କର୍ଣ୍ଣାଟକର ଶୁଖାଗ୍ରସ୍ତ ୟାରଗୋଲ ଗାଁରେ ମୁଲ୍ଲା ଅବଦୁଲ ଗଫର ସା'ବ ପ୍ରମାଣ କରିଛନ୍ତି ଯେ ମାନବତାର ନିର୍ଝର ଏବେ ବି ଶୁଖି ନାହିଁ

କର୍ଣ୍ଣାଟକର ଶୁଖାଗ୍ରସ୍ତ ୟାରଗୋଲ ଗାଁରେ ମୁଲ୍ଲା ଅବଦୁଲ ଗଫର ସା'ବ  ପ୍ରମାଣ କରିଛନ୍ତି ଯେ ମାନବତାର ନିର୍ଝର ଏବେ ବି ଶୁଖି ନାହିଁ

Thursday April 28, 2016,

2 min Read

“The wars of the twenty-first century will be fought over water.” Ismail Serageldin

"ଏକବିଂଶ ଶତାବ୍ଦୀର ଯୁଦ୍ଧ ଗୁଡ଼ିକ ଜଳ ପାଇଁ ହେବ" - ଇସମାଇଲ ସେରାଜେଲଦିନ ( 'ବିଶ୍ଵ ଜଳ ସହଯୋଗିତା' ର ପ୍ରଥମ ଅଧ୍ୟକ୍ଷ)

କର୍ଣ୍ଣାଟକର ୟାରଗୋଲ ଗାଁରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ମୁଲ୍ଲା ଅବଦୁଲ ଗଫର ଜଣେ ସୁଫି ସନ୍ଥ କି ନାହିଁ ଆମେ ଜାଣିନୁ। ସେ କିନ୍ତୁ କିଛି ଆଶା ନ କରି ଦେବାରେ ବିଶ୍ଵାସ କରନ୍ତି, ତାଙ୍କର ହୃଦୟର ଉଦାରତାରେ ; ଯେତେବେଳେ ଦାତା ଓ ଗ୍ରହିତା ଉଭୟଙ୍କୁ ସ୍ପର୍ଶ କରିଥାଏ ଏକ ସ୍ଵର୍ଗୀୟ ଆଶିଷ।

ଏ ବର୍ଷ ଦେଶସାରା ଅଭୂତପୂର୍ବ ମରୁଡ଼ି । ପ୍ରଚଣ୍ଡ ଜଳସଙ୍କଟ ସାଙ୍ଗକୁ ଅସ୍ଵାଭାବିକ ତାପବୃଦ୍ଧି ଗ୍ରାମାଞ୍ଚଳରେ ଆଣିଛି ହାହାକାର। ଜୀବନ ହୋଇଛି ଦୁର୍ବହ । କର୍ଣ୍ଣାଟକର ୟାଦଗିର ଜିଲ୍ଲାର ୟାରଗୋଲ ଗାଁରେ ଖରା ଯୋଗୁ ଶୁଖିଯାଇଛି ଜଳର ପ୍ରାୟ ସମସ୍ତ ପ୍ରାକୃତିକ ସ୍ରୋତ। ଏପରି ଦାରୁଣ ପରିସ୍ଥିତିରେ ଦେବତାଙ୍କ ଆଶୀର୍ବାଦ ପରି ମୁଲ୍ଲା ଅବଦୁଲ ଗଫରଙ୍କ ବିଲ ପାଲଟିଛି ଏକ ଓଏସିସ ।

image


ତାଙ୍କ ଜମିରେ ଥିବା ବୋରୱେଲ ଶୁଖିନାହିଁ। ଏ ନିଦାଘରେ ମୁଲ୍ଲା ଗ୍ରାମବାସୀ ଓ ଗୃହପାଳିତ ପଶୁଙ୍କ କଷ୍ଟ ଲାଘବ ପାଇଁ ତାଙ୍କର ଜଳଭଣ୍ଡାର ଖୋଲା ରଖିଛନ୍ତି।ସେ ୫ ଅଶ୍ଵ ଶକ୍ତି ବିଶିଷ୍ଟ ଏକ ପମ୍ପ ସେଟ ଦ୍ଵାରା ବୋରୱେଲରୁ ପାଣି ଉଠାଇ ଗୋଟିଏ ବଡ଼ କୁଣ୍ଡରେ ଭରି ରଖିଥାନ୍ତି। ସ୍ଥାନୀୟ ଲୋକେ ଓ ସେମାନଙ୍କର ଗୃହପାଳିତ ପଶୁ ସେଠାରେ ବିନା ଦ୍ଵିଧାରେ ଆସି ପାଣି ପିଇ ସେମାନଙ୍କର ଶୋଷ ମେଣ୍ଟାଇ ପାରିବେ। ପ୍ରାୟ ୩ କି.ମି. ଦୂରରୁ ଲୋକମାନେ ପିଇବା ପାଣି ଓ ଫସଲ ବଞ୍ଚାଇବା ପାଇଁ ପାଣି ଏଇଠାରୁ ସଂଗ୍ରହ କରିଥାନ୍ତି।

"ଏଇଥର ଖରା ଅତ୍ୟନ୍ତ ଭୟଙ୍କର ହୋଇଛି। ଗାଁରେ ଜଳର ସବୁ ପ୍ରାକୃତିକ ଉତ୍ସ ଗୁଡ଼ିକ ଶୁଖି ଯାଇଥିବାରୁ ଉଭୟ ମଣିଷ ଓ ପଶୁମାନଙ୍କ ପାଇଁ ବଡ଼ କଷ୍ଟକର ସମୟ ଆସିଯାଇଛି"। ମୁଲ୍ଲା କହନ୍ତି ,"ଭଗବାନଙ୍କ ଦୟାରୁ ମୋ ଜମିରୁ ପାଣି ଶୁଖି ନାହିଁ"।

ବାସ୍ତବିକ ମୁଲ୍ଲାଙ୍କର ୩.୨୫ ଏକରର ଏହି ବିଲଟି ଓଏସିସ୍ ନାମର ଯଥାର୍ଥତା ବଜାୟ ରଖିଛି। ଅନେକ ବର୍ଷ ଧରି ତାଙ୍କର ବୋରୱେଲରୁ ପାଣି ଶୁଖିନାହିଁ ଏବଂ ଅବିରତ ୩ ଇଞ୍ଚ ମୋଟାରେ ପାଣି ଦେଇ ଆସିଛି। ମୁଲ୍ଲା ତାଙ୍କ ଜମିରେ ମୁଗ ଓ ଜୁଆର ଚାଷ କରନ୍ତି।

image


"ଜଳ ଏକ ଅତ୍ୟନ୍ତ ଦୁର୍ଲଭ ବସ୍ତୁ, ଯାହାକୁ ଜଣେ ଅନ୍ୟକୁ ନ ଦେଇ କେବଳ ଆପଣାର ସ୍ଵାର୍ଥ ପାଇଁ ମହଜୁଦ ରଖିବା ଅଧର୍ମ " ବୋଲି ମୁଲ୍ଲା କହନ୍ତି।

ଏପରି ଏକ ସମୟରେ ଯେତେବେଳେ ଦେଶରେ ସାମ୍ପ୍ରଦାୟିକତାର ଜହରରେ ରାଜନୀତି ବିଷାକ୍ତ ଏବଂ ହିନ୍ଦୁ ମୌଳବାଦୀ ମାନେ ଭାରତୀୟ ମୁସଲମାନ ମାନଙ୍କୁ କଥାରେ କଥାରେ ପାକିସ୍ତାନ ଚାଲିଯାଅ ବୋଲି କହିବାକୁ ଟିକିଏ ବି ଦ୍ଵିଧା ବୋଧ କରନ୍ତି ନାହିଁ, ସେତେବେଳେ ମୁଲ୍ଲା ଭାଇଚାରା ଓ ପ୍ରେମର ଅପୂର୍ବ ଆଦର୍ଶଟିଏ ସୃଷ୍ଟି କରିଛନ୍ତି। ବହୁ ଧର୍ମ,ଭାଷା,ସଂସ୍କୃତିର ବିବିଧତାକୁ ନେଇ ସୃଷ୍ଟି ଆମର ଭାରତୀୟ ସଂସ୍କୃତିର ଏକ ନିଛକ ସଂଜ୍ଞାର ଅବତାରଣା କରିଛନ୍ତି ମୁଲ୍ଲା ଅବଦୁଲ ଗଫର ସାହେବ। ସେ ପ୍ରମାଣ କରିଛନ୍ତି ମାନବତା ହିଁ ଶ୍ରେଷ୍ଠ ଧର୍ମ।