ସାଇକେଲ ଚଳାଇ ସମାଜ ପାଇଁ କାମ କରୁଛି ଆର୍ଣ୍ଣ ବ୍ଲେସିଙ୍ଗସ

ସାଇକେଲ ଚଳାଇ  ସମାଜ ପାଇଁ କାମ କରୁଛି ଆର୍ଣ୍ଣ ବ୍ଲେସିଙ୍ଗସ

Saturday October 17, 2015,

4 min Read

ସାଇକେଲ ଚଳାଇ ବର୍ଷା ଜଳ ସଂରକ୍ଷଣ! ଏହା କିପରି ସମ୍ଭବ?ଏହି ଦୁଇଟା ମଧ୍ୟରେ କଣ ବା ସମ୍ପର୍କ ଅଛି ! ହଁ ଅଛି, ଏହା ପଛରେ ଥିବା କାହାଣୀ ଜାଣିଲେ ସବୁକିଛି ସ୍ପଷ୍ଟ ହୋଇଯିବ ।

ପୁନେ ଠାରୁ ୭୫ କିଲୋମିଟର ଦୂରରେ ମନ୍ଧାର ଦେବୀ ନାମକ ଏକ ଶୁଷ୍କ ଗ୍ରାମୀଣ ଇଲାକା ପଡେ । ଥରେ ବର୍ଷା ଅଭାବରୁ ମରୁଡ଼ି ପଡିଲା । ମଝିରେ ମଝିରେ ବର୍ଷା ହୁଏ, କିନ୍ତୁ କେବେ କେମିତି ଅସରାଏ ଦୁଇ ଅସରା । ଏହି ସମସ୍ୟାର ସମାଧାନ ଲାଗି ସେବାବର୍ଦ୍ଧିନୀ ନାମକ ଏନଜିଓ ବର୍ଷାଜଳ ସଂରକ୍ଷଣ ପାଇଁ ଆଗେଇ ଆସିଲା ।

ଯଦିଓ ସମାଧାନଟି କାଗଜପତ୍ରରେ ଠକଠାକ୍ ଲାଗୁ ଥିଲା ଏହି କାର୍ଯ୍ୟକ୍ରମଟି ଚଳାଇବା ଲାଗି ଅର୍ଥର ଅଭାବ ଦେଖାଗଲା । ପ୍ରକଳ୍ପଟି ପାଇଁ ମୋଟ ୭ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବାବେଳେ ବିଭିତ୍ତ ସୁତ୍ରରୁ ସେମାନେ ସାଢେ ୫ ଲକ୍ଷ ଟଙ୍କା ଯୋଗାଡ କରିପାରିଲେ ଓ ଆଉ ଦେଢଲକ୍ଷ ଟଙ୍କା ନିଅଣ୍ଟ ପଡିଲା । ଏହିଠାରେ ହିଁ ଆର୍ଣ୍ଣ ବ୍ଲେସିଙ୍ଗସର ଆଗମନ ହୁଏ । ଏକ ଅଭିନବ ଉପାୟରେ ସେମାନେ ଏହି ନିଅଣ୍ଟକୁ କିଛିଟା ଭରଣା କରିପାରିଲେ । ୧୧ଜଣ ବ୍ୟକ୍ତି କଟରାଜ୍ (ପୁନେ) ଠାରୁ ଗଡାଗେୱାଡି ( ମନ୍ଧାର ଦେବୀ) ପର୍ଯ୍ୟନ୍ତ ୧୫୪ କିଲୋମିଟର ସାଇକେଲ ଚଳାଇ ଲୋକଙ୍କୁ ସଚେତନ କରିବା ସହ ଦାନ ଆକାରରେ ପ୍ରାୟ ୧ ଲକ୍ଷ ୧୦ ହଜାର ଟଙ୍କା ସଂଗ୍ରହ କରିପାରିଲେ । ଏହି ସଂଗଠନର ସୋହମ କହନ୍ତି,ଏହି ସାଇକେଲ ଯାତ୍ରା ବେଳେ ଗ୍ରାମବାସୀଙ୍କଠାରୁ ମିଳିଥିବା ପ୍ରବଳ ସମର୍ଥନ ତାଙ୍କୁ ବେଶ ଉତ୍ସାହିତ କରିଥିଲା ।

ଏପରି ଅନେକ ଉଦାହରଣ ରହିଛି, ଯେଉଁଠାରେ ଆର୍ଣ୍ଣ ବ୍ଲେସିଙ୍ଗସ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ସହାୟତାର ହାତ ବଢାଇଛି । ଜାନୁୟାରୀ ୨୦୧୪ ପରେ ସେମାନେ ବିଭିନ୍ନତ୍ତ ସାମାଜିକ ଉଦେ୍ଧଶ୍ୟ ଯେପରିକି,ଶିଶୁ ଶିକ୍ଷା,ଏଚଆଇଭି ପଜିଟିଭ ଶିଶୁଙ୍କ ପାଇଁ ସହୟତା, ପ୍ରୌଢଶିକ୍ଷା,ଜଳସଂରକ୍ଷଣ, ଗାଁରୁ ଆସିଥିବା ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସ୍ଥାପନ ଆଦି ଲାଗି ସାଇକେଲ ଯାତ୍ରା କରିଛନ୍ତି ଓ ପ୍ରାୟ ୪ ଲକ୍ଷ ଟଙ୍କା ସଂଗ୍ରହ କରିପାରିଛନ୍ତି ।

image


କେବଳ ଲୋକଙ୍କଠାରୁ ଦାନ ସଂଗ୍ରହ ନୁହେଁ, ଆମେ ମଧ୍ୟ ଏନଜିଓ ମାନଙ୍କୁ ରିପୋର୍ଟ ପ୍ରସ୍ତୁତି,ସିଏସଆର ପ୍ରସ୍ତାବ ତଥା ସେମାନଙ୍କ ପାଇଁ ମାର୍କେଟିଂ ମ୍ୟାଟେରିଆଲ ପ୍ରସ୍ତୁତିରେ ସହାୟତା କରୁଛୁ । ପୁଣି ଏନଜିଓ ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମଣ୍ଟ ପ୍ରସ୍ତୁତିର ମଧ୍ୟ ସହାୟତା କରୁଛୁ । କୁହନ୍ତି ସୋହମ ।

ସୋହମଙ୍କ ମତରେ ଆର୍ଣ୍ଣ ବ୍ଲେସିଙ୍ଗସ ହେଉଛି ସାଇକେଲ ଚାଳନା ପ୍ରତି ତାଙ୍କର ଦୂର୍ବଳତା ଓ ସମାଜପାଇଁ କିଛି କରିବା ଲାଗି ଥିବା ତାଙ୍କ ଇଚ୍ଛାର ଏକ ସୁନ୍ଦର ମିଶ୍ରଣ ।

ପ୍ରକୃତ କଥା ହେଉଛି ଆମର ପ୍ରତିଟି ସାଇକେଲର୍ୟାଲି ଦ୍ୱାରା ଯଦି ଲୋକମାନଙ୍କ ଜୀବନଶୈଳୀରେ ଟିକିଏ ଉନ୍ନତି ଆସିପାରିଲା ସେଥିରେ ହିଁ ଆମର ସନ୍ତୋଷ । ତାହାକୁ ହିଁ ଆମେ କହୁଛୁ ଆଶିର୍ବାଦ ସଂଗ୍ରହ କରିବା ।

ଆମ ଦଳରେ ସାଇକେଲ ଚାଳକଙ୍କ ସମେତ ସମାଜର ବିଭିନ୍ନତ୍ତ ବର୍ଗରୁ ଆସିଥିବା ସ୍ୱେଚ୍ଛାସେବୀ ଅଛନ୍ତି । ସୋହମ ଚାଳକ ଟିମରେ ଏପରି ସ୍ୱେଚ୍ଛାସେବୀଙ୍କୁ ଚୟନ କରନ୍ତି ଯେଉଁମାନେ ସାଇକେଲ ଚାଳନାକୁ ଭଲ ପାଉଥିବାବେଳେ ସମାଜପାଇଁ କିଛି କରିବାକୁ ଚାହାନ୍ତି । ସେ କହନ୍ତି ସାଇକେଲ ଚାଳକମାନଙ୍କ ଉତ୍ସାହ ଏପରି ଯେ ସେମାନେ ବାରମ୍ବାର ଏହି ଅଭିଯାନରେ ସାମିଲ ହେବାକୁ ଆଗଭର ରହନ୍ତି । ଆର୍ଣ୍ଣ ବ୍ଲେସିଙ୍ଗସ ଏବେ ସେମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ଓ ଯିଏ ଥରେ ସାଇକେଲ ର୍ୟାଲିରେ ଯାଇଛି ସିଏ ବାରମ୍ବାର ଆସିବାକୁ ଚାହୁଁଛି ।

ଚାଳକମାନଙ୍କୁ କୌଣସି ଟାର୍ଗେଟ୍ ଦେବା ବଦଳରେ ସେମାନେ ଯେପରି ଏହାକୁ କରିବାରେ ଉପଭୋଗ କରିବେ ତାହା ଉପରେ ସୋହମ ଗୁରୁତ୍ୱ ଦିଅନ୍ତି । ତେବେ ଚାଳକମାନେ ଏହି ଅଭିଯାନ ପାଇଁ ନିଜେ ନିଜର ଟାର୍ଗେଟ୍ ସ୍ଥିର କରିପାରିବେ ।

ସପ୍ତାହାନ୍ତରେ ସାଇକେଲ ଚାଳନାର ଆୟୋଜନ କରାଯାଏ ଓ ୧୨୦ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରାଯାଏ । ତେବେ ସାଇକେଲ ଚାଳକ ମାନେ ଏଥିଲାଗି କୌଣସି ଆର୍ଥିକ ଲାଭ ପାଆନ୍ତି ନାହିଁ ବରଂ ସେମାନେ ଏହାର ଆଉ ଏକ ଲାଭ ରହିଛି । ଏହା କରିବା ଦ୍ୱାରା ସେମାନଙ୍କ ଶରୀରର ଫିଟନେସ୍ ଠିକ୍ ରହେ । ଏଣୁ ଆମର ସ୍ଲୋଗାନ ହେଉଛି... ଆମେ ମେଦ କମାଉ, ତୁମେ ଆଶିର୍ବାଦ ସଂଗ୍ରହ କର ।

ସେମାନଙ୍କ ପଦ୍ଧତିଟି ବେଶ ସରଳ । ପ୍ରଥମେ କେଉଁ କାର୍ଯ୍ୟକ୍ରମ ଲାଗି ଅନୁଦାନ ଯୋଗାଡ଼ କରାଯିବ ତାହା ଚୟନ କରନ୍ତି । ପୁଣି ସେହି କାର୍ଯ୍ୟକ୍ରମଟିକୁ ଯେଉଁ ଏନଜିଓ କାର୍ଯ୍ୟକାରୀ କରୁଛି ତାହାର ପୂର୍ବ କାର୍ଯ୍ୟାବଳୀର ସମୀକ୍ଷା କରାଯାଏ । ଏଥିଲାଗି ସଂପୃକ୍ତ ଏନଜିଓ ଓ ଅନ୍ୟ ସୁତ୍ରରୁ ସୂଚନା ସଂଗ୍ରହ କରାଯାଏ ଓ କେଉଁ କ୍ଷେତ୍ରରେ କାମ କରିବା ଆବଶ୍ୟକ ପଡିବ ଓ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ କେତେ ପାଣ୍ଠି ଆବଶ୍ୟକ ହେବ ତାହା ନିର୍ଣ୍ଣୟ କରାଯାଏ ।

image


ସୋହମ କହିନ୍ତି, ପାଣ୍ଠି ଯୋଗାଡ଼ ପାଇଁ ପ୍ରଥମେ କିଲୋମିଟର ପିଛା ଗୋଟିଏ ପରିମାଣ ସ୍ଥିର କରାଯାଏ । ଉଦାହରଣସ୍ୱରୂପ ୧୦୦ କିଲୋମିଟର ଯାତ୍ରା କରାଯିବ, ଲୋକମାନେ କିଲୋମିଟର ପିଛା (ସାଇକେଲ ପ୍ରତି) ୫ ଟଙ୍କା ଦାନକଲେ ମୋଟ ୫୦୦ ଟଙ୍କା ସଂଗ୍ରହ ହେବ । ପୁଣି ଦାତାମାନେ ନିଜ ଇଚ୍ଛାନୁଯାୟୀ ଏକାଧିକ ସାଇକେଲ ଚାଳକଙ୍କ ନାମରେ ମଧ୍ୟ ଦାନ କରିପାରିବେ । ଏହିପରିଭାବେ ଚାଳକ ସଂଖ୍ୟା ବଢିଲେ ଦାନ ପରିମାଣ ବଢିଥାଏ ।

ସୋହମ ଦାବି କରନ୍ତି ଯେ ସାଇକେଲ ଆରୋହୀମାନେ ଏହା ଦ୍ୱାରା କୌଣସି ଆର୍ଥିକ ଲାଭ ପାଆନ୍ତି ନାହିଁ । ଅର୍ଥ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ରଖିବା ପାଇଁ ଏକ ସବିଶେଷ ଅଡିଟ ରିପୋର୍ଟ ୱେବସାଇଟରେ ପ୍ରକାଶ କରାଯାଏ । ସେଥିରେ ଦାନ ଓ ବ୍ୟୟର ବିବରଣୀ ଦିଆଯାଇଥାଏ ।

ରାଜସ୍ୱ ମଡେଲ

ସେମାନେ ଏକ ଜିରୋ ବ୍ୟାଙ୍କ ବାଲାନ୍ସ ନୀତି ଗ୍ରହଣ କରିଛନ୍ତି । ଅର୍ଥାତ ଯାହା ସଂଗ୍ରହ ହବ ସବୁ ଦାନ କରାଯିବ । ଏ ସଂପର୍କରେ ସୋହମ କୁହନ୍ତି ଆମେ ଦାତାମାନଙ୍କଠାରୁ ଯାହା ସଂଗ୍ରହ କରୁ ସଂପୂର୍ଣ୍ଣ ସେହି ପରିମାଣର ଅର୍ଥକୁ ଏନଜିଓକୁ ଦାନ କରିଦେଉ । କିନ୍ତୁ ଆମେ ନିଜ ପାଇଁ କୌଣସି ପାଣ୍ଠି ସଂଗ୍ରହ କରୁନାହୁଁ - ଆମେ ନିଜର ଖାଦ୍ୟ ଓ ସାଇକେଲ ଚାଳନା ପାଇଁ ଆମେ ନିଜେ ନିଜ ପକେଟରୁ ବ୍ୟୟ କରୁ, ଯଦିଓ କେତେକ ଛୋଟ ଛୋଟ ଖର୍ଚ୍ଚ ପାଇଁ ଆମେ ସ୍ପନସରସିପ୍ ମଧ୍ୟ ଗ୍ରହଣ କରିଥାଉ ।

ସୋହମଙ୍କ ଚ୍ୟାଲେଞ୍ଜ ଓ ସ୍ୱପ୍ନ

ତେବେ ଗୋଟିଏ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି ସୋହମ, ତା ହେଉଛି ଏହି ଉଦ୍ୟମ ପାଇଁ ଯୁବାପୀଢିଙ୍କ ଅଂଶଗ୍ରହଣ ସୀମିତ ରହୁଛି । ତେବେ ସେ ଅଧିକରୁ ଅଧିକ ଲୋକ ଯେପରି ଏଥିରେ ଅଂଶଗ୍ରହଣ କରିପାରିବେ ସେ ଦିଗରେ ଉଦ୍ୟମ କରୁଛନ୍ତି କାରଣ ସାଇକେଲ ଆରୋହୀ ଯେତେ ବଢିବେ ପାଣ୍ଠି ସଂଗ୍ରହ ସେତେ ଅଧିକ ହେବ । ତାଙ୍କର ସୁତ୍ରଟି ବେଶ ସରଳ- ସାଇକେଲ ଆରୋହୀ ସଂଖ୍ୟା ବଢାଇ ଦିଅ ଓ ଅଭିଯାନକୁ ଫିଟନେସ ଓ ପାଣ୍ଠିସଂଗ୍ରହ ସହ ଯୋଡିଦିଅ ।

ତେବେ ସୋହମଙ୍କ ସେହି ବଡ଼ ସ୍ୱପ୍ନଟି କଣ? ସୋହମଙ୍କ ସ୍ୱପ୍ନଟି ହେଉଛି ଆର୍ଣ୍ଣ ବ୍ଲେସିଙ୍ଗସ ଦେଶର ଏନଜିଓ ମାନଙ୍କ ଏକ କେନ୍ଦ୍ରସ୍ଥଳୀରେ ପରିଣତ ହେଉ । ଅର୍ଥାତ ସମସ୍ତେ ଆର୍ଣ୍ଣ ବ୍ଲେସିଙ୍ଗସ ସହ ଯୋଡିହୁଅନ୍ତୁ । ସମାଜ କଲ୍ୟାଣ ପାଇଁ କୌଣସି ଭଲ ଉଦ୍ୟମଟିଏ କେବଳ ପାଣ୍ଠି ଅଭାବରୁ ବନ୍ଦ ହୋଇନଯାଉ । ତାଙ୍କ ଆହୁରି ମଧ୍ୟ ସ୍ୱପ୍ନ ଅଛି ଯେ ସେ ଆର୍ଣ୍ଣ ବ୍ଲେସିଙ୍ଗସ ଏକ ବିଶାଳ କମ୍ୟୁନିଟିରେ ପରିଣତ ହେଉ ଯାହାକି ଏକ ସୁସ୍ଥ ଲାଇଫଷ୍ଟାଇଲ ଗ୍ରହଣ କରିବା ସହ ସମାଜ ପାଇଁ କିଛି କରିପାରୁଥିବ ।

ସ୍ୱେଚ୍ଛାସେବୀ ଭାବେ ଯୋଗଦେବା,ଦାନ ଦେବା ଓ ଅଧିକ ଜାଣିବା ପାଇଁ ସେମାନଙ୍କ ୱେବସାଇଟ୍ ଦେଖନ୍ତୁ

    Share on
    close