ଗ୍ରିନଲାଇଟ୍ ପ୍ଲାନେଟ୍: ପ୍ରତ୍ୟେକଙ୍କ ପାଇଁ ସୁଲଭ ଶକ୍ତିର ଯୋଗାଣ

ଗ୍ରିନଲାଇଟ୍ ପ୍ଲାନେଟ୍: ପ୍ରତ୍ୟେକଙ୍କ ପାଇଁ ସୁଲଭ ଶକ୍ତିର ଯୋଗାଣ

Thursday December 01, 2016,

4 min Read

ବିଶ୍ୱର ଏକ ପଞ୍ଚମାଂଶ ଲୋକଙ୍କ ଘରେ ପ୍ରତ୍ୟେକ ରାତି ସଂପୂର୍ଣ୍ଣ ଅନ୍ଧକାର ଅଟେ । ଅର୍ଥାତ୍ ବିଶ୍ୱର ସମୁଦାୟ ଜନସଂଖ୍ୟାର ପ୍ରାୟ ୧୫୦କୋଟି ଲୋକ କୌଣସି ବିଦ୍ୟୁତ୍ ସଂଯୋଗ ଠାରୁ ଦୂରେଇ ରହିଛନ୍ତି ।

image


ବିକାଶଶୀଳ ଏସିଆ ଓ ଉପସାହାରା ଆଫ୍ରିକାରେ ୯୫% ଲୋକ ଆଧୁନିକ ଶକ୍ତି ଉତ୍ସ ବିନା କାଳାତିପାତ କରୁଛନ୍ତି। ବିକାଶଶୀଳ ଦେଶମାନଙ୍କରେ ହାରାହାରି ବିଦ୍ୟୁତ୍ ସଂଯୋଗ ୭୭% ରହିଥିବା ବେଳେ ଏହା ସହରାଂଚଳରେ ୯୧% ଓ ଗ୍ରାମାଂଚଳରେ କେବଳ ୬୫% ରହିଛି । କେବଳ ଭାରତରେ ୩କୋଟି ୫୦ଲକ୍ଷ ଲୋକ ଏଭଳି ଅଛନ୍ତି ଯେଉଁମାନେ ଉଜ୍ଜ୍ୱଳ ଭାରତ ‘ଇଣ୍ଡିଆ ସାଇନିଂ’ର ସଂଗୀତ ତାଳେତାଳେ ନୃତ୍ୟ କରିବାର ସୁଯୋଗ ପାଇନାହାନ୍ତି, କାରଣ ପ୍ରତ୍ୟେକ ରାତି ସୁଇଚ୍ ଟିପି ନିଜ ଘରକୁ ଆଲୋକିତ କରିବା ପାଇଁ ସେମାନଙ୍କ ନିକଟରେ ସୁବିଧା ଉପଲବ୍ଧ ନାହିଁ । ତେବେ, ଏକ ଭଲ ଖବର ରହିଛି । ବର୍ତ୍ତମାନ ସୁଦ୍ଧା ୩,୯୨୦,୨୬୭ ଲୋକଙ୍କ ଜୀବନ ସୌରଶକ୍ତି ଚାଳିତ LED ଆଲୋକ ଦ୍ୱାରା ପ୍ରଭାବିତ ହୋଇଛି । ଏହି ସୌରଶକ୍ତି ଚାଳିତ ଉପକରଣ ଦ୍ୱାରା ସେମାନେ ଆଲୋକ ପାଉଛନ୍ତି ଏହାବ୍ୟତୀତ କୌଣସି ଅଗ୍ନି ଦୁର୍ଘଟଣା ଠାରୁ ସୁରକ୍ଷିତ ଓ ସ୍ୱଳ୍ପ ବିବ୍ରତ ଅନୁଭବ କରିଛନ୍ତି ।

ଏହା କିଭଳି ଆରମ୍ଭ ହେଲା

୨୦୦୫ର ଗ୍ରୀଷ୍ମଋତୁରେ ଇଲିନଏ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାୟୋଜିତ ଉର୍ବନା ଅଭିଯାନର ଇଂଜିନିୟରିଂ ଛାତ୍ରଛାତ୍ରୀ- ପାଟ୍ରିକ୍ ୱାଲ୍ସ, ମାୟନକ ସେଖସାରିଆ, ଅନିଶ ଠକ୍କର ଜାଣିନଥିଲେ ଯେ ସେମାନେ ଭବିଷ୍ୟତରେ ଲକ୍ଷାଧିକ ପରିବାରଙ୍କ ପାଇଁ ଆଲୋକର ଉତ୍ସ ସାବ୍ୟସ୍ତ ହେବେ ।

ଏକ ଗ୍ରୀଷ୍ମକାଳୀନ ପ୍ରକଳ୍ପରେ କୃଷିକ୍ଷେତ୍ରରେ ବ୍ୟବହୃତ ହେଉଥିବା ବାୟୋ-ଡିଜେଲ୍ ଜେନେରେଟର ସ୍ଥାପନ କରିବାକୁ ଇଂଜିନିୟର୍ସ ୱିଥ୍ଆଉଟ୍ ବୋର୍ଡର୍ସ ସହ ପାଟ୍ରିକ୍ ଓଡ଼ିଶା ଆସିଥିଲେ । ତେବେ ଏହି ଜେନେରେଟରଗୁଡ଼ିକ ସ୍ଥାନୀୟ ଲୋକଙ୍କ ଦ୍ୱାରା ସେମାନଙ୍କ ଘର ଆଲୋକିତ କରିବା ପାଇଁ ବ୍ୟବହୃତ ହୋଇଥିଲା । ଏହି ଅଭିଜ୍ଞତା ପାଟ୍ରିକଙ୍କୁ ଏକ ପ୍ରୋଟୋଟାଇପ୍ ସୌରଲ୍ୟାମ୍ପ୍ ଉଦ୍ଭାବନ କରିବାକୁ ପ୍ରେରଣା ଦେଇଥିଲା । ଅନିଶ ଠକ୍କର ଏହି ପ୍ରୋଟୋଟାଇପ୍ ସୌରଲ୍ୟାମ୍ପକୁ ପ୍ରଦର୍ଶିତ କରି ନିଜର ପ୍ରାକ୍ତନ ମାଲିକ ତଥା ଜେଡ୍ଏସ୍ ଆସୋସିଏଟସର ସହ ପ୍ରତିଷ୍ଠାତା ଡ. ସିହ୍ନାଙ୍କ ଠାରୁ ପ୍ରକଳ୍ପ ପାଇଁ ପ୍ରାଥମିକ ଅନୁଦାନ ସଂଗ୍ରହ କରିଥିଲେ । ପରବର୍ତି ସମୟରେ ଡ. ସିହ୍ନା ବେମ୍ବୋ ଫାଇନାନ୍ସ ସହ ମିଶି ଦ୍ୱିତୀୟ ପର୍ଯ୍ୟାୟ ଅନୁଦାନ ଦେଇଥିଲେ । ୨୦୦୮ର ଶୀତଋତୁରେ, ସିଇଓ ଅନିଶ ଏବଂ ମାୟନ୍କ ଭାରତକୁ ଆସି ଗ୍ରିନଲାଇଟ୍ ପ୍ଲାନେଟ ବ୍ୟବସାୟ କରିବାକୁ ଭାରତକୁ ଆସିଥିଲେ । ଏହି ସମୟରେ ପାଟ୍ରିକ୍ ଚୀନର ସେନ୍ଜେନ୍ ଠାରେ ସାମଗ୍ରୀର ବିକାଶ ଓ ଉତ୍ପାଦନ କ୍ଷେତ୍ରରେ ଦୃଷ୍ଟି ଦେଇଥିଲେ । ସଂପ୍ରତି ଗ୍ରିନଲାଇଟ୍ ପ୍ଲାନେଟ୍ ବିଶ୍ୱର ୩୧ଟି ଦେଶର ଅନୁନ୍ନତ ଅଂଚଳରେ ଶକ୍ତିର ଆବଶ୍ୟକତା ମେଂଟାଇବା କାମକରୁଛି।

ଗ୍ରିନଲାଇଟ୍ ପ୍ଲାନେଟ୍: ପ୍ରତ୍ୟେକଙ୍କ ପାଇଁ ସୁଲଭ ଶକ୍ତିର ଯୋଗାଣ

image


ଏହି କଂପାନୀର ମୂଳ ଦୃଷ୍ଟିକୋଣ ସାମାଜିକ ଆବଶ୍ୟକତା ଉପରେ ପର୍ଯ୍ୟବେଶିତ, ଯାହା ଲୋକଙ୍କୁ ସୁଲଭ ଦରରେ ଆଲୋକ ଯୋଗାଇବାର ବ୍ୟବସାୟ । ଲୋକମାନେ ଦୟା ଚାହାନ୍ତି ନାହିଁ କିନ୍ତୁ ଏଭଳି ସାମଗ୍ରୀ ଚାହାନ୍ତି ଯାହା ସୁଲଭ ଦରରେ ମିଳିବ । ଉପ ସାହାରା ଆଫ୍ରିକା ଓ ବିକାଶଶୀଳ ଏସିଆର ଗ୍ରାମୀଣ ପରିବାରଙ୍କୁ ସୁଲଭ ଦରରେ ଆଲୋକ ଯୋଗାଇବାକୁ ଗ୍ରିନଲାଇଟ୍ ପ୍ଲାନେଟ୍ କାମ କରିଆସୁଛି ।

ବର୍ତ୍ତମାନ, ଗ୍ରିନଲାଇଟ୍ ପ୍ଲାନେଟ୍ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ୫୦% କେବଳ ଆଫ୍ରିକାରେ ବିକ୍ରି ହେଉଛି । ଏଠାରେ କଂପାନୀ ଗ୍ରାହକଙ୍କ ନିକଟରେ ନିଜର ସାମଗ୍ରୀ ପହଂଚାଇବା ନିମନ୍ତେ ସଂଖ୍ୟାଧିକ ସ୍ଥାନୀୟ ସଂସ୍ଥାଙ୍କ ସହାୟତା ନେଇଛି । ସମଗ୍ର ମହାଦେଶରେ ଏକ ସ୍ଥାୟୀ ଓ ପୁନଃବିନିଯୋଗକାରୀ ଶକ୍ତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା କୁହାଯାଇପାରିବ ଯେ କଂପାନୀର କାରବାର ବୃଦ୍ଧି କରିବାର ଉଚ୍ଚାଙ୍କାକ୍ଷୀ ଯୋଜନା ଯୁକ୍ତି ସମ୍ମତ୍ତ ଅଟେ ।

ସନ୍ କିଙ୍ଗ୍ କିଭଳି କାମକରେ

ସନ୍ କିଙ୍ଗର ଲଣ୍ଠନ ଦିନର ସୂର୍ଯ୍ୟ କିରଣରେ ରଖିବାକୁ ପଡ଼େ, ଯଦ୍ୱାରା ଏହା ଆପେଆପେ ଚାର୍ଜ ହୋଇଥାଏ । ରାତିରେ, ଏହାକୁ ଆପଣ ଆଲୋକ ଜଳାଇବା କିମ୍ବା ମୋବାଇଲ୍ ଫୋନ୍ ଚାର୍ଜ କରିବାରେ ବ୍ୟବହାର କରିପାରିବେ । କଂପାନୀ ଚାରି ପ୍ରକାର ସନ୍ କିଙ୍ଗର ଉତ୍ପାଦ ବଜାରକୁ ଛାଡ଼ିଛି ଏବଂ ପ୍ରତ୍ୟେକରେ ତିନିଟି ଭିନ୍ନ ମଡେଲ୍ ରହିଛି । ପ୍ରଥମ ମଡେଲ୍ ହେଉଛି ସ୍ୱଳ୍ପ ଶକ୍ତି ବିନିଯୋଗକାରୀ ଟର୍ଚଲାଇଟ୍, ଯଦି ଏହାକୁ ଦିନତମାମ ଚାର୍ଜ କରିବେ ତେବେ ଏହା ୧୬ ଘଂଟା ଯାଏଁ କାର୍ଯ୍ୟକ୍ଷମ ରହିପାରିବ । ଦ୍ୱିତୀୟଟି ହେଉଛି ମଧ୍ୟମ ଶକ୍ତି ବିନିଯୋଗକାରୀ ଲଂଠନ, ଏହାର ଚାର୍ଜ ପ୍ରାୟ ୧୬ଘଂଟା ରହିପାରିବ । ତୃତୀୟଟି ହେଉଛି ଉଚ୍ଚକ୍ଷମତା ସଂପନ୍ନ ଟର୍ବୋ ଲ୍ୟାମ୍ପ୍, ଏହା କ୍ରମାଗତ ଭାବେ ୪ଘଂଟା ଅତି ଉଜ୍ଜ୍ୱଳ ଆଲୋକ ଦେଇପାରିବ । ଏହି ଉତ୍ପାଦ ଗୁଡ଼ିକୁ ସହଜରେ ନିଆଅଣା କରାଯାଇପାରିବ ଏବଂ କୌଣସି ପ୍ରତିକୂଳ ପରିସ୍ଥିତିରେ, ଯେପରି ଜଳରେ ଭାସମାନ ଅବସ୍ଥାରେ ବ୍ୟବହାର କରାଯାଇପାରିବ । ଏହା ବହୁକାର୍ଯ୍ୟକ୍ଷମ ଏବଂ ଏହାକୁ ଡେସ୍କଲ୍ୟାମ୍ପ୍, କାନ୍ଥରେ ଝୁଲାଇବା ଲ୍ୟାମ୍ପ୍ ଭାବେ ବ୍ୟବହାର କରାଯାଇପାରିବ । କେବଳ ଏହାନୁହେଁ ଏହାକୁ ଚଲାବୁଲା କରିବା ସମୟରେ ଟର୍ଚଲାଇାଟ୍ ଭଳି ବ୍ୟବହାର କରାଯାଇପାରିବ । ଏହାର ବ୍ୟାଟେରି ୫ବର୍ଷ ଯାଏଁ କାର୍ଯ୍ୟକ୍ଷମ ରହିପାରିବ ।

ଗ୍ରିନଲାଇଟ୍ ପ୍ଲାନେଟର ବିଶେଷତା

- ୨୦୦୯ ଠାରୁ ଅଦ୍ୟାବଧି ୧.୪ ନିୟୁତ ସୌରଲ୍ୟାମ୍ପ୍/ମୋବାଇଲ୍ ଚାର୍ଜର ଗ୍ରାମାଂଚଳ ବଜାରରେ ବିକ୍ରି କରାଯାଇଛି ।

- ସ୍ୱ ବିକ୍ରି ବ୍ୟବସ୍ଥା ଦ୍ୱାରା ଗ୍ରିନ୍ଲାଇଟ୍ ପ୍ଲାନେଟ୍ ଦୁର୍ଗମ ଅଂଚଳର ଗ୍ରାହକଙ୍କ ନିକଟରେ ପହଂଚିପାରିଛି ।

- ୨୦୧୪ ସୁଦ୍ଧା ୨୫ହଜାର ସ୍ୱ ବିକ୍ରି ସହଯୋଗୀଙ୍କୁ (୬୦୦୦ ସେଲ୍ସ କର୍ମଚାରୀ + ୮୦୦ ପୂର୍ଣ୍ଣ ସମୟ କର୍ମଚାରୀ) କାମରେ ନିୟୋଜିତ କରାଯାଇଛି ।

- ନିଜର ଗ୍ରାହକଙ୍କ ପାଇଁ ଗ୍ରିନଲାଇଟ୍ ପ୍ଲାନେଟ୍ ଉକ୍ରୃଷ୍ଟମାନର ଗ୍ରାହକ ସେବା ଯୋଗାଇଦେଉଛି ।

- ୨୦୧୪-ଆସେନ୍ ସମ୍ମାନ ପାଇଁ ମନୋନୀତ ହୋଇଛି

- ଗ୍ରିନଲାଇଟ୍ ପ୍ଲାନେଟ୍ ଏକ ବିଶ୍ୱସ୍ତ ସହଯୋଗୀ କଂପାନୀ ଭାବେ ନାମ ଅର୍ଜନ କରିଛି ଏବଂ ଟୋଟାଲ୍, ୱାନ୍ ଏକର ଫଣ୍ଡ ଓ ଫୁଲ୍ରଟନ୍ ଇଣ୍ଡିଆ ଭଳି ସଂସ୍ଥା ସହ ଉତ୍ତମ ବୁଝାମଣାରେ କାମ କରିଛି ।

ସନ୍ କିଙ୍ଗର ସାମାଜିକ ଓ ଅର୍ଥନୈତିକ ପ୍ରଭାବ

କଂପାନୀ ସର୍ବନିମ୍ନ ୬୫୦ଟଙ୍କାରୁ ଆରମ୍ଭ କରି ବିଭିନ୍ନ ଦାମର ସନ୍ କିଙ୍ଗ୍ ଲ୍ୟାମ୍ପ୍ ବିକ୍ରି କରୁଛି । ସୂର୍ଯ୍ୟାସ୍ତ ପରେ ଗ୍ରାହକମାନେ କିରାସିନି ଖର୍ଚ୍ଚ କମାଇବା ଓ ବିକଶିତ ସାମଗ୍ରୀର ବ୍ୟବହାର ଦ୍ୱାରା ସଂଚୟ ବୃଦ୍ଧି କରିପାରିଛନ୍ତି । ଏଭଳି ସାମଗ୍ରୀର ବ୍ୟବହାର ଦ୍ୱାରା ଉଲ୍ଲେଖନୀୟ ସକାରାତ୍ମକ ସ୍ୱାସ୍ଥ୍ୟର ବିକାଶ ହୋଇଥାଏ, କାରଣ ଲୋକମାନେ ତେଲ ଦୀପ ଜାଳି ଏହାର ଦୂଷିତ ବାୟୁକୁ ଗ୍ରହଣ କରିନଥାନ୍ତି । ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିସିଜ୍ ଷ୍ଟଡିର ଏକ ଆକଳନ ଅନୁସାରେ, ପ୍ରତିବର୍ଷ କାଠଜାଳିବା ଦ୍ୱାରା ୩କୋଟି ୫୦ଲକ୍ଷ ଲୋକ ବିଶେଷତଃ ମହିଳା ଓ ଶିଶୁ ଶ୍ୱାସରୋଗରେ ପୀଡ଼ିତ ହୋଇଥାନ୍ତି । ଏହା ମ୍ୟାଲେରିଆ(୧କୋଟି୨୦ଲକ୍ଷ) ଓ ଏଚ୍ଆଇଭି/ଏଡ୍ସ(୧କୋଟି୫୦ଲକ୍ଷ) ଜନିତ ମୃତ୍ୟୁ ଠାରୁ ଦୁଇଗୁଣ ଅଟେ ।

ଦୃଶ୍ୟମାନ ଅନ୍ୟ ପ୍ରଭାବ ଗୁଡ଼ିକ ମଧ୍ୟରେ ଅର୍ଥନୈତିକ ପ୍ରଭାବ ଅନ୍ୟତମ । ଗ୍ରିନଲାଇଟ୍ ପ୍ଲାନେଟ୍ ନିଜର ସାମଗ୍ରୀକୁ ସିଧାସଳଖ ବିକ୍ରି କରିଥାଏ । ଏହି ସାମଗ୍ରୀଗୁଡ଼ିକୁ ବିକ୍ରି କରୁଥିବା ସାଥିମାନେ ନିଜର ମାସିକ ଆୟକୁ ୩୪ ପ୍ରତିଶତ ବୃଦ୍ଧି କରାଇବାରେ ସକ୍ଷମ ହୋଇଥାନ୍ତି । ସନ୍ କିଙ୍ଗର ସାଥିମାନେ ସେମାନଙ୍କ ଗାଁରେ ସାମଗ୍ରୀଗୁଡ଼ିକର ବିକ୍ରି କରିଥାନ୍ତି, ଫଳରେ କଂପାନୀ ନିଜର ବିଜ୍ଞାପନ ଓ ନାମ ପ୍ରଚାରପ୍ରସାର ବାବଦକୁ ଖର୍ଚ୍ଚକୁ ରୋକିପାରିଥାନ୍ତି ।

ସ୍ଥାୟୀ ମାନବ ବିକାଶ ହାସଲ କରିବାରେ ପର୍ଯ୍ୟାପ୍ତ, ସୁଲଭ ଓ ସାଧାରଣ ଆଧୁନିକ ଶକ୍ତି ସେବାର ପ୍ରାପ୍ତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ୧୫୦କୋଟି ଲୋକ ବିଦ୍ୟୁତ୍ ସେବାରୁ ବଂଚିତ ଅଛନ୍ତି ଏବଂ ସେମାନେ ବିପଦଜନକ ବିକଳ୍ପ ବ୍ୟବସ୍ଥା ଉପରେ ନିର୍ଭର କରୁଛନ୍ତି । ଗ୍ରିନଲାଇଟ୍ ପ୍ଲାନେଟ୍ର ଅଭିଯାନ ହେଉଛି, ଶକ୍ତିକୁ ସୁଲଭ ଏବଂ ପରିବେଶ ଅନୁକୂଳ କରିବା । ମାନବର ମୌଳିକ ଆବଶ୍ୟକତା ପୂରଣ କରିବା, ଦାରିଦ୍ର୍ୟ ହ୍ରାସ କରିବା, ସମ୍ବଳର ସଂରକ୍ଷଣ ଓ ସୃଷ୍ଟି ଏବଂ ନିରନ୍ତର ସାମାଜିକ ବିକାଶରେ ଶକ୍ତି ସେବାର ଭୂମିକା ଗୁରୁତ୍ୱପୂର୍ଣ୍ଣ ।