ବିକ୍ରମ ସ୍ୱାଇଁଙ୍କ କାହାଣୀ: ଅନାଥ ଆଶ୍ରମରୁ ବଲିଉଡ୍ ପର୍ଯ୍ୟନ୍ତର ଯାତ୍ରା

ବିକ୍ରମ ସ୍ୱାଇଁଙ୍କ କାହାଣୀ: ଅନାଥ ଆଶ୍ରମରୁ ବଲିଉଡ୍ ପର୍ଯ୍ୟନ୍ତର ଯାତ୍ରା

Friday July 29, 2016,

4 min Read

ପ୍ରତିଭା କେବେ ଲୁଚି ରହେ ନାହିଁ । ମଣିଷ ଯେ କୌଣସି ପରିସ୍ଥିତିରେ ଥିଲେ ମଧ୍ୟ ତାହାର ପ୍ରତିଭା ଦ୍ୱାରା ସେ ଦିନେ ନା ଦିନେ ପରିଚିତ ହୁଏ ଏହା ଇତିହାସରେ ଅନେକ ଥର ପ୍ରମାଣ ହୋଇସାରିଛି । ପୁଣି ଥରେ ଏହି କଥାକୁ ପ୍ରମାଣ କରିଛନ୍ତି ଆଉ ଜଣେ ଓଡ଼ିଆ ଯୁବକ ବିକ୍ରମ ସ୍ୱାଇଁ । ତାଙ୍କ ଜୀବନ ଯାତ୍ରାର କାହାଣୀ କୌଣସି ବଲିଉଡ୍ ସିନେମାର କାହାଣୀଠାରୁ କମ ନୁହେଁ । ନିଜର କଠିନ ପରିଶ୍ରମ ଓ ଅଦମ୍ୟ ଇଛା ଶକ୍ତି ବଳରେ ଏହି ଯୁବକ ଜଣକ ବଲିଉଡ୍ ରେ ପ୍ରବେଶ କରିପାରିଛନ୍ତି । ଟାଇଗର୍ ଶ୍ରଫଙ୍କ ଭଳି ପ୍ରତିଷ୍ଠିତ ବଲିଉଡ୍ ଅଭିନେତାଙ୍କ ବ୍ୟକ୍ତିଗତ ତାଲିମଦାତା ଭାବେ ଏବେ ସେ କାମ କରୁଛନ୍ତି ।

image


ବିକ୍ରମ ଓଡ଼ିଶାର ଅନ୍ତାରିଗ୍ରାମ୍ ନାମକ ଏକ ମଫସଲ ଗାଁରେ ଜନ୍ମ ହୋଇଥିଲେ । ନିଜର ବାପା ଥିବା ସତ୍ୱେ ତାଙ୍କୁ ଅନାଥ ଆଶ୍ରମ ରହିବାକୁ ପଡ଼ିଥିଲା। ପିଲାଦିନ କଣ ସେ ଜାଣିବା ପୂର୍ବରୁ ତାଙ୍କ ଉପରେ ବୋଝ ଲଦି ହୋଇଯାଇଥିଲା । ଅନାଥ ଆଗ୍ରଣରେ ତାଙ୍କ ସହିତ ନିଜର ସାନ ଭାଇଟି ମଧ୍ୟ ରହୁଥିଲା ।

ବିକ୍ରମଙ୍କୁ ଯେତେବେଳେ ୯ ବର୍ଷ ବୟସ ହୋଇଥିଲା ସେ ଏକ ପାର୍କରେ କାମ କରିବା ଆରମ୍ଭ କରିଥିଲେ । ସେତେବେଳ ତାଙ୍କୁ ୪୦୦ ଟଙ୍କାର ଦରମା ମିଳୁଥିଲା । ଏତେ କମ ବୟସରେ କାମ କରି ସେ ଯାହା କିଛି ରୋଜଗାର କରୁଥିଲେ ସେଥିରେ ନିଜ ଭାଇ ପାଇଁ ଖାଇବା ସାମଗ୍ରୀ ମଧ୍ୟ କିଣୁଥିଲେ । ଏମିତି କିଛି ଦିନ ଗଡ଼ି ଚାଲିଲା । ସେହି କାମରେ ତାଙ୍କୁ ଆଉ ସନ୍ତୁଷ୍ଟି ମିଳିଲା ନାହିଁ । ତେଣୁ ସେ ସେଠାରୁ ସୁରଟ ଚାଲିଗଲେ । ଭାବିଥିଲେ ସେଠାରେ ସୁତାକାମ ଓ ଏମ୍ବ୍ରୋଡୋରି କାମ ଶିଖିବା ପରେ ଭଲ ରୋଜଗାର ହେବ । ତାଙ୍କର ଭାବନା ଅନୁସାରେ ସବୁ କିଛି ଠିକଠାକ ଚାଲିଲା । ସେ ସେଠାରେ ମାସକୁ ୧୩୦୦ ଟଙ୍କା ଭଳିଆ ରୋଜଗାର ମଧ୍ୟ କଲେ । ସୁରଟରେ କାମ କରିବା ବେଳେ ତାଙ୍କୁ କେହି ଜଣେ କହିଲେ ଏଠାରେ କାମ କରିବା ଅପେକ୍ଷା ମୁମ୍ବାଇ ଚାଲିଗଲେ ସେଠାରେ ଏଭଳି କାମ ପାଇଁ ଆହୁରି ଭଲ ପଇସା ମିଳିବ । ତାଙ୍କ କଥା ରଖି ସେ ସୁରଟ ଛାଡ଼ି ମୁମ୍ବାଇ ଚାଲି ଆସିଲେ । ମୁମ୍ବାଇ ଆସିବା ବେଳେ ଅନ୍ୟ ସମସ୍ତ ସଫଳ କାହାଣୀର ନାୟକଙ୍କ ଭଳି ତାଙ୍କ ପାଖରେ ମଧ୍ୟ ରହିବା ପାଇଁ ଅର୍ଥ ନ ଥିଲା । ମୁମ୍ବାଇ ଭଳି ଏତେ ବଡ଼ ସହରରେ ରହିବା ପାଇଁ ତାଙ୍କୁ ପ୍ରଥମେ ବହୁତ ସଂଘର୍ଷ କରିବାକୁ ପଡ଼ିଲା ।

ମୁମ୍ବାଇରେ ପ୍ରଥମ କିଛି ଦିନ ରହଣୀ ଭିତରେ ତାଙ୍କୁ କାମ ମିଳିଗଲା । ସେ କାର୍ ସଫା କରିବା କାମ କଲେ । ସେଥିରୁ ଯାହା କିଛି ରୋଜଗାର ହେଉଥିଲା ସେଥିରେ ଖାଇପିଇ ଚଳି ଯାଉଥିଲେ । ତାଙ୍କର ଜୀବନରେ ସମ୍ପୂର୍ଣ୍ଣ ନୂଆ ମୋଡ଼ ଆସିଗଲା ଯେତେବେଳେ ୨୦୦୯ ଆସିଲା । ଯେ ଯେଉଁ କାର୍ ଗ୍ୟାରେଜ୍ ରେ କାମ କରୁଥିଲେ ସେଠାରେ ରବିବାର ତାଙ୍କର ଛୁଟି ରହୁଥିଲା । ସେହିଦିନ ସେ ସାଙ୍ଗମାନଙ୍କ ସହ ଜୁହୁ ସମୁଦ୍ରକୂଳ ବୁଲିବାକୁ ଆସନ୍ତି । ଦିନେ ଦେଖିଲେ କିଛି ପିଲା ସେଠାରେ ଜିମ୍ନାଷ୍ଟିକ୍ ଅଭ୍ୟାସ୍ କରୁଛନ୍ତି । ବିକ୍ରମଙ୍କୁ ତାହା ବହୁତ ଭଲ ଲାଗିଲା । ସେ ଅନ୍ୟ ପିଲାମାନଙ୍କୁ ନକଲ କରିବା ଆରମ୍ଭ କରିଦେଲେ । କିିଛି ଦିନ ଏଭଳି ଚାଲିଲା । ରବିବାର ବ୍ୟତୀତ ଅନ୍ୟ ଛୁଟି ଦିନମାନଙ୍କରେ ମଧ୍ୟ ବିକ୍ରମ ଜୁହୁ ସମୁଦ୍ରକୂଳ ଯାଇ ସେଠାରେ ପିଲାମାନେ ଶିକ୍ଷା କରୁଥିବା ଜିମ୍ନାଷ୍ଟିକ୍ ଶିଖିବାକୁ ଲାଗିଲେ ।

ଦିନେ ସମୁଦ୍ରକୂଳରେ ଜିମ୍ନାଷ୍ଟିକ୍ କରୁଥିବା ବେଳେ ତାଙ୍କୁ ବଲିଉଡ୍ ର ଆଗ ଧାଡ଼ିର ନାୟକ ଟାଇଗର୍ ଶ୍ରଫ ଦେଖିଲେ । ସେ ବିକ୍ରମଙ୍କ କଳା କୌଶଳରେ ଏତେ ପ୍ରଭାବିତ ହୋଇଥିଲେ ଯେ ତାଙ୍କୁ ନିଜର ଜିମ୍ ତାଲିମଦାତା ଭାବେ କାମ କରିବାକୁ ଅନୁରୋଧ କଲେ । ଏଭଳି ମଉକା ବିକ୍ରମ କଣ ଛାଡ଼ିଥାନ୍ତେ । ସେ ଶୀଘ୍ର ହଁ ଭରିବା ସହ ଟାଇଗର୍ ଙ୍କୁ କାମ ଶିଖାଇବା ଆରମ୍ଭ କରିଦେଲେ ।

image


ବିକ୍ରମ କହନ୍ତି ଟାଇଗର୍ ଙ୍କ ସହ ମିଶିବା ପରେ ସବୁଠୁ ବଡ଼ ସମସ୍ୟା ଥିଲା ଭାଷା । ସେ ଯେଉଁ ଭାଷାରେ କାହା ହେଉଥିଲେ ତାହା ମୁଁ ଜାଣି ନ ଥିଲି । ତେଣୁ ପ୍ରଥମେ ପ୍ରଥମେ ଯୋଗଯୋଗ କରିବାରେ ବହୁତ ଅସୁବିଧା ହେଉଥିଲା । ଟାଇଗର୍ ତାଙ୍କୁ ଏକ ମୋବାଇଲ୍ ଫୋନ୍ ଓ ସିମ୍ କିଣି କରି ଦେଇଥିଲେ । କେଉଁଠାରେ ଦେଖା ସାକ୍ଷାତ ହେବ ତାହା ସେ ଫୋନ୍ ଜରିଆରେ ଏସ୍ଏମ୍ଏସ୍ କରି ଜଣାଇ ଦେଉଥିଲେ । କିଛି ଦିନ ମିଳାମିଶା କରିବା ପରେ ଟାଇଗରଙ୍କ ଭାଷା ମଧ୍ୟ ବିକ୍ରମ ବୁଝିବା ଆରମ୍ଭ କରିଦେଲେ । ବିକ୍ରମଙ୍କ କଥା ମଧ୍ୟ ଟାଇଗର୍ ଭଲ ଭାବେ ବୁଝିପାରିଥିଲେ ।

ବିକ୍ରମଙ୍କ କୌଶଳକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ଟାଇଗର ତାଙ୍କୁ Youtubeରେ କିଭଳି ଭିଡିଓ ଦେଖି ହେବ ତାହା ଶିଖାଇଲେ । Youtubeର ହଜାର ହଜାର ଭିଡିଓରୁ ଦେଖି ବିକ୍ରମ ନିଜ ପାଇଁ କୌଶଳ ଶିଖିବା ଆରମ୍ଭ କରିଦେଲେ ।

image


ଏବେ ଟାଇଗରଙ୍କ ଟିମ୍ ର ଏକ ପ୍ରମୁଖ ସଦସ୍ୟ ହେଉଛନ୍ତି ବିକ୍ରମ । ଜିମ୍ନାଷ୍ଟିକ୍ ବ୍ୟତୀତ ସେ ନୃତ୍ୟ ମଧ୍ୟ ଶିକ୍ଷା କରିଛନ୍ତି । ବଲିଉଡ୍ର ଅଗ୍ରଶୀ ଡ୍ୟାନ୍ସ ମାଷ୍ଟର୍ ଅହମ୍ମଦ ଖାନ୍ ଙ୍କ ସହକାରୀ ଭାବେ ସେ ହିଟ୍ ବଲିଉଡ୍ ସିନେମା କିକ୍, ଅଲ ଇଜ୍ ୱେଲ୍ ଆଦିରେ କାମ କରିଛନ୍ତି ।

ଟାଇଗର ଶ୍ରଫଙ୍କ ସହ ସାକ୍ଷାତ ହେବା ପରେ ବିକ୍ରମଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି । ଏବେ ସେ ଦେଶ ବିଦେଶର ବିଭିନ୍ନ ସ୍ଥାନ ଯାତ୍ରା କରୁଛନ୍ତି । ନିଜର ସଫଳତାରେ ଭାବବିହ୍ୱଳ ହୋଇ ବିକ୍ରମ କହିଛନ୍ତି ଯେ,

ମୁଁ ମୋ ଗାଁର ପ୍ରଥମ ବ୍ୟକ୍ତି ଯିଏ ବିଦେଶ ଯାତ୍ରା କରିଛି । ଆମ ଗାଁ ଗଂଜାମ ଜିଲ୍ଲାର ଏକ ନିପଟ ମଫସଲ ଗାଁ । ଏଇ କିଛି ଦିନ ହେଲା ସେଠାରେ ବିଦ୍ୟୁତ ସଂଯୋଗ ପହଂଚିଛି । ଏହା ମାଓବାଦୀଙ୍କ ଦ୍ୱାରା ମଧ୍ୟ ପ୍ରଭାବିତ । ମୁଁ ଯେତେବେଳେ ବିଦେଶ ଗସ୍ତରେ ଥାଏ ମୋର ଫଟୋ ସୋସିଆଲ୍ ମିଡିଆରେ ଦେଖି ମୋ ସାଙ୍ଗମାନେ ବହୁତ ଖୁସି ହୁଅନ୍ତି । ସେମାନେ ମୋ ଫଟୋରେ କମେଣ୍ଟ ଲେଖନ୍ତି ଭାଇ ତୁ ବଡ଼ ମଣିଷ ହୋଇଗଲୁ । ତାହା ଦେଖି ମୋତେ ଖୁସି ଲାଗେ । ମୁଁ ମୋ ଭାଇ ପାଇଁ ଏବେ ବି ସହାୟତା ପ୍ରଦାନ କରୁଛି । ସେ ଏବେ ଏମବିଏ ପାଠ ପଢ଼ୁଛି ।