ପୁରୀ ଅଭୟାରଣ୍ୟରେ ରାତି କଟାଇବେ ପର୍ଯ୍ୟଟକ, ଆଦିବାସୀ ଅଂଚଳକୁ ବିଦେଶୀଙ୍କୁ ଅନୁମତି

ପୁରୀ ଅଭୟାରଣ୍ୟରେ ରାତି କଟାଇବେ ପର୍ଯ୍ୟଟକ, ଆଦିବାସୀ ଅଂଚଳକୁ ବିଦେଶୀଙ୍କୁ ଅନୁମତି

Sunday February 21, 2016,

3 min Read

ପର୍ଯ୍ୟଟନର ବିକାଶ ପାଇଁ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା କରୁଛନ୍ତି | ବିଶେଷକରି ଓଡିଶା ଭଳି ରାଜ୍ୟରେ ଇକୋ-ଟୁରିଜିମ୍ କୁ ଆହୁରି ଉନ୍ନତ ଓ ପର୍ଯ୍ୟଟକମାନଙ୍କ ପାଇଁ ଅନୁକୂଳ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଯାଇଛି | ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଇକୋ-ଟୁରିଜିମ୍ ପାଇଁ ଅନେକ ସ୍ଥାନ ରହିଛି | କେବଳ ଆବଶ୍ୟକତା ରହିଛି ସେଠାରେ ଏମିତି ବ୍ୟବସ୍ଥା କରିବା, ଯାହା ଦ୍ୱାରା ପର୍ଯ୍ୟଟକମାନେ ସୁରକ୍ଷିତ ଭାବେ ସେଠାରେ ନିଜର ଅବସର ସମୟ କାଟି ପାରିବେ | ପୁରୀ ଜିଲ୍ଲାରେ ଏମିତି କିଛି ପଦକ୍ଷେପ ନେବାକୁ ଯାଉଛି ସ୍ଥାନୀୟ ପ୍ରଶାସନ | ଜିଲ୍ଲାର ବିଭିନ୍ନ ଇକୋ-ଟୁରିଜିମ୍ ସ୍ଥାନକୁ ଚିହ୍ନଟ କରାଯାଇ ଏଠାକାର ବିକାଶ ଦିଗରେ ଆଲୋଚନା କରାଯାଇଛି | ଏଭଳିକି ସମୁଦ୍ର ତଟ ନିକଟରେ ଥିବା ଅଭୟାରଣ୍ୟରେ ପର୍ଯ୍ୟଟକମାନେ କିଭଳି ରାତି କଟାଇପାରିବେ ତାର ବ୍ୟବସ୍ଥା ମଧ୍ୟ ହେଉଛି |

image


ପଢନ୍ତୁ - ୪୦ଟି ଇକୋ-ଟୁରିଜିମ୍ ପ୍ରକଳ୍ପ ବିକାଶ ପାଇଁ ଯୋଜନା, ସ୍ଥାନୀୟ ଲୋକଙ୍କୁ ମିଳିବ ରୋଜଗାର

ପୁରୀରୁ କୋଣାର୍କ ମଧ୍ୟରେ ଥିବା ମେରାଇନ୍ ଡ୍ରାଇଭ୍ ରୋଡ୍ ଓ ତା ନିକଟ ଅଭୟାରଣ୍ୟର ଦୃଶ୍ୟ ବେଶ୍ ମନୋରମ | ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଏଠାରେ ପର୍ଯ୍ୟଟନ ‍‌ଋତୁରେ ପର୍ଯ୍ୟଟକମାନଙ୍କର ଭିଡ ଜମେ | ଏଠାକୁ ଅନେକ ଲୋକ ବଣଭୋଜି ପାଇଁ ଆସନ୍ତି | କିନ୍ତୁ ବଣଭୋଜି କରିବା ପାଇଁ ସ୍ୱତନ୍ତ୍ର ପିଣ୍ଡି ନଥିବାରୁ ପର୍ଯ୍ୟଟକମାନଙ୍କୁ ହଇରାଣ ହେବାକୁ ପଡେ | ଏଥିରେ ପରିବେଶ ନଷ୍ଟ ହେବା ସହ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ରହିଛି | ତେଣୁ ଏଠାରେ ଯାଗା ଚିହ୍ନଟ କରାଯାଇ ପିଣ୍ଡି ନିର୍ମାଣ କରିବାକୁ ନିଷ୍ପତି ନିଆଯାଇଛି | ଏ ସମ୍ପର୍କରେ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ସୁରେଶ ମହାପାତ୍ର କହିଛନ୍ତି,

ଏହା ଦ୍ୱାରା ପରିବେଶକୁ ସ୍ୱଚ୍ଛ ରଖାଯାଇପାରିବ | ବନ୍ୟପ୍ରାଣୀଙ୍କ ପ୍ରତି ମଧ୍ୟ ବିପଦ ରହିବ ନାହିଁ | ପୁଣି ଲୋକମାନେ ଏଣେ ତେଣେ ବଣଭୋଜି କରିବାକୁ ଯେଉଁ ହଇରାଣ ଭୋଗୁଛନ୍ତି, ତାର ସମାଧାନ ମଧ୍ୟ ହୋଇଯିବ | ପୁଣି ସ୍ଥାନୀୟ ଇକୋ ଡେଭଲପମେଣ୍ଟ କମିଟି (ଇଡିସି)କୁ କିଛି ଅର୍ଥ ମଧ୍ୟ ମିଳିପାରିବ |

ନିକଟରେ ଶ୍ରୀ ମହାପାତ୍ର ସ୍ଥାନୀୟ ଅଂଚଳର ୯ଟି ଇକୋ ଡେଭଲପମେଣ୍ଟ କମିଟିର ସଭାପତି ଓ ଅନ୍ୟ ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି | ବାଙ୍ଗର, ଭୁଆଁ, ହାଇଙ୍ଗରା, ବେଲେଶ୍ୱପ ପାଟଣା, ବେଲଦଳ, ନାଗାପଟଣା, ବାଲିଗୁଆଳି, ସମଗରା ଆଦି କମିଟିର ସଦସ୍ୟମାନେ ନିଜ ଅଂଚଳରେ କିଭଳି ପର୍ଯ୍ୟଟନର ବିକାଶ କରାଯାଇପାରିବ ସେ ନେଇ ପ୍ରସ୍ତାବମାନ ଦେଇଥିଲେ | ଏହାପରେ ନିଷ୍ପତି ନିଆଯାଇଥିଲା ଯେ ନୂଆନଇକୂଳ ଓ ବେଲେଶ୍ୱରରେ ଅସ୍ଥାୟୀ ରହିବା ବ୍ୟବସ୍ଥା କରାଯିବ | ଯେଉଁଥିରେ ପର୍ଯ୍ୟଟକମାନେ ରାତି ବିତାଇପାରିବେ | ସେମାନେ ସେଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ସୁରକ୍ଷିତ ଭାବେ ରାତି ବିତାଇପାରିବେ | ତେବେ କେବଳ ପର୍ଯ୍ୟଟନ ଋତୁରେ ହିଁ ଏହି ସୁବିଧା ଯୋଗାଇଦିଆଯିବ | ଅନ୍ୟ ସମୟରେ ଏହାକୁ ଯେଭଳି ହଟାଇ ହେବ, ସେହିଭଳି ବ୍ୟବସ୍ଥା କରାଯିବ | ଏହି ସବୁ ବ୍ୟବସ୍ଥା ସଂପୃକ୍ତ ଇକୋ ଡେଭଲପମେଣ୍ଟ କମିଟି ଦ୍ୱାରା ପରିଚାଳିତ ହେବ | ଆସନ୍ତା ପର୍ଯ୍ୟଟନ ଋତୁ ଅର୍ଥାତ୍ ଆସନ୍ତା ଡିସେମ୍ବର ଆରମ୍ଭ ପୂର୍ବରୁ ଏହି ସୁବିଧା ଉପଲବ୍ଧ କରାଇବାକୁ ଯୋଜନା ରହିଛି | ଏଥିପାଇଁ ଯାଗା ଚିହ୍ନଟ କରିବା ସହ ଖର୍ଚ୍ଚ ଓ ରୂପରେଖ ପ୍ରସ୍ତୁତ କରି ପ୍ରଶାସନକୁ ପ୍ରସ୍ତାବ ଦେବାପାଇଁ ଇଡିସି ଗୁଡିକୁ କୁହାଯାଇଛି |

ବେଲେଶ୍ୱର ଇକୋ ଡେଭଲପମେଣ୍ଟ କମିଟିର ସଭାପତି ଦ୍ୱିଜବର ପଲେଇ କୁହନ୍ତି,

ପ୍ରଶାସନର ଏହା ଭଲ ନିଷ୍ପତ୍ତି | ଏହା ଫଳରେ ପର୍ଯ୍ୟଟକ ଆମ ଅଂଚଳକୁ ଆସିବାକୁ ଆଗ୍ରହ ପ୍ରକାଶ କରିବେ | ଏହା ଦ୍ୱାରା ସ୍ଥାନୀୟ ଅଂଚଳର ମଧ୍ୟ ବିକାଶ ହେବ | ଅନେକଙ୍କୁ କର୍ମ ସଂସ୍ଥାନ ମଧ୍ୟ ମିଳିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହେବ | ଗ୍ରାମବାସୀଙ୍କ ପକ୍ଷରୁ ଆମେ ଏ ଦିଗରେ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବୁ |

କଟକଣା ହଟିଲା

ରାଜ୍ୟର ବିଭିନ୍ନ ଆଦିବାସୀ ଅଂଚଳକୁ ଯାଇ ସେଠାରେ ବୁଲାବୁଲି କରିବା ଉପରେ ବିଦେଶୀ ପର୍ଯ୍ୟଟକମାନଙ୍କ ଉପରେ ଥିବା କଟକଣାକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି | ଏଣିକି ସେମାନେ ପୂର୍ବପରି ଆଦିବାସୀ ପର୍ଯ୍ୟଟନ ଅଂଚଳ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସେମାନଙ୍କ ସଂସ୍କୃତି ବିଷୟରେ ଜାଣିପାରିବେ | ୨୦୧୨ରେ ଇଟାଲୀର ପର୍ଯ୍ୟଟକଙ୍କୁ ଅପହରଣ ଘଟଣା ପରେ ସରକାର ପର୍ଯ୍ୟଟକଙ୍କ ସୁରକ୍ଷା ଦିଗରୁ ଏହି କଟକଣା ଲଗାଇଥିଲେ | ଏଇ ନିକଟରେ ଏହି କଟକଣାକୁ କୋହଳ କରି ରାଜ୍ୟ ସରକାର ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି | ବିଦେଶୀ ପର୍ଯ୍ୟଟକମାନେ କେଉଁ ସବୁ ସ୍ଥାନକୁ ଯିବେ ସେ ସମ୍ପର୍କରେ ଜିଲ୍ଲାପାଳ, ଏସପି ଓ ପର୍ଯ୍ୟଟନ ଅଧିକାରୀଙ୍କୁ ଅବଗତ କରାଇବେ | ଆଦିବାସୀ ଅଂଚଳକୁ ସେମାନେ ସ୍ଥାନୀୟ ଗାଇଡ୍ ସହାୟତାରେ ଯିବେ | ଏସବୁ ତଥ୍ୟ ପର୍ଯ୍ୟଟନ ବିଭାଗ ୱେବସାଇଟରେ ଉପଲବ୍ଧ ହେବ | ଆଦିବାସୀ ସଂସ୍କୃତି ଓ ପରମ୍ପରାର ଫଟୋ ନେବା ପୂର୍ବରୁ ସେମାନଙ୍କ ଅନୁମତି ନେବାକୁ ପଡିବ ବୋଲି ଏହି ଗାଇଡଲାଇନ୍ ରେ କୁହାଯାଇଛି | ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ହିତ ଦୃଷ୍ଟିରୁ ଏହା କରାଯାଇଛି | ତେବେ ବଣ୍ଡା, ଡଙ୍ଗରିଆ ଓ କନ୍ଧ ସମ୍ପ୍ରଦାୟ ରହୁଥିବା କଳାହାଣ୍ଡି, ରାୟଗଡା, ନୂଆପଡା, ମାଲକାନାଗିରି, କୋରାପୁଟ ଜିଲ୍ଲାର ୬୯ଟି ପଂଚାୟତର ପ୍ରାୟ ୫୦୦ ଗାଁକୁ ବିଦେଶୀ ପର୍ଯ୍ୟଟକଙ୍କୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି|

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ - 

1। କେନ୍ଦ୍ରୀୟ ଯୋଜନାରେ ଓଡିଶାରେ ଦିନକୁ ନିର୍ମାଣ ହେଉଛି ୧୬୮୦ ଘର

2. ସାମ୍ବାଦିକଙ୍କ ପ୍ରସ୍ତୁତ ସିଜିନେଟ ସ୍ଵର ବଦଳାଇ ଦେଲା ଅନେକ ଗାଁର କାହାଣୀ

3. ଗଂଜାମ୍ ଟାଇଗର୍: ମହିଳା ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବୀ କରୁଛନ୍ତି ଏହି ୭୦ ବର୍ଷର ମହିଳା