ଗ୍ରୀଷ୍ମପ୍ରବାହ ସଂପର୍କରେ ସଚେତନ କରୁଛି ‪#‎BeatTheHeat2016‬ ଅଭିଯାନ

ଗ୍ରୀଷ୍ମପ୍ରବାହ ସଂପର୍କରେ ସଚେତନ କରୁଛି  ‪#‎BeatTheHeat2016‬ ଅଭିଯାନ

Tuesday April 19, 2016,

2 min Read

image


ଚଳିତ 2016 ମସିହା ସାରା ବିଶ୍ବ ପାଇଁ ଏକ ଅତି ଉତ୍ତପ୍ତ ବର୍ଷ ହେବ ବୋଲି କିଛିମାସ ପୂର୍ବରୁ ପାଣିପାଗ ବିଶେଷଜ୍ଞମାନେ ଯେଉଁ ପୂର୍ବାନୁମାନ କରିଥିଲେ ତାହା ଧୀରେ ଧୀରେ ସତ ପ୍ରମାଣିତ ହେବାକୁ ଲାଗିଛି। ଗରମ ବଢିବା ସହ ଏବେଠାରୁ ସାରାଦେଶରେ ଜଳାଭାବ ସମସ୍ଯା ଅତି ଉତ୍କଟ ହୋଇଛି। ଆମ ଦେଶର ବିଦର୍ଭ, ତେଲେଙ୍ଗାନା, ମରାଠାଡା, ବୁନ୍ଦେଲଖଣ୍ଡ ପ୍ରଭୃତି ଅଞ୍ଚଳରେ ପ୍ରବଳ ଜଳାଭାବ ଦେଖାଦେଇଛି। ପାଣି ଟିକିଏ ପାଇଁ ଲୋକମାନେ କେତେ ଯେ ହିନସ୍ତା ହୋଉଛନ୍ତି ତାହାର ତୁଳନା ନାହିଁ। ନଦୀବହୁଳ ରାଜ୍ଯ ଓଡ଼ିଶାରେ ମଧ୍ୟ ସ୍ଥିତି ଭଲ ନାହିଁ। ଏବର୍ଷ ଅସ୍ବାଭାବିକ ଗରମ ପଡିଥିବାବେଳେ ରାଜ୍ଯର ପଶ୍ଚିମ ଓ ଦକ୍ଷିଣ ଜିଲ୍ଲାଗୁଡିକରେ ଲୋକେ ପାଣିପାଇଁ ହସ୍ତସନ୍ତ ହେଉଛନ୍ତି। ସେପଟେ ପ୍ରବଳ ଗରମରୁ ଅଂଶୁଘାତ ମାମଲା ବଢିଚାଲିଛି। ଜଳବାୟୁ ପରିବର୍ତ୍ତନ, ଶିଳ୍ପାୟନ ଓ ଅନ୍ଯାନ୍ଯ କାରଣରୁ ରାଜ୍ଯର ଜଙ୍ଗଲ ସଂପଦ ଦ୍ରୁତଗତିରେ ହ୍ରାସ ପାଇବାର କୁଫଳ ସାଧାରଣ ଲୋକେ ଭୋଗୁଛନ୍ତି ବୋଲି କହିଲେ ଭୁଲ ହେବ ନାହିଁ। କିନ୍ତୁ ଏ ପରିସ୍ଥିତିର ମୁକାବିଲା ପାଇଁ ଆମେ କଣ କରିପାରିବା? ଏହାର ମୁକାବିଲା ଲାଗି ସାଧାରଣ ଲୋକଙ୍କ ସ୍ତରରୁ ହିଁ ସତେତନତା ସୃଷ୍ଟି ହେବା ଆବଶ୍ଯକ ବ୍ଯକ୍ତିଗତ ସ୍ତରରୁ ହିଁ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ଆରମ୍ଭ ହେବା ଆବଶ୍ଯକ। 

ଏପରି ସଚେତନତା ବାର୍ତ୍ତା ନେଇ ଜଳ ସଂରକ୍ଷଣ ପାଇଁ ଲଢୁଥିବା ରାଜ୍ଯର ଏକ ପ୍ରମୁଖ ଅନୁଷ୍ଠାନ ୱାଟର ଇନିସିଏଟିଭ ଓଡ଼ିଶା ପକ୍ଷରୁ ଆରମ୍ଭ କରାଯାଇଛି ବିଟ୍ ଦ ହିଟ୍ ଅଭିଯାନ-2016। ଏହି ଅଭିଯାନ ଉଭୟ ତୃଣମୂଳ ସ୍ତରରେ ସାଧାରଣ ଲୋକମାନଙ୍କୁ ସଚେତନ କରାଯିବା ଓ ଏହା ସହିତ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଏବଂ ଲୋକଙ୍କ ସମସ୍ଯାକୁ ପ୍ରଶାସନ ନିକଟରେ ପହଞ୍ଚାଇବା ଉପରେ ଉଦ୍ୟମ କରିବ। 

image


ଏ ଅଭିଯାନ ସଂପର୍କରେ ସୂଚନା ଦେଇ ୱାଟର ଇନିସିଏଟିଭ ଓଡ଼ିଶାର ଆବାହକ ରଂଜନ ପଣ୍ଡା କହିଛନ୍ତି ଯେ,

2016 ବର୍ଷଟି ସବୁଠାରୁ ତତଲା ବର୍ଷ ହେବାର ରେକର୍ଡ କରିବାକୁ ଯାଉଛି ଏହା ସହିତ ଜଳସଂକଟ ମଧ୍ୟ ବଢିଯାଇଛି। ୱାଟର ଇନିସିଏଟିଭ ଓଡ଼ିଶା ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନଟି ସଂଗଠନର ସଦସ୍ଯ ଅନୁଷ୍ଠାନ ତଥା ସମ୍ପର୍କିତ ସଂଗଠନ ଗୁଡିକ ଦ୍ବାରା କାର୍ଯ୍ୟକାରୀ କରାଯାଉଛି। ଅଭିଯାନର ମୁଖ୍ଯ ଉଦ୍ଦେଶ୍ଯ ହେଉଛି ନଦୀ, ପୋଖରୀ ଅନ୍ଯ ଜଳାଶୟ ଓ ଜଳଉତ୍ସଗୁଡିକର ସୁରକ୍ଷା,ଜଙ୍ଗଲ ଓ ପରିବେଶର ସୁରକ୍ଷା। ଅଭିଯାନଟିକୁ ଉଭୟ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯିବା ସହ ଏକ ଜନସଚେତନତା ଅଭିଯାନ ମଧ୍ୟ କରାଯିବ। ଜନସଚେତନତା ଅଭିଯାନ ମାଧ୍ୟମରେ ଡିଜିଟାଲ ଓ ସୋସିଆଲ ମିଡିଆ ତଥା ପାରମ୍ପରିକ ଗଣମାଧ୍ୟମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ ଓ ଏ କ୍ଷେତ୍ରରେ ପ୍ରଶାସନର ଜରୁରୀ ପଦକ୍ଷେପ ପାଇଁ ଜନମତ ସୃଷ୍ଟି କରାଯିବ। 
ରଞ୍ଜନ ପଣ୍ଡା

ରଞ୍ଜନ ପଣ୍ଡା


ଏହି ଅଭିଯାନ ଆରମ୍ଭ ସହ ସଂଗଠନ ପକ୍ଷରୁ ପ୍ରତିଦିନ ଗୋଟିଏ ଗୋଟିଏ ପ୍ରସଙ୍ଗ ସରକାରଙ୍କ ନିକଟରେ ଉଠାଯାଉଛି। ଅଂଶୁଘାତରେ ମୃତ୍ଯୁବରଣ କରୁଥିବା ଲୋକମାନଙ୍କୁ ସରକାରୀ ସହୟତା ରାଶି ବର୍ତ୍ତମାନର 50 ହଜାର ଟଙ୍କାରୁ 5 ଲକ୍ଷ ଟଙ୍କା ପର୍ଯ୍ଯନ୍ତ ବୃଦ୍ଧି ପାଇଁ ଦାବି କରାଯାଇଛି। ଆହୁରି ମଧ୍ୟ ପ୍ରତ୍ଯେକ ସହରରେ ରାସ୍ତାକଡରେ ଥିବା ବଡ଼ ବଡ଼ ଗଛ କଟା ଚାଲିଥିବାରୁ ତାହାକୁ ରୋକିବା ନିମନ୍ତେ ଟ୍ବିଟ୍ଟର ମାଧ୍ୟମରେ ଜନମତ ସୃଷ୍ଟି କରି ମୁଖ୍ଯମନ୍ତ୍ରୀଙ୍କୁ ଅବଗତ କରିବାକୁ ଉଦ୍ୟମ କରାଯାଉଛି। 

ଲୋକଙ୍କୁ ସଚେତନ କରି ହିଁ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବର ସଫଳ ମୁକବିଲା କରାଯାଇପାରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି