ଅକ୍ଷମତା ଜୀବନର ଏକ ଧାରା - ପୁନମ୍ ନଟରାଜନ

ଅକ୍ଷମତା ଜୀବନର ଏକ ଧାରା - ପୁନମ୍ ନଟରାଜନ

Wednesday December 02, 2015,

3 min Read

ପରିସଂଖ୍ୟାନରୁ ଜଣାଯାଏ ଯେ ଭାରତରେ ଦୁଇକୋଟିରୁ ଅଧିକ ଲୋକ ଅକ୍ଷମତାର ଶିକାର ଅଟନ୍ତି ଯାହାକି ଦେଶର ଦୁଇପ୍ରତିଶତ ଜନସଂଖ୍ୟାରୁ ଟିକିଏ ଅଧିକ ଅଟେ। ଏ ମଧ୍ୟରୁ ୧ କୋଟି ୨୬ ଲକ୍ଷ ପୁରୁଷ ଓ ୯୩ଲକ୍ଷ ମହିଳା। ଏମଧ୍ୟରୁ ୪୮% ହେଲେ ଦୃଷ୍ଟିହୀନ,୨୮% ଚଳାଚଳ କରିବାରେ ୧୦.୩% ମାନସିକ,୫.୮% ଶ୍ରବଣ ଶକ୍ତି ଜନିତ ଓ ୭.୫ ବାକ୍ ଶକ୍ତିଜନିତ ଅକ୍ଷମତାର ଶିକାର। ଏମାନଙ୍କ ସମସ୍ୟା ସମ୍ପର୍କରେ ଆମେ ଜାତୀୟ ଭିନ୍ନକ୍ଷମ ଅନୁଷ୍ଠାନର ମୁଖ୍ୟ ପୁନମ୍ ନଟରାଜନଙ୍କ ସହ India Inclusion Summitଠାରେ ଆଲୋଚନା କରିଥିଲୁ।

image


ତାଙ୍କର ଆବେଗମୟ ଯାତ୍ରାର ଆରମ୍ଭ

ଏହା ଭାରତ ସରକାରଙ୍କ ଏକ ବୈଧାନିକ ସଂସ୍ଥା ଯାହା ଶାରୀରିକ ଅକ୍ଷମ ମାନଙ୍କର ସାହାଯ୍ୟ କରିଥାଏ। ପୁନମଙ୍କ ଜୀବନ ଏକ ରୋମାଞ୍ଚକର କାହାଣୀ ଅଟେ। ସେ ଜୀବନରେ ଆସିଥିବା ବାଧାବିଘ୍ନକୁ କିପରି ସାହସର ସହ ସାମନା କରିଛନ୍ତି ଓ ପ୍ରତି ସମୟରେ ସଫଳ ହୋଇଛନ୍ତି ତାହା ଜାଣିବା। 

ତାଙ୍କର ପୁଅ ଯେବେ ଜନ୍ମ ହେଲା ସେ ଅକ୍ଷମ ଭାବେ ଜନ୍ମ ନେଲା। ସେହି ସମୟରେ ପୁନମ ବିଶ୍ଵବିଦ୍ୟାଳୟରେ ଶୋଧ କରୁଥିଲେ ଓ ଶିକ୍ଷକତା କରିବାକୁ ଚାହୁଁଥିଲେ। ତାଙ୍କର ପୁତ୍ରକୁ ଚିକିତ୍ସା କରୁଥିବା ଡାକ୍ତର ଆଉ କିଛି କରିହେବ ନାହିଁ ବୋଲି କହିଲେ। "ସେ ମୋତେ ଆଶା ଛାଡି ଦେବାକୁ ପରାମର୍ଶ ଦେଲେ। କିନ୍ତୁ ସେମାନେ ଭୁଲ ଥିଲେ,ସେ ସମସ୍ତ ଆକଳନକୁ ଭୁଲ୍ ପ୍ରମାଣୀତ କରି ମୋ ପୁଅ ଅନ୍ୟ ସାଧାରଣ ପିଲାଙ୍କ ପରି କାମ କରିଲା ଓ ମୋତେ ଏଥିପାଇଁ କାମ କରିବାକୁ ପ୍ରେରଣା ଦେଲା," କୁହନ୍ତି ପୁନମ। ଅକ୍ଷମତା ଆପଣଙ୍କୁ ଜୀବନ ଜୀଇଁବାକୁ ଏକ ନୂତନ ବାଟ ଦେଖାଏ।

ବିଦ୍ୟାସାଗର ସ୍କୁଲ୍

ଅକ୍ଷମତା ଯୋଗୁ ମୋ ପୁଅକୁ କୌଣସି ସ୍କୁଲ୍ ଆଡମିସନ୍ ଦେବାକୁ ରାଜି ହେଲେ ନାହିଁ, ତେଣୁ ମୁଁ ନିଜେ ଏକ ବିଦ୍ୟାଳୟ ଖୋଲିବାର ନିଷ୍ପତ୍ତି ନେଲି। ମୁଁ ଅନ୍ୟ ପରିବାର ମାନଙ୍କ ସହ ମିଶିଲି ଓ ସେମାନଙ୍କ ପିଲା ମାନଙ୍କ ଅକ୍ଷମତା ବିଷୟରେ ଜାଣିଲି। ଇତିମଧ୍ୟରେ ଅନେକ ବ୍ୟକ୍ତି ଆସି ମୋସହ ଯୋଗଦେଲେ ଓ ଏହି କ୍ଷେତ୍ରରେ କାମ କଲେ। ମୋ ଘରର ଗ୍ୟାରେଜରେ ପ୍ରଥମେ ମୁଁ ଏହି କେନ୍ଦ୍ର ଖୋଲିଥିଲି। କିନ୍ତୁ ଆଜି ମୁଁ ୩୫୦୦ରୁ ଅଧିକ ପରିବାର ନିକଟରେ ପହଞ୍ଚିପାରିଛି ଯେଉଁଠାରେ ଭିନ୍ନକ୍ଷମ ପିଲାମାନେ ଅଛନ୍ତି। ଆଜି ମୋ କେନ୍ଦ୍ର ଚେନ୍ନଈରେ ନିଜସ୍ଵ ଅଫିସ୍ ରେ କାମ କରୁଛି। ଏହାର ନାମ ମୁଁ ଦେଇଛି ବିଦ୍ୟାସାଗର ସ୍କୁଲ।

ସ୍କୁଲରୁ ଆଗକୁ ଯାତ୍ରା

ଏହି ସ୍କୁଲ୍ ଖାଲି ଚେନ୍ନଈରେ ନୁହେଁ ବରଂ ସରକାରଙ୍କ ମଧ୍ୟରେ ମଧ୍ୟ ପ୍ରେରଣା ଓ ଉତ୍କଣ୍ଠା ସୃଷ୍ଟି କଲା। ମୁଁ ଏଠାରେ ୨୩ ବର୍ଷ ଧରି କାମ କଲି ଓ ଏହାଠାରୁ ଆଗକୁ ଯାଇ ଅଧିକ କିଛି କରିବାକୁ ମନସ୍ଥ କଲି। ଏହି ସମୟରେ National Trust for People with Disability ରେ NGO Expertର ଏକ ପଦବୀ ବାହାରିଲା। ଏଠାରେ କାମ ଥିଲା ଅକ୍ଷମ ପିଲାମାନଙ୍କ ପିତା ମାତା ମାନଙ୍କୁ ସୁରକ୍ଷା ଓ ସମର୍ଥନ ଦେବା। ଚେୟାରମ୍ୟାନ ହିସାବରେ ମୋର କାମ ହେଉଛି ଦେଶର ଲୋକମାନଙ୍କର ଓ ଅକ୍ଷମ ପିତା ମାତା ମାନଙ୍କ ଅକ୍ଷମତା ସମ୍ପର୍କୀୟ ମାନସିକତା ପରିବର୍ତ୍ତନ କରିବା। ସମାଜ କିପରି ସେମାନଙ୍କୁ ଆଡ ଆଖିରେ ନଦେଖି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ତାହାହିଁ ଥିଲା ମୋର ମୁଖ୍ୟ କାର୍ଯ୍ୟ। ଯଦିଓ ଏହା ଏକ କଠିନ କାମ କିନ୍ତୁ ଏଯାଏଁ ମୁଁ ଅନେକ ମାତ୍ରାରେ ସଫଳ ହେଇଛି ଓ ଅନେକ ଭଲ ଲୋକ ମାନେ ମୋତେ ସାହାଯ୍ୟ କରିବା ସହ ସମାଜରେ ଲୋକମାନଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବାକୁ ସଫଳ ହୋଇଛନ୍ତି।

ସେ କହନ୍ତି ଯେ ଗୋଟାଏ ସ୍କୁଲ୍ ଚଳାଇବା ଓ ଏକ Trust ଚଳାଇବା ଦୁଇଟା ସମ୍ପୁର୍ଣ୍ଣ ଭିନ୍ନ ଭିନ୍ନ କାମ। ସରକାରଙ୍କ ସହ କାମ କଲେ ଆପଣଙ୍କୁ ଅଲଗା ଭାବେ କାମ କରିବାକୁ ପଡିବ। ଆପଣଙ୍କୁ ଭିନ୍ନ ଭାବେ ଚିନ୍ତା କରିବାକୁ ପଡିବ, କାରଣ ଭାରତ ଭଳି ଏକ ବଡଦେଶରେ ବିଭିନ୍ନ ପ୍ରାନ୍ତ ରହିଛି ଓ ସେ ସବୁ ସ୍ଥାନ ମାନଙ୍କରେ ଲୋକମାନଙ୍କ ମାନସିକତା ଭିନ ଭିନ୍ନ। ଅନେକ ଗରିବ ପିତା ମାତା ଅଛନ୍ତି ଯାହାର ପିଲା ମାନେ ଭିନ୍ନକ୍ଷମ କିନ୍ତୁ ସେମାନେ ସରକାରୀ ଯୋଜନା ଓ ସୂଚନା ସମ୍ପର୍କରେ ଅଜ୍ଞ। ଏଥିପାଇଁ ଅନେକ ତାଙ୍କ ପିଲାମାନଙ୍କୁ ପରିତ୍ୟାଗ କରନ୍ତି। କିନ୍ତୁ ଗତ ୨୦ ବର୍ଷରେ ପରିସ୍ଥିତି ବଦଳିଛି। ହୁଏତ ଆପଣଙ୍କୁ ଏହା ଦିଲ୍ଲୀରେ ହେଲେ ଲାଗିବ ଯେ ଦେଶ ବଦଳୁଛି କିନ୍ତୁ ଆପଣ ଯେତେ ଯେତେ ଦେଶର ଭିତରକୁ ଯିବେ ଆପଣ ପ୍ରକୃତ ପରିସ୍ଥିତିର ସମାନ କରିବେ। ଆପଣ ଯଦି ଜିଲ୍ଲା ସଦରମହକୁମା ବା ବ୍ଲକସ୍ଥରରେ ଏହାକୁ କରିବେ ଆପଣ ପ୍ରକୃତ ଚିତ୍ର ପାଇପାରିବେ ଓ ଏଥିପାଇଁ କି କି ପ୍ରତିବନ୍ଧକ ରହିଛି ତାହା ମଧ୍ୟ ଜାଣିପରିବେ। ହୁଏତ ଏହା ବଦଳିବାକୁ ଆହୁରି ୨୦ ବର୍ଷ ସମୟ ଲାଗିପରେ କିନ୍ତୁ ପରିବର୍ତ୍ତନ ନିଶ୍ଚୟ ହେବ ଓ ଏହା ଏକ କ୍ରମାଗତ ପ୍ରକ୍ରିୟା ବୋଲି ସେ କହନ୍ତି।

ମୂଳ ଲେଖା - ଆଲେସିଓ ପିରୋନି

ଭାଷାନ୍ତର - ପାର୍ଥସାରଥୀ ମହାନ୍ତି