Jaipur Literature Festival: ବିଶ୍ୱର ବଡ଼ ମୁକ୍ତ ସାହିତ୍ୟ ମେଳା

Jaipur Literature Festival: ବିଶ୍ୱର ବଡ଼ ମୁକ୍ତ ସାହିତ୍ୟ ମେଳା

Saturday January 09, 2016,

3 min Read

image


ଚଳିତ ଜାନୁଆରି ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁର ସହରରେ ଆୟୋଜିତ ହେଉଛି ZEE Jaipur Literature Festival 2016 । ଏକ କ୍ଷୁଦ୍ର ସ୍ଥାନୀୟ ସାହିତ୍ୟ ସଭା ଭାବେ ୨୦୦୬ ମସିହାରେ ଆରମ୍ଭ ହୋଇଥିବା ଜୟପୁର ଲିଟରେଚର ଫେଷ୍ଟିଭାଲ ମାତ୍ର ବର୍ଷ କେଇଟାରେ ବିଶ୍ୱର ସବୁଠୁ ବଡ଼ ମୁକ୍ତ ସାହିତ୍ୟ ସଭା ହେବାର ଗୌରବ ଅର୍ଜନ କରିଛି । ସ୍କୁଲ ଛାତ୍ରଛାତ୍ରୀ ଓ ନବ ଲେଖକଙ୍କ ଠାରୁ ଆରମ୍ଭ କରି ନୋବେଲ ବିଜୟୀ, ବିଶ୍ୱର ନାମୀ ସାହିତ୍ୟିକ, ସିନେ ବ୍ୟକ୍ତିତ୍ୱ, ପ୍ରକାଶକ ଓ ସାମ୍ବାଦିକଙ୍କ ସମେତ ଲକ୍ଷାଧିକ ସାହିତ୍ୟପ୍ରେମୀଙ୍କ ମହା କୁମ୍ଭମେଳା ପାଲଟିଛି ଜୟପୁର ଲିଟରେଚର ଫେଷ୍ଟିଭାଲ ।

ଜାନୁଆରିରେ ଝଲସେ ଡିଗ୍ଗି ପ୍ୟାଲେସ୍

ପ୍ରତି ବର୍ଷ ଜାନୁଆରି ମାସରେ ଆୟୋଜିତ ହୋଇଥାଏ ଏହି ସାରସ୍ଵତ କୁମ୍ଭମେଳା । ଜୟପୁରର ବିଶାଳ ଡିଗ୍ଗି ପ୍ୟାଲେସ୍ ହୋଟେଲ ପାଞ୍ଚଦିନ ବ୍ୟାପୀ ସାହିତ୍ୟମୟ ହୋଇଉଠେ । ଏକାଧିକ ମଞ୍ଚରେ ଦିନତମାମ ଏଠାରେ ଚାଲିଥାଏ ସାହିତ୍ୟ ସଭା, ପୁସ୍ତକ ଲୋକାର୍ପଣ, ପ୍ରଶ୍ନୋତ୍ତରୀ ଓ ସାରସ୍ଵତ ତର୍କବିତର୍କ । ବିଶେଷ କରି ପ୍ୟାଲେସର ହଲ୍ ଅଫ୍ ଅଡିଏନ୍ସ ଓ ବାହାର ଲନ୍ ଲେଖକ ଓ ସାହିତ୍ୟପ୍ରେମୀଙ୍କ କଳରବରେ ମୁଖରିତ ହୋଇଥାଏ । ଏହା ଏମିତି ଏକ ସ୍ଥାନ ଯେଉଁଠି ଜଣେ ନୋବେଲ ବିଜେତା ବା ମ୍ୟାନ୍ ବୁକର୍ ପୁରସ୍କାର ବିଜେତା ସହ ଆଞ୍ଚଳିକ ଲେଖକ ଅଥବା ଜଣେ ପାଠକର ସିଧାସଳଖ ଭେଟଘାଟ ହୋଇଥାଏ ।

image


୧୦୦ରୁ ଅଢେ଼ଇ ଲକ୍ଷ

୨୦୦୬ ମସିହାରେ ଜୟପୁର ହେରିଟେଜ୍ ଇଣ୍ଟରନାସନାଲ ଫେଷ୍ଟିଭାଲର ଏକ ଅଂଶ ଭାବେ ଏହି ଉତ୍ସବ ଆରମ୍ଭ ହୋଇଥିଲା । ଫଇଥ୍ ସିଂ ପ୍ରତିଷ୍ଠିତ ଜୟପୁର ବିରାସତ୍ ଫାଉଣ୍ଡେସନ୍ ପକ୍ଷରୁ ପ୍ରଥମେ ଏଭଳି ସାହିତ୍ୟ ଉତ୍ସବର ପରିକଳ୍ପନା ଓ ଆୟୋଜନ କରାଯାଇଥିଲା । ସେତେବେଳେ ସାହିତ୍ୟ ଉତ୍ସବର ବିଶେଷ ପ୍ରଚାର ନଥିଲା । ୱିଲିଅମ୍ ଡାର୍ଲିମପେଲ, ନମିତା ଗୋଖଲେ, ଶୋଭା ଦେ ଓ ହରି କୁଞ୍ଜରୁଙ୍କ ସମେତ ମାତ୍ର ୧୮ ଜଣ ଲେଖକ ଏହି ଉତ୍ସବରେ ଭାଗ ନେଇଥିଲେ ।

ସେହିବର୍ଷର ଅନୁଭୂତି ସମ୍ପର୍କରେ ୱିଲିଅମ୍ ଡାର୍ଲିମପେଲ୍ କହନ୍ତି,

ସେଥର ମାତ୍ର ୧୦୦ ଜଣ ଦର୍ଶକ ଆସିଥିଲେ ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପର୍ଯ୍ୟଟକ, ଯେଉଁମାନେ ହୁଏତ ଏମିତି ଚାଲିଥିଲେ ।

ତେବେ ୨୦୦୮ ମସିହାରୁ ଜୟପୁର ଲିଟରେଚର ଫେଷ୍ଟିଭାଲ ସ୍ଵୟଂସମ୍ପୂର୍ଣ ଉତ୍ସବରେ ପରିଣତ ହେଲା । ସେ ବର୍ଷ ଅଧିକ ପ୍ରସିଦ୍ଧ ଲେଖକଙ୍କ ସମେତ ୨୫୦୦ରୁ ଅଧିକ ଆଗ୍ରହୀ ଅଂଶଗ୍ରହଣକାରୀଙ୍କୁ ଦେଖିବାକୁ ମିଳିଥିଲା । ଧୀରେଧୀରେ ପ୍ରତିବର୍ଷ ଲେଖକ ଓ ଦର୍ଶକଙ୍କ ସଂଖ୍ୟା ବଢ଼ିଚାଲିଲା । ୨୦୦୯ରେ ୧୪୦ ଲେଖକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୧୨,୦୦୦ ବ୍ୟକ୍ତି ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପରବର୍ଷ ଏ ସଂଖ୍ୟା ୩୦,୦୦୦ରେ ପହଞ୍ଚିଥିଲା । କ୍ରମେ ଦେଶ ଓ ଦେଶ ବାହାରୁ ମଧ୍ୟ ଆଗ୍ରହୀ ସାହିତ୍ୟପ୍ରେମୀ ଓ ପ୍ରଶଂସକମାନଙ୍କର ସୁଅ ଛୁଟିଲା । ଗତବର୍ଷ(୨୦୧୫) ଉତ୍ସବରେ ସର୍ବାଧିକ ୨ ଲକ୍ଷ ୪୫ ହଜାର ବ୍ୟକ୍ତି ଏହି ଉତ୍ସବରେ ଭାଗ ନେଇଥିଲେ ।

image


ସବୁଠୁ ବଡ଼ ମୁକ୍ତ ସାହିତ୍ୟ ମେଳା

ଜୟପୁର ସାହିତ୍ୟ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ କୌଣସି ଦେୟ ଦେବା ବା ଟିକେଟ୍ କରିବାକୁ ପଡେ଼ନାହିଁ। ଏହା ଜନସାଧାରଣଙ୍କ ପାଇଁ ସମ୍ପୂର୍ଣ୍ଣ ମୁକ୍ତ । ତେବେ କେବଳ ନିମନ୍ତ୍ରିତ ଅଂଶଗ୍ରହଣକାରୀଙ୍କ ପାଇଁ ଆୟୋଜକମାନେ ଗସ୍ତ, ରହଣୀ ଓ ଖାଦ୍ୟପେୟର ଦାୟିତ୍ୱ ବହନ କରିଥାନ୍ତି । ଏଥିରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି, ଜୟପୁର ସାହିତ୍ୟ ଉତ୍ସବକୁ ବିଶ୍ୱର ସବୁଠୁ ବଡ଼ ମୁକ୍ତ ସାହିତ୍ୟ ମେଳା କୁହାଯାଏ । ଏହି ଉତ୍ସବ ସମୟରେ ଜୟପୁର ସବୁଠୁ ଅଧିକ ଗହଳ ହୋଇଉଠେ । ହୋଟେଲ, ଅସ୍ଥାୟୀ ବାସସ୍ଥଳ ଓ ରିସୋର୍ଟ ସବୁ ଜନାକୀର୍ଣ ହୋଇଥାଏ । ଗତବର୍ଷ ଉତ୍ସବରେ ପ୍ରାୟ ୨.୫ ଲକ୍ଷ ଦର୍ଶକ ଆସିଥିବା ବେଳେ ଚଳିତ ବର୍ଷ ଏହା ବୃଦ୍ଧିପାଇବ ବୋଲି ଆୟୋଜକମାନେ ଆଶା ରଖିଛନ୍ତି ।

image


ଆୟୋଜକ ଓ ପୃଷ୍ଠପୋଷକ

ବିଶିଷ୍ଟ ଲେଖିକା ନମିତା ଗୋଖଲେ ଏବଂ ୱିଲିଅମ ଡାର୍ଲିମପେଲ୍ ଏହି ଉତ୍ସବର ନିର୍ଦେଶକ ଅଛନ୍ତି । TeamWork Production ପକ୍ଷରୁ ସଂଜୟ ରାୟ ଏହି ଉତ୍ସବକୁ ଆୟୋଜନ କରୁଛନ୍ତି । ସୁରିନା ନରୁଲା ଉତ୍ସବର ପ୍ରତିଷ୍ଠାତା ପୃଷ୍ଠପୋଷକ ଓ ଉପଦେଷ୍ଠା ଅଛନ୍ତି । ବିଶ୍ୱର ସବୁ କୋଣରୁ ପ୍ରତିଷ୍ଠିତ ଲେଖକମାନଙ୍କୁ ଗୋଟିଏ ସ୍ଥାନରେ ଦେଖିବାର ଏ ଏକ ବିରଳ ଅବସର । ପ୍ରଥମେ ୨୦୦୭ ମସିହାରେ ଏହି ଉତ୍ସବରେ ଯୋଗ ଦେଇଥିବା ସଲମାନ ରୁସଦି ବିବାଦ କାରଣରୁ ୨୦୧୨ ମସିହା ଉତ୍ସବରେ ଯୋଗ ଦେଇ ପାରିନଥିଲେ ।

ଏହି ସାହିତ୍ୟ ଉତ୍ସବ ଆୟୋଜନ ଏବେ କେବଳ ଭାରତ ଭିତରେ ସୀମିତ ହୋଇ ରହିନାହିଁ । ୨୦୧୫ ଜୟପୁର ଲିଟରେଚର ଫେଷ୍ଟିଭାଲ ପରେ ଏହାର ଦୁଇଟି ଭିନ୍ନଭିନ୍ନ ସଂସ୍କରଣ ଲଣ୍ଡନର ସାଉଥବ୍ୟାଙ୍କ୍ ସେଣ୍ଟର ଓ ଆମେରିକାର କଲୋରାଡୋରେ ଆୟୋଜିତ ହୋଇଯାଇଛି ।

ଉତ୍ସବ ସମ୍ପର୍କରେ ଅଧିକ ଜାଣିବା ପାଇଁ www.jaipurliteraturefestival.orgକୁ ଯାଆନ୍ତୁ ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।