ଓଡ଼ିଶା: ଯେଉଁଠି ମନ୍ଦିରର ପୂଜକ ଦଳିତ ମହିଳା

ଓଡ଼ିଶା: ଯେଉଁଠି ମନ୍ଦିରର ପୂଜକ ଦଳିତ ମହିଳା

Friday January 29, 2016,

3 min Read

Dhamarai temple in Bhadrak, Odisha

Dhamarai temple in Bhadrak, Odisha


ଏବେ ଲିଙ୍ଗଗତ ସମାନତା ଓ ପୂଜା କରିବାର ଅଧିକାର ନେଇ ସାରା ଭାରତରେ ସ୍ଵର ଜୋର ଧରିଛି । ମହାରାଷ୍ଟ୍ରର ଶନି ଶିଙ୍ଗନପୁର ଓ କେରଳର ସାବରିମାଳା ଭଳି ସ୍ଥାନରେ ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ କଟକଣା ଏବେ ଦେଶବ୍ୟାପୀ ନୂଆ ବିତର୍କର ସୂତ୍ରପାତ କରିଛି । ପୁରୁଷଙ୍କ ଭଳି ମହିଳାମାନେ କାହିଁକି ପୂଜା କରିବାର ଅଧିକାର ପାଇବେ ନାହିଁ ଏ ପ୍ରସଙ୍ଗରେ ବାଦାନୁବାଦ ଜାରି ରହିଥିବା ବେଳେ ଓଡ଼ିଶାର ଦୁଇଟି ମନ୍ଦିର ଉଦାହରଣ ସୃଷ୍ଟି କରିଛନ୍ତି । ଏ ଦୁଇ ମନ୍ଦିରରେ କେବଳ ଯେ ମହିଳା ପୂଜା କରୁଛନ୍ତି ତା ନୁହେଁ, ବରଂ ସମସ୍ତ ପୂଜକ ଦଳିତ ସଂପ୍ରଦାୟର । ଏମାନେ ପୂଜକ ହୋଇଥିବାରୁ ଗ୍ରାମର ପୁରୁଷମାନେ ବି ସେମାନଙ୍କୁ ସମ୍ମାନ ଜଣାଉଛନ୍ତି, ମହିଳା ପୂଜକଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି ।

Panchubarahi temple in Satabhaya, Kendrapada, Odisha

Panchubarahi temple in Satabhaya, Kendrapada, Odisha


ସାତଭାୟାର ମା’ ପଞ୍ଚୁବରାହୀ

କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳ ଗାଁ ହେଉଛି ସାତଭାୟା । ଏ ଗାଁର ଆରାଧ୍ୟ ଦେବୀ ହେଲେ ମା’ ପଞ୍ଚୁବରାହୀ । ବହୁ କାଳରୁ ମା’ ପଞ୍ଚୁବରାହୀଙ୍କ ମନ୍ଦିରରେ କେବଳ ମହିଳାମାନେ ହିଁ ପୂଜକ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି । ଦୀର୍ଘ ୫୦୦ରୁ ଅଧିକ ବର୍ଷ ଧରି ପଞ୍ଚୁବରାହୀ ପୀଠରେ ମହିଳା ପୂଜକ ପରମ୍ପରା ଚାଲିଆସିଛି ବୋଲି ଗ୍ରାମବାସୀମାନେ ସୂଚନା ଦିଅନ୍ତି । ତେବେ ଏଠାରେ ବିଧବା ମହିଳା ପୂଜା କରିପାରିବେ ନାହିଁ ବୋଲି ଏକ କୁସଂସ୍କାର ଏବେ ବି ରହିଛି ।

ପଞ୍ଚୁବରାହୀ ମନ୍ଦିରର ଅନ୍ୟତମ ପୂଜାରିଣୀ ସବିତା ଦଳେଇ କହନ୍ତି,

ପୂର୍ବରୁ ମୋ ଶାଶୁ ଏଠାରେ ପୂଜାରିଣୀ ଥିଲେ । ୫ ବର୍ଷ ତଳେ ମୋ ଶ୍ୱଶୂରଙ୍କ ମୃତ୍ୟୁ ପରେ ଶାଶୂ ମୋତେ ପୂଜା ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।

ସାତଭାୟାର ମା’ ପଞ୍ଚୁବରାହୀ ମନ୍ଦିରରେ ଏବେ ସବିତାଙ୍କ ସମେତ ୫ ଜଣ ମହିଳା ପୂଜକ ଅଛନ୍ତି । ଏମାନେ ପାଳି କରି ମା’ଙ୍କ ପୂଜା ନିର୍ବାହ କରିଥାନ୍ତି ।

ସାତଭାୟାର ବରିଷ୍ଠ ନାଗରିକ ସୁଦର୍ଶନ ରାଉତ କହନ୍ତି,

କେବଳ ବିବାହିତ ସଧବା ମହିଳାମାନେ ଏହି ମନ୍ଦିରରେ ପୂଜକ ଅଛନ୍ତି । ପୂଜକ ହେବା ଲାଗି ପୁରୁଷଙ୍କ ଉପରେ ନିଷେଧାଦେଶ ରହିଛି । ୫୦୦ ବର୍ଷ ଧରି ଆମେ ଏ ପରମ୍ପରା ମାନିଆସୁଛୁ ।

ସାତଭାୟା ସରପଞ୍ଚ ନିଗମାନନ୍ଦ ରାଉତ କହନ୍ତି,

ଆମ ଗାଁରେ ଏହି ମହିଳା ପୂଜକମାନଙ୍କୁ ବହୁତ ସମ୍ମାନ ଦିଆଯାଏ । ଆମେ ସେମାନଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥାଉ ।

ପଞ୍ଚୁବରାହୀ ମନ୍ଦିରକୁ ରାଜକନିକା ରାଜା ତୋଳାଇଥିଲେ । ୫୦୦ ବର୍ଷ ତଳେ ମନ୍ଦିର ସମୁଦ୍ର ଉପକୂଳରୁ ୧୦ କିଲୋମିଟର ଦୂରରେ ଥିଲା ବୋଲି ଗ୍ରାମବାସୀ କହନ୍ତି । ଜଳବାୟୁ ପରିବର୍ତନ ପ୍ରଭାବରେ ଏବେ ଏହା ସମୁଦ୍ର ଉପକୂଳକୁ ଲାଗି କରି ରହିଛି । ଉଚ୍ଚ ଜୁଆର ଆସିଲେ ଏହା ମନ୍ଦିର କାନ୍ଥରେ ପିଟିହୁଏ । ସାତଭାୟାରେ ୪୦୦୦ ଅଧିବାସୀ ବାସକରନ୍ତି ।

Dhamarai temple in Dhamara, Bhadrak, Odisha

Dhamarai temple in Dhamara, Bhadrak, Odisha


ଭଦ୍ରକର ମା’ ଧାମରାଇ

ଭଦ୍ରକର ଧାମରା ଉପକୂଳରେ ଥିବା ମା’ ଧାମରାଇ ମନ୍ଦିରର ପରମ୍ପରା ପଞ୍ଚୁବରାହୀଙ୍କ ଠାରୁ କେଇପାଦ ଆଗରେ । ଏଠାରେ ବିଧବା ମହିଳାଙ୍କୁ ମିଳିଛି ପୂଜକର ସମ୍ମାନ । ଏ ମନ୍ଦିରକୁ ବ୍ରାହ୍ମଣ ବା ଅନ୍ୟ ଜାତିର ବ୍ୟକ୍ତିଙ୍କୁ ପୂଜକର ସମ୍ମାନ ମିଳିନାହିଁ । ବର୍ଷବର୍ଷ ଧରି କେବଳ ଦଳିତ ବିଧବା ମହିଳା ହିଁ ଏଠାରେ ପୂଜକ ଭାବେ ସେବା କରି ଆସୁଛନ୍ତି ।

ବର୍ତମାନ ଧାମରାଇ ମନ୍ଦିରରେ ଦୁଇ ମହିଳା ବିମଳି ମାଝୀ ଓ ଲକ୍ଷ୍ମୀ ବେହେରା ପୂଜକ ଭାବେ କାର୍ଯ୍ୟ କରୁଛନ୍ତି । ୨୦ ବର୍ଷ ଧରି ସେମାନେ ସପ୍ତାହେ ଲେଖାଏଁ ପାଳି କରି ଏହି ସେବା କରୁଛନ୍ତି । ଧାମରା ଗାଁରେ ବହୁ ସଂଖ୍ୟାରେ ଦଳିତ ପରିବାର ଥିଲେ ହେଁ ସବୁ ବିଧବାଙ୍କୁ ପୂଜା କରିବାର ସୁଯୋଗ ମିଳିନାହିଁ । କେବଳ ଦୁଇଟି ପରିବାର, ଦଳେଇ ଓ ବେହେରା, ଏହି ସେବାର ଅଧିକାରୀ ହୋଇଛନ୍ତି ।

ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ନିତ୍ୟାନନ୍ଦ ମାଝୀ କହନ୍ତି,

ଆବହମାନ କାଳରୁ ଏହି ଦୁଇ ପରିବାର ମନ୍ଦିରକୁ ପୂଜାରିଣୀ ଯୋଗାଇ ଆସୁଛନ୍ତି । ଯଦି ଏହି ପରିବାରରେ ବିଧବା ନଥିବେ ତେବେ ସେମାନେ ସେମାନଙ୍କ କୌଣସି ସମ୍ପର୍କୀୟ ବିଧବାଙ୍କୁ ପୂଜକ ଭାବେ ଦାୟିତ୍ୱ ହସ୍ତାନ୍ତର କରିବାର ବିଧାନ ରହିଛି । ପୂଜକ ବିମଳି ମାଝୀ ଦଳେଇ ପରିବାରର ପ୍ରତିନିଧିତ୍ୱ କରୁଥିବା ବେଳେ ଲକ୍ଷ୍ମୀ ବେହେରା ବେହେରା ପରିବାରରୁ ଆସିଛନ୍ତି ।

ବିମଳି କହନ୍ତି,

ମୁଁ ୩୨ ବର୍ଷରେ ବିଧବା ହୋଇଗଲି ଓ ତା ପରେ ପୂଜାରିଣୀ ଭାବେ କାମ କରୁଛି । ମୁଁ କୌଣସି ସଂସ୍କୃତ ମନ୍ତ୍ର ଉଚ୍ଚାରଣ କରେନାହିଁ । ବରଂ ମୋ ପୂର୍ବପୁରୁଷରୁ ପ୍ରଚଳିତ ପ୍ରଥା ଅନୁସାରେ ମା’ଙ୍କ ଠାରେ ଫୁଲ ଓ ଜଳ ଲାଗି କରିଥାଏ ।

ଉଭୟ ଧାମରାଇ ମନ୍ଦିର ଓ ପଞ୍ଚୁବରାହୀ ମନ୍ଦିରରେ ସବୁ ଜାତିର ଲୋକଙ୍କ ପ୍ରବେଶ ସୁବିଧା ରହିଛି । ଏଠାରେ ମହିଳା ପୂଜକମାନେ ବିନା ପାରିଶ୍ରମିକରେ ସେବା ଯୋଗାଇଥାନ୍ତି । ଓଡ଼ିଶାର ଏହି ଦୁଇ ଗାଁରେ ମହିଳାଙ୍କୁ ସମ୍ମାନ ଓ ମନ୍ଦିରରେ ମହିଳାଙ୍କୁ ଅଗ୍ରାଧିକାର ଦେଶର ଅନ୍ୟ କୋଣର ଅସହିଷ୍ଣୁ ପୁରୁଷ ସମାଜ ଲାଗି ଉଦାହରଣ ନିଶ୍ଚୟ ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।