ଦୃଷ୍ଠିର ଆକ୍ଷରିକ ଅର୍ଥ 'ଦେଖିବାର ଶକ୍ତି'କୁ ବୁଝାଏ। ଯଦିଓ ସଜ୍ଞା ଏହି ଅର୍ଥ ସୁଚାଏ, ମାତ୍ର ଦେଖିବାକୁ ଗଲେ ତାର ଗହୀର ଅର୍ଥ ଏତେ ସରଳ ନୁହେଁ। ଅନ୍ୟମାନଙ୍କୁ ସାହାଯ୍ୟ କରିବାର ଅର୍ଥ ସର୍ବଦା ଖାଦ୍ୟ, ଲୁଗାପଟା ବା ଶିକ୍ଷା ଦାନ ହେଇନଥାଏ। ନିଜ ନିଜ ସାଧ୍ୟ ମୁତାବକ ପରିବର୍ତ୍ତନ ଆଣିପାରିବାର କ୍ଷମତା ସଭିଙ୍କ ମଧ୍ୟରେ ରହିଛି। ୧୭ବର୍ଷୀୟ ଆରୁଷି ଗୁପ୍ତା ଏହା ପ୍ରମାଣିତ କରିପାରିଛନ୍ତି।
ଆମ ସମାଜରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସର୍ବଦା ନିଜ ବ୍ୟତୀତ ସମାଜରେ ଥିବା ଦୁସ୍ଥ ଓ ଦରିଦ୍ର ମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରନ୍ତି ଓ ନିଜର ସାଧ୍ୟ ଅନୁସାରେ ସାହାଯ୍ୟ କରନ୍ତି। କେତେକ ଆର୍ଥିକ ସାହାଯ୍ୟ କରନ୍ତି ତ କେତେକ ବ୍ୟକ୍ତିଗତ ଉଦ୍ୟମରେ ସାହାଯ୍ୟ କରନ୍ତି। ଆଜି ଆମେ ଯାହା ବିଷୟରେ ଆଲୋଚନା କରିବା ସେ ହେଉଛନ୍ତି ଜଣେ ୧୭ ବର୍ଷୀୟା କିଶୋରୀ ଆରୁଶୀ ଗୁପ୍ତା ଯିଏ ଦୃଷ୍ଟିହୀନ ମାନଙ୍କ ସାହାଯ୍ୟ କରି ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି ଓ ପ୍ରମାଣ କରିଛନ୍ତି ଯେ ସମାଜରେ ସେବା ବା ସାହାଯ୍ୟ କରିବାକୁ ହେଲେ ବୟସ ଏକ ବାଧକ ନୁହେଁ।
ସେ ଦିଲ୍ଲୀର ବାରାଖମ୍ବାରୋଡ଼ ସ୍ଥିତ ମଡେଲ୍ ପବ୍ଲିକ୍ ସ୍କୁଲର ଦ୍ଵାଦଶ ଶ୍ରେଣୀର ଛାତ୍ରୀ। ୨୦୦୯ରେ ସେ ସ୍ପେକ୍ଟାକୁଲାର ଡ୍ରାଇଭ ନାମରେ ଏକ ଅଭିଯାନ ଆରମ୍ଭ କଲେ ଯେଉଥିରେ ସେ ଦୃଷ୍ଟିହୀନ ମାନଙ୍କ ନିମନ୍ତେ ଚଷମା ସଂଗ୍ରହ କରିବା ଆରମ୍ଭ କଲେ। ଏହି ସଂଗୃହୀତ ଚଷମା ଗୁଡିକୁ ସେ ହେଲପ ଏଜ ଇଣ୍ଡିଆ, ଜନସେବା ଫାଉଣ୍ଡେସନ୍,ଗୁଂଜ୍ ଆଦି ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଦେଲେ ଯାହାକି ଦୃଷ୍ଟିହୀନ ମାନଙ୍କ କାମରେ ଲାଗିଲା। ଏହି ଚଷମା ଗୁଡିକ ଦାନ ନ ହେଇଥିଲେ ନଷ୍ଟ ହୋଇଥାନ୍ତା ଯାହାକି ବର୍ତ୍ତମାନ କୌଣସି ଦୃଷ୍ଟିହୀନର କାମରେ ଲାଗି ପାରୁଛି।
ଏ ବିଷୟରେ ଆରୁଶୀ କହନ୍ତି ଯେ ତାଙ୍କୁ ଯେବେ ୧୦ ବର୍ଷ ହେଇଥିଲା ସେ ପ୍ରଥମେ ଏହି ବିଷୟରେ ଚିନ୍ତା କରିଥିଲେ ଯେ ଯଦି କେହି ଦୃଷ୍ଟିହୀନ ମୋର ଅବ୍ୟବହୃତ ଚଷମା ବ୍ୟବହାର କରେ ତେବେ ତାହା ବହୁତ ଭଲ ହେବ, ଯଦିଓ ସେ ସେତେବେଳେ ବହୁତ ଛୋଟ ଥିଲେ କିନ୍ତୁ ଏହି ଚିନ୍ତାଧାର ତାଙ୍କୁ ଆଗକୁ ଯିବାକୁ ପ୍ରେରଣା ଦେଇଥିଲା।
ଆମ ଦେଶରେ ପ୍ରାୟ ୧୫କୋଟି ଲୋକ ଚଷମା ଆବଶ୍ୟକ କରନ୍ତି କିନ୍ତୁ ଅର୍ଥାଭାବ ଯୋଗୁ ଏହାକୁ କିଣିପାରନ୍ତି ନାହିଁ। ଆରୁଶୀ ଏଥିପାଇଁ ନିଜ ସାଙ୍ଗସାଥୀ, ପଡୋଶୀ, ଚକ୍ଷୁରୋଗ ବିଶେଷଜ୍ଞ ମାନଙ୍କ ଠାରୁ ଚଷମା ସଂଗ୍ରହ କରିବାରେ ଲାଗିଲେ। ଚଷମା ଦେବାସହ ସେ ଚକ୍ଷୁଚିକିତ୍ସା ଶିବିର ମାନ ଆୟୋଜନ କରିବାରେ ଲାଗିଲେ ଓ ମୋତିଆବିନ୍ଦୁ ରୋଗୀ ମାନଙ୍କ ଅସ୍ତ୍ରୋପଚାର ଅତ୍ୟନ୍ତ କମ ଦାମ୍ ରେ କରିବାକୁ ଲାଗିଲେ। ଏଥି ନିମନ୍ତେ ସେ ତାଙ୍କ ପିତା,ମାତା ଓ ପରିବାରଠାରୁ ଭରପୁର ସାହାଯ୍ୟ ପାଇବା ସହିତ ତାଙ୍କ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ପାଇବାରେ ସମର୍ଥ ହେଇଥିଲେ।
କିନ୍ତୁ ତାଙ୍କୁ ପଡୋଶୀ ଓ ସାଥୀ ମାନଙ୍କ ସାହାଯ୍ୟ ନିମନ୍ତେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା। ସବୁଠାରୁ ବଡ ଅସୁବିଧା ଥିଲା ସେମାନଙ୍କ ମନରେ ବିଶ୍ଵାସ ସୃଷ୍ଟି କରିବା ଓ ସେମାନଙ୍କୁ ଏଥି ନିମନ୍ତେ ରାଜି କରେଇ ଓ ବୁଝେଇ ସେମାନଙ୍କଠାରୁ ସାହାଯ୍ୟ ଯୋଗାଡ କରିବା। ଅନେକ ସମୟରେ ଲୋକମାନେ ସବୁକିଛି ବୁଝି ସାରିବା ପରେ ମଧ୍ୟ କୌଣସି ପ୍ରତିକ୍ରିୟା ଦିଅନ୍ତି ନାହିଁ, ଯାହାକି ବହୁତ ବିରକ୍ତିକର ବୋଲି ସେ କହନ୍ତି।
ଅଧିକ ରୁ ଅଧିକ ଲୋକ ମାନଙ୍କ ନିକଟରେ ପହଞ୍ଚିବା ନିମନ୍ତେ ସେ ସର୍ବସାଧାରଣ ସ୍ଥାନରେ ଡ୍ରପବକ୍ସ ମାନ ରଖିଛନ୍ତି, ସେ ଲିଫଲେଟ୍ ଓ ପାମ୍ପଲେଟ ସାହାଯ୍ୟରେ ଅଧିକରୁ ଅଧିକ ଲୋକ ମାନଙ୍କସହ ସମ୍ପର୍କ ରଖିବାକୁ ଓ ଏହି ଯୋଜନା ବିଷୟରେ ଅବଗତ କରିବାକୁ ଚେଷ୍ଟା କରନ୍ତି। ସେ କର୍ପୋରେଟ୍ ଓ ବିଶିଷ୍ଟ ବ୍ୟକ୍ତି ମନକୁ ଭେଟି ନିଜର ଏହି ଅଭିଯାନ ବିଷୟରେ ଆଲୋଚନା କରନ୍ତି ଓ ସେମାନଙ୍କ ଠାରୁ ସାହାଯ୍ୟ ଯୋଗାଡ କରନ୍ତି।
ଆଜି ତାଙ୍କର ଏହି ଅଭିଯାନର ଫଳ ସ୍ଵରୁପ ଆଜି ସେ ୧୫୦୦ ରୁ ଅଧିକ ଚଷମା ସଂଗ୍ରହ କରି ଦୃଷ୍ଟିହୀନ ମାନଙ୍କୁ ଦେଇ ପାରିଛନ୍ତି ଓ ଏଥିପାଇଁ ସେ ଚତୁର୍ଥ ପ୍ରାମେରିକା ସ୍ପିରିଟ୍ ଅଫ କମ୍ୟୁନିଟି ପୁରଷ୍କାର ପାଇଛନ୍ତି। ଏହି ସମ୍ମାନ ବିଦ୍ୟାଳୟ ସ୍ଥରରେ ସମାଜସେବା ନିମନ୍ତେ ଏକ ଆନ୍ତର୍ଜାତିକ ସମ୍ମାନ।
ଯଦି ୧୭ ବର୍ଷ ବୟସରୁ ସେ ସମାଜ ପାଇଁ ଏତେ କିଛି କରିଛନ୍ତି ତାହାହେଲେ ଆଗକୁ ସେ ଆହୁରି ଭଲ କାମ କରି ଦେଶର ସୁନାମ ରଖିପାରିବେ ବୋଲି ଆମେ ଆଶା କରିପାରିବା।
ମୂଳ ଲେଖା - ଆଦିତ୍ୟ ଭୂଷଣ ଦ୍ଵିବେଦୀ
ଭାଷାନ୍ତର - ପାର୍ଥସାରଥୀ ମହାନ୍ତି