ଜାନୁଆରୀ ୧୭ରେ ଭୁବନେଶ୍ୱରରେ ‘ରାହାଗିରି ଡେ’

ଜାନୁଆରୀ ୧୭ରେ ଭୁବନେଶ୍ୱରରେ ‘ରାହାଗିରି ଡେ’

Tuesday January 12, 2016,

2 min Read

ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ଗଡ଼ିବନି ଗାଡ଼ିିମୋଟର

ସକାଳ ୬ରୁ ୧୦ ଜମିବ ଖେଳକୁଦ ଓ ନାଚଗୀତ

ଏଣିକି ସବୁ ରବିବାର ରାଜଧାନୀ ଭୁବନେଶ୍ୱରରେ ହେବ ରାହାଗିରି ଡେ । ରାସ୍ତାରେ ଗଡ଼ିବନି ଗାଡ଼ିମଟର । ରାସ୍ତା ଉପରେ ଖେଳକୁଦଠୁ ନାଚଗୀତ ଓ ସାଇକେଲ ଚାଳନା, ଯୋଗ ଆଉ ଏମିତି କେତେ କଣ । ଭଳିକି ଭଳି ମନୋରଞ୍ଜନର ଆସର ଜମିବ । ସହରକୁ ପ୍ରଦୂଷଣମୁକ୍ତ ଓ ଲୋକଙ୍କୁ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ଏପରି ପରିକଳ୍ପନା ଆରମ୍ଭ ହୋଇଛି । ମାଷ୍ଟରକ୍ୟାଣ୍ଟିନ ରୁ ରାମ ମନ୍ଦିର ରାସ୍ତାରେ ଏହାକୁ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ଆସନ୍ତା ୧୭ତାରିଖରୁ ଏପରି ନିଆରା ରାହାଗିରି ଡେ’ ସେଲିବ୍ରେସନ୍ କରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) । ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଏହା ଚାଲିବ ।

image


ଏହି ରାହାଗିରି ଡେରେ ରାସ୍ତାରେ ଆରାମରେ ଚାଲି ହେବ, ବୁଲି ହେବ ଆଉ ଖେଳକୁଦ କରିହେବ । ସାଇକେଲ ବି ଚଲାଇ ହେବ । ସବୁବେଳେ ପେଁ ପାଁ ଶୁଣି ଅଣନିଶ୍ୱାସୀ କରୁଥିବା ଶହଶହ ଗାଡିମୋଟରର ଭିଡ ନ ଥିବ । ପିଲାଠୁ ବୁଢାଯାଏ ସମସ୍ତେ ରାସ୍ତା ଉପରେ ଜବରଦସ୍ତ ମନୋରଞ୍ଜନର ଫାଇଦା ଉଠାଇ ପାରିବେ ।

image


୧୭ତାରିଖରେ ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ରାସ୍ତାରେ ରାହାଗିରି ଡେ’ ପାଳନ ହେବ । ସକାଳ ୬ଟାରୁ ଦିନ ୧୦ଟା ଯାଏ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ । ଲୋକେ ସେଠାରେ ସାଇକେଲିଂ ସହ ସ୍କେଟିଂ, ଫୁଟବଲ୍, ଭଲି, ଲୁଡୁ, ଚେସ୍, କ୍ୟାରମ, ବାସ୍କେଟ ଭଳି ବିଭିନ୍ନ ଖେଳି ଖେଳିପାରିବେ । ଯୋଗ ବ୍ୟାୟାମ ସହ ଚିତ୍ରାଙ୍କନ ପ୍ରତିଯୋଗିତା ବି ଚାଲିବ । ରାସ୍ତା ଉପରେ ନାଚଗୀତ ଆସର ଜମିବ । ସ୍କୁଲ ଓ କଲେଜ ପିଲାମାନେ ନାଟକ କରି ଦେଖାଇବେ । ପ୍ରଦୂଷଣମୁକ୍ତ ସହର ପାଇଁ ସମସ୍ତଙ୍କୁ ସଚେତନ କରାଯିବ । ସାଧାରଣ ଲୋକେ ଏଥିରେ ଅଂଶଗ୍ରହଣ କରିବେ । ରାହାଗିରିରେ ଆୟୁଷ ନିର୍ଦ୍ଧେଶାଳୟ ପକ୍ଷରୁ ଯୋଗ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସଙ୍ଗୀତ ନାଟକ ମହାବିଦ୍ୟାଳୟ ପକ୍ଷରୁ ସଙ୍ଗୀତ ଓ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ତରଫରୁ ନୃତ୍ୟ କାର୍ଯ୍ୟକ୍ରମ ହେବ ।

image


ରାହାଗିରି ଡେ’ର ଅର୍ଥ ହେଉଛି ପଥିକଙ୍କ ପାଇଁ ଦିନଟିଏ । ଏହି ଦିନରେ ଚୟନ କରାଯାଇଥିବା ରାସ୍ତାରେ କୌଣସି ଗାଡିମୋଟର ଗଡିବନି । ପୂରା ରାସ୍ତା ଉପରେ ଲୋକଙ୍କ ଅଧିକାର ରହିବ । 

ପ୍ରଥମେ କଲମ୍ବିଆରେ ଏହି ରାହାଗିରି ଡେ ଆରମ୍ଭ ହୋଇଥିଲା । ୨୦୧୩ରେ ପ୍ରଥମେ ଭାରତର ଗୁରଗାଓଁ ସହରରେ ଏହାକୁ ଆରମ୍ଭ କରାଯାଇଥିଲା । ଏବେ ହାଇଦ୍ରାବାଦ, ନୂଆଦିଲ୍ଲୀ, ଡେରାଡୁନ୍ ସମେତ ଦେଶର ୩୬ଟି ସହରରେ ରାହାଗିରି ଡେ’ ପାଳନ କରାଯାଉଛି । ପ୍ରତି ରବିବାର ସହରର ଏକ ନିର୍ଦ୍ଧିଷ୍ଟ ରାସ୍ତାରେ ନିର୍ଦ୍ଧିଷ୍ଟ ସମୟ ପାଇଁ ଏଭଳି କାର୍ଯ୍ୟକ୍ରମ ହେଉଛି । ବହୁ ସ୍ୱେଚ୍ଛାସେବୀ ସଂଗଠନ ଏଥିରେ ସହାୟତା କରୁଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବାକୁ ଓଟିଡିସି, ବିଭିନ୍ନ ସରକାରୀ ବିଭାଗ, ସେସୁ, ହୋଟେଲ ଓ ଶିକ୍ଷାନୁଷ୍ଠାନକୁ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

image


ବିଡିଏ ଉପାଧ୍ୟକ୍ଷ ଡ. କ୍ରିଷନ କୁମାର କହିଛନ୍ତି, ଚଉଡା ରାସ୍ତା ତିଆରି ହୋଇଥିଲେ ବି ସାଇକେଲ ଓ ପଥଚାରୀଙ୍କ ପାଇଁ ଜାଗା ନାହିଁ । ବହୁ ଲୋକେ ସାଇକେଲ ଓ ପାଦରେ ଚାଲି ଚାଲି ଯିବା ଆସିବା କରୁଛନ୍ତି । କିନ୍ତୁ, ସେମାନଙ୍କୁ ରାସ୍ତାରେ ଯିବାରେ ଆବଶ୍ୟକ ଜାଗା ମିଳୁନି । ଏହାଛଡା ମାତ୍ରାଧିକ ଗାଡ଼ିମଟର ଚଳାଚଳ ଯୋଗୁ ବାୟୁ ପ୍ରଦୂଷଣ ହେଉଛି । ରାସ୍ତା ଖାଲି ଗାଡିମୋଟନ ନୁହେଁ, ରାସ୍ତା ସମସ୍ତଙ୍କ ପାଇଁ, ଏହି ବାର୍ତ୍ତା ସମସ୍ତଙ୍କୁ ଦେବାକୁ ରାହାଗିରି ଡେ ଆରମ୍ଭ ହେଉଛି ।

image