ଘର ଅଗଣାରୁ ଅନ୍ତର୍ଜାତୀୟ ଇ-କମର୍ସ- Organic Shopର ସଫଳତା ପଛର କାହାଣୀ

ଘର ଅଗଣାରୁ ଅନ୍ତର୍ଜାତୀୟ ଇ-କମର୍ସ- Organic Shopର ସଫଳତା ପଛର କାହାଣୀ

Saturday November 07, 2015,

3 min Read

ବିଗତ ବର୍ଷମାନଙ୍କରେ ଲୋକମାନଙ୍କ କିଣାକିଣିରେ ଏକ ନୂତନ ଟ୍ରେଣ୍ଡ ସୃଷ୍ଟି ହେଇଛି। ସେମାନେ କିଣିବାକୁ ଯାଉଥିବା ଜିନିଷଟି କେଉଁଥିରୁ ଓ କିପରି ଭାବେ ତିଆରି ହୋଇଛି ତାହା ଜାଣିବା ପାଇଁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି ହୋଇଛି। ଏହି ସଚେତନତା ହିଁ ବିଶ୍ଵ ବଜାରରେ ଜୈବିକ ଦ୍ରବ୍ୟ ଗୁଡିକ ପାଇଁ ବଢୁଥିବା ଚାହିଦା ପଛରେ ପ୍ରମୁଖ କାରଣ। ପରିସଂଖ୍ୟାନ ଅନୁସାରେ ୨୦୦୨ ମସିହାରେ ଭାରତ ୧୨ ମିଲିୟନ ଡଲାର ମୂଲ୍ୟର ଜୈବିକ ଦ୍ରବ୍ୟ ରପ୍ତାନୀ କରିଥିଲା। ୨୦୧୦ ମସିହା ବେଳକୁ ଏହା ୧୨୫ ମିଲିୟନ ଡଲାରରେ ପହଞ୍ଚିଥିଲା। ବିଶେଷଜ୍ଞମାନଙ୍କ ମତରେ ୨୦୧୫ ମସିହା ଶେଷ ବେଳକୁ ଏହି ରପ୍ତାନୀ ୧୦୦ କୋଟି ଆମେରିକୀୟ ଡଲାରକୁ ଛୁଇଁବ।

image


ଜୈବିକ ଦ୍ରବ୍ୟମାନଙ୍କର ବଢୁଥିବା ଲୋକପ୍ରିୟତାକୁ ଆଖିରେ ରଖି ଅନେକ ସାମାଜିକ ଉଦ୍ୟୋଗ ଓ ନୂତନ ବ୍ୟବସାୟ ଗଢି ଉଠିଛି। ମାତ୍ର ଏ ସମସ୍ତ ସଂସ୍ଥା ଭିତରେ Organic Shopର କଥା ନିଆରା। କିପରି? ମନୁଜ ତେରାପନ୍ଥୀଙ୍କ ଦ୍ଵାରା ୨୦୧୦ ମସିହାରେ ପ୍ରତିଷ୍ଠିତ ଏହି ସଂସ୍ଥା ଇ-କମର୍ସ ସହିତ ଜୈବିକ ଦ୍ରବ୍ୟର କିଣା ବିକାକୁ ଯୋଡି ନିଜ ପାଇଁ ବିଶ୍ଵ ବଜାରରେ ଗୋଟିଏ ସ୍ଵତନ୍ତ୍ର ସ୍ଥାନ ତିଆରି କରି ପାରିଛି। ୬୦୦୦ରୁ ଅଧିକ ଶତ ପ୍ରତିଶତ ଜୈବିକ ମାନ୍ୟତା ପ୍ରାପ୍ତ ଦ୍ରବ୍ୟର ବ୍ୟବସାୟ କରୁଥିବା Organic Shop ଏବେ ଏହି କ୍ଷେତ୍ରର ସବୁଠାରୁ ବଡ ଭାରତୀୟ ସଂସ୍ଥା। ତା’ ଛଡା Organic Shop ସ୍ଥାନୀୟ ଉତ୍ପାଦନକାରୀ ଓ ଜୈବିକ ଦ୍ରବ୍ୟ ଗୁଡିକର ଖୁଚୁରା ବ୍ୟବସାୟୀମାନଙ୍କୁ ବିଶ୍ଵ ଖାଉଟି ବଜାର ସହ ଯୋଡିବାରେ ଗୋଟିଏ ମାଧ୍ୟମ ସାଜି ପାରିଛି।

ନିଜ ସଂସ୍ଥାର ଆରମ୍ଭ ଓ କାର୍ଯ୍ୟଶୈଳୀ ଉପରେ ମତ ରଖି ମନୁଜ କୁହନ୍ତି, “ ବର୍ତ୍ତମାନ ବିଶ୍ଵ ଏପରି ଏକ ଅବସ୍ଥା ରେ ପହଞ୍ଚିଛି ଯାହାକୁ ଆମେ ଆମ ଭବିଷ୍ୟତ ବଂଶଧରଙ୍କ ପାଇଁ ସୁରକ୍ଷିତ ବୋଲି ବିଶ୍ଵାସ କରି ପାରୁନାହେଁ। ଖାଦ୍ୟ, ପୋଷାକ ପତ୍ର ଠାରୁ ଆରମ୍ଭ କରି ପ୍ରସାଧନ ସାମଗ୍ରୀ ପର୍ଯ୍ୟନ୍ତ ସବୁ ଜିନିଷରେ କ୍ଷତିକାରକ ବସ୍ତୁ ରହୁଛି। ଗ୍ରାହକମାନଙ୍କ ଜୀବନ ମଧ୍ୟ ବ୍ୟସ୍ତମୟ ହୋଇ ଚାଲିଛି। କେଉଁ ଜିନିଷରେ କେଉଁ କ୍ଷତିକାରକ ଜିନିଷ ଅଛି ତାହା ଜାଣିବା ପାଇଁ ଗ୍ରାହକ ମାନଙ୍କ ପାଖରେ ସମୟ ନାହିଁ। ଏହା ହିଁ ଆମକୁ Organic Shop ପ୍ରତିଷ୍ଠା କରିବାକୁ ପ୍ରେରଣା ଦେଇଥିଲା। କେବଳ ଗ୍ରାହକ ନୁହେଁ ଉତ୍ପାଦନକାରୀଙ୍କ ମଧ୍ୟରେ ଜୈବିକ ଦ୍ରବ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ।“

ମାତ୍ର ଏହି କାମ ଆରମ୍ଭ କରିବା ଏତେ ସହଜ ନଥିଲା। Organic Shopର ଚିନ୍ତାଧାରା ମନୁଜଙ୍କ ମୁଣ୍ଡକୁ ୨୦୧୦ ମସିହାରେ ଆସିଥିଲା। ଏହାପରେ ସେ ଏହି କ୍ଷେତ୍ରର ସମଧର୍ମାମାନଙ୍କୁ ଖୋଜିବାରେ ଲାଗିଲେ। ୨୦୧୧ ମସିହାରେ Organic Shop ଭାରତରେ ଶତ ପ୍ରତିଶତ ଜୈବିକ ଦ୍ରବ୍ୟ ଗୁଡିକର ବ୍ୟବସାୟ କରିବା ଆରମ୍ଭ କଲା। ପ୍ରଥମେ ସେମାନେ ୧୨୦୦ଟି ଦ୍ରବ୍ୟର କିଣାବିକା ଆରମ୍ଭ କରିଥିଲେ। ଆରମ୍ଭ ଦିନ ମାନଙ୍କରେ ମନୁଜଙ୍କ ସହ ମାତ୍ର ଚାରି ଜଣ କାମ କରୁଥିଲେ ଓ ବ୍ୟବସାୟ ଚଲାଇବା ଆବଶ୍ୟକ ଅର୍ଥର ଘୋର ଅଭାବ ଥିଲା। ମାତ୍ର ବ୍ୟବସାୟର ଦ୍ଵିତୀୟ ବର୍ଷରେ ଏହି ଅବସ୍ଥାରେ ପରିବର୍ତ୍ତନ ଆସିଲା ବୋଲି ମନୁଜ କୁହନ୍ତି।

image


୨୦୧୩ ମସିହାରେ Rajasthan Angel Investors Network (RAIN) ମନୁଜଙ୍କୁ ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଲେ। ଏହା ମନୁଜଙ୍କ ବ୍ୟବସାୟ ପାଇଁ ଏକ ବଡ ପ୍ରେରଣା ଥିଲା। ଏହା ମନୁଜଙ୍କ ଆତ୍ମବିଶ୍ଵାସ ବଢାଇଥିଲା। ସେ ଠିକ ସମୟରେ ଠିକ ବ୍ୟବସାୟ ଆରମ୍ଭ କରିଛନ୍ତି ବୋଲି ବୁଝି ପାରିଲେ। ଏହାପରେ ମନୁଜ ନିଜ ତାଲିକାରେ ନୂଆ ନୂଆ ଜୈବିକ ଦ୍ରବ୍ୟ ଯୋଡିବାରେ ଲାଗିଲେ। ତାଲିକା ଧୀରେ ଧୀରେ ବଢି ୬୦୦୦ରେ ପହଞ୍ଚିଲା ଏବଂ ତା'ସହ ମନୁଜ Organic Shopର ପ୍ରଚାର ପ୍ରସାର ପାଇଁ ମଧ୍ୟ ଅର୍ଥ ଖଟେଇ ପାରିଲେ।

ଆରମ୍ଭ ଦିନ ମାନଙ୍କରେ ଦ୍ରବ୍ୟ ଗୁଡିକର ସଠିକ ପରିବହନ ମନୁଜଙ୍କ ପାଇଁ ଗୋଟିଏ ପ୍ରମୁଖ ସମସ୍ୟା ଥିଲା। ଗ୍ରାହକଙ୍କ ବିଶ୍ଵାସ ଜିଣିବା ପାଇଁ ତୃଟିହୀନ ପରିବହନ ଉପରେ ମନୁଜ ଗୁରୁତ୍ଵ ଦେଇଥିଲେ ବୋଲି କୁହନ୍ତି।

ବର୍ତ୍ତମାନ ୟୁରୋପୀୟ ଦେଶ ମାନଙ୍କରେ ମଧ୍ୟ Organic Shop ନିଜର ଉପସ୍ଥିତି ଜାହିର କରିଛି। ଜୈବିକ ଦ୍ରବ୍ୟ ପାଇଁ ୟୁରୋପ ଏକ ବୃହତ ବଜାର। ମାତ୍ର ଏହି ବଜାରକୁ ସଠିକ ଭାବେ ବ୍ୟବହାର କରାଯାଇ ପାରି ନାହିଁ ବୋଲି ମନୁଜ ମତ ଦିଅନ୍ତି। ଏହା Organic Shop ପାଇଁ ବଡ ସୁଯୋଗ ତିଆରି କରିପାରିଛି ବୋଲି ମନୁଜ କୁହନ୍ତି।

Organic Shopର ଉତଥାନ ଯେ କୌଣସି ଉଦ୍ୟୋଗପତିଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ଦାୟୀ। ଛୋଟ ବ୍ୟବସାୟକୁ କିପରି ବିଶ୍ଵ ସ୍ତରରେ ପ୍ରତିଷ୍ଠିତ କରିହେବ ତାହା ମନୁଜ ପ୍ରମାଣିତ କରିପାରିଛନ୍ତି। ନିଜ ସଫଳତାର ରହସ୍ୟ ସମ୍ପର୍କରେ ମତ ଦେଇ ମନୁଜ କୁହନ୍ତି ଯେ ନିଜ ଲକ୍ଷ୍ୟ ସ୍ଥିର ରଖିବା, ଧୈର୍ଯ୍ୟହୀନ ନହେବା ଓ ସବୁବେଳେ କିଛି ନୂଆ କରି ଦେଖାଇବାର ପ୍ରୟାସ ହିଁ ତାଙ୍କ ପାଇଁ ସଫଳତା ଆଣିପାରିଛି।