ଭାରତୀୟ ଶିକ୍ଷା କ୍ଷେତ୍ର ସୁଯୋଗର ଗନ୍ତାଘର: କବିତା ରାଜଗୋପାଳନ, ନିବେଶ ନିବନ୍ଧକ, ଭିଲଗ୍ରୋ

ଭାରତୀୟ ଶିକ୍ଷା କ୍ଷେତ୍ର ସୁଯୋଗର ଗନ୍ତାଘର: କବିତା ରାଜଗୋପାଳନ, ନିବେଶ ନିବନ୍ଧକ, ଭିଲଗ୍ରୋ

Friday November 13, 2015,

5 min Read

ଭାରତର ଶିକ୍ଷା କ୍ଷେତ୍ରରେ ଥିବା ଦକ୍ଷତା-ଶୂନ୍ୟତାକୁ ପୂରଣ କରିବାକୁ ବିଭିନ୍ନ ଘରୋଇ ଉଦ୍ୟମ ଜାରି ରହିଛି ବୋଲି ମନେକରନ୍ତି ଭିଲଗ୍ରୋର ନିବେଶ ନିବନ୍ଧକ କବିତା ରାଜଗୋପାଳନ । "ଭାରତୀୟ ଶିକ୍ଷା କ୍ଷେତ୍ରକୁ ନେଇ ବେଶ୍ ଆଶାବାଦୀ ହେବାଲାଗି ଏହା ପ୍ରକୃଷ୍ଟ ସମୟ । ଏ କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକ ବେଶ୍ ଜଣାଶୁଣା ଓ ବହୁଧା ଏହାର ନଥିକରଣ କରାଯାଇଛି । ତେବେ, ବିଗତ କିଛି ବର୍ଷ ମଧ୍ୟରେ ଆମେ ବହୁ ସଂଖ୍ୟାରେ ନୂଆ ଓ ମଜାଦାର ଉଦ୍ୟମକୁ ସାମନା କରୁଛେ ।"

image


ସୋସିଆଲ ଷ୍ଟୋରି ସହ କଥାବାର୍ତ୍ତା ବେଳେ ସେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳିତ ଦୁଇ ଧାରା ଉପରେ ଆଲୋକପାତ କରିଛନ୍ତି: ଶିକ୍ଷାର ବିଷୟବସ୍ତୁକୁ ଛାତ୍ରମାନଙ୍କ ଲାଗି ଅଧିକ ପ୍ରଭାବଶାଳୀ କରିବା ଓ ଶିକ୍ଷକଙ୍କ ମାନରେ ଉନ୍ନତି ଆଣିବାକୁ ବ୍ୟବସ୍ଥା ଭିତରେ ଉଦ୍ୟମ ଚାଲିଛି; ଏବଂ ଆଉ କେତେଜଣ ଏଭଳି ନୂଆ ସୃଜନଶୀଳ ପନ୍ଥାର ଅବତାରଣା କରୁଛନ୍ତି ଯାହା ଆମ ଜୀବଜଗତ ଉପରେ ଗୋଟେ ପରିବର୍ତ୍ତନକାରୀ ପ୍ରଭାବ ପକାଇବ । ।

ଆପଣଙ୍କ ନିଜକାମ ବିଷୟରେ ଟିକେ କହନ୍ତୁ । କ’ଣ କଲେ ଜଣେ ଆପଣଙ୍କ କାର୍ଯ୍ୟରେ ସାମିଲ ହେଇପାରିବ?

ଆମ ଶିକ୍ଷା କାର୍ଯ୍ୟକ୍ରମଗୁଡ଼ିକ ବିଦ୍ୟାଳୟ(କେ-୧୨) ଓ ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ପ୍ରସାରିତ, ବିଶେଷ କରି ସହରରେ କାମ କରୁଥିବା ଉଦ୍ୟୋଗଗୁଡ଼ିକ କ୍ଷେତ୍ର । ଗୋଟିଏ ଉତ୍ପାଦ, ସେବା ବା ବ୍ୟାବସାୟିକ ସୃଜନ ମାଧ୍ୟମରେ ଶିକ୍ଷାର ଜଟିଳ ସମସ୍ୟାକୁ ସମାଧାନ କରିପାରୁଥିବା ଉଦ୍ୟୋଗଗୁଡ଼ିକର ସନ୍ଧାନରେ ଆମେ ଥାଉ ।

ସାମାଜିକ ପ୍ରଭାବର ପୃଷ୍ଟପୋଷକ ଭାବରେ ଆମେ କୌଣସି ସଂସ୍ଥାନକୁ ଆମ କାର୍ଯ୍ୟଧାରାରେ ସାମିଲ କରିବା ପୂର୍ବରୁ ଦୁଇଟି ଦିଗ ଉପରେ ଧ୍ୟାନ ଦେଇଥାଉ । ପ୍ରଥମ, ଯେଉଁ ଲୋକମାନଙ୍କ କାନ୍ଧ ଉପରେ ସେ ସଂସ୍ଥା ଠିଆ ସେମାନେ ସିଧାସଳଖ ଲାଭବାନ ହେବେ କି, ଏବଂ ଦ୍ୱିତୀୟରେ, ସେମାନଙ୍କର ଉତ୍ପାଦ ବା ସେବା ଛାତ୍ରମାନଙ୍କ ପଠନ ସ୍ତରକୁ ସିଧାସଳଖ ପ୍ରଭାବିତ କରିପାରିବ କି? କିମ୍ବା ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ଏହା ନିଯୁକ୍ତି ବୃଦ୍ଧି ଓ ମାସିକ ଘରୋଇ ରୋଜଗାର ବୃଦ୍ଧିରେ ସହାୟକ ହେବ କି?

ଏସବୁ ସଂସ୍ଥା ଆର୍ଥିକ ଦୃଷ୍ଟିରୁ ଲାଭବାନ ହେଉଛନ୍ତି କି? ସଫଳତା ପାଇଁ ତାଙ୍କର ପ୍ରେରଣାଦାୟୀ କିଏ?

ଭିଲଗ୍ରୋ ମୂଳରୁ ଏହିସବୁ ଉଦ୍ୟୋଗ ସହ କାମ କରିଥାଏ, ଏପରିକି ସେବା ବା ଉତ୍ପାଦଟିଏ ପ୍ରସ୍ତୁତ ହେବା ପୂର୍ବରୁ। ଶେଷ ଲକ୍ଷ୍ୟ ହେଉଛି, ସେମାନଙ୍କୁ ସ୍ଵଚ୍ଛଳ ଓ ଲାଭବାନ କରାଇବା । କିନ୍ତୁ ଏବେ ବି ଆମର କିଛି ସହଯୋଗୀ କମ୍ପାନୀ ସେମାନଙ୍କର ଉତ୍ପାଦ, ସେବା ଓ ବ୍ୟବସାୟିକ ସୃଜନକୁ ଘଷିମାଜି ଚାଲିଛନ୍ତି । ଆମ ମୂଳ ଲକ୍ଷ୍ୟ ହେଉଛି, ସେମାନଙ୍କ ସହ ମିଶି ଉତ୍ପାଦଟିକୁ ଭଲ କରିବା ଓ ପ୍ରକାରାନ୍ତରେ ସେମାନଙ୍କୁ ମଧ୍ୟ ଫାଇଦା ଦେବା । କମ୍ପାନୀମାନଙ୍କୁ ଦୀର୍ଘସ୍ଥାୟୀ ସଫଳତା ଆଣିଦେବା ପାଇଁ ଭିଲଗ୍ରୋର ନିବନ୍ଧକ ଓ ଗୁରୁମାନେ କାମ କରୁଛନ୍ତି ।

ଶିକ୍ଷା କ୍ଷେତ୍ରରେ ସାମାଜିକ ଉଦ୍ୟୋଗ ସ୍ଥାପନ କରିବା ଲାଗି କ’ଣ କରିବାକୁ ହେବ?

ଯେକୌଣସି ଉଦ୍ୟୋଗର ମୂଳ କଥା ହେଲା, ମୁଁ ଭାବେ, ଗୋଟିଏ ସମସ୍ୟାକୁ ଚିହ୍ନିବା ଓ ଏହାକୁ ସମାଧାନ କରିବା ଲାଗି ଚେଷ୍ଟା କରିବା । ଶିକ୍ଷା ବ୍ୟବସ୍ଥା ଭିତରେ ମାନ ଓ ଉପଲବ୍ଧତା ନେଇ ବହୁ ସମସ୍ୟା ରହିଛି । ଏ କାମକୁ ବୁଝିଥିବା ଲୋକଙ୍କ ସହ ସମୟ ବିତାଅ - ଶିକ୍ଷକ, ଅଧ୍ୟକ୍ଷ, ଛାତ୍ର, ଅଭିଭାବକଙ୍କ ସହ କଥାହୁଅ । ସେମାନଙ୍କ ଠାରୁ ସମସ୍ୟା ଜାଣ ଓ ଏହାକୁ ସମାଧାନ କରିବା ଭଳି ଉତ୍ପାଦ ପ୍ରସ୍ତୁତ କର ।

କେ-୧୨ କମ୍ପାନିମାନଙ୍କୁ ସ୍କୁଲ ସମୟ ସହ ତାଳଦେଇ ଦୌଡ଼ିବାକୁ ହେବ ।

ଶିକ୍ଷା କ୍ଷେତ୍ର ବାବଦରେ ସବୁଠୁ ବଡ଼ ଭ୍ରମଧାରଣାଟି କ’ଣ?

ମୁଁ ଭାବୁଛି, ବହୁତ ଅଛି । ବହୁ ଲୋକ ଏହାକୁ ପାରମ୍ପରିକ ଲାଭ-ରହିତ କ୍ଷେତ୍ର ବୋଲି ଭାବନ୍ତି ଏବଂ ସେହିଭଳି କାମ ବି କରନ୍ତି । ଲାଭ ହେଲେ ହିଁ ଏହାର ପ୍ରଭାବ ଦୃଶ୍ୟମାନ ହେବ ।

ଦ୍ୱିତୀୟରେ, ଅନେକେ ଭାବନ୍ତି କମ୍ ଖର୍ଚ୍ଚରେ ଉଚ୍ଚମାନର ଶିକ୍ଷା ମିଳିପାରିବ ନାହିଁ । କିନ୍ତୁ ଆମେ ବିଦ୍ୟାଳୟ ଓ ଉଦ୍ୟୋଗ ଏଭଳି ବାଛୁ ଯେଉଁଠି କମ ଖର୍ଚ୍ଚରେ ବି ଉଚ୍ଚ ଦରର ଶିକ୍ଷା ମିଳିପାରିବ । ଏହା ହିଁ ଠିକ ମାନକ, ଯାହାର ପ୍ରଚାର ଆବଶ୍ୟକ ।

ଶିକ୍ଷାରେ ସୃଜନଶୀଳତା ବଡ଼ ବଡ଼ ସ୍କୁଲରେ ଦେଖିବାକୁ ମିଳୁଛି, ଯେଉଁଠି ଲାଭ ତ ସହଜ, କିନ୍ତୁ ହାତଗଣତି କିଛି ଭାରତୀୟ ଛାତ୍ରଙ୍କୁ ଆମେ ସେଠାରେ ପଢ଼ୁଥିବାର ଦେଖିବା । ପିରାମିଡର ସବା ତଳେ ଥିବା ବିଶାଳ ଛାତ୍ରସମାଜ ବାବଦରେ ଆପଣ କ’ଣ କହିବେ?

ଆମେ କେବଳ ସେଇ ଉଦ୍ୟୋଗଗୁଡ଼ିକୁ ପ୍ରଚୋଦିତ କରୁ ଯେଉଁମାନଙ୍କର ଲକ୍ଷ୍ୟ ହେଉଛି ପିରାମିଡ୍ରେ ଅର୍ଥର୍ନୈତିକ ଦୁର୍ବଳ ଛାତ୍ରଙ୍କ ସହ କାମ କରିବା । ତା ଅର୍ଥ କେ-୧୨ ଅନ୍ତର୍ଗତ ଛାତ୍ରମାନଙ୍କ ପାଇଁ ଆମର ଉଦ୍ୟୋଗମାନେ ସ୍ବଳ୍ପ ମୂଲ୍ୟରେ ଉଭୟ ସରକାରୀ ଓ ଘରୋଇ ବିଦ୍ୟାଳୟରେ ଉଚ୍ଚସ୍ତରର ଶିକ୍ଷାଦାନ ବ୍ୟବସ୍ଥା କରୁଛନ୍ତି । ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ, ଅର୍ଥର୍ନୈତିକ ଦୁର୍ବଳ ଛାତ୍ର ଓ ସ୍କୁଲ ଛାଡ଼ିଥିବା ପିଲାଙ୍କ ପାଇଁ ଆମର ଉଦ୍ୟୋଗମାନେ ପ୍ରଶିକ୍ଷଣ ବ୍ୟବସ୍ଥା କରୁଛନ୍ତି ।

ଏହା ଅବଶ୍ୟ ଏତେ ସହଜସାଧ୍ୟ କାମ ନୁହେଁ । ତେବେ ଆମର ବିଶ୍ୱାସ ଏଇ ସ୍ତରର ଛାତ୍ରଙ୍କ ଶିକ୍ଷାରେ ଉନ୍ନତି ଘଟିଲେ ହିଁ ଏକ ବଡ଼ ପ୍ରଭାବ ପଡ଼ିବ । ଭିଲଗ୍ରୋ ଏଥିପାଇଁ ହିଁ କେବଳ ସହଯୋଗର ହାତ ବଢ଼ାଇଥାଏ ।

ଆପଣ ଯେଉଁ ଅନୁଷ୍ଠାନଗୁଡ଼ିକ ସହ କାମ କରୁଛନ୍ତି ସେମାନେ ସାମାଜିକ ଦାୟିତ୍ୱକୁ ଯେ ଠିକରେ ନିର୍ବାହ କରୁଛନ୍ତି ତାହା ଆପଣ କିଭଳି ନିଶ୍ଚିତ ହେବେ?

ଆମେ ସେସବୁ ସଂସ୍ଥା ସହ କାମ କରିବାର ଏକମାତ୍ର ଲକ୍ଷ୍ୟ ତ ସାମାଜିକ ପ୍ରଭାବ ଓ ସାମାଜିକ ଦାୟିତ୍ୱ ନିର୍ବାହ । ଆରମ୍ଭରୁ ହିଁ ଆମେ ସେମାନଙ୍କ ଉତ୍ପାଦର ସାମାଜିକ ପ୍ରଭାବ ଆକଳନ କରି ନେଇଥାଉ । ଥରେ ସେମାନଙ୍କ ସହ କାମ ଆରମ୍ଭ କଲୁ ମାନେ, ଆମେ ସେମାନଙ୍କ ପାଇଁ ପ୍ରଭାବ ମାପଦଣ୍ଡ ସ୍ଥିର କରିଦେଇଥାଉ ଓ ସେଥିପାଇଁ ଏକ ସମୟସୀମା ମଧ୍ୟ ନିର୍ଧାରଣ କରିଥାଉ । ଉଦାହରଣ ସ୍ବରୂପ, ଗୋଟିଏ ଦକ୍ଷତା ପ୍ରଶିକ୍ଷଣ ଉଦ୍ୟୋଗ ସହ କାମ କଲାବେଳେ କେତେ ଛାତ୍ୟ ପ୍ରଶିକ୍ଷିତ ହେଲେ ଓ ପରେ ରୋଜଗାରକ୍ଷମ ହେଲେ, ସେମାନଙ୍କର ଚାକିରିର ସ୍ଥାୟୀତ୍ୱ କେତେ ଓ ସେମାନଙ୍କ ହାରାହାରି ରୋଜଗାର କେତେ ଆଦି ତଥ୍ୟ ସଂଗ୍ରହ କରିଥାଉ । ଏହା ଏକ ନିରନ୍ତର ପ୍ରକ୍ରିୟା, ଯାହା କି ଆମ ଲକ୍ଷ୍ୟ ପୂରଣରେ ସହାୟକ ହୁଏ ।

କେଉଁ କେଉଁ ସ୍ତରରେ ଆପଣ ଶିକ୍ଷା ଉଦ୍ୟୋଗଗୁଡ଼ିକୁ ସହାୟତା କରିଥାନ୍ତି?

ଆମେ କମ୍ପାନୀର ଆବଶ୍ୟକତା ଓ ସ୍ତରକୁ ଦୃଷ୍ଟିରେ ରଖି ୪ କିସମର ସହାୟତା ଦେଇଥାଉ ।

ଆମେ ସେମାନଙ୍କୁ ‘ପ୍ରାରମ୍ଭିକ ପୁଞ୍ଜି’ପ୍ରଦାନ କରିଥାଉ । ଭିଲଗ୍ରୋ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ପ୍ରତିଷ୍ଠିତ ଉଦ୍ୟୋଗ ପକ୍ଷରୁ ସେମାନଙ୍କୁ ଗୁଣାବତ୍ତା ଭିତ୍ତିକ ‘ଗୁରୁଜ୍ଞାନ’ପ୍ରଦାନ କରିଥାଉ । ଭିଲଗ୍ରୋ ଫେଲୋସିପ୍ ମାଧ୍ୟମରେ ଉଦ୍ୟୋଗଗୁଡ଼ିକର ‘ଆବଶ୍ୟକ ଦକ୍ଷତା’ପୂରଣ କରିଥାଉ । ସର୍ବୋପରି ଆମେ ସେମାନଙ୍କ ଭିଲଗ୍ରୋର ବିଶାଳ ‘ନେଟୱର୍କ’ରେ ସାମିଲ କରି ସେମାନଙ୍କ ପ୍ରଗତିକୁ ବହୁଗୁଣିତ କରିଥାଉ ।

ଶିକ୍ଷା କ୍ଷେତ୍ରର ଅଭିବୃଦ୍ଧିରେ ପ୍ରଯୁକ୍ତି କିଭଳି ସହାୟକ ହୁଏ?

ଅନ୍ୟ ସବୁ କ୍ଷେତ୍ର ଭଳି ଶିକ୍ଷା କ୍ଷେତ୍ରରେ ବି ପ୍ରଯୁକ୍ତିର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ମୁଁ ଭାବେ । ଗୋଟେ ଆପ୍ ତିଆରି କରିବା ଆପାତତଃ ସହଜ, କିନ୍ତୁ ତାହା ଯେ ସତରେ ଶିକ୍ଷା କ୍ଷେତ୍ରକୁ ପ୍ରଭାବିତ କରୁଛି ସେ ଦିଗଟି ନିଶ୍ଚିତ ହେବା ଆବଶ୍ୟକ ।

କେଉଁ ସ୍ତରରେ ଏସବୁ ଅନୁଷ୍ଠାନକୁ ସର୍ବାଧିକ ସଂଘର୍ଷ କରିବାକୁ ପଡେ଼ ବୋଲି ଆପଣ ମନେକରନ୍ତି?

ସେମାନଙ୍କ ଉତ୍ପାଦଟି ଠିକ ବ୍ୟବହାରକାରୀ ବା ହିତାଧୀକାରୀ ପାଖରେ ପହଞ୍ଚାଇବା କମ୍ପାନିମାନଙ୍କ ପାଇଁ ସବୁଠୁ ବଡ଼ ସଂଘର୍ଷର ବିଷୟ । ଉଦାହରଣ ସ୍ଵରୂପ, ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପଲବ୍ଧ ନିୟୋଜନ ସୁଯୋଗ ଠାରୁ ଛାତ୍ରଛାତ୍ରୀଙ୍କ ଆଶା ବେଶ୍ ଅଲଗା । ସମ୍ପୂର୍ଣ୍ଣ ପ୍ରଶିକ୍ଷିତ ନିର୍ମାଣ ମିସ୍ତ୍ରୀ ବା ପାଇପ୍ ମିସ୍ତ୍ରୀଙ୍କ ପାଇଁ ନିଯୁକ୍ତିଦାତା ପ୍ରଚୁର ମିଳୁଥିବା ବେଳେ ଛାତ୍ରଛାତ୍ରୀ ସେ ବୃତ୍ତି ପ୍ରତି ସେତେଟା ଆଗ୍ରହୀ ନୁହନ୍ତି । କମ୍ ମୂଲ୍ୟରେ ଘରୋଇ ଶିକ୍ଷା ଯୋଗାଇଦେବା କ୍ଷେତ୍ରଟିବି ସମଭାବେ ସଂଘର୍ଷମୟ ।

ଆଉ କ’ଣ ବାକି ରହିଯାଇଛି? ଉଦ୍ୟୋଗମାନେ ଅଧିକ କ’ଣ କରିପାରିବେ?

ଶିକ୍ଷା କ୍ଷେତ୍ରରେ ଏଭଳି ଅନେକ ସୁଯୋଗ ରହିଛି, ଯେଉଁଠି ସଂରଚିତ ହସ୍ତକ୍ଷେପ ଲୋଡ଼ା । କେ-୧୨ ଅନ୍ତର୍ଗତ ସ୍କୁଲ-ପରବର୍ତ୍ତୀ କାର୍ଯ୍ୟକ୍ରମ, ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଓ ଯୋଗ୍ୟତାଭିତ୍ତିକ ପ୍ରମାଣ ପ୍ରଦାନ ଆଦି ଦିଗ ରହିଛି । ଏସବୁ କ୍ଷେତ୍ର ଭାଙ୍ଗିଯାଇଛି ଓ ବିଭିନ୍ନ ଅଞ୍ଚଳରେ ଛୋଟ ଛୋଟ ଅନୁଷ୍ଠାନମାନେ କାମ କରୁଛନ୍ତି । ଦକ୍ଷତା କ୍ଷେତ୍ରରେ ସଫ୍ଟ ସ୍କିଲ(ଜ୍ଞାନଭିତ୍ତିକ ଦକ୍ଷତା) ଅଧିକ କାମ କରିବାର ରହିଛି । ହାଣ୍ଡ ସ୍କିଲ(ଶ୍ରମଭିତ୍ତିକ ଦକ୍ଷତା) କ୍ଷେତ୍ରରେ ମଧ୍ୟ ଅଧିକ ପ୍ରଶିକ୍ଷଣ ଦରକାର ଅଛି । ବିଦ୍ୟାଳୟ ଓ ଅଭିଭାବକମାନଙ୍କୁ ଆର୍ଥିକ ସହଯୋଗ ଦେବା ମଧ୍ୟ ଆଉ ଏକ ଦିଗ । ଏସବୁ ଉପରେ ଉଦ୍ୟୋଗମାନେ ମନନିବେଶ କରିପାରିବେ ।