ଅନାଥ ପିଲାଙ୍କ ଥଇଥାନ ପାଇଁ ପ୍ରେରିତ କରୁଛି ଡକ୍ୟୁମେଣ୍ଟାରୀ ଫିଲ୍ମ ‘ପରିଚୟ ସନ୍ଧାନରେ’

ଅନାଥ ପିଲାଙ୍କ ଥଇଥାନ ପାଇଁ ପ୍ରେରିତ କରୁଛି ଡକ୍ୟୁମେଣ୍ଟାରୀ ଫିଲ୍ମ  ‘ପରିଚୟ ସନ୍ଧାନରେ’

Saturday January 30, 2016,

4 min Read

ବାପା ମାଙ୍କୁ ହରଇବା ପରେ ପିଲାମାନେ ଅନାଥ ହୋଇଯାନ୍ତି | ଏହି ପରିସ୍ଥିତିରେ ସେମାନଙ୍କ ଲାଳନପାଳନ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରତି କେହି ଯତ୍ନ ନେଇ ପାରନ୍ତି ନାହିଁ | ଏହି ପିଲାମାନେ ବୁଲାବୁଲି କରିବା ସହ ଶିଶୁ ଶ୍ରମିକ ଭାବେ ନିଜ ବାଲ୍ୟ ଜୀବନ କଟାଇଦିଅନ୍ତି | ପୁଣି ଆଦିବାସୀ ବହୁଳ ଇଲାକାରେ ଏମାନଙ୍କ ସ୍ଥିତି ଆହୁରି ସାଂଘାତିକ | ବଣ ଜଙ୍ଗଲରେ ବୁଲି ସେମାନଙ୍କ ଶିଶୁ ସମୟ କଟେ | ଏମିତି ସବୁ ସ୍ଥିତିକୁ ନିଚ୍ଛକ ଭାବେ ଦର୍ଶାଉଛି ପ୍ରାମାଣିକ ଚଳଚ୍ଚିତ୍ର ‘ପରିଚୟ ସନ୍ଧାନରେ’ |

ଫେବୃୟାରୀ ୨୯ ତାରିଖ ଦିନ ଭୁବନେଶ୍ୱରରେ ଏହାର ସିଡି ରିଲିଜ୍ ହୋଇଥିଲା | ମାଲାକାନଗିରି ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହାରମୋନୀ’ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି | ଏହି ଡକ୍ୟୁମେଣ୍ଟାରୀର ରିଲିଜ୍ ଉତ୍ସବରେ ସମାଜସେବୀ, ଆଇନଜୀବୀ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ଏହାକୁ ଦେଖିବା ସହ ଏହା ଉପରେ ନିଜର ମତ ରଖିଥିଲେ |

image


ଏହି ଡକୁମେଣ୍ଟାରୀ ସୁଟିଂ ମୁଖ୍ୟତଃ ମାଲକାନଗିରି ଜିଲ୍ଲାର ୫ଟି ଗାଁ କୃଷିୱାଡା, ମାତପକା, ପାଲକୋଣ୍ଡା, ନାୟକଗୁଡା ଓ ବଡପଡାରେ ହୋଇଛି | ଏହି ସବୁ ଗାଁରେ ଥିବା ଅନାଥ ପିଲାଙ୍କ ଉପରେ ସର୍ଭେ କରାଯିବା ପରେ ଏହି ଫିଲ୍ମ ନିର୍ମିତ କରାଯାଇଛି | ଏହି ଡକ୍ୟୁମେଣ୍ଟାରୀଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଚିତ୍ତରଂଜନ ନନ୍ଦ ଓ ଭିଡିଓ ଏଡିଟିଙ୍ଗ କରିଛନ୍ତି ବାପି ନାୟକ |

image


ମାଲକାନଗିରି ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା | ଏଠାରେ ପ୍ରତ୍ୟେକ ଅନାଥ ଓ ପରିତ୍ୟକ୍ତ ଶିଶୁ ଖୁବ୍ ଦୁଃଖ ଓ ଯନ୍ତ୍ରଣାରେ ଜୀବନ ବିତାଇ ଥାନ୍ତି | ସେମାନେ ଶିକ୍ଷା, ସାମାଜିକ ସୁରକ୍ଷା ପାଇ ପାରନ୍ତି ନାହିଁ | ଏମାନଙ୍କ ମଧ୍ୟରୁ କିଛି ଶିଶୁ ଶ୍ରମିକ ଭାବେ ବିଭିନ୍ନ ସ୍ଥାନରେ ଖଟିବାକୁ ବାଧ୍ୟ ହେଉଛନ୍ତି | ଆଦିବାସୀ ସମୂଦାୟ ଏମାନଙ୍କୁ ଅନେକାଂଶରେ ମୁଣ୍ଡ ଗୁଂଜିବାକୁ ବ୍ୟବସ୍ଥା କରିଦେଲେ ମଧ୍ୟ ଏମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ପାଇଁ କିଛି ପଦକ୍ଷେପ ନେଇ ହୁଏ ନାହିଁ | ଏସବୁକୁ ଏହି ଡକ୍ୟୁମେଣ୍ଟାରୀ ନିଖୁଣ ଭାବେ ପ୍ରଦର୍ଶିତ କରିଛି | ବିଭିନ୍ନ ଗାଁର କିଛି ଅନାଥ ପିଲାଙ୍କ ଜୀବନ କଥା ଏଥିରେ କୁହାଯାଇଛି|

ଏ ସମ୍ପର୍କରେ ଅନୁଷ୍ଠାନର ମୁଖ୍ୟ ଦୁର୍ଗାପ୍ରସାଦ ତ୍ରିପାଠୀ କହନ୍ତି,

“ଅନାଥ ଓ ପରିତ୍ୟକ୍ତଶିଶୁମାନେ ସମାଜରେ କିପରି ଭଲଭାବରେ ଅନ୍ୟ ଶିଶୁମାନଙ୍କ ଭଳି ଜୀବନ ଯାପନ କରିପାରିବେ, ତାହା ଉପରେ ଜନ ସଚେତନତା ସୃଷ୍ଟି କରାଯାଇ ଉକ୍ତ ଶିଶୁମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଅଣାଯାଇ ପାରିବ ତାହା ହିଁ ପ୍ରାମାଣିକ ଚଳଚ୍ଚିତ୍ରଟିର ମୁଖ୍ୟ ଲକ୍ଷ୍ୟ | ଏହି ପ୍ରାମାଣିକ ଚଳଚ୍ଚିତ୍ର ସରକାରୀ ଅଧିକାରୀ, ସମାଜକର୍ମୀ ଓ ନୀତି ପ୍ରସ୍ତୁତ କରୁଥିବା ଲୋକ ପ୍ରତିନିଧିଙ୍କ ଅନାଥ ପିଲାଙ୍କ ଥଇଥାନ ପାଇଁ ଏକ ସ୍ୱତନ୍ତ୍ର ନୀତି ଓ ଆଇନ ପ୍ରଣୟନ ଦିଗରେ ପ୍ରଭାବିତ କରିପାରିବ ବୋଲି ଆଶା ରହିଛି |”

ଅମେଳ ପରିସଂଖ୍ୟାନ:

ଓଡିଶା ସରକାରଙ୍କ ରେକର୍ଡ ଅନୁସାରେ ମାଲକାନଗିରି ଜିଲ୍ଲାରେ ମାତ୍ର ୪୨ ଜଣ ଶିଶୁ ଅନାଥ ଓ ପରିତ୍ୟକ୍ତ ଅବସ୍ଥାରେ ଅଛନ୍ତି | କିନ୍ତୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ ୫ଟି ପଂଚାୟତରେ ଏହି ସଂଖ୍ୟା ୧୭୫ | ସେହିପରି ସୂଚନା ଅଧିକାରୀ ଆଇନ ମାଧ୍ୟମରେ ମିଳିଥିବା ତଥ୍ୟ ଅନୁସାରେ ୫ଟି ବ୍ଲକର ୩୯ଟି ଗ୍ରାମରେ ୦-୬ ବର୍ଷର ୧୦୮ଟି ଅନାଥ ଓ ୪୧୯ଟି ଅର୍ଦ୍ଧ ଅନାଥ ଅଛନ୍ତି | ପିଲାଟିଏ ବାପା – ମା ଉଭୟକୁ ହରାଇଥିଲେ ଅନାଥ ଏବଂ କେବଳ ବାପା କିମ୍ବା ମା ଜଣଙ୍କୁ ହରାଇଥିଲେ ଅର୍ଦ୍ଧ ଅନାଥ ବୋଲି ଧରାଯାଉଛି | ସେହିପରି ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଅନୁସାରେ ଜିଲ୍ଲାରେ ୪୮ଟି ଅନାଥ ଓ ୫୩ଟି ଅର୍ଦ୍ଧ ଅନାଥ(୬ରୁ ୧୮ ବର୍ଷ ମଧ୍ୟରେ) ଥିବା କୁହାଯାଏ | ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସୂଚନା ଅନୁସାରେ ୭୦ଟି ଆବାସିକ ବିଦ୍ୟାଳୟରେ ୧୩୧ ଜଣ ଅନାଥ ଓ ୧୧୭୧ ଜଣ ଅର୍ଦ୍ଧ ଅନାଥ ପିଲା ପାଠ ପଢୁଛନ୍ତି | ସରକାରୀ କିମ୍ବା ବେସରକାରୀ ସ୍ତରରେ ଅନାଥ ଓ ପରିତ୍ୟକ୍ତ ପିଲାମାଙ୍କର କୌଣସି ସଠିକ୍ ତଥ୍ୟ ନାହିଁ ବୋଲି କୁହନ୍ତି ଡକ୍ୟୁମେଣ୍ଟାରୀର ଅନ୍ୟତମ ସଂଯୋଜିକା ସବିତା ସାମନ୍ତରାୟ |

image


ଡକୁମେଣ୍ଟାରୀ ସମ୍ପର୍କରେ ଏଡ୍ ଏଟ୍ ଆକ୍ସନ ଇଣ୍ଟରନାସନାଲ- ଦକ୍ଷିଣ ଏସିଆର ଆଂଚଳିକ ମୁଖ୍ୟ ଉମି ଡାନିଏଲ୍ କହନ୍ତି,

“ଅନାଥ, ଅର୍ଦ୍ଧ ଅନାଥ ଓ ପରିତ୍ୟକ୍ତ ଶିଶୁମାନଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ସେମାନଙ୍କୁ କିପରି ଶିକ୍ଷା, ପର୍ଯ୍ୟାପ୍ତ ସାମାଜିକ ସୁରକ୍ଷ ଇତ୍ୟାଦି ଯୋଗାଇ ଦେବା ପାଇଁ ପ୍ରାମାଣିକ ଚିତ୍ରଟି ସରକାର, ଜିଲ୍ଲା ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ନିଶ୍ଚୟ ଅଭିପ୍ରେତ କରିବ | ସମସ୍ତଙ୍କ ସହଯୋଗରେ ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ |”

ବିଭିନ୍ନ କାରଣରୁ ଜିଲ୍ଲାରେ ପିଲାମାନେ ଅନାଥ ଓ ପରିତ୍ୟକ୍ତ ହେଉଛନ୍ତି | ଚିକିତ୍ସା ଅଭାବରୁ ପିଲାଙ୍କୁ ଜନ୍ମ ଦେବା ପରେ ମା’ଟିର ମୃତ୍ୟୁ ହୋଇଗଲେ ପିଲାଟି ଅନାଥ ହୋଇପଡୁଛି | ଅନେକ ସମୟରେ ବାପା ପିଲାଟିକୁ ଛାଡି ଆଉ ଏକ ବିବାହ କରୁଛି | ସେହିପରି ଘରେ ପାଟିତୁଣ୍ଡ ପରେ ସ୍ୱାମୀ ସ୍ତ୍ରୀଙ୍କ ବିଚ୍ଛେଦ କିମ୍ବା କେହି ଜଣେ ଆଉ କେଉଁଠି ବିବାହ କରିବା ଦ୍ୱାରା ମଧ୍ୟ ପିଲାଟିଏ ପରିତ୍ୟକ୍ତ ହୋଇପଡୁଛି | ଏସବୁ ଏହି ଡକ୍ୟୁମେଣ୍ଟାରୀରେ ରହିଛି | ତେବେ ମାଲକାନଗିରି ଜିଲ୍ଲାରେ ମାଓବାଦୀ ହିଂସା ଯୋଗୁ ମଧ୍ୟ କେତେକ ଅନାଥ ହୁଅନ୍ତି ବୋଲି ଯୁବ ସ୍ତମ୍ଭକାର ବିମଳ ପ୍ରସାଦ କହିଥିଲେ | ଏସବୁ ସମସ୍ୟାକୁ ଦୂରେଇବା ପାଇଁ ବିକାଶ ପାଣ୍ଠିର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ |

ପିଲାମାନେ ଦେଶରେ ଭବିଷ୍ୟତ | ଏହା କେବଳ ଏକ ବାକ୍ୟ ହୋଇ ରହିବା ଉଚିତ୍ ନୁହେଁ | ‘ପିରଚୟ ସନ୍ଧାନରେ’ ଦେଖିବା ପରେ ଯେ କେହି ପିଲାଙ୍କ ଦୟନୀୟ ସ୍ଥିତିକୁ ନେଇ ଚିନ୍ତିତ ହେବ | ସରକାର ଏମିତି କିଛି କରିବା ଦରକାର ଯେମିତି ଏହି ଅନାଥ ପିଲାମାନେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଉପଯୁକ୍ତ ଥଇଥାନ ହୋଇପାରିବେ | ଶେଷରେ ନିଜର ପରିଚୟ ନିଜେ ଖୋଜି ପାଇପାରିବେ | ବାହାର ଲୋକଙ୍କ ପାଇଁ ସେ ଅପରିଚିତ ଓ ଅନାଥ ହୋଇ ରହିବେ ନାହିଁ |