଳତାରୁ ମୁଁ ଅନେକ କଥା ଶିଖିଛି। ସେମାନେ ମତେ ଅଧିକ ବୁଦ୍ଧିମତୀ କରିଛନ୍ତି। ଦୁର୍ଘଟଣା ପରେ ମୁଁ ଭାବୁଥିଲି ଯେ ଜୀବନ ମୋ ପାଇଁ ଅତି ଦାରୁଣ। ହେଲେ, ଏବେ ଅନୁଭବ କରୁଛି ଯେ ଏହା ମତେ ବଞ୍ଚିବା ଶିଖେଇ ଥିଲା। ସରଳ ହୋଇ ବଞ୍ଚିବା ଜୀବନର ସବୁଠାରୁ କଠିନ କାମ। ଆମ ସମସ୍ତଙ୍କ ଉପରେ କିଛି ନ କିଛି କର୍ତବ୍ୟର ଚାପ ରହିଛି। ଏହାକୁ ସମ୍ଭାଳିବା ପାଇଁ ଆମ ଭିତରେ ସାହସ ଥିବା ଦରକାର।