ବିନା ଆଖିରେ ଦୁନିଆ ଦେଖାଉଛି ‘ସ୍ପର୍ଶଧ୍ୟାନ’ ଭାରତର ପ୍ରଥମ ବ୍ରେଲି ଖବରକାଗଜ

ବିନା ଆଖିରେ ଦୁନିଆ ଦେଖାଉଛି ‘ସ୍ପର୍ଶଧ୍ୟାନ’
ଭାରତର ପ୍ରଥମ ବ୍ରେଲି ଖବରକାଗଜ

Saturday November 28, 2015,

3 min Read

୨୦୦୮ ମସିହାରୁ ସ୍ବାଗତ ଥୋରାଟ ଭାରତର ପ୍ରଥମ ବ୍ରେଲି ଖବରକାଗଜ ଚଳାଉଛନ୍ତି । ତାଙ୍କ ୫୦ ଫର୍ଦ୍ଦ ବିଶିଷ୍ଟ ମରାଠୀ ଖବରକାଗଜ ‘ସ୍ପର୍ଶଧ୍ୟାନ’ ମାସରେ ଦୁଇଥର ପ୍ରକାଶ ପାଏ । ସେ କହନ୍ତି-

"ମାତ୍ର ୧୦୦ ଖଣ୍ଡରୁ ଆରମ୍ଭ ହୋଇ ବର୍ତ୍ତମାନ ଏହାର ବିତରଣ ୪୦୦ରେ ପହଞ୍ଚିଛି । ମହାରାଷ୍ଟ୍ରର ୩୧ ଜିଲ୍ଲାରେ ଦୃଷ୍ଟିହୀନଙ୍କ ଲାଗି କାର୍ଯ୍ୟରତ ବିଦ୍ୟାଳୟ ଓ ଏନଜିଓମାନଙ୍କୁ ଏହା ମାଗଣାରେ ବଣ୍ଟନ କରାଯାଉଛି । ପ୍ରତି କାଗଜକୁ ଅନ୍ୟୁନ ୬୦ ଜଣ ପଢ଼ୁଛନ୍ତି ଓ ଏହି ଭାବେ ଆମେ ପ୍ରତି ସଂଖ୍ୟାରେ ୨୪ ହଜାରରୁ ଅଧିକ ପାଠକଙ୍କ ପାଖରେ ପହଞ୍ଚୁଛୁ ।"

ସ୍ଵାଗତଙ୍କର ପିଲାଦିନ ବେଶ୍ ସୁଖ ସ୍ଵାଛନ୍ଦ୍ୟରେ କଟିଥିଲା । ଏବେ ସେ ଯେଉଁ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି, ପୂର୍ବରୁ ଏ ସମସ୍ୟା ବାବଦରେ ତାଙ୍କର ଧ୍ୟାନଧାରଣା ନଥିଲା । ସେ ଜଣେ ବନ୍ୟପ୍ରାଣୀ ଫଟୋଗ୍ରାଫର, ନାଟ୍ୟକାର, ନିର୍ଦ୍ଦେଶକ ଓ ଚିତ୍ରକର ହେବାର ସ୍ଵପ୍ନ ଦେଖୁଥିଲେ ।

image


ତେବେ ୧୯୯୩ରେ ଦୃଷ୍ଟିହୀନଙ୍କ ଉଦ୍ଦେଶ୍ୟରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ‘କାଲୋଖାତିଲ ଚାନ୍ଦାନେ’ ପାଇଁ ଲେଖିବା ବେଳେ ସେ ସେମାନଙ୍କ ପୃଥିବୀ ସହ ପରିଚିତ ହେଲେ । ୧୯୯୭ରେ ସେ ୮୮ ଜଣ ଦୃଷ୍ଟିହୀନ କଳାକାରଙ୍କୁ ନେଇ ‘ସ୍ଵତନ୍ତ୍ରୟାଚି ଯଶୋଗାଥା’ ଶୀର୍ଷକ ଏକ ନାଟକ ନିର୍ଦ୍ଦେଶନା ଦେଲେ ଯାହା ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଲା । ଏହି ସମୟରେ ସେ ଜାଣି ଆମୋଦିତ ହେଲେ ଯେ ଦୃଷ୍ଟିହୀନମାନେ ବହି ପଢ଼ିବାକୁ ବେଶ୍ ପସନ୍ଦ କରୁଛନ୍ତି । ତେବେ ଦୃଷ୍ଟିହୀନଙ୍କର ଦୁଃଖ ଥିଲା, ଯେଉଁ ସବୁ ଜିନିଷ ବା ବହି ସେମାନେ ପଢ଼ିବାକୁ ଆଗ୍ରହ କରୁଛନ୍ତି ତାହା ବ୍ରେଲି ଲିପିରେ ଉପଲବ୍ଧ ନାହିଁ । ସ୍ଵାଗତ ତୁରନ୍ତ ସେମାନଙ୍କୁ ସ୍ପର୍ଶଗନ୍ଧ ନାମରେ ଏକ ବ୍ରେଲି ପତ୍ରିକା ସଂପାଦନା କରି ଉପହାର ଦେଲେ । ପରେ ପରେ ଆଉ କିଛି ପ୍ରସିଦ୍ଧ ମରାଠୀ ବହିର ବ୍ରେଲି ଲିପି ପ୍ରସ୍ତୁତ କରି ସେ ଦୃଷ୍ଟିହୀନମାନଙ୍କୁ ପଢ଼ିବାକୁ ଦେଲେ । ତେବେ ଦୃଷ୍ଟିହୀନଙ୍କ ପଢ଼ିବା ଓ ଜାଣିବାର କ୍ଷୁଧା ନିବାରଣ ପାଇଁ ସେ ଏକ ଦୀର୍ଘସ୍ଥାୟୀ ସୂତ୍ର ସନ୍ଧାନ କରୁଥିଲେ । ଆଉ ସେଇଠୁ ଜନ୍ମ ନେଲା ବ୍ରେଲି ଖବରକାଗଜ । ସ୍ପର୍ଶଧ୍ୟାନର ପ୍ରଥମ ସଂଖ୍ୟା ପ୍ରକାଶ ପାଏ ୨୦୦୮ ଫେବ୍ରୁଆରିରେ ।

ଆନ୍ନା ହଜାରେ ଙ୍କ ସହ

ଆନ୍ନା ହଜାରେ ଙ୍କ ସହ


ସେବେଠାରୁ ସ୍ପର୍ଶ ଧ୍ୟାନ ମାଧ୍ୟମରେ ସାମସମୟିକ ବିଶ୍ୱ ଖବର, ବନ୍ୟଜନ୍ତୁ ସଂରକ୍ଷଣ, ପରିବେଶ ଭଳି ପ୍ରସଙ୍ଗ, ରାଜନୈତିକ ଘଟଣାବଳି, ସାମଜିକ ସନ୍ଦର୍ଭ, ଅନ୍ତର୍ଜାତୀୟ ଖବର, ପ୍ରଭାବିତ କଲା ଭଳି ଜୀବନୀ ଏବଂ ଶିକ୍ଷା ଓ କ୍ୟାରିୟର ପରାମର୍ଶ ଭଳି ନାନାଦି କଥାକୁ ପରସି ଆସୁଛନ୍ତି ସ୍ଵାଗତ । ୨୦୧୨ ମାର୍ଚ୍ଚରୁ ରିଲାଏନ୍ସ ଫାଉଣ୍ଡେସନ୍ ପ୍ରତିଷ୍ଠିତ ହିନ୍ଦୀ ବ୍ରେଲି ପାକ୍ଷିକ ‘ରିଲାଏନ୍ସ ଦୃଷ୍ଟି’ର ମୁଖ୍ୟ ସମ୍ପାଦକ ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି । ଏଭଳି ବ୍ରେଲି ପତ୍ରିକା ସମ୍ପାଦନା ଜନିତ ଆହ୍ୱାନ ସମ୍ବନ୍ଧରେ ପ୍ରଶ୍ନର ଉତ୍ତରରେ ହସିଦେଇ ସ୍ଵାଗତ କହନ୍ତି-

‘ପ୍ରତିଟି ଆହ୍ୱାନ ଭିତରେ ମୁଁ ସୁଯୋଗ ଦେଖେ । ମରାଠୀରେ ଗୋଟେ ଲୋକକ୍ତି ଅଛି ଯାହାର ଅର୍ଥ ହେବ, ଯଦି ପଢ଼ିବ ତେବେ ତିଷ୍ଠିବ । ମୁଁ ଦୃଢ଼ ଭାବେ ବିଶ୍ୱାସ କରେ ଯେ ମଣିଷର ସଂଘର୍ଷ କେବଳ ଖାଦ୍ୟ, ବସ୍ତ୍ର ଓ ବାସଗୃହରେ ସୀମିତ ନୁହେଁ । ଏହା ଠୁ ବହୁତ ଅଧିକ ତାକୁ ହାସଲ କରିବାର ଅଛି । ପଢ଼ିବା ଦ୍ୱାରା ମୋ ପାଠକ ମାନେ ସେମାନଙ୍କ ଦୈନନ୍ଦିନ ଜୀବନକୁ ବଦଳାଇବା ଶିଖିଛନ୍ତି । ସେମାନେ ଅଧିକ ଆତ୍ମବିଶ୍ୱାସୀ ହୋଇଛନ୍ତି । ବିଗତ ବର୍ଷମାନଙ୍କ ମଧ୍ୟରେ ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ହେବା ମୁଁ ଦେଖିଛି ।’

ସ୍ଵାଗତ ଏସବୁ ଭିନ୍ନ ଏବେ ଜଣେ ବନ୍ୟପ୍ରାଣୀ ଫଟୋଗ୍ରାଫର ଭାବେ ବି ବେଶ୍ ନାଁ କରିଛନ୍ତି । ସେ ଏଯାଏଁ ୫୦ ଜାତୀୟ ଉଦ୍ୟାନ, ୩୦୦ ଅଭୟାରଣ୍ୟ ଭ୍ରମଣ କରିବା ସହ ଏକ ଲକ୍ଷରୁ ଅଧିକ ଫଟୋ ଓ ୪୦୦ ଘଣ୍ଟାରୁ ଅଧିକ ବନ୍ୟପ୍ରାଣୀ ଭିଡିଓ ଉଠାଇ ସାରିଛନ୍ତି । ପିଲାଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ବାବଦରେ ବୁଝାଇବା ଲାଗି ସେ ଏଯାବତ ୩୦୦ ସ୍କୁଲ ବୁଲି ସାରିଲେଣି । ରାଥାମ୍ବୋର ଜାତୀୟ ଉଦ୍ୟାନ, କର୍ୱେଟ୍ ଜାତୀୟ ଉଦ୍ୟାନ ଓ ସୁନ୍ଦରବନରେ ସେ ବନ୍ୟପ୍ରାଣୀ ଗଣନା କରିଛନ୍ତି । ଏବେ ସେ କଶ୍ମୀରର ବନ୍ୟପ୍ରାଣୀ ବିବିଧତା ଉପରେ ଏକ ପ୍ରାମାଣିକ ଚିତ୍ର କରୁଛନ୍ତି।

image


ନାଟକ ପ୍ରତି ତାଙ୍କର ଭଲ ପାଇବା ବି ଜାରି ରହିଛି । ଜ୍ୟୋତିରାଓ ଫୁଲେଙ୍କ ଲିଖିତ ସାମାଜିକ ନାଟକ ‘ତୃତୀୟ ନେତ୍ର’ର ସେ ନିର୍ଦ୍ଦେଶନା ଦେଇଛନ୍ତି । ୧୪୬ ବର୍ଷ ପରେ ଏ ନାଟକଟି ପ୍ରଥମ ଥର ପାଇଁ ମଞ୍ଚସ୍ଥ ହେଲୋ । ଏବେ ଏହାକୁ ନେଇ ସେ ସିନେମା ନିର୍ମାଣ କରୁଛନ୍ତି । ନାଟକ ପାଇଁ ବହୁ ପୁରସ୍କାର ଓ ସମ୍ମାନ ବି ସେ ପାଇଛନ୍ତି । ସାମାଜିକ କାମ ପାଇଁ ମଧ୍ୟ CNN-IBN ରିଅଲ ହିରୋ ସମ୍ମାନ ସମେତ ବହୁ ସମ୍ମାନର ଅଧିକାରୀ ସ୍ଵାଗତ ।

ଏବେ ସେ ନିଜର ଅଧିକାଂଶ ସମୟ ବ୍ରେଲି ଭାଷାରେ ପ୍ରକାଶନ ଓ ଏହାର ପ୍ରସାର ପାଇଁ ବିତାଉଛନ୍ତି । ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କଠିନ ପରିଶ୍ରମ ଓ ସଂପୃକ୍ତି ଆବଶ୍ୟକ ବୋଲି ସେ ବିଶ୍ୱାସ କରନ୍ତି ।

ମୂଳ ଲେଖା - ସୌରଭ ରାୟ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା

    Share on
    close