ହାଣ୍ଡିଶାଳ, ବହିଲେଖା ଓ ସମାଜସେବା

0

କେବେ ଚମତ୍କାର ରୋଷେୟା ଭାବେ ତ କେବେ ବହି ଲେଖି । ପୁଣି କେବେ ସମାଜ ସେବା କରି ସେ ନିଜ ଅଞ୍ଚଳରେ ବେଶ୍ ପରିଚିତ । ସେ ହେଉଛନ୍ତି କଟକ ଲିଙ୍କ ରୋଡର ଅରୁଣୋଦୟ ନଗରରେ ରହୁଥିବା ୭୦ବର୍ଷ ବୟସ୍କା ଶାନ୍ତିଲତା ସାମଲ । ସାଧାରଣ ରୋଷେଇ ସାମଗ୍ରୀ ବ୍ୟବହାର କରି କିଛି ଭିନ୍ନ ତଥା ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇବାକୁ ସେ ଭଲ ପାଉଥିଲେ ।

ଶାନ୍ତିଲତା କହନ୍ତି,’ଥରେ ଗାଜର, ମଟର, କୋବି, ଭଳି କିଛି ରଙ୍ଗିନ ପରିବା ପକାଇ ଏକ ରଙ୍ଗିନ ଚକୁଳି କରିଥିଲି। ଯାହା ସମସ୍ତଙ୍କୁ ପସନ୍ଦ ଆସିଥିଲା । ଫଳରେ ରୋଷେଇ ପ୍ରତି ଆଗ୍ରହ ଆହୁରି ବଢିଥିଲା । ବିବାହ ପରେ ଯେବେ ସ୍ଵାମୀଙ୍କ ସହ ପଶ୍ଚିମ ବଙ୍ଗ, ଦୁର୍ଗାପୁର ଷ୍ଟିଲପ୍ଲାଣ୍ଟ କ୍ଵାର୍ଟର୍ସରେ ରହିଲି ଭିନ୍ନ ଭିନ୍ନ ରାଜ୍ୟର ଲୋକଙ୍କ ସଂସ୍ପର୍ଶରେ ଆସି ବିଭିନ୍ନ ରୋଷେଇ ସମ୍ପର୍କରେ ଜାଣିଲି । ସେଗୁଡିକୁ ଘରେ ତିଆରି କରିବା ସହ କାଳେ ସେହି ରୋଷେଇ ପ୍ରଣାଳୀ ଭୁଲିଯିବି ସେଥିପାଇଁ ଲେଖି ରଖୁଥିଲି । ଏମିତିରେ ମୋ ପାଖରେ ଅନେକ ସଂଗ୍ରହ ହୋଇଗଲା ।

ରାନ୍ଧଣା ପୁସ୍ତକ

ରୋଷେଇକୁ ଦେଖି ତାଙ୍କ ସ୍ଵାମୀ ଓ ବନ୍ଧୁମାନେ କହିଥିଲେ ଏହାକୁ ନେଇ ଏକ ବହି କରାଯାଇପାରେ । ତେଣୁ ଏଥିପାଇଁ ଲାଗିପଡିଲି । ଶେଷରେ ୧୯୬୮ ମସିହାରେ ପ୍ରକାଶ ପାଇଲା ମୋର ପ୍ରଥମ ରାନ୍ଧଣା ବହି ‘ରନ୍ଧା ଓ ରାନ୍ଧୁଣୀ’। ସେ ସମୟରେ ଏଭଳି ବହି ବିଶେଷ ନ ଥିଲା । ତେଣୁ ଏହା ଖୁବ୍ ଲୋକାଦୃତ ହେଲା । ଏହା ମଧ୍ୟରେ ମୋର ୧୫ଟି ରାନ୍ଧଣା ପୁସ୍ତକ ପ୍ରକାଶ ପାଇଛି ।‘ ଶାନ୍ତିଲତା କେବଳ ରାନ୍ଧଣା ବହି ଲେଖି ନାହାନ୍ତି ବରଂ କଟକ ନାରୀ ସେବା ସଂଘରେ ମହିଳାମାନଙ୍କୁ ରୋଷେଇ ବି ଶିଖାଉଥିଲେ ।

ଏ ଡ୍ରପ୍ ସଂସ୍ଥା

ଏସବୁ ବାଦ୍ ତାଙ୍କର ଇଚ୍ଛା ଥିଲା କିଛି ସମାଜ ସେବା କରିବା । ଏଥିପାଇଁ ସେ ‘ଏ ଡ୍ରପ୍’ ନାମକ ଏକ ସଂସ୍ଥା ଗଢିବାକୁ ଯୋଜନା କରୁଥିଲେ । ହେଲେ ୟା ଭିତରେ ତାଙ୍କ ସ୍ଵାମୀ ଅସୁସ୍ଥ ହୋଇପଡିଲେ । ଆଉ ତାଙ୍କର ମୃତ୍ୟୁ ହୋଇଗଲା । ଏହି ଦୁଃଖ ଓ ଏକଲାପଣକୁ କିଛିଟା କମ୍ କରିବା ପାଇଁ ପୂର୍ବ ଯୋଜନା ମୁତାବକ ‘ଏ ଡ୍ରପ’ ସଂସ୍ଥା ଗଢିଲେ । ଏଥିରେ ଏବେ ପ୍ରାୟ ୨୫ ଜଣ ବୟସ୍କା ମହିଳା ସଦସ୍ୟ ଅଛନ୍ତି । ଏହି ସଦସ୍ୟମାନେ ନିଜେ କିଛି କିଛି ଟଙ୍କା ଦେଇ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ଯେମିତିକି, କମ୍ବଳ, ଲୁଗାପଟା, ଖାଇବା ଆଦି କିଣି ଅନାଥାଶ୍ରମ, ବୃଦ୍ଧାଶ୍ରମ ପାଗଳ ଥଇଥାନ କେନ୍ଦ୍ରକୁ ଦାନ କରନ୍ତି । ତା’ସହ ଅନାଥ ପିଲାଙ୍କ ବାହାଘର ବେଳେ ସେମାନଙ୍କୁ କିଛି କାଠ ଜିନିଷ ଅବା ବିବାହ ପରେ ଘରକରଣା କାମରେ ଆବଶ୍ୟକ ଜିନିଷ ଉପହାର ଦେଇଥାଆନ୍ତି ।

ଶାନ୍ତିଲତାଙ୍କ ବାର୍ତ୍ତା

ଶାନ୍ତିଲତା କହନ୍ତି,’ ଆମର ଏହି ସଂସ୍ଥାରେ ସମସ୍ତେ ବୟସ୍କା ମହିଳା ଥିବା ଯୋଗୁ ପ୍ରତ୍ୟକ୍ଷଭାବେ କାହାରି ସେବା କରିପାରି ନ ଥାଉ । ହେଲେ ଅତ୍ୟାବଶ୍ୟକ ଜିନିଷ ପ୍ରତି ମାସରେ ପ୍ରଦାନ କରୁ।‘

ଏବେ ଶାନ୍ତିଲତାଙ୍କର ଦୁଇ ପୁଅ ବିଦେଶରେ ଉଚ୍ଚପଦସ୍ଥ ଚାକିରି କରି ରହୁଛନ୍ତି । ଏକାକୀ ରହୁଥିବାରୁ ନିଜର ଏକଲାପଣ କଟାଇବା ପାଇଁ ସେ ସମାଜସେବା କାର୍ଯ୍ୟରେ ଅହରହ ନିଜକୁ ବିନିଯୋଗ କରନ୍ତି । ତା’ସହ ଲେଖାଲେଖି କରୁଛନ୍ତି । ତାଙ୍କର ଗଳ୍ପ,ପ୍ରବନ୍ଧ ଓ ପୌରାଣିକ କଥାବସ୍ତୁ ଉପରେ କିଛି ପୁସ୍ତକ ପ୍ରକାଶ ପାଇସାରିଲାଣି । ‘ବଡ୍ସ’ ନାମକ ଏକ ପ୍ଲେ ସ୍କୁଲ ନିଜ ଘରେ କରିଛନ୍ତି । ଯେଉଁଠି ୨-୩ ବର୍ଷର ପିଲାମାନେ ଏକ ବର୍ଷ ପାଇଁ ପଢନ୍ତି । ପଢେଇବା ପାଇଁ ୨ଜଣ ନିଯୁକ୍ତ ହୋଇଥିଲେ ହେଁ ଶାନ୍ତିଲତା ନିଜେ ବି ପିଲାଙ୍କୁ ପଢାନ୍ତି । ଏ ବୟସରେ ମଧ୍ୟ ସେ ଥକି ପଡି ନାହାନ୍ତି । ଆଉ ବଢି ଚାଲିଛନ୍ତି ଆଗକୁ ଆଗକୁ ।

ଯେବେ ଯେବେ ନାରୀ ଘରର ଏରୁଣ୍ଡି ଡେଇଁଛି ସଫଳତା ତା’ ପାଦ ଛୁଇଁଛି । ଆଉ ପ୍ରମାଣିତ କରିଦେଇଛି ସେ ନୁହେଁ ଦୂର୍ବଳା।

Related Stories