ଆଦିବାସୀଙ୍କ ଲାଗି ଆଶାର ଆଲୋକ: ସରସ୍ବତୀ ଦିଦି

0

ଓଡ଼ିଶାର ଖଣିଜ ସଂପଦପୂର୍ଣ୍ଣ କେନ୍ଦୁଝର ଜିଲ୍ଲାକୁ ରାଜ୍ଯର ସବୁଠାରୁ ଧନୀ ଜିଲ୍ଲାରେ ଗୋଟିଏ ବୋଲି କୁହାଯାଇପାରେ। ମାଟିତଳେ ଇଶ୍ବର ଭରିଦେଇଛନ୍ତି ଅମାପ ସମ୍ପତ୍ତି। ଏହି ଖଣିଜ ସଂପଦରେ ପରିପୂର୍ଣ୍ଣ ଜିଲ୍ଲା ସାରା ଓଡ଼ିଶାର ଅର୍ଥନୀତିକୁ ସମ୍ଭାଳିଛି କହିଲେ ଭୁଲ ହେବ ନାହିଁ। କିନ୍ତୁ ଦୂର୍ଭାଗ୍ଯର କଥା ହେଉଛି ଯୁଗ ଯୁଗ ଧରି ଏହି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀମାନେ ଏସବୁ ବିକାଶଠାରୁ ଅନେକ ଦୂରରେ ରହିଆସିଛନ୍ତି।   ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏମାନେ ଏବେବି ପଛୁଆ। ଏବେ ବି ମ୍ଯାଲେରିଆରେ ଆକ୍ରାନ୍ତ ହୋଇ ଜରୁରୀ ଚିକିତ୍ସାସେବା ଅଭାବରୁ ଅନେକ ଆଦିବାସୀ ଅକାଳରେ ଆଖି ବୁଜିଦିଅନ୍ତି। କିନ୍ତୁ ଏହି ଆଦିବାସୀ ମାନଙ୍କ ଲାଗି ଦେବଦୂତ ସାଜିଛନ୍ତି ଜଣେ ଆଶା କର୍ମୀ ସରସ୍ବତୀ ପରିଡ଼ା। 

କେନ୍ଦୁଝର ଜିଲ୍ଲାର ଆଦିମ ଅଧିବାସୀ ଜୁଆଙ୍ଗ ବହୁଳ ବ୍ଲକ ହରିଚନ୍ଦନପୁର ବ୍ଲକର ଖଜୁରୀବାଣୀ, ଖଣ୍ଡୁମରା ଓ ବରପଦା ଗ୍ରାମ ବଣ ପାହାଡ ଘେରା। ଏସବୁ ଦୂର୍ଗମ ଗାଁରେ ମ୍ଯାଲେରିଆ ଜ୍ବର ଏକ ନିତିଦିନିଆ ଘଟଣା। ଦିନ ଥିଲା ମ୍ଯାଲରିଆରେ ପଡି ଏ ଗାଁଗୁଡିକରେ ଅନେକ ଲୋକ ମୃତ୍ଯୁବରଣ କରୁଥିଲେ। କିନ୍ତୁ ଆଶା ଦିଦି ସରସ୍ବତୀଙ୍କ ନିଷ୍ଠାପର ସେବା ଆଗରେ ଏବେ ମ୍ଯାଲେରିଆ ହାର ମାନିବାକୁ ବସିଛି। 2015ରେ ଏହି ତିନୋଟି ଗାଁର ମୋଟ ଲୋକସଂଖ୍ଯା ୧୨୦୦ ମଧ୍ୟରୁ ପ୍ରାୟ ଅଧା ଅର୍ଥାତ ୫୯୪ ଜଣ ମ୍ଯାଲେରିଆରେ ଆକ୍ରାନ୍ତ ହୋଇଥିଲେ। ପୁଣି ଏମାନଙ୍କ ମଧ୍ୟରୁ ୩୬୮ ଜଣ ଥିଲେ ମ୍ଯାଲେରିଆ ପଜିଟିଭ୍। ଏତେ ସଂଖ୍ଯକ ରୋଗୀଙ୍କ ଶୁଶ୍ରୁଷା କରିବା କିଛି ଛୋଟ କଥା ନଥିଲା। କିନ୍ତୁ ହାର ମାନି ନଥିଲେ ସରସ୍ବତୀ। ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ସେ ରୋଗୀମାନଙ୍କର ସେବା କରିବା ସହ ଗୁରୁତର ଲୋକଙ୍କୁ ଡାକ୍ତରଖାନା ପହଞ୍ଚାଉଥିଲେ ବେଳେବେଳେ ସରକାରଙ୍କ ଦ୍ବାରା ଦିଆଯାଇଥିବା କ୍ଲୋରୋକ୍ବିନ ବଟିକା ସରିଗଲେ ନିଜ ହାତରୁ ପଇସା ଖର୍ଚ୍ଚ କରି ସେ ଲୋକମାନଙ୍କୁ ମ୍ଯାଲେରିଆ ଔଷଧ ପ୍ରଦାନ କରୁଥିଲେ। ତାଙ୍କର ଏହି ନିଷ୍ଠାପର ଉଦ୍ୟମ ଯୋଗୁଁ ହିଁ ଏତେ ସଂଖ୍ଯକ ରୋଗୀଙ୍କ ମଧ୍ୟରୁ ଜଣେ ହେଲେ ମଧ୍ୟ ମୃତ୍ଯୁବରଣ କରିନଥିଲେ। ରୋଗୀଟିଏ ଭଲ ହୋଇଗଲେ ହିଁ ତାଙ୍କ ପରିଶ୍ରମର ଫଳ ମିଳିଯାଏ ବୋଲି ସେ ମନେକରନ୍ତି। 

ତାଙ୍କର ଏହି ସେବା ପାଇଁ ତାଙ୍କୁ ଗତ ବର୍ଷ ୨୭ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। କିନ୍ତୁ ଲୋକଙ୍କ ମୁହଁରେ ହସ ଫୁଟାଇବାଠାରୁ ବଡ଼ କୌଣସି ପୁରସ୍କାର ଅଛି କି?

କେବଳ ମ୍ଯାଲେରିଆ ନୁହେଁ ସେ ଜୁଆଙ୍ଗ ଆଦିବାସୀଙ୍କ ସାମଗ୍ରୀକ ବିକାଶ ଦିଗରେ ମଧ୍ୟ କାର୍ଯ୍ୟ କରିଚାଲିଛନ୍ତି ସରସ୍ଵତୀ। ଆଦିବାସୀ ପିଲାଙ୍କୁ ପାଠ ପଢିବା ଲାଗି ଉତ୍ସାହିତ କରିବା, ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର, ବ୍ଯାଙ୍କ ଖାତା ଖୋଲିବା ଦିଗରେ ମଧ୍ୟରେ ସେ ଉଦ୍ୟମ ଅବ୍ଯାହତ ରଖିଛନ୍ତି। ତେବେ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ଆଦିବାସୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଚେତନ କରିବା ହିଁ ସବୁଠାରୁ ଜରୁରୀ କଥା ବୋଲି ସେ କହନ୍ତି। ଲୋକେ ସଚେତନ ହେଲେ ଏସବୁ ପଛୁଆପଣ ଧୀରେ ଧୀରେ ଦୂରେଇ ଯିବ ବୋଲି ସେ କହିଛନ୍ତି। ଓଡ଼ିଶାର ଜଣେ ଆଶା କର୍ମୀ ଯମୁନାମଣିଙ୍କ ପ୍ରସଂଶା ଖୋଦ ପ୍ରଧାନମନ୍ତ୍ରୀ କରିବା ପରେ ସେ ସାରା ଦେଶରେ ପରିଚିତ ହୋଇଯାଇଛନ୍ତି। କିନ୍ତୁ ଆମ ରାଜ୍ଯରେ ଏପରି ଅନେକ ଯମୁନାମଣି ଅଛନ୍ତି ଯେଉଁ ମାନେ ଲୋକଲୋଚନରୁ ଦୂରରେ ରହି ଲୋକମାନଙ୍କ ସେବା କରିଆସୁଛନ୍ତି।