ଏମିତି ଏକ ଗାଁ ଯେଉଁଠି ପ୍ରତି ପରିବାରରେ ଜଣେ ଆଇଏଏସ

ଏମିତି ଏକ ଗାଁ ଯେଉଁଠି ପ୍ରତି ପରିବାରରେ ଜଣେ ଆଇଏଏସ

Saturday January 23, 2016,

2 min Read

ଭାରତରେ ପ୍ରତିବର୍ଷ କେତେ ଛାତ୍ର ଆଇଏଏସ୍ ବା ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷାରେ ସଫଳ ହେବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ଏହି କଠିନ ପରୀକ୍ଷାରେ ମାତ୍ର ୦.୦୦୪ ପ୍ରତିଶତ ଛାତ୍ର କୃତକାର୍ଯ୍ୟ ହୋଇଥା’ନ୍ତି । ଆଶ୍ଚର୍ଯ୍ୟର କଥା ଏହା ଯେ, ଉତ୍ତର ପ୍ରଦେଶର ଏଭଳି ଏକ ଗାଁ ଅଛି ଯେଉଁଠି ଅଧିକାଂଶ ଲୋକ ଆଇଏଏସ୍ ଅଫିସର୍ ।

ଉତ୍ତର ପ୍ରଦେଶର ଜଉନପୁର ଜିଲ୍ଲା ଅନ୍ତର୍ଗତ ମାଧୋପତି ଗାଁରେ ଥିବା ୭୫ଟି ପରିବାର ମଧ୍ୟରେ ରହିଛନ୍ତି ୪୭ଜଣ ଆଇଏଏସ୍ ଅଫିସର୍ । କେବଳ ଏତିକି ନୁହେଁ, ଏହାଛଡା ଏହି ଗାଁର ଆଉ ଏକ କୀର୍ତ୍ତିମାନ ମଧ୍ୟ ରହିଛି । ଗାଁର ଗୋଟିଏ ପରିବାରର ୪ ଭାଇ ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଉଛନ୍ତି, ବିନୟ କୁମାର ସିଂହ, ଛତ୍ରପାଲ ସିଂହ, ଅଜୟ କୁମାର ସିଂହ ଓ ଶଶୀକାନ୍ତ ସିଂହ । ଭାଇମାନଙ୍କ ମଧ୍ୟରେ ସବୁଠୁ ବଡ ବିନୟ କୁମାର ୧୯୫୫ ମସିହାରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ବିହାରର ମୁଖ୍ୟ ଶାସନ ସଚିବ ହୋଇ ଅବସର ନେଇଥିଲେ । ସେହିପରି ତାଙ୍କ ସାନ ଭାଇ ଛତ୍ରପାଲ ସିଂହ ତାମିଲନାଡୁର ମୁଖ୍ୟ ଶାସନ ସଚିବ ପଦବୀରେ ରହିଥିଲେ ।

ମାଧୋପତି ଗାଁର ପ୍ରଥମ ଆଇସିଏସ୍ ଥିଲେ ମୁସ୍ତଫା ହୁସେନ୍(କବି ୱାକିମ୍ ଜଉନପୁରୀଙ୍କ ପିତା) । ସେ ଇଂରେଜ ଶାସନ କାଳରେ ୧୯୧୪ ମସିହାରେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ତେବେ ଏହା ପରେ କିଛି ବର୍ଷ ପାଇଁ ଗାଁରୁ ଆଉ କେହି ପ୍ରଶାସନିକ ସେବାରେ ଯୋଗ ଦେଇ ନଥିଲେ । ମୁସ୍ତଫା ହୁସେନଙ୍କ ପରେ ୧୯୫୨ ମସିହାରେ ଇନ୍ଦୁ ପ୍ରକାଶ ଗାଁର ଦ୍ୱିତୀୟ ବ୍ୟକ୍ତି ଭାବେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସେବେଠାରୁ ଏହା ସେହି ଗାଁରେ ଯେମିତି ଏକ ପ୍ରଥା ଭଳି ଚାଲି ଆସୁଛି ।

image


ଏବିଷୟରେ ସ୍ଥାନୀୟ ଜଣେ ଶିକ୍ଷକ ଅରବିନ୍ଦ କୁମାର କୁହନ୍ତି, “ଗାଁରେ ଯୁକ୍ତ ଦୁଇ ପାଠ ପଢ଼ୁଥିବା ଛାତ୍ରଟିଏ, ସେବେଠୁ ହିଁ ପ୍ରଶାସନିକ ସେବା ପାଇଁ ଚେଷ୍ଟା ଆରମ୍ଭ କରିଥାଏ । ଏହି ଶ୍ରେଣୀୟ ଛାତ୍ରମାନଙ୍କୁ ଏଠାରେ ସବୁବେଳେ ଗାଇଡ୍ ବହି ଧରି ଭାରତୀୟ ପ୍ରଶାସନିକ ସେବା ଓ ପ୍ରାଦେଶିକ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରୁଥିବାର ଦେଖିବାକୁ ମିଳିଥାଏ । ଏଠାରେ ଅଧିକାଂଶ ସ୍କୁଲରେ ହିନ୍ଦୀ ମାଧ୍ୟମରେ ଶିକ୍ଷା ଦିଆଯାଉଥିବାରୁ, ଛାତ୍ର ମାନେ ଖୁବ୍ କମ୍ ବୟସରୁ ସେମାନଙ୍କ ଇଂରାଜୀରେ ସୁଧାର ଆଣିବାକୁ ଲାଗିପଡିଥା’ନ୍ତି ।”

image


ଆଶ୍ଚର୍ଯ୍ୟର କଥା ଏହା ଯେ, ଯେଉଁ ଗାଁର ଏତେ ସଂଖ୍ୟକ ବ୍ୟକ୍ତି ଦେଶର ଏଭଳି ମର୍ଯ୍ୟାଦାଜନକ ପଦବୀରେ ରହି ଆସିଛନ୍ତି, ସେହି ଗାଁ ରେ ଏବେ ବି ଅନେକ ସାଧାରଣ ସୁବିଧା ସୁଯୋଗର ଅଭାବ ରହିଛି । ଗାଁର ରାସ୍ତାଘାଟ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ରହିଛି, ବିଦ୍ୟୁତ ସରବରାହ ଅନିୟମିତ ରହୁଥିବାବେଳେ ଗାଁର ଲୋକମାନଙ୍କ ପାଇଁ ଅତ୍ୟନ୍ତ ସାଧାରଣ ଚିକିତ୍ସା ବ୍ୟବସ୍ଥା ରହିଛି । ଏବେ ବି ଏହି ଗାଁରେ ପାଠ ପଢ଼ି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଇଛୁକ ଛାତ୍ରମାନଙ୍କ ପାଇଁ କୋଚିଂ ସେଣ୍ଟର କିମ୍ବା ଅନ୍ୟ କୌଣସି ଅତ୍ୟାଧୁନିକ ସୁବିଧା ନାହିଁ ।