ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଚିନ୍ତା : ପୁରୀରେ ପୁଲିସ୍ ଖୋଲିଲା ସେଲ୍, ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା

ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଚିନ୍ତା : ପୁରୀରେ ପୁଲିସ୍ ଖୋଲିଲା ସେଲ୍, ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା

Friday March 04, 2016,

3 min Read

ବରିଷ୍ଠ ନାଗରିକମାନେ ଅନେକ ସମୟରେ ପରିସ୍ଥିତିରେ ପଡି ଏକୁଟିଆ ରହିବାକୁ ବାଧ୍ୟ ହୋଇଥାନ୍ତି | ପିଲା ଓ ସମ୍ପର୍କୀୟମାନେ ବିଭିନ୍ନ କାରଣରୁ ସେମାନଙ୍କୁ ଛାଡି କର୍ମସଂସ୍ଥାନ ପାଇଁ ହେଉ କିମ୍ବା ଅନ୍ୟ କାରଣରୁ ଅଲଗା ସ୍ଥାନରେ ରୁହନ୍ତି | ଝିଅ ବାହା ହୋଇ ଶାଶୁ ଘରକୁ ଚାଲିଯାଏ | ଏଭଳି ସ୍ଥିତିରେ ବୃଦ୍ଧ ପିତାମାତା ଏକୁଟିଆ ହୋଇଯାନ୍ତି | ଯଦିଓ ସାହି ପଡିଶାରେ ଥିବା ବୟସ୍କମାନଙ୍କ ସହ ସମୟ କଟିଯାଏ, କିନ୍ତୁ ସବୁଠୁ ବଡ କଥା ହେଉଛି ଏମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟର ଯତ୍ନ | ବିପଦ ଆପଦ ବେଳେ ସଙ୍ଗେ ସଙ୍ଗେ ଏମାନଙ୍କ ପାଖେ ପଂହଚିବା ଲାଗି କେହି ନଥାନ୍ତି | ଏସବୁକୁ ଦୃଷ୍ଟିରେ ରଖି ବିଭିନ୍ନ ସହରରେ ପୁଲିସ୍ ପକ୍ଷରୁ ଥାନାମାନଙ୍କରେ ବରିଷ୍ଠ ନାଗରିକ ସେଲ୍ ଖୋଲାଯାଇଥାଏ | ନିକଟରେ ପୁରୀ ସହରରେ ଏଭଳି ସେଲ୍ ଖୋଲାଯାଇଛି |

image


ପୁରୀ ସହରରେ ଥିବା ୬ଟି ଥାନାରେ ବରିଷ୍ଠ ନାଗରିକ ସେଲ୍ ଖୋଲା ଯାଇଛି | ଏହାର ପରିଚାଳନା କରିବା ପାଇଁ ୬ ଜଣ ନୋଡାଲ ଅଫିସର ରହିଛନ୍ତି | ଏକୁଟିଆ ରହୁଥିବା ବରିଷ୍ଠ ନାଗରିକମାନଙ୍କ ଘରକୁ ମାସକୁ ସେମାନେ ନିଶ୍ଚିତ ଭାବେ ଥରେ ଯିବେ | ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଓ ସୁରକ୍ଷାକଥା ପଚାରି ବୁଝିବେ | ଏଥିପାଇଁ ଯାହା ସହଯୋଗ ଦରକାର କରିବା ଦରକାର, ନୋଡାଲ୍ ଅଫିସର ସେ ଦିଗରେ ପଦକ୍ଷେପ ନେବେ |

ଏ ସମ୍ପର୍କରେ ସୂଚନା ଦେଇ ପୁରୀ ଏସ୍.ପି. ଆଶିଷ ସିଂହ କହିଛନ୍ତି –

ନିସଙ୍ଗ ଜୀବନ ଯାପନ କରୁଥିବା ବରିଷ୍ଠ ନାଗରିକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସୁରକ୍ଷା ଓ ସ୍ୱାସ୍ଥ୍ୟ କଥା ବୁଝିବା ଲାଗି ଏହି ସେଲ୍ ପ୍ରତିଷ୍ଠା କରାଯାଇଛି | କିଛି ଅସୁବିଧା ହେଲେ ସେମାନେ ପୁଲିସ୍ ଥାନାକୁ ଫୋନ୍ କରି ସହାୟତା ନେଇ ପାରିବେ | ଅସୁସ୍ଥତା ସମ୍ପର୍କରେ ଥାନାକୁ ଖବର ଦେଲେ ସେମାନଙ୍କ ନିକଟକୁ ଗାଡି ପଠାଇ ଡାକ୍ତରଖାନାରେ ଭର୍ତ୍ତି କରାଯିବ | ସେଥିପାଇଁ ଏକ ଅଟୋ ସହ ୫ଟି ବାଇକ୍ ବ୍ୟବସ୍ଥା କରାଯାଇଛି |
image


ସ୍ୱାସ୍ଥ୍ୟ ସହ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ଆଇନ ସହାୟତା ପାଇଁ ଏହି ନୋଡାଲ ଅଫିସରମାନେ କାର୍ଯ୍ୟକରିବେ | ଯେଉଁମାନଙ୍କର କେହି ନଥିବେ ବା ସେମାନଙ୍କର ପିଲାପିଲି ବାହାରେ ରହୁଥିବେ, ସେଭଳି ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଉଛି | ପ୍ରଥମ ପର୍ଯ୍ୟାୟରେ ଏଭଳି ୫୦ ଜଣ ବରିଷ୍ଠ ନାଗରିକଙ୍କୁ ଏଥିପାଇଁ ଚିହ୍ନଟ କରାଯାଇଛି | ଚିହ୍ନଟ ପ୍ରକ୍ରିୟା ଚାଲୁ ରହିବ | ଏବେ ଏହି ଦାୟିତ୍ୱ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବେୟାର ଫୁଟ୍ କୁ ଦିଆଯାଇଆଛି | ତେବେ ବରିଷ୍ଠ ନାଗରିକମାନଙ୍କ ଚିହ୍ନଟ ବେଳେ କେବଳ ଗୋଟିଏ କଥା ଦେଖାଯିବ ଯେ ସେମାନେ ଏକୁଟିଆ ଅଛନ୍ତି ନା ନାହିଁ | ଏଠାରେ ଆର୍ଥିକ ସ୍ୱଚ୍ଛଳତାକୁ ଧ୍ୟାନ ଦିଆଯାଉନାହିଁ | ଯେମିତି ଗରିବ ଶ୍ରେଣୀ ହୋଇ ମଧ୍ୟ ତାଙ୍କ ସଙ୍ଗେ କେହି ଅଛନ୍ତି, ତେବେ ସେ ଏହି ସେଲ ର ସହଯୋଗ ନେଇ ପାରିବେ ନାହିଁ | ସେହିପରି ଆର୍ଥିକ ସ୍ୱଚ୍ଛଳ ଅବସ୍ଥା ଥିବା ଲୋକର ଯଦି କୌଣସି ସମ୍ପର୍କୀୟ ନାହାନ୍ତି, ତା ହେଲେ ସେ ସ୍ୱତନ୍ତ୍ର ସେଲ ର ସହଯୋଗ ପାଇପରିବ |

image


ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୫୦ ଜଣ ବରିଷ୍ଠ ନାଗରିକ ସେଲ୍ ର ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ଦିଆଯାଇଛି | ପୁରୀରେ ଅନେକ ବୃଦ୍ଧବୃଦ୍ଧା ନିସଙ୍ଗରେ ଜୀବନ ଯାପନ କରୁଛନ୍ତି | ପର୍ଯ୍ୟୟକ୍ରମେ ସେମାନଙ୍କୁ ଚିହ୍ନଟ କରାଯାଇ ବରିଷ୍ଠ ନାଗରିକ ସେଲ୍ ରେ ସେମାନଙ୍କୁ ସାମିଲ କରାଯିବ |

ପୁରୀର ଅତିରିକ୍ତ ଏସ୍.ପି. ଜଗନ୍ନାଥ ପ୍ରଧାନ କହିଛନ୍ତି,

ବରିଷ୍ଠ ନାଗରିକମାନଙ୍କ ସୁରକ୍ଷ ପାଇଁ ଏଭଳି ସେଲ୍ ର ଯଥେଷ୍ଟ ଆବଶ୍ୟକତ ଥିଲା | ୫୦ରୁ ଏହି ସଂଖ୍ୟା ବହୁତ ଅଧିକ ହେବ | ସ୍ୱତନ୍ତ୍ର ପୁଲିସ୍ ଅଧିକାରୀ ଏହି ସେଲ୍ ର ପରିଚାଳନା କରିବେ |

ବରିଷ୍ଠ ନାଗରିକମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ପୁରୀ ପୁଲିସ ର ଏହି ପଦକ୍ଷେପ ସ୍ୱାଗତ୍ୟଯୋଗ | ତେବେ ଏହି ସେଲ୍ ଗୁଡିକ ଯେଭଳି ସବୁବେଳ ପାଇଁ ସକ୍ରିୟ ରହିବ, ତାହା ହେଉଛି ବଡ କଥା |