ଓଡ଼ିଶାର ଅବିନାଶ ମିଶ୍ରଙ୍କୁ ଜାତୀୟ ସାହସିକତା ପୁରସ୍କାର

ଓଡ଼ିଶାର ଅବିନାଶ ମିଶ୍ରଙ୍କୁ ଜାତୀୟ ସାହସିକତା ପୁରସ୍କାର

Wednesday January 27, 2016,

2 min Read

image


ଓଡ଼ିଆ ବାଳକ ଅବିନାଶ ମିଶ୍ରଙ୍କୁ ୨୦୧୫ ମସିହା ପାଇଁ ମିଳିଛି ଜାତୀୟ ସାହସିକତା ପୁରସ୍କାର । ୬୭ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଚଳିତ ଜାନୁଆରି ୨୪ ତାରିଖରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଅବିନାଶଙ୍କ ସମେତ ୨୫ ଜଣ ବାଳକ-ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ପୁରସ୍କାର ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,

ପୁରସ୍କାର ପାଇଥିବା ବାଳକ-ବାଳିକାଙ୍କ ପାଇଁ ଏ ସାହସିକତା ଶେଷତମ ନହେଉ । ଜୀବନରେ ବିବର୍ତନ ଆସୁ ଏବଂ ଏ ପିଲାମାନେ ନିଜର କ୍ୟାରିୟରରେ ଉନ୍ନତି କରିବା ସାଙ୍ଗକୁ ସାଧ୍ୟମତେ ସମାଜସେବା ଅବ୍ୟାହତ ରଖନ୍ତୁ ।
image


ନିମାପଡ଼ାର ଅବିନାଶ

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଧୀରପୁର ଗାଁର ରବୀନ୍ଦ୍ର ମିଶ୍ର ଓ ମଞ୍ଜୁଲତା ମିଶ୍ରଙ୍କ ପୁଅ ୧୭ ବର୍ଷୀୟ ଅବିନାଶ ୨୦୧୫ ଏପ୍ରିଲ ୪ ତାରିଖରେ ଅସାମାନ୍ୟ ସାହସିକତା ଦେଖାଇ ସମସ୍ତଙ୍କ ପ୍ରଶାଂସାର ପାତ୍ର ହୋଇଥିଲେ । ଗାଁ ପାଖ କୁଶଭଦ୍ରା ନଦୀରେ ତାଙ୍କର ବନ୍ଧୁ ବିଧୁଭୂଷଣ ବୁଡ଼ିଯାଉଥିବାର ଦେଖି ଅବିନାଶ ଅବିଳମ୍ବେ ନଦୀଗର୍ଭକୁ ଡେଇଁଥିଲେ ଓ ବିଧୁଭୂଷଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ।

୨୨ ବାଳକ, ୩ ବାଳିକା

୨୦୧୫ ମସିହା ପାଇଁ ଦିଆଯାଇଥିବା ଏହି ସାହସିକତା ପୁରସ୍କାର ତାଲିକାରେ ଏଥର ୨୨ ଜଣ ବାଳକ ଥିବା ବେଳେ ୩ ଜଣ ବାଳିକା ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୩ ଜଣ ପୁରସ୍କାର ଗ୍ରହଣ କରିଥିବା ବେଳେ ସାହସିକତା ଦେଖାଇ ଜୀବନ ହାରିଥିବା ଅନ୍ୟ ୨ ଜଣଙ୍କ ଅଭିଭାବକଙ୍କୁ ପୁରସ୍କାର ହସ୍ତାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରେ ସର୍ବକନିଷ୍ଠ ତେଲେଙ୍ଗାନାର ୮ ବର୍ଷୀୟ ବାଳିକା ଶିବମପେଟ ରୁଚିତା(ଗୀତା ଚୋପ୍ରା ପୁରସ୍କାର) ନିଜର ସହପାଠୀଙ୍କୁ ରେଳ ଧାରଣା ଉପରୁ ବଞ୍ଚାଇବାର ସାହସିକ ପ୍ରଦର୍ଶନ କରିଥିବା ବେଳେ ଉତ୍ତରାଖଣ୍ଡର ୧୬ ବର୍ଷୀୟ ଅର୍ଜୁନ ସିଂହ(ସଞ୍ଜୟ ଚୋପ୍ରା ପୁରସ୍କାର) ନିଜ ମା’ଙ୍କୁ ବାଘ ମୁହଁରୁ ବଞ୍ଚାଇବାର ଅସାମାନ୍ୟ ସାହସିକତା ପ୍ରଦର୍ଶନ କରିଥିଲେ । ଉତ୍ତରପ୍ରଦେଶର ଦିବଂଗତ ଶିବାଂଶ ସିଂହ ଓ ମହାରାଷ୍ଟ୍ରର ଦିବଂଗତ ଗୌରବ ସହସ୍ରବୁଦ୍ଧଙ୍କୁ ମରଣୋତ୍ତର ସମ୍ମାନଜନକ ଭାରତ ପୁରସ୍କାରରେ ସମ୍ମାନୀତ କରାଯାଇଛି । ପୁରସ୍କାର ଗ୍ରହଣ କରିଥିବା ସମସ୍ତ ୨୩ ଜଣ ବାଳକବାଳିକା ପରେ ଜାନୁଆରି ୨୬ ସାଧାରଣତନ୍ତ୍ର ପରେଡରେ ଭାଗ ନେଇଥିଲେ ।

image


୫୮ ବର୍ଷ ଧରି ଦିଆଯାଉଛି ପୁରସ୍କାର

ଭାରତୀୟ ଶିଶୁମଙ୍ଗଳ ପରିଷଦ(ICCW) ପକ୍ଷରୁ ୧୯୫୭ ମସିହା ଠାରୁ ଏହି ପୁରସ୍କାର ଦିଆ ହୋଇ ଆସୁଛି । ଉଦାହରଣ ସୃଷ୍ଟି କଲା ଭଳି ସାହସିକତା ପ୍ରଦର୍ଶନ କରିଥିବା ୬ରୁ ୧୬ ବର୍ଷ ବୟସର ଭାରତୀୟ ବାଳକ-ବାଳିକାଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ସାହସୀଙ୍କୁ ପରିଚିତି ଦେବା ଓ ଅନ୍ୟ ବାଳକବାଳିକାଙ୍କୁ ଉତ୍ସାହିତ କରିବା ଏ ପୁରସ୍କାରର ମୁଖ୍ୟ ଉଦ୍ଦେଶ୍ୟ । ୫ଟି ବିଭାଗରେ ଏହି ପୁରସ୍କାର ଦିଆଯାଇଥାଏ; ଭାରତ ପୁରସ୍କାର, ସଞ୍ଜୟ ଚୋପ୍ରା ପୁରସ୍କାର, ଗୀତା ଚୋପ୍ରା ପୁରସ୍କାର, ବାପୁ ଗୈଧାନୀ ପୁରସ୍କାର ଓ ସାଧାରଣ ଜାତୀୟ ସାହସିକତା ପୁରସ୍କାର । ପ୍ରତି ବିଜେତାଙ୍କୁ ପଦକ, ମାନପତ୍ର ଓ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥାଏ । ସମସ୍ତଙ୍କୁ ରୌପ୍ୟ ପଦକ ଦିଆଯାଉଥିବା ବେଳେ କେବଳ ଭାରତ ପୁରସ୍କାର ବିଜେତାଙ୍କୁ ସ୍ଵର୍ଣ ପଦକ ଦିଆଯାଏ । ଇନ୍ଦିରା ଗାନ୍ଧି ବୃତ୍ତି ଯୋଜନାରେ ସମସ୍ତ ବିଜେତାଙ୍କ ପାଠପଢ଼ା ଖର୍ଚ୍ଚ ସରକାର ବହନ କରିଥାନ୍ତି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।