ଦୋଛକିରେ ଭାରତୀୟ ଇ-କମର୍ସ ବଜାର- ଆମାଜନକୁ ଟକ୍କର ଦେବାକୁ ଗଢା ଯାଇ ପାରେ Flipkart, Paytm ଓ Snapdeal ର ମହାଗଠବନ୍ଧନ

ଦୋଛକିରେ ଭାରତୀୟ ଇ-କମର୍ସ ବଜାର- ଆମାଜନକୁ ଟକ୍କର ଦେବାକୁ ଗଢା ଯାଇ ପାରେ Flipkart, Paytm ଓ Snapdeal ର ମହାଗଠବନ୍ଧନ

Monday March 07, 2016,

3 min Read

କୁହନ୍ତି ଯେ ପ୍ରେମ ଆଉ ଯୁଦ୍ଧରେ ସବୁ କିଛି ଠିକ। ଭାରତରେ ଇ-କମର୍ସ କ୍ଷେତ୍ରରେ ବର୍ତ୍ତମାନ ଘଟୁଥିବା ଘଟଣାବଳୀକୁ ଅନୁଶୀଳନ କଲେଏହି ପୁରୁଣା ଆପ୍ତବାକ୍ୟଟି ଅଧିକ ପ୍ରଯୁଜ୍ୟ ମନେହୁଏ। କିଛି ଦିନ ତଳେ ଏ ଖବର ଆସିଥିଲା ଯେ ଚାଇନାର ବୃହତ ଇ-କମର୍ସ କମ୍ପାନୀ ଆଲିବାବା ଭାରତୀୟ କମ୍ପାନୀ Flipkartରେ ନିବେଶ କରିବା ପାଇଁ ଯୋଜନା କରୁଅଛି। ଏହି ଖବର କେତେ ଦୂର ସତ ସେ ବିଷୟରେ ଅଧିକ ସୂଚନା YourStory ପାଖରେ ନାହିଁ। ମାତ୍ର ଏହି ଖବର ବଜାର ବିଶେଷଜ୍ଞ ଓ ଗଣ ମାଧ୍ୟମକୁ ଆଶ୍ଚର୍ଯ୍ୟ କରି ନାହିଁ। ଆଉ ଯଦି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଲିବାବା Flipkartରେ ନିବେଶ କରେ ତାହାଲେ ଏହା ଭାରତୀୟ ଇ-କମର୍ସ ବଜାରରେ ଏକ ନୂତନ ସମୀକରଣ ସୃଷ୍ଟି କରିବ। ଏ ଯାଏ ଚାଲିଥିବା ବହୁମୂଖୀ ପ୍ରତିଦ୍ୱନ୍ଦିତା ଦୁଇ ବଡ କମ୍ପାନୀ ମଧ୍ୟରେ ସୀମିତ ହୋଇ ଯିବ। ଆଉ ସେ ଦୁଇଟି କମ୍ପାନୀ ହେଲେ ଆମାଜନ ଓ ଆଲିବାବା।

image


ଆଲିବାବା ଭାରତୀୟ ବଜାରର ଅନ୍ୟ ଦୁଇ ପ୍ରମୁଖ ଇ-କମର୍ସ କମ୍ପାନୀ PaytmSnapdeal ର ଏକ ପ୍ରମୁଖ ଅଂଶଧନ ହାତେଇ ସାରିଛି। ସେଥିପାଇଁ ତ ଆଲିବାବା ଯଦି Flipkart ରେ ନିବେଶ କରେ ତାହାଲେ ବଜାରରେ କି ରୋଚକ ପରିସ୍ଥିତି ସୃଷ୍ଟି ହେବ ତା ନେଇ ବଜାର ବିଶେଷଜ୍ଞମାନଙ୍କ ଭିତରେ ଏବେ ଅନେକ ଆଶା ଓ ଆଶଙ୍କା। 

Flipkart କାହିଁକି ଆଲିବାବା ପାଇଁ ଗୁରୁତ୍ଵପୂର୍ଣ ସେ ବିଷୟରେ ମତ ଦେଇ ଜଣେ ବରିଷ୍ଠ ବଜାର ବିଶେଷଜ୍ଞ କୁହନ୍ତି,

ଅନ୍ତର୍ଜାତୀୟ ସ୍ତରରେ ଇ-କମର୍ସ ବଜାରର ଦୁଇ ବଡ ପ୍ରତିଦ୍ଵନ୍ଦୀ ହେଲେ ଆମେରିକା ଓ ଚୀନ। ଉଭୟ ଆମାଜନ (ଆମେରିକୀୟ କମ୍ପାନୀ) ଓ ଆଲିବାବା ଯଦି ଏହି କ୍ଷେତ୍ରରେ ନିଜ ଅଭିବୃଦ୍ଧି ବଜାୟ ରଖିବାକୁ ଚାହାନ୍ତି ତାହାଲେ ସେମାନଙ୍କ ପାଇଁ ସବୁଠାରୁ ଭଲ ବିକଳ୍ପଟି ହେଲା ଭାରତୀୟ ବଜାରରେ ନିବେଶ। ସେଥିପାଇଁ ଆଲିବାବା ଯଦି ଭାରତୀୟ କମ୍ପାନୀ ମାନଙ୍କରେ ନିବେଶ କରି ଆମାଜନକୁ ଭାରତୀୟ ଇ-କମର୍ସ ବଜାରରେ ଚେକମେଟ ଦେବାକୁ ଚାହିଁବ ଏଥିରେ ଚକିତ ହେବାର କିଛି ନାହିଁ ବୋଲି ଉକ୍ତ ବିଶେଷଜ୍ଞ ଜଣକ ମତ ଦିଅନ୍ତି।

ବଜାର ବିଶେଷଜ୍ଞମାନଙ୍କ ବିଶ୍ଵାସ ଯେ ଆଲିବାବାର ଏହି ସମ୍ଭାବିତ ନିବେଶ ଆଜିର ଏହି ବହୁମୂଖୀ ଭାରତୀୟ ଇ-କମର୍ସ ବଜାରର ସ୍ଥିରୀକରଣ ଓ ଧୃବୀକରଣ କରିବ। 

ଏହା ଉପରେ ମତ ଦେଇ The Golden Tap, The Inside Story of Hyper-funded Indian Startups ର ଲେଖକ କଶ୍ୟପ ଦେଓରା କୁହନ୍ତି, 

“ଏହି କ୍ଷେତ୍ରରେ କିଛି ବି ହୋଇପାରେ। ଆମାଜନ ସହ ପ୍ରତିଦ୍ୱନ୍ଦିତା ପାଇଁ ଆଲିବାବା ଯଦି ଏପରି କିଛି କରେ ସେଥିରେ ଅପ୍ରାକୃତିକତା କିଛି ନାହିଁ।“

ଏହି ଘଟଣାକ୍ରମ ଉପରେ ନିଜର ମତ ରଖି Naaptolର ପ୍ରତିଷ୍ଠାତା ଓ ସିଇଓ ମନୁ ଅଗ୍ରୱାଲ କୁହନ୍ତି,

ଆଲିବାବା ଫ୍ଲିପକାର୍ଟରେ ନିବେଶ କରୁ ବା ନକରୁ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଇ-କମର୍ସ ବଜାରରେ ମୁଖ୍ୟ ପ୍ରତିଦ୍ୱନ୍ଦିତା Snapdeal, Flipkart ଓ ଆମାଜନ ଭିତରେ ହିଁ ହେବ। ତା ଛଡା ମନୁ Flipkart ଓ Paytm ର ବିଲୟ ସମ୍ଭାବନାକୁ ମଧ୍ୟ ସେ ଏଡେଇ ଦିଅନ୍ତି ନାହିଁ।

ବର୍ତ୍ତମାନ ପାଖାପାଖି ଏକ ଲକ୍ଷ ବ୍ୟବସାୟୀ Flipkart କୁ ସେମାନଙ୍କ ବିଲ ପଠାନ୍ତି। ମାତ୍ର Flipkart ପାଖରେ ଅଫଲାଇନ ଲେଣଦେଣ ପାଇଁ wallet mode ଉପଲବ୍ଧ ନୁହେଁ। ଏଥିପାଇଁ ଏହା Paytm ର ସହାୟତା ନେଇପାରେ। ଏହି ଦୁଇ କମ୍ପାନୀ ଏକାଠି ହେଲେ ଇ-କମର୍ସ ବଜାର ବଜାରର ସ୍ୱରୂପ ନିଶ୍ଚିତ ଭାବେ ଭିନ୍ନ ହେବ। ଆଉ କିଛି ବିଶେଷଜ୍ଞଙ୍କ ମତରେ Flipkart, Snapdeal ଓ Paytm ଯଦି ଆମାଜନ ସହ ଟକ୍କର ଦେବାକୁ ଚାହୁଁଛନ୍ତି ତାହାଲେ ଆଲିବାବା ସହ ସନ୍ଧି ହିଁ ସେମାନଙ୍କ ପାଇଁ ଏକ ମାତ୍ର ବିକଳ୍ପ।

TechCrunch ର ଏକ ରିପୋର୍ଟ ମଧ୍ୟ Paytm ଓ Flipkartର ସମ୍ଭାବିତ ବିଲୟ ଦିଗକୁ ଅଙ୍ଗୁଳି ନିର୍ଦେଶ କରୁଛି। ଏହି ରିପୋର୍ଟ ଅନୁସାରେ Snapdeal, Paytm ଓ Flipkart ମଧ୍ୟରୁ ଯେକୌଣସି ଦୁଇଟି କମ୍ପାନୀରେ ନିବେଶ ଆଲିବାବାକୁ ଭାରତ ବଜାରରେ ନିଜ ଉପସ୍ଥିତି ବଢାଇବାରେ ସହାୟକ ହେବ।

୨୦୧୪-୧୫ ଆର୍ଥିକ ବର୍ଷ ଟି ଭାରତୀୟ ଇ-କମର୍ସ କମ୍ପାନୀ ମାନଙ୍କ ପାଇଁ ସେତେ ଉତ୍ସାହଜନକ ନଥିଲା। ଏହି ଆର୍ଥିକ ବର୍ଷରେ Flipkart ୨୦୦୦ କୋଟି ଟଙ୍କାର କ୍ଷତି ସହି ଥିଲା ବେଳେ Snapdeal ଓ Paytm ର କ୍ଷତିର ପରିମାଣ ଯଥାକ୍ରମେ ୧୩୫୦ ଓ ୩୭୨ କୋଟି ଥିଲା। ଏହି ଅବସ୍ଥାରୁ ବାହାରିବା ପାଇଁ ବଜାର ସ୍ଥିରୀକରଣ ହିଁ ସହାୟକ ହେବ ବୋଲି ମତ ଦିଅନ୍ତି Aarin Capitalର ପ୍ରତିଷ୍ଠାତା ମୋହନ ଦାସ ପାଇ। ତାଙ୍କ ମତରେ ବଜାରର ସ୍ଥିରୀକରଣ ନହେଲେ ଏହି କମ୍ପାନୀମାନଙ୍କର ଅସ୍ତିତ୍ଵ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବ। 

ମୂଳ ଲେଖା - ଜୟ ବର୍ଦ୍ଧନ ଓ ବିଶାଲ କ୍ରୀଷ୍ଣା

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ

ପଢନ୍ତୁ କିଛି ସମ୍ବନ୍ଧିତ କାହାଣୀ - 

ଆରମ୍ଭ ହେଲା Stockroom Prime — ଚୟନ ପ୍ରକ୍ରିୟା ହେବ ଗୁଣାତ୍ମକ ଓ କମ ସମୟ ସାପେକ୍ଷ

CropConnect: ଗାଁରୁ ଆଣି ସହରରେ ପହଂଚାଉଛି ତଟକା ପନିପରିବା

ଆଦିବାସୀ, ମହିଳା କାରିଗରଙ୍କୁ ଅନଲାଇନକୁ ଆଣିବ Craftsvilla