କବାଡ଼ି ଏକ୍ସପ୍ରେସ୍: କାଗଜ ପୁନଃ-ପ୍ରକ୍ରିୟାକରଣ କର, ଏଥିପାଇଁ ଟଙ୍କା ନିଅ

କବାଡ଼ି ଏକ୍ସପ୍ରେସ୍: କାଗଜ ପୁନଃ-ପ୍ରକ୍ରିୟାକରଣ କର, ଏଥିପାଇଁ ଟଙ୍କା ନିଅ

Friday December 04, 2015,

3 min Read

ଭାରତରେ ୨୦ ପ୍ରତିଶତ ରଦି କାଗଜ ପୁନଃ-ପ୍ରକ୍ରିୟାକୃତ(Recycle) ହୋଇଥାଏ । ଯଦିଓ ଭାରତରେ ବାକି ୮୦ ପ୍ରତିଶତ କାଗଜ ଖୋଳ, ମଲାଟ, ଦ୍ରବ୍ୟ ଉପରେ ଗୁଡ଼ାଇବା, ପୋଛିବା ଭଳି କାମରେ ବ୍ୟବହୃତ ହୁଏ, ତେବେ ଶେଷରେ ଏସବୁ ମଇଳା କୁଣ୍ଡରେ ହିଁ ଫିଙ୍ଗା ହୋଇଥାଏ । କାଗଜର ଚାହିଦା ବଢ଼ୁଥିବା ବେଳେ ସେହି ତୁଳନାରେ ଅଧିକରୁ ଅଧିକ ଗଛ ବି କଟାହେଉଛି । ଏବେ ଦେଶରେ ବାର୍ଷିକ ଏକ କୋଟି ଟନ୍ କାଗଜ ଆବଶ୍ୟକ ହେଉଥିବା ବେଳେ ୨୦୨୫ ସୁଦ୍ଧା ଏହା ଦୁଇଗୁଣା ହେବ ।

image


କପିଳ ବଜାଜ ଓ ସନ୍ଦୀପ ସେଠୀ ଏ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି । ଆଇଟି ଓ ଫାଇନାନ୍ସିଆଲ ମାର୍କେଟରେ ୧୫ ବର୍ଷରୁ ଅଧିକ ଦିନ ଧରି କାମ କରିଥିବା ଏହି ଦୁଇ ବନ୍ଧୁ ୨୦୧୫ ପ୍ରାରମ୍ଭରେ କବାଡ଼ି ଏକ୍ସପ୍ରେସ୍ ପ୍ରତିଷ୍ଠା କଲେ ।

image


ଦୁଆର ମୁହଁରେ କବାଡ଼ି

ନୂଆ କାଗଜ ପାଇଁ ସବୁବେଳେ ଗଛ କଟାଯାଏ । ଆମ ପରିବେଶ ଓ ପ୍ରାକୃତିକ ସମ୍ବଳ ପାଇଁ ଏହା ବେଶ୍ ବିପଦଜନକ । ଗୋଟିଏ ପରିବାରରେ ବାର୍ଷିକ ପ୍ରାୟ ୧୦୦ କେଜି କାଗଜ ନଷ୍ଟ ହୋଇଥାଏ । ଏଣୁ ଲୋକେ କାଗଜ ଅକାରଣରେ ନଷ୍ଟ କରିବା ଶିଖିବା ଉଚିତ ଓ ଏହା ଦ୍ୱାରା ଆମେ ବୃକ୍ଷ ରକ୍ଷା ଦିଗରେ ସାମାନ୍ୟ ଯୋଗଦାନ କରିପାରିବା ବୋଲି କପିଳ ବଜାଜ କହନ୍ତି । ଦେଢ଼ବର୍ଷ ତଳେ ଦୁଇ ବନ୍ଧୁ ନିଜର ୱେବ୍ସାଇଟ୍ ଡୋମେନ ପଞ୍ଜୀକୃତ କଲେ ଓ ବଜାର ସର୍ଭେ କଲେ । ପଶ୍ଚିମ ଦିଲ୍ଲୀରେ ଚଳିତ ବର୍ଷ ସେମାନେ ନିଜର କାମ ଆରମ୍ଭ କଲେ ।

image


କବାଡ଼ି ଏକ୍ସପ୍ରେସ୍ ହାଉସିଂ ସୋସାଇଟି ଗୁଡ଼ିକ ସହ ସମ୍ପର୍କ ସ୍ଥାପନ କରୁଛି । ସୋସାଇଟିର ସଭାପତି ଓ ଅନ୍ୟ କର୍ମକର୍ତାଙ୍କୁ ସେମାନେ ନିଜ ସେବା ବାବଦରେ ବୁଝାନ୍ତି । ତା' ପରେ ସେମାନେ ପ୍ରତି ଘରକୁ ଗୋଟିଏ ବ୍ୟାଗ୍ ଦିଅନ୍ତି । ଏ ବ୍ୟାଗରେ ୧୫ କେଜି କାଗଜ ରହିପାରିବ । ଯେତେବେଳେ ବ୍ୟାଗ୍ ପୂର୍ଣ ହୋଇଯାଏ, ଗୃହକର୍ତା କବାଡ଼ି ଏକ୍ସପ୍ରେସକୁ ଫୋନ୍ କରନ୍ତି । ଏକ୍ସପ୍ରେସ୍ କର୍ମକର୍ତା ଆସି କାଗଜ ନେବା ସହ ପ୍ରତିବଦଳରେ ଟଙ୍କା ଦେଇ ଯାଆନ୍ତି । ସ୍ଵଚ୍ଛତା ରକ୍ଷା ପାଇଁ ସେମାନେ ଡିଜିଟାଲ ଓଜନ ଯନ୍ତ୍ର ବ୍ୟବହାର କରନ୍ତି । ଗ୍ରାହକଙ୍କୁ ଏକ ବିଲ ପଠାଇବା ସହ ବୃକ୍ଷ ବଞ୍ଚାଇବାରେ ସେମାନଙ୍କ ସହଯୋଗ ପାଇଁ ଏକ ଧନ୍ୟବାଦ ଏସ୍ଏମ୍ଏସ୍ ମଧ୍ୟ ପଠାନ୍ତି ।

ବ୍ୟାଗ୍ ବାଣ୍ଟିବାର ଉଦ୍ଦେଶ୍ୟ ହେଲା, ଅବଚେତନରେ ଗ୍ରାହକଙ୍କ ମଧ୍ୟରେ କାଗଜ ସାଇତିବାକୁ ଏକ ଅଭ୍ୟାସ ଭାବେ ଗ୍ରହଣ କରିବାର ମାନସିକତା ସୃଷ୍ଟି କରିବା ।

ରଦ୍ଦି କାଗଜର ବ୍ୟବସାୟ

ପ୍ରତିଯୋଗିତାମୂଳକ ବଜାର ଦରରେ ସେମାନେ ଗ୍ରହକଙ୍କ ଠାରୁ କାଗଜ ସଂଗ୍ରହ କରନ୍ତି । ସିଧାସଳଖ ଏହାକୁ କାଗଜ ମିଲକୁ ବିକ୍ରି କରନ୍ତି । କପିଳ କହନ୍ତି, ‘ଆମେ କେଜି ପିଛା ୧୦ ଟଙ୍କା ଦେଇଥାଉ ଓ ରିସାଇଲ୍କିଙ୍ଗ ମିଲକୁ ୧୩ ଟଙ୍କା ୫୦ ପଇସାରେ ବିକ୍ରି କରୁ ।’ ମଝି ଲୋକଙ୍କୁ ବାଦ ଦେଇ ଏହି ବ୍ୟବସାୟରୁ ମାର୍ଜିନ୍ ଭାବେ ସିଧାସଳଖ ଏକ ବଡ଼ ଅଂଶ ପାଇବାକୁ କବାଡ଼ି ଏକ୍ସପ୍ରେସ୍ ଲକ୍ଷ୍ୟ ରଖିଛି ।

ତେବେ କପିଳ କହନ୍ତି, ଏହା ତାଙ୍କର ମୁଖ୍ୟ ଲାଭ ନୁହେଁ । ବ୍ୟାଗ୍ ଉପରେ ବିଜ୍ଞାପନ ଦେଇ ସେମାନେ ଅର୍ଥ ପାଇଥାନ୍ତି । ସିଧାସଳଖ ଗ୍ରାହକଙ୍କ ସହ ସମ୍ପର୍କ ରଖିବା ସହ ଏକ ବଡ଼ ଉଦ୍ଦେଶ୍ୟ ନେଇ ସଚେତନତା ସୃଷ୍ଟି କରିପାରୁଛନ୍ତି ।

୪ ମାସର କାର୍ଯ୍ୟକ୍ରମରେ କବାଡ଼ି ଏକ୍ସପ୍ରେସ୍ ୨୦୦୦ ଜଣ ଦୃଢ଼ ଗ୍ରାହକ ପାଇଚନ୍ତି । ଆଗାମୀ ମାସରେ ଗାଜିଆବାଦ ଏବଂ ପରେ ପରେ ରୋହିଣୀ ଓ ଦ୍ୱାରକା ଅଞ୍ଚଳକୁ ଯୋଡ଼ିବାକୁ ପ୍ରୟାସ ଚାଲିଛି ।

କବାଡ଼ିବାଲାଙ୍କ ଜୀବନଜୀବିକାକୁ ଏହା ପ୍ରଭାବିତ କରୁନି ତ?

କପିଳ କହନ୍ତି, ‘ନାଁ, ଆମେ କବାଡ଼ିବାଲାଙ୍କ ଜୀବିକାକୁ ଖାଇଯାଉନୁ । ବରଂ ଆମେ ସ୍ଥାନୀୟ କବାଡ଼ିବାଲାଙ୍କୁ ଆମ ସହ ଯୋଡ଼ୁଛୁ ଏବଂ ଆମ ଉଦ୍ଦେଶ୍ୟ ବାବଦରେ ସେମାନଙ୍କ ମଧ୍ୟରେ ସଚେତନତା ବଢ଼ାଉଛୁ । ସେମାନେ ଆମ ମାଧ୍ୟମରେ କେମିତି ଅଧିକ ରୋଜଗାର କରିପାରିବେ ତାହା ବତାଉଛୁ । କିନ୍ତୁ, ଆମେ ଦେଖୁଛୁ, ସେମାନେ ଆମ ସହ କାମ କରିବାକୁ ଅନିଛୁକ । ସେମାନେ ଓଜନମାପ ଓ ମୂଲ୍ୟ ପ୍ରକରଣର ଏକ ସ୍ଵଚ୍ଛ ପ୍ରକ୍ରିୟାକୁ ଆପଣେଇବାକୁ ନାରାଜ ।’

ବର୍ତ୍ତମାନ ସମୟରେ ଗ୍ରାହକଙ୍କ ପାଖରେ କବାଡ଼ିବାଲାଙ୍କ ଛଡ଼ା ଆଉ କିଛି ବିକଳ୍ପ ନାହିଁ । ଖୁବ୍ ଜଲଦି କବାଡ଼ିବାଲାମାନେ କବାଡ଼ି ଏକ୍ସପ୍ରେସକୁ ଗ୍ରହଣ କରିବେ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

ମୂଳ ଲେଖା - ସ୍ନିଗ୍ଧା ସିହ୍ନା

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା