କୁଲିଗିରି ରୁ ୨୫୦୦କୋଟିର ସାମ୍ରାଜ୍ୟ – ଏମଜି ମୁଥୁଙ୍କ କାହାଣୀ

କୁଲିଗିରି ରୁ ୨୫୦୦କୋଟିର ସାମ୍ରାଜ୍ୟ – ଏମଜି ମୁଥୁଙ୍କ କାହାଣୀ

Monday December 26, 2016,

3 min Read

“ଇଛା ଥିଲେ ଉପାୟ ମିଳେ” – ଅନେକ ସଫଳ ଉଦ୍ଯୋଗୀ ଏହି ସୂତ୍ରକୁ ଆପଣେଇଛନ୍ତି ଓ ସଫଳତାର ସିଡ଼ି ଚଢିପାରିଛନ୍ତି। ନିଜର ସ୍ଵପ୍ନକୁ ସାକାର କରିବାର ଚଲାପଥରେ ବେଳେବେଳେ ଆଖିବୁଜି ମନର ବିଶ୍ଵାସକୁ ପୁଞ୍ଜି କରି ଆଗକୁ ବଢିଯିବାକୁ ହୁଏ। ଠିକ ଏମିତି କିଛି କରିଥିଲେ ଏମଜି ମୁଥୁ। MGM ଗୃପର ପ୍ରତିଷ୍ଠାତା ମୁଥୁ ଅନେକ ସଂଘର୍ଷ, ବିଦ୍ୟାଲାଭ ପାଇଁ ସମ୍ବଳର ଅଭାବ ସତ୍ତ୍ୱେ କେବଳ ନିଜ ଆତ୍ମବିଶ୍ଵାସକୁ ପୁଞ୍ଜି କରି ଟଙ୍କା ରାସ୍ତାରେ ଆସିଥିବା ସମସ୍ତ ବାଧାବିଘ୍ନର ସାମନା କରିଥିଲେ।

Image : <a href=

Image :

Indian News Servicea12bc34de56fgmedium"/>

ମୁଥୁଙ୍କର ଜନ୍ମ ହେଇଥିଲା ଏକ ଗରୀବ ପରିବାରରେ। ସ୍କୁଲ ଯାଇ ପାଠ ପଢିବା ତାଙ୍କ ପାଇଁ ଥିଲା ସ୍ଵପ୍ନ। ୧୯୫୭ରେ ସେ ଏକ ଜାହାଜ ବନ୍ଦରରେ କୁଲି ଭାବେ କାମ କରିବା ଆରମ୍ଭ କଲେ। ଜାହାଜରେ ଆସୁଥିବା ଭାରି ଜିନିଷ ସବୁକୁ ଲୋଡ଼ ଓ ଅନଲୋଡ଼ କରିବା ଥିଲା ତାଙ୍କ କାମ। ତାଙ୍କର ବାପା ମଧ୍ୟ ସେଇ କାମ କରୁଥିଲେ। ଧୀରେ ଧୀରେ ମାଲ ବୋହିବା କାମ ତାଙ୍କ ଜୀବନ ପାଲଟିଗଲା। ଏମିତି ବହୁତ ଦିନ ଥିଲା ଯେବେ ତାଙ୍କ ପରିବାର ସାଧାରଣ ଭୋଜନଟିଏ ପାଇପାରୁନଥିଲା ଓ ତାଙ୍କୁ ଭୋକିଲା ପେଟରେ ଶୋଇବାକୁ ପଡ଼ୁଥିଲା। ନିଜ ଗାଁର ଅନ୍ୟ ପିଲାଙ୍କୁ ସ୍କୁଲ ଯାଉଥିବା ଦେଖି ତାଙ୍କର ମଧ୍ୟ ମନ ବଳାଏ ଯେ ସେ ବି ସ୍କୁଲ ଯିବେ ଓ ପାଠ ପଢିବେ। କିନ୍ତୁ ଭୋକ ସହ ନିତିଦିନର ଲଢେଇ ଆଉ ସ୍କୁଲ ଯିବା ତାଙ୍କ ପାଇଁ କଷ୍ଟସାଧ୍ୟ ହେଇଗଲା। ଅଳ୍ପକିଛି ଦିନ ସ୍କୁଲ ଗଲା ପରେ ସେ ଛାଡିଦେଲେ ଓ ନିଜ ବାପାଙ୍କ ସହ ମିଶି କୁଲି କାମ କରିବାକୁ ଲାଗିଲେ। ଦୁହେଁ ମିଶି କାମ କରିବାରୁ ପରିବାରକୁ ଆଉ ଟିକେ ଅଧିକ ଖାଦ୍ଯ ମିଳିଲା।

ମାଡ୍ରାସ ବନ୍ଦରରେ ପିଠିରେ ଭାରି ବସ୍ତା ବୋହି ବୋହି, ଅକ୍ଲାନ୍ତ ପରିଶ୍ରମ କରି ସେ ଅଳ୍ପକିଛି ଟଙ୍କା ସଞ୍ଚୟ କରିଥିଲେ। ସେହି କ୍ଷେତ୍ରର ଲୋକଙ୍କ ସଙ୍ଗେ ଭଲ ସମ୍ପର୍କ ହେଇଯାଇଥିଲା। ତେଣୁ ସେହି ସ୍ୱଳ୍ପ ସଞ୍ଚୟକୁ ନେଇ ସେ ଏକ ଛୋଟକାଟିଆ ସରବରାହ ବ୍ୟବସାୟ ଆରମ୍ଭ କରିଦେଲେ। ଯଦିଓ ତାଙ୍କର ଗ୍ରାହକ ମାନେ ଛୋଟକାଟର ଥିଲେ କିନ୍ତୁ ମୁଥୁ ତାଙ୍କର କାମରେ କେବେ କମ କରିନଥିଲେ। ଗ୍ରାହକଙ୍କର ଖୁସି ଥିଲା ତାଙ୍କର ମୁଖ୍ୟ ଲକ୍ଷ୍ୟ ଓ ଆଜି ଏହି ଆଦର୍ଶ ଯୋଗୁଁ ସେ ଖୁବ ଉଚ୍ଚକୁ ପହଞ୍ଚି ପାରିଛନ୍ତି। ସେ ସବୁବେଳେ ଏହା ନିଶ୍ଚିତ କରୁଥିଲେ ଯେ ତାଙ୍କର ଗ୍ରାହକ ମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଓ ତାଙ୍କର ସେବା ସମ୍ପର୍କରେ ଅଭିଯୋଗ କରିବାର ସୁଯୋଗ ନ ପାଆନ୍ତି। ସେ ଧୀରେ ଧୀରେ ଅପେକ୍ଷିତ ସମୟ ପୂର୍ବରୁ ଜିନିଷ ପହଞ୍ଚାଇବାକୁ ଲାଗିଲେ। ତୁଣ୍ଡବାଇଦ ସହସ୍ର କୋଶ। ଖବର ଖେଳିଗଲା ଓ ମାଡ୍ରାସରେ ସମସ୍ତେ ତାଙ୍କୁ ଚିହ୍ନିବାକୁ ଲାଗିଲେ। ସେ ଏବେ ବଡ଼ ଗ୍ରାହକ ପାଇବାକୁ ଲାଗିଲେ। ସମୟ ସହ ତାଙ୍କର ଏଇ ଛୋଟ ବ୍ୟବସାୟ ଏକ ସାମ୍ରାଜ୍ୟରେ ପରିଣତ ହେଇଗଲା, ଯାହାର ନାମ ହେଲା ‘The MGM Group’।

ଆଜି MGM Group ଭାରତର ଏକ ଅଗ୍ରଣୀ ସରବରାହ କମ୍ପାନୀ ଭାବେ ଜଣା ଓ କର୍ପୋରେଟ ଦୁନିଆରେ ଏମଜି ମୁଥୁ ଏକ ଜଣାଶୁଣା ନାମ। ବ୍ୟବସାୟରେ ସଫଳତା ହାସିଲ କରିବା ପରେ ସେ କୋଇଲା ଓ ଖଣି ବ୍ୟବସାୟ, ଖାଦ୍ଯ ଓ ଆତିଥ୍ୟ କ୍ଷେତ୍ରରେ ମଧ୍ୟ ବ୍ୟବସାୟକୁ ବଢାଇଲେ। ମୁଥୁ ଆଜି ଦେଶବିଦେଶରେ ଥିବା ଅନେକ ହୋଟେଲର ମାଲିକ। Kenfoliosର ଏକ ରିପୋର୍ଟ ଅନୁଯାୟୀ ନିକଟ ଅତୀତରେ MGM Group ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରଚଳିତ ଏକ ପାନୀୟ କମ୍ପାନୀ ମଧ୍ୟ କିଣିଛି। ବିଭିନ୍ନ ପ୍ରକାରର ସୁରା ଜାତୀୟ ପାନୀୟ ତିଆରି କରିବା ସହ କମ୍ପାନୀର ସଂପ୍ରସାରଣ ଏବେ କର୍ଣ୍ଣାଟକ ଯାଏଁ ହେବାର ଅଛି। ମାଲୟେସିଆର ପ୍ରସିଦ୍ଧ ରେଷ୍ଟୁରାଣ୍ଟ Marry Brownର ଭାରତୀୟ ଫ୍ରାଞ୍ଚାଇଜିର ମାଲିକାନା ମଧ୍ୟ ମୁଥୁ ନେଇଛନ୍ତି।

ବର୍ତ୍ତମାନ ବେଙ୍ଗାଲୁରୁର ହ୍ଵାଇଟଫିଲ୍ଡ ଠାରେ ଏକ ବୁଟିକ ହୋଟେଲ କିଣିଛନ୍ତି ମୁଥୁ। ନିଜର ସରଳତା, କଠିନ ପରିଶ୍ରମ ଓ ଆତ୍ମବିଶ୍ଵାସକୁ ପୁଞ୍ଜି କରି ଫକୀରରୁ ସୌଦାଗର ହେବାର କାହାଣୀ ନିଶ୍ଚେ ରୋମାଞ୍ଚକ। ମୁଥୁ ନିଶ୍ଚିତ ଭାବେ ଆଶାୟୀ ଉଦ୍ଯୋଗୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ।