ଜନସେବା ପାଇଁ ବ୍ୟବସାୟ ଛାଡିଲେ, ଏବେ ୩୦୦ ନିରାଶ୍ରୟଙ୍କ ପାଇଁ ଖୋଲିଛନ୍ତି ‘ଗୁରୁକୂଳ’

ଜନସେବା ପାଇଁ ବ୍ୟବସାୟ ଛାଡିଲେ, ଏବେ ୩୦୦ ନିରାଶ୍ରୟଙ୍କ ପାଇଁ ଖୋଲିଛନ୍ତି ‘ଗୁରୁକୂଳ’

Saturday December 26, 2015,

5 min Read

ରାଷ୍ଟ୍ରକବି ମୈଥିଲୀଶରଣ ଗୁପ୍ତଙ୍କ ଗୋଟିଏ କବିତାର ପଂକ୍ତି ହେଉଛି –

“ବହି ପଶୁ ପ୍ରବୃତି ହୈ କି ଆପ୍, ଆପ୍‌ ହି ଚରେ

ବହି ମନୁଷ୍ୟ ହୈ କି ଜୋ ମନୁଷ୍ୟ କେ ଲିଏ ମରେ”

ଅର୍ଥାତ୍ କେବଳ ନିଜ ସ୍ୱାର୍ଥ ହିଁ ଚିନ୍ତା କରିବା ପଶୁର ପ୍ରବୃତ୍ତି | କିନ୍ତୁ ସେହି ହେଉଛି ମନୁଷ୍ୟ, ଯିଏ ଅନ୍ୟ ମଣିଷଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଥାଏ | ଏହି କଥା ଦିଲ୍ଲୀରେ ରହୁଥିବା ୪୭ ବର୍ଷୀୟ ରବି କାଲରାଙ୍କ ପାଇଁ ପ୍ରଯୁଜ୍ୟ |

image


ଯିଏକି ବିଗତ ଆଠ ବର୍ଷ ହେଲା ଗରିବ, ନିରାଶ୍ରୟ, ବେସାହାରା ଓ ରୋଗଗ୍ରସ୍ତ ଲୋକଙ୍କୁ ସହାୟତା କରି ଆସୁଛନ୍ତି | ଏହି ଲୋକମାନଙ୍କର ଦୁନିଆରେ ଆଉ କେହି ନାହିଁ କିମ୍ବା ଥାଇ ମଧ୍ୟ ଏମାନଙ୍କୁ ନିଜ କର୍ମରେ ବଂଚିବାକୁ ଛାଡି ଦେଇଛନ୍ତି | ପ୍ରାୟ ୩୦୦ ଲୋକଙ୍କୁ ସାହାରା ଦେଇଥିବା ରବି ୫ ହଜାରରୁ ଅଧିକ ଅଚିହ୍ନା ଶବର ଅନ୍ତିମ ସଂସ୍କାର କରିସାରିଲେଣି | ବଡ କଥା ହେଉଛି ବିଗତ ଦିନରେ ଭାରତୀୟ ଏମ୍ୟୋଚର ତାଇକୋଣ୍ଡ ଫେଡେରେସନ ର ଅଧ୍ୟକ୍ଷ ରହିଥିବା ରବିଙ୍କ ଜୀବନରେ ବହୁତ ଉତ୍ଥାନପତ୍ତନ ଦେଖିଛନ୍ତି | ପିଲାବେଳେ ତାଙ୍କ ଜୀବନ ବହୁ କଷ୍ଟରେ ବିତିଛି | କିନ୍ତୁ ତାଙ୍କ ଉଦ୍ୟମ ବଳରେ ସେ ଯୁବାବସ୍ଥାରେ ଦୁବାଇ, ଦକ୍ଷିଣ ଆଫ୍ରିକା ଓ ଅନ୍ୟ କେତେକ ଯାଗାରେ ନିଜର ଅଫିସ୍‌ ଖୋଲିଥିଲେ | କିନ୍ତୁ ଗୋଟିଏ ଘଟଣା ତାଙ୍କ ଜୀବନକୁ ଏମିତ ବଦଳାଇ ଦେଲା ଯେ ସେ ସବୁକିଛି ଛାଡି ଲୋକସେବାରେ ଜୁଟି ଗଲେ | ରବି କାଲରାଙ୍କ ମାତା ପିତା ଉଭୟ ସରକାରୀ ଚାକିରି କରୁଥିଲେ | ବାପା ଦିଲ୍ଲୀ ପୁଲିସ୍ ରେ ଇନ୍ସପେକ୍ଟର ଥିଲେ | ବାପାଙ୍କ ଉପରେ ଅନେକ ପାରିବାରିକ ବୋଝ ଥିଲା | ସେହି କାରଣରୁ ତାଙ୍କ ପିଲାଦିନ ବେଶ୍ ସଂଘର୍ଷମୟ ଥିଲା | ରବି ୟୋର ଷ୍ଟୋରୀକୁ କୁହନ୍ତି,

image


" ଅନେକ ଥର ମୋ ପାଖରେ ସ୍କୁଲ ଯିବା ପାଇଁ ବସ୍‌ ଭଡା ମଧ୍ୟ ନଥାଏ | ତେଣୁ ଚାଲି ଚାଲି ବହୁ କିଲୋମିଟର ଯିବାକୁ ପଡେ | ତେବେ ପାଠରେ ମୁଁ ଏତେ ଭଲ ନଥିଲି, କିନ୍ତୁ ବହୁତ କମ୍‌ ବୟସରେ ମାର୍ସଲ ଆର୍ଟ ପ୍ରଶିକ୍ଷକ ହୋଇ ଯାଇଥିଲି | ମୋତେ ମାର୍ସଲ ଆର୍ଟ ପାଇଁ ସ୍କଲାରସିପ୍‌ ମଧ୍ୟ ମିଳିଲା | ଟ୍ରେନିଂ ପାଇଁ ମୁଁ ଦକ୍ଷିଣ କୋରିଆ ଯାଇଥିଲି | ସେଠାରୁ ଏହି ଖେଳ ସମ୍ପର୍କିତ ଅନେକ ଅନ୍ତରାଷ୍ଟ୍ରୀୟ ଡିଗ୍ରୀ ହାସଲ କଲି | ଏଠାରୁ ଭାରତ ଫେରିବା ପରେ ମାର୍ସଲ ଆର୍ଟ ଶିଖାଇବା ପାଇଁ ସ୍କୁଲ ଖୋଲିଲି | ଆଉ କିଛି ଦିନ ପରେ ଇଣ୍ଡିଆନ୍ ଇମାଚ୍ୟୁର ତାଇକଣ୍ଡୋ ଫେଡେରେସନ୍‌ର ଅଧ୍ୟକ୍ଷ ମଧ୍ୟ ହୋଇଗଲେ |"

ନିଜର ପରିଶ୍ରମ ଜରିଆରେ ସେ ପ୍ରାୟ ଦୁଇଶହ ବ୍ଲାକ୍‌ବ୍ଲେଟ୍ ଖେଳାଳୀକୁ ଉତାରିଥିଲେ | ଏହା ବ୍ୟତୀତ ସେ ବିଭିନ୍ନ ପୁଲିସ୍ ବାଟାଲିୟନ ଓ ସଶସ୍ତ୍ର ବାହିନୀକୁ ମଧ୍ୟ ମାର୍ସଲ ଆର୍ଟ ଟ୍ରେନିଂ ଦେଇଥିଲେ | ନିଜ ଖେଳ ପାଇଁ ସେ ୪୭ଟି ଦେଶ ଯାତ୍ରା କରି ସାରିଛନ୍ତି |

image


ନିଜ ଖେଳ ସାଥିରେ ସେ ଏକ୍ସପୋର୍ଟ ଓ ଟ୍ରେଡିଂ ବ୍ୟବସାୟ ମଧ୍ୟ କରୁଥିଲେ | ଗୋଟିଏ ସମୟରେ ତାଙ୍କର ଆର୍ଥିକ ସ୍ଥିତି ଖୁବ୍ ଭଲ ଥିଲା | ତାଙ୍କ ବ୍ୟବସାୟ ଚଳାଇବା ପାଇଁ ଦୁବଇ, ଦକ୍ଷିଣ ଆଫ୍ରିକା ଓ ଅନ୍ୟ କେତେକ ସ୍ଥାନରେ ଅଫିସ୍ ମଧ୍ୟ ଥିଲା | ତଥାପି ସେ କେବେ ବି ସଚ୍ଚୋଟପଣିଆ ସହ ସାଲିସ୍‌ କରିନଥିଲେ | ଜୀବନ ଏମିତି ଭଲରେ କଟୁଥିଲା | କିନ୍ତୁ ଦିନେ ସେ ରାସ୍ତା ଉପରେ ଦେଖିଲେ ଯେ ଗରିବ ପିଲାଟିଏ ଓ ତା ପାଖରେ ବସିଥିବା କୁକୁର ଏକାଠି ରୁଟି ଖାଉଛନ୍ତି | ଏଦି ଦୃଶ୍ୟକୁ ନେଇ ସେ ସଂପୂର୍ଣ ବଦଳିଯାଇଥିଲେ | ସବୁ କିଛି ଛାଡି ସେ ଗରିବ ଓ ବେସାହାରା ଲୋକଙ୍କ ସେବା କରିବାଉ ନିଷ୍ପତି ନେଇଥିଲେ | କିନ୍ତୁ ଏହାକୁ ତାଙ୍କ ସ୍ତ୍ରୀ ବିରୋଧ କରିଥିଲେ | ଏଭଳିକି ତାଙ୍କୁ ଛାଡି ଚାଲିଯାଇଥିଲେ | ସ୍ତ୍ରୀଙ୍କ ଏହି ନିଷ୍ପତି ତାଙ୍କୁ ବାଧିଥିଲେ ମଧ୍ୟ ସେ ତାଙ୍କ ନିଷ୍ପତ୍ତିରୁ ଓହରିନଥିଲେ |

ରବି ପ୍ରଥମେ ଦିଲ୍ଲୀର ବସନ୍ତକୁଂଜ ଅଂଚଳରେ ଏକ ଘର ଭଡା ନେଇ କାମ ଆରମ୍ଭ କଲେ | ଏହାର କିଛି ବର୍ଷ ପରେ ସେ ଗୁଡଗାଓଁରେ ବେସାହାର ଲୋକମାନଙ୍କୁ ରଖିବା ବ୍ୟବସ୍ଥା କଲେ | ଏମାନଙ୍କ ମଧ୍ୟରେ ଥିଲେ ଅନାଥ, ଚିକିତ୍ସା ପାଇଁ ଅର୍ଥ ନଥିବା ବ୍ୟକ୍ତି ଓ ଘରୁ ତଡା ଖାଇଥିବା ଲୋକ | ରବି ଏଭଳି ଲୋକମାନଙ୍କ ଦିନରାତି ସେବା କରୁଛନ୍ତି | ସେ ମହିଳାମାନଙ୍କ ପାଇଁ ନାରୀ ନିକେତନଟିଏ ମଧ୍ୟ ଖୋଲିଲେ | ଭିକ ମାଗୁଥିବା ଗରିବ ପିଲାମାନଙ୍କ ପାଇଁ ସ୍କୁଲର ବ୍ୟବସ୍ଥା ମଧ୍ୟ କଲେ | ଏହି କାମ ମଧ୍ୟରେ ତାଙ୍କୁ ବହୁତ ହଇରାଣ ହେବାକୁ ପଡିଛି | ଏଭଳିକି ସ୍ଥାନୀୟ ଲୋକ ଓ ପୁଲିସ୍ ଠାରୁ ତାଙ୍କୁ ଅତ୍ୟାଚାର ସହିବାକୁ ପଡିଛି |

ରବି କୁହନ୍ତି,

“ପୁଲିସ୍ ମୋତେ ରାତି ରାତି ଥାନାରେ ବସାଇଛି, ମୋ ଉପରେ କିଡନୀ ରାକେଟ୍ ଚଚାଉଥିବାର ଅଭିଯୋଗ କରିଛି| କିନ୍ତୁ ମୁଁ ସାହସ ହାରିନାହିଁ ଓ ଲୋକଙ୍କ ସେବା ଜାରି ରଖିଛି |”
image


ରବି କୁହନ୍ତି, ସଡକ ଓ ହସ୍ପିଟାଲରେ ମରିଥିବା ପ୍ରାୟ ୫ ହଜାର ଅଚିହ୍ନା ଶବକୁ ସେ ଅନ୍ତିମ ସଂସ୍କାର କରିଛନ୍ତି | ଏହା ବ୍ୟତୀତ ତାଙ୍କ ପାଖରେ ରହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ସେ ବି ତାର ଅନ୍ତିମ ସତ୍କାର କରନ୍ତି | ଏମାନଙ୍କ ସଂଖ୍ୟା ହଜାରେରୁ ଅଧିକ ହେବ | ଲୋକମାନଙ୍କ ପାଇଁ ତାଙ୍କର ସମର୍ପଣ ଭାବକୁ ଦେଖି ସମୟ କ୍ରମେ ସାଧାରଣ ଲୋକ, ପୁଲିସ୍, ସାମାଜିକ କର୍ମୀ ଓ ଅନ୍ୟ ବ୍ୟକ୍ତିମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ | ରବି କୁହନ୍ତି,

“ ଦିଲ୍ଲୀର ବିଭିନ୍ନ ସରକାରୀ ହସ୍ପିଟାଲରେ ଏମିତି ଅନେକ ବୟସ୍କ ରୋଗୀ ଅଛନ୍ତି, ଯେଉଁମାନଙ୍କୁ ନିଜର ଲୋକମାନେ ଛାଡି ଚାଲି ଯାଉଛନ୍ତି | ଏମିତି ଅବସ୍ଥାରେ ହସ୍ପିଟାଲ୍ କର୍ତ୍ତୁପକ୍ଷ ଆମ ସହ ସମ୍ପର୍କ କରନ୍ତି ଓ ଆମେ ସେହି ଲୋକକୁ ନେଇ ଆମ ପାଖରେ ରଖୁ |”
image


ଏହି ଲୋକମାନଙ୍କ ସାହାଯ୍ୟ ପାଇଁ ସେ ହରିଆନାର ବନ୍ଧବାଡି ଗାଁରେ “ଦି ଆର୍ଥ ସେଭିଅର୍ ଫାଉଣ୍ଡେସନ୍‌” ସ୍ଥାପନ କଲେ | ଯେଉଁଠାରେ ଏବେ ପ୍ରାୟ ୩୦୦ ବୟସ୍କ ଲୋକ ରହୁଛନ୍ତି | ଏମାନଙ୍କ ମଧ୍ୟରୁ ୧୦୦ରୁ ଅଧିକ ମହିଳା | ଯେଉଁମାନେ ନାରୀ ନିକେତନରେ ରହନ୍ତି | ଏମାନଙ୍କ ମଧ୍ୟରେ କେତେକ ଧର୍ଷଣ ପୀଡିତା, ରୋଗୀ ଓ ବୟସ୍କା ମହିଳା ଅଛନ୍ତି | କିଛି ମାନସିକ ବିକାରଗ୍ରସ୍ତ ଲୋକ ମଧ୍ୟ ଏଠି ଆଶ୍ରୟ ନେଇଛନ୍ତି | 

image


ଏମାନଙ୍କ ବ୍ୟତୀତ ଅନେକ ପୂର୍ବ ଜଜ୍‌, ଶିକ୍ଷାବିତ୍, ଓକିଲ ଓ ଅନ୍ୟମାନେ ମଧ୍ୟ ରହିଛନ୍ତି, ଯେଉଁମାନଙ୍କୁ ତାଙ୍କ ଘର ଲୋକ ଏଠାରେ ଛାଡି ଦେଇ ଯାଇଛନ୍ତି | ଏଠାରେ ତିନିଟି ଆମ୍ବୁଲାନ୍ସ ବ୍ୟବସ୍ଥା ଅଛି | ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲ ସହ ବୁଝାବଣା ହୋଇଥିବାରୁ ଯେ କୌଣସି ଆପାତକାଳୀନ ସ୍ଥିତିରେ ରୋଗୀଙ୍କ ଚିକିତ୍ସା କରାଯାଇପାରୁଛି | ବିଭିନ୍ନ ହସ୍ପିଟାଲର ଡାକ୍ତର ଏଠାକୁ ଆସି କ୍ୟାମ୍ପ ଲଗାନ୍ତି | ଏଠାରେ ମଧ୍ୟ ୨୪ ଘଣ୍ଟିଆ ଡିସପେନସାରୀ ବ୍ୟବସ୍ଥା ରହିଛି | ଏଠାରେ ରହୁଥିବା ଲୋକମାନଙ୍କର ମନୋରଂଜନ ପାଇଁ ବିଶେଷ ଧ୍ୟାନ ଦିଆଯାଇଥାଏ | ଦିଲ୍ଲୀ ରାଜପଥରେ ହେଉଥିବା ସାଧାରଣତନ୍ତ୍ର ପ୍ୟାରେଡ୍‌ରେ ଭାଗ ନେବାକୁ ଏଠାକାର ଲୋକଙ୍କୁ ନିଆଯାଏ | ସେମାନଙ୍କୁ ସିନେମା ଦେଖାଇବାକୁ ମଧ୍ୟ ନିଆଯାଏ | ମଝିରେ ମଝିରେ ବୟସ୍କ ଲୋକମାନଙ୍କୁ ମଥୁରା, ବୃନ୍ଦାବନ ଓ ଅନ୍ୟ ତୀର୍ଥସ୍ଥାନ ବୁଲାଇ ନିଆଯାଉଛି | ରବି ଏହି ସ୍ଥାନର ନାଁ ଦେଇଛନ୍ତି ଗୁରୁକୂଳ | ଗୁରୁକୂଳରେ ସବୁ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଏ | ବିଗତ ଆଠ ବର୍ଷ ହେଲା ନିସ୍ୱାର୍ଥ ଭାବରେ ସେ ଲୋକଙ୍କ ସେବା କରି ଆସୁଛନ୍ତି | ତାଙ୍କ ସଂସ୍ଥାରେ ଥିବା ୩୫ ଜଣ ବ୍ୟକ୍ତି ତାଙ୍କୁ ଏହି କାମରେ ସହଯୋଗ କରିଆସୁଛନ୍ତି | ତାଙ୍କର ଗୋଟିଏ ସ୍ୱପ୍ନ ଯେ ଏକ ଯାଗା ନେବେ, ଯେଉଁଠି ବେସାହାରା ଲୋକଙ୍କ ରହିବା ସହିତ ଏକ ହସ୍ପିଟାଲ ବ୍ୟବସ୍ଥା କରାଯିବ |

ମୂଳ ଲେଖା - ହରିଶ ବିଷ୍ଟ

ଭାଷାନ୍ତର - ଅଖଣ୍ଡ