ସଂସ୍କୃତ ବିଶାରଦଙ୍କୁ ସମ୍ମାନିତ କରିବ ନାଲ୍‍କୋ

ସଂସ୍କୃତ ବିଶାରଦଙ୍କୁ ସମ୍ମାନିତ କରିବ ନାଲ୍‍କୋ

Saturday December 19, 2015,

1 min Read

ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ସଂସ୍କୃତ ଭାଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତି ବର୍ଷ ଦୁଇ ଜଣ ସଂସ୍କୃତ ବିଶାରଦଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ପ୍ରତି ବର୍ଷ ଜାନୁୟାରୀ ୭ ତାରିଖରେ ନାଲ୍‍କୋର ପ୍ରତିଷ୍ଠା ଦିବସ ଅବସରରେ ନାଲ୍‍କୋ କାଳୀଦାସ ସମ୍ମାନ ନାମରେ ଯୋଗ୍ୟ ବିବେଚିତ ଉଭୟ ବିଶାରଦଙ୍କୁ ୫୦,୦୦୦ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯିବ । ଆଜି ପୁରୀ ଠାରେ ନିର୍ମାଲ୍ୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ‘ଭାରତ, ସହନଶୀଳତାର ପ୍ରତୀକ’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗ ଦେଇ ନାଲ୍‍କୋର ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଏହି ଘୋଷଣା କରିଛନ୍ତି ।

image


ଏହି ଅବସରରେ, ଉପସ୍ଥିତ ମାନ୍ୟଗଣ୍ୟ ଅତିଥି ଏବଂ ବିଭିନ୍ନ ରାଜ୍ୟର ପ୍ରତିନିଧିମାନଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ଚାନ୍ଦ କହିଲେ ଯେ ଭାରତ ସର୍ବଦା ସହନଶୀଳତାର ଅନନ୍ୟ ଉଦାହରଣ ସୃଷ୍ଟି କରିଆସିଛି । ଏଠାରେ ଅନେକ ଆକ୍ରମଣକାରୀ ପରବର୍ତ୍ତୀ ସମୟରେ ଏହି ଜାତିର ବିବିଧତାମୟ ସଂସ୍କୃତିରେ ସଂଶ୍ଳିଷ୍ଟ ହୋଇଯିବାର ନଜିର ରହିଛି। ଅନ୍ୟ ବିଶିଷ୍ଟ ବକ୍ତାଙ୍କ ମଧ୍ୟରେ ତିରୁପତି ବିଶ୍ୱବିଦ୍ୟାଳୟର ଭାଇସ୍‍ ଚାନ୍ସେଲର୍‍ ପ୍ରଫେସର୍‍ ଏଚ୍‍.କେ. ଶତପଥୀ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଭାଇସ୍‍ ଚାନ୍ସେଲର୍‍ ପ୍ରଫେସର୍‍ ଗଙ୍ଗାଧର ପଣ୍ଡା ଏହି ଅବସରରେ ଉଦ୍‍ବୋଧନ ଦେଇଥିଲେ ।

ଶ୍ରୀ ଚାନ୍ଦଙ୍କୁ ଏହି ଅବସରରେ, ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ, ନିର୍ମାଲ୍ୟର ସଭାପତି ବଦ୍ରି ମିଶ୍ର, ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ବିଶ୍ୱନାଥ ମିଶ୍ର ଆଲୋଚନାଚକ୍ରର ବିଷୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ।