ଦାର୍ଜିଲିଂର ଏଇ ଦୁଇ ଝିଅ ମାନବ ଚାଲାଣ ରିଙ୍ଗକୁ ଧରିବାରେ ମୁଖ୍ୟ ଭୂମିକା ନିଭାଇଥିବାରୁ ଜାତୀୟ ସାହସିକତା ପୁରସ୍କାରରେ ହେଲେ ସମ୍ମାନିତ

ଦାର୍ଜିଲିଂର ଏଇ ଦୁଇ ଝିଅ ମାନବ ଚାଲାଣ ରିଙ୍ଗକୁ ଧରିବାରେ ମୁଖ୍ୟ ଭୂମିକା ନିଭାଇଥିବାରୁ ଜାତୀୟ ସାହସିକତା ପୁରସ୍କାରରେ ହେଲେ ସମ୍ମାନିତ

Wednesday January 25, 2017,

3 min Read

ଚଳିତ ବର୍ଷ ସାହସିକତା ପୁରସ୍କାର ପାଇବାକୁ ଯାଉଛନ୍ତି ଦାର୍ଜିଲିଂର ଦୁଇଜଣ ଝିଅ। ତେଜସ୍ଵୀତା ପ୍ରଧାନ(୧୮) ଓ ଶିବାନୀ ଗୋଣ୍ଡ (୧୭) ଏ ବର୍ଷ ସମ୍ମାନନୀୟ ଗୀତା ଚୋପ୍ରା ପୁରସ୍କାର ପାଇବାକୁ ମନୋନୀତ ହେଇଛନ୍ତି। ଦୁହେଁ ଏକ ଏନଜିଓ ରେ ସ୍ଵେଚ୍ଛାସେବୀ ଭାବେ କାମ କରନ୍ତି। ଏମାନେ ପ୍ରଥମେ ନେପାଳରୁ ହଜିଯାଇଥିବା ଏକ ନାବାଳିକା ସହ ଫେସବୁକରେବନ୍ଧୁତ୍ଵ ସ୍ଥାପନ କଲେ। ଏହି ନାବାଳିକା ଜଣକ ପରେ ଏକ ବଡ଼ ଯୁବତୀ ଚାଲାଣ ରିଙ୍ଗର ବାହକ ଭାବେ କାମ କରୁଛି ବୋଲି ଜଣାପଡିଲା।

Tejasweeta Pradhan and Shivani Gond, Source : PTI

Tejasweeta Pradhan and Shivani Gond, Source : PTI


ପିଟିଆଇର ଏକ ରିପୋର୍ଟ ଅନୁସାରେ ତେଜସ୍ଵୀତା କୁହନ୍ତି,

ଅଷ୍ଟମ ଶ୍ରେଣୀରେ ପଢିବା ସମୟରୁ ମୁଁ Students Against Trafficking Club (SATC) ନାମକ ସଂସ୍ଥାରେ ସ୍ଵେଚ୍ଛାସେବି ଭାବେ କାମ କରିବା ରମ୍ଭ କରିଥିଲି ଯାହାକି ମାନବ ଚାଲାଣ କ୍ଷେତ୍ରରେ କାମ କରେ। ଏନଜିଓକୁ ହଜିଯାଇଥିବା ଏହି ଝିଅଟିକୁ ଖୋଜିବା ପାଇଁ ଅନୁରୋଧ ଆସିଲା। ସେମାନେ ମାନବ ଚାଲାଣ ଓ ଦେହ ବ୍ୟବସାୟର ଏହି ରାକେଟକୁ ଖୋଜି ବାହାର କରିବାରେ ମୋର ସାହାଯ୍ୟ ଲୋଡ଼ିଲେ। ଯଦିଓ ମୋର ବାପା ମା’ ଏଥିପାଇଁ କୁଣ୍ଠିତ ଥିଲେ କିନ୍ତୁ ଏହାର ମହତ୍ତର ଉଦ୍ଦେଶ୍ୟ ବୁଝି ମୋତେ ଅନୁମତି ଦେଲେ।

ଶିବାନୀଙ୍କ ଭାଇ ବିଶାଲ ଗୋଣ୍ଡ MARG (Mankind in Action for Rural Growth)ରେ କାମ କରନ୍ତି। ସେ କୁହନ୍ତି, ପୁଲିସ ଓ ସିବିଆଇ ଦ୍ଵାରା ଏହି ରାକେଟକୁ ଧରା ପକାଇବାର ଯୋଜନାରେ ତେଜସ୍ଵୀତା ସାଥି ହେବାକୁ ରାଜି ହେଲା। ଏହି ଯୋଜନାରେ ଆମେ(MARG) ସହାୟତା କରୁଥିଲୁ।

“ଯୋଜନା ଅନୁସାରେ ଫେସବୁକରେ ଏକ ଫେକ ଆକାଉଣ୍ଟ ଖୋଲାଗଲା ଓ ଏହି ଆକାଉଣ୍ଟ ଜରିଆରେ ଆମେ ହଜିଯାଇଥିବା ଝିଅର ପ୍ରୋଫାଇଲକୁ ଠାବ କରି ତା’ ସଙ୍ଗେ ବନ୍ଧୁତା କଲୁ। ପରେ ଜଣା ପଡିଲା ଚାଲାଣ ରିଙ୍ଗରେ ଏହି ଝିଅଟି ମଧ୍ୟ ସାମିଲ ଥିଲା। ଆମେ ନିଜକୁ ଏକ କାମ ଖୋଜୁଥିବା ନେପାଳୀ ଝିଅ ଭାବେ ପରିଚୟ ଦେଇଥିଲୁ। ସେମାନେ ଆମକୁ ଭାରତ-ନେପାଳ ସୀମାରେ ଥିବା ଏକ ହୋଟେଲରେ ଦେଖା କରିବାକୁ ଡାକିଲେ। ଯଦିଓ ଆଖପାଖରେ ସାଦା ପୋଷାକରେ ପୁଲିସ ଥିଲେ, ତଥାପି ଆମକୁ ବହୁତ ଡର ଲାଗୁଥାଏ। ସେମାନେ କେତେ ଘଣ୍ଟା ଅପେକ୍ଷା କରିବା ପରେ ଆସି ପହଞ୍ଚିଲେ। ଆମେ ଭୟରେ ଥରୁଥାଉ। ଯଦି କିଛି ଏପଟ ସେପଟ ହୁଏ ଆମେ ଜୀବନ ବଞ୍ଚାଇ ସେଠାରୁ ଦଉଡି ଆସିବୁ ବୋଲି ଭାବିଥାଉ। ଭୟ ଲାଗୁଥିଲା ସତ କିନ୍ତୁ ଆମର ମନର ଶକ୍ତି ଜବାବ ଦେଇନଥିଲା, “ ତେଜସ୍ଵୀତା କୁହନ୍ତି।

“ଏହି ରାକେଟଟି ଧରାପଡିଲା ଓ ଏହାର ମାଷ୍ଟରମାଇଣ୍ଡକୁ ଗତବର୍ଷ ଦିଲ୍ଲୀରୁ ଧରାହେଲା। ଆମେ ଏହି ଦୁଇ ଝିଅଙ୍କୁ ନେଇ ଖୁବ ଗର୍ବିତ। ସମାଜରେ ଝିଅ ମାନଙ୍କୁ କେବେ ମଧ୍ୟ ବୋଝ ଭାବେ ଦେଖିବା ଉଚିତ ନୁହେଁ। ବରଂ ଏମାନେ ହେଲେ ମାନବ ସମାଜ ପାଇଁ ଉପହାର ସଦୃଶ। ଦାର୍ଜିଲିଂରେ ଝିଅ ଜନ୍ମ ହେଲେ ସେମାନଙ୍କୁ ସ୍ଵାଗତ କରାଯାଏ ଅନ୍ୟାନ୍ୟ କିଛି ଜାଗା ଭଳି ଦୁଃଖ ନୁହେଁ, “ତେଜସ୍ଵୀତାଙ୍କ ମା’ କମଲେଶ ରାୟ ପ୍ରଧାନ କୁହନ୍ତି।

ଚଳିତ ବର୍ଷ ଏହି ସମ୍ମାନନୀୟ ପୁରସ୍କାର ପାଇଁ ୧୨ ଜଣ ଝିଅ ଓ ୧୩ ଜଣ ପୁଅ ମନୋନୀତ ହେଇଛନ୍ତି। ଜାନୁୟାରୀ ୨୩ରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କଲେ। ତା’ପରେ ସେମାନେ ଗଣତନ୍ତ୍ର ଦିବସ ପ୍ୟାରେଡରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ଓଡ଼ିଶାର ମୋହନ ସେଠୀ ମଧ୍ୟ ଅଛନ୍ତି।

୧୯୫୭ରେ ଆରମ୍ଭ ହେଇଥିବା ଏହି ପୁରସ୍କାରରେ ପ୍ରତିବର୍ଷ ପ୍ରାୟ ୨୫ ଜଣ ବାଳକବାଳିକାଙ୍କୁ “ସମସ୍ତ ବାଧା ସତ୍ତ୍ୱେ ସାହସିକତାର ମେଧାବୀ କୃତ୍ୟ” ପାଇଁ ଏହି ପୁରସ୍କାରରେ ସମ୍ମାନିତ କରାଯାଏ। ୧୯୮୭-୮୮ରେ ICCW ଅସାମାନ୍ୟ ବୀରତାର ପ୍ରଦର୍ଶନ ପାଇଁ ଭାରତ ପୁରସ୍କାର ଆରମ୍ଭ କଲା। ଗୀତା ଚୋପ୍ରା ଓ ସଞ୍ଜୟ ଚୋପ୍ରା ୧୯୭୮ରେ ଆରମ୍ଭ ହେଇଥିଲା। ଏହି ପୁରସ୍କାରଟି ଦୁଇ ଭାଇଭଉଣୀ ଯାହାଙ୍କୁ ଦିଲ୍ଲୀରେ ଅପହରଣ କରାଯାଇ ହତ୍ୟା କରାଯାଇଥିଲା (ଯାହା ପରେ ରଙ୍ଗା ବିଲ୍ଲା କେସ ନାମରେ ପ୍ରସିଦ୍ଧ ହେଲା) ତାଙ୍କ ସ୍ମୃତିରେ ଆରମ୍ଭ ହେଇଥିଲା।

ଜାତୀୟ ସାହସିକତା ପୁରସ୍କାରରେ ଏକ ମେଡାଲ, ସାର୍ଟିଫିକେଟ ଓ କିଛି ନଗଦ ପୁରସ୍କାର ରହିଥାଏ। ୧୯୫୭ରେ ଏହି ପୁରସ୍କାର ଆରମ୍ଭ ହେବା ଦିନଠାରୁ ICCW ପ୍ରାୟ ୯୪୫ ବୀର ବାଳକ ବାଳିକାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିସାରିଲେଣି। ଏଠି ମଧ୍ୟରୁ ୬୬୯ ଜଣ ବାଳକ ଓ ୨୭୬ ଜଣ ବାଳିକା ଅଟନ୍ତି ବୋଲି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।