ମହିମା ଗାଦିରେ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ

ମହିମା ଗାଦିରେ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ

Sunday February 21, 2016,

3 min Read

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିଠାରେ ବିଶ୍ୱପ୍ରସିଦ୍ଧ ମାଘ ମେଳା ଆରମ୍ଭ ହୋଇଛି । ମହିମାଧର୍ମର ୧୪୩ତମ ଏହି ମହାକୁମ୍ଭରେ ଯୋଗ ଦେବା ପାଇଁ ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼, ବିହାର, ଆନ୍ଧ୍ର ପ୍ରଦେଶ, ଆସାମ, ମଧ୍ୟପ୍ରଦେଶ, ନେପାଳ ଓ ବିଦେଶରୁ ବହୁ ଭକ୍ତ, ସାଧୁସନ୍ଥ ଗାଦିପୀଠରେ ଭିଡ଼ ଲଗାଇଛନ୍ତି । ମାଘ ଚତୁର୍ଦ୍ଦଶୀରେ ମହିମାଗାଦିରେ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଝାଡ଼ଦୀପ ଦର୍ଶନ କରିଛନ୍ତି ।

ସନ୍ଧ୍ୟା ୫ଟାରେ ଝାଡ଼ଦୀପ ପ୍ରଜ୍ୱଳିତ ହୋଇଥିଲା । ଚତୁର୍ଦ୍ଦଶୀ ପାଳନ ଅବସରରେ ବ୍ରାହ୍ମ ମୁର୍ହୂରେ ଗାଦି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର, ଧୂନି ମନ୍ଦିର, ଶୂନ୍ୟ ମନ୍ଦିର, ବତୀ ମନ୍ଦିର, ଏକୋଇଶ ହାତିଆ ମନ୍ଦିର, ନୀତି ମନ୍ଦିର ପ୍ରଭୃତି ଉପାସନା ପୀଠଗୁଡିକରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା । ଭୋର୍ ୩ଟା ବେଳେ ସାଧୁମାନେ ଉପାସନା ପୀଠଗୁଡିକୁ ସଫା କରିବା ପରେ ରୁପା ଗରାରେ ନୀତି କୂଅରୁ ପାଣି ଆଣି ପୀଠଗୁଡିକୁ ଶୋଧନ କରିଥିଲେ । ସୁନା ଗିନାରେ ଚନ୍ଦନ, ଅଗୁର, କର୍ପୁର ସିଂଚନ କରାଯାଇଥିଲା । ସମସ୍ତ ସାଧୁସନ୍ଥ ଉପାସନା ପୀଠଗୁଡିକୁ ଯାଇ ପ୍ରଭୁଙ୍କୁ ଅର୍ପଣ ପୂର୍ବକ ନୂତନ ବକ୍କଳ ଓ କୌପୀନ ପରିଧାନ କରି ନୀତି ସଂପାଦନ କରିଥିଲେ । ନୂତନ ତ୍ୟାଗୀ ଓ ବୈରାଗୀମାନଙ୍କୁ ବରିଷ୍ଠ ମହିମା ସନ୍ନ୍ୟାସୀମାନେ ବକ୍କଳ ପ୍ରଦାନ କରିଥିଲେ । ପରେ ସମସ୍ତ ସାଧୁ ବେଢା ପରିକ୍ରମା କରିଥିଲେ । ଗାଦି ମନ୍ଦିରରେ ବକ୍କଳଧାରୀ ମହିମା ସମାଜର ସଭାପତି ବାବା ପବିତ୍ର ମୋହନ ବାବା ଓ ଧର୍ମାଧ୍ୟକ୍ଷ ନରେନ୍ଦ୍ର ବାବା ଛେରାପହଁରା କରିଥିଲେ । ୬୦ ବକ୍କଳଧାରୀ ସାଧୁ ରୁପା ଚାମରରେ ଗାଦିମନ୍ଦିର ଚତୁଃପାର୍ଶ୍ଵରେ ଚାମର ସେବା କରିଥିଲେ । ଛତ୍ର ଏହି ନୀତିରେ ଲାଗି ହୋଇଥିଲା । ପ୍ରାତଃ ସମୟରେ ବେଢ଼ା ପରିକ୍ରମା ଓ ବାଳଲୀଳା ପରେ ଭକ୍ତମାନଙ୍କୁ ଅହ୍ମଣିଆ ଭୋଗ ବଂଟନ କରାଯାଇଥିଲା । ସକାଳ ୮ଟାରେ ନୀତି ମନ୍ଦିରରୁ ସୁନା, ରୁପା ଛତ୍ର, ପିତଳ ଝାଡ଼ ଆଦି କଡ଼ା ସୁରକ୍ଷାରେ ଗାଦିମନ୍ଦିରକୁ ଅଣାଯାଇଥିଲା । ପୂର୍ବାହ୍ନ ୧୧ଟା ବେଳେ ନୀତି ଆରମ୍ଭ ହୋ ସାଢ଼େ ୧୨ଟାରେ ଶେଷ ହୋଇଥିଲା । ସାନ୍ଧ୍ୟ ନୀତି ଅପରାହ୍ଣ ୪ଟାରେ ଅ ।ରମ୍ଭ ହୋଇ ୪ଟା୫୦ରେ ଶେଷ ହୋଇଥିଲା । ସାଧୁ ଭକ୍ତମାନଙ୍କ ଅଲେଖ ମହିମା ଡାକ ସହିତ ବଡକାଠ, ମାଦେଳି, ଖୋଳ, କୀର୍ତନ ଓ ଖଞ୍ଜଣୀ ବାଦ୍ୟରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା ।

image


ସନ୍ଧ୍ୟା ୫ଟାରେ ଗାଦି ମନ୍ଦିର ପଶ୍ଚିମ ଦ୍ୱାରରେ ୪୬ ପାଖୁଡା ଥିବା ବୃହତ୍ ଝାଡ଼ଦୀପରେ ଅଖଣ୍ଡବତୀ ସଂଯୋଗ କରି ବାବା ମନ୍ଦରଧର ଦାସ ଓ ବାବା ଅଭୟ ଦାସ ଘୃତାହୃତି ସହ ଝାଡ଼ ନୀତିର ଶୁଭାରମ୍ଭ କରିଥିଲେ । ପରେ ସାଧୁମାନେ ଗାଦି ମନ୍ଦିରର ପୂର୍ବ ଦ୍ୱାରରେ ଥିବା ୫୧ ପାଖୁଡା, ଉତର ଦ୍ୱାରରେ ଥିବା ୪୧ ପାଖୁଡା ଏବଂ ଦକ୍ଷିଣ ଦ୍ୱାରରେ ୩୧ ପାଖୁଡା ବିଶିଷ୍ଟ ଝାଡ଼ରେ ଅଖଣ୍ଡବତୀ ସଂଯୋଗ କରିଥିଲେ । ଚଳିତବର୍ଷ ଶୂନ୍ୟମନ୍ଦିରରେ ଜୟରାମ ବାବା ଓ ବ୍ରହ୍ମପୁର ଅଂଚଳର ଭକ୍ତମାନଙ୍କ ଦ୍ୱାରା ପ୍ରଦତ ନୂତନ ନିର୍ମିତ ୨୧ ପାଖୁଡା ବିଶିଷ୍ଟ ଝାଡ଼ରେ ଘୃତାହୃତି ଦିଆଯା ଥିଲା । ଏକୋଇଶ ହାତିଅ । ମନ୍ଦିରରେ ବିଚିତ୍ରା ନନ୍ଦ ବାବାଙ୍କ ଦ୍ୱାରା ୨୧ ପାଖୁଡା ବିଶିଷ୍ଟ ଝାଡରେ ଘୃତାହୃତି ଦିଆଯାଇଥିଲା । କୌପୀନଧାରୀ ମହିମା ସମାଜର ଉପଦେଷ୍ଟା ରାଜକିଶୋର ବାବା, ସଭାପତି ରଘୁନାଥ ବାବା ଅଖଣ୍ଡ ଜ୍ୟୋତି ମନ୍ଦିର ଓ ବତୀ ମନ୍ଦିର ଝାଡଦୀପରେ ଘୃତାହୃତି ଦେଇଥିଲେ । ବକ୍କଳଧାରୀ ମହିମା ସମାଜ ପକ୍ଷରୁ ସଂପାଦକ ବାବା ନିତ୍ୟାନନ୍ଦ ଦାସ, ଉପସଭାପତି ବାବା ନିରଞ୍ଜନ ଦାସ, ବାବା ନଟବର ଦାସ, ବାବା ଶୁକଦେବ ଦାସ, ବାବା କୈଳାସ ଦାସ, ବାବା ଡମ୍ବରୁଧର ଦାସ, ମୋହନ ବାବା, ନାରାୟଣ ବାବା ପ୍ରମୁଖ କାଯର୍ୟକ୍ରମ ପରିଚାଳନା କରିଥିଲେ । କୌପୀନଧାରୀ ମହିମା ସମାଜ ପକ୍ଷରୁ ଉପସଭାପତି ବାବା କରୁଣାକର ଦାସ, ପରିଚାଳକ ବାବା ଅବିନାଶୀ ଦାସ, ସହ ପରିଚାଳକ ନିମାଇଁ ବାବା, ସଂପାଦକ ସୁଶାନ୍ତ ବାବା, ସହ ସଂପାଦକ କାର୍ତିିକ ବାବା, କୋଷାଧ୍ୟକ୍ଷ ସାରଙ୍ଗଧର ବାବା ପ୍ରମୁଖ ଝାଡ଼ନୀତି ପରିଚାଳନା କରିଥିଲେ ।