ଐଶ୍ଵର୍ୟା ନାୟର୍ କୁହନ୍ତି ଖାଦ୍ୟ ବ୍ୟବସାୟରେ ସଫଳ ହେବାର ରେସିପି

ଐଶ୍ଵର୍ୟା ନାୟର୍ କୁହନ୍ତି ଖାଦ୍ୟ ବ୍ୟବସାୟରେ ସଫଳ ହେବାର ରେସିପି

Thursday November 12, 2015,

3 min Read

ଐଶ୍ଵର୍ୟା ନାୟର୍ ଆଜି ଜଣେ ସଫଳ ମହିଳା ଉଦ୍ୟୋଗୀ ଯିଏ କି ବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ବ୍ୟବସାୟରେ ନିଜର ଏକ ନାମ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ପ୍ରସିଦ୍ଧ ଲୀଲା ଗୃପର ଜଣେ ସଦସ୍ୟ ଯିଏ କି ଭାରତରେ ହୋଟେଲ କାରବାର କ୍ଷେତ୍ରରେ ଏକ ବିଶ୍ଵସ୍ତ ଓ ପ୍ରତିଷ୍ଟିତ ନାମ। ଏଠାରେ ନିମ୍ନରେ ତାଙ୍କ ସହ ହୋଇଥିବା ଏକ ସାକ୍ଷାତକାରର କୀୟଦଂଶ ଦିଆଗଲା।

image


ଆରମ୍ଭ

ଯେହେତୁ ମୋ ପରିବାର ଏହି ହୋଟେଲ୍ ବ୍ୟବସାୟରେ ବହୁ ଦିନରୁ ରହିଆସିଛନ୍ତି, ମୁଁ ମୋ ପରିବାରରୁ ହିଁ ନୁଆ ବ୍ୟବସାୟ ପାଇଁ ପ୍ରେରଣା ପାଇଥିଲି। ପାଠପଢା ସରିବା ପରେ ମୁଁ ଫୋଟୋଗ୍ରାଫି ଓ ଚଳଚ୍ଚିତ୍ର କ୍ଷେତ୍ରରେ କିଛି କରିବାକୁ ଚାହୁଁଥିଲି। କିନ୍ତୁ ମୋ ବାପା ଓ ଜେଜେବାପା ମୋତେ ଖାଦ୍ୟ ବ୍ୟବସାୟରେ ପାଦ ଦେବାକୁ ଉତ୍ସାହିତ କରିଥିଲେ। ବିଶେଷ ଭାବେ ମୋ ଜେଜେବାପାଙ୍କ ଦ୍ଵାରା ମୁଁ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲି। ସେ ନିଜେ ଜଣେ ସଫଳ ବ୍ୟବସାୟୀ ହେବା ସହ ଜଣେ ଉଚ୍ଚକୋଟିର ମଣିଷ ଥିଲେ। ତାଙ୍କ ନିତିଦିନର କାର୍ଯ୍ୟଧାରା ମତେ ବହୁତ ମାତ୍ରାରେ ପ୍ରଭାବିତ କରିଥିଲା ଓ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲା।

ଗୁଣବତ୍ତାର ଅନ୍ୟ ନାମ AMAI

AMAI ଶବ୍ଦ ଜାପାନୀ ଭାଷାରୁ ଆସିଛି, ଯାହାର ଅର୍ଥ ହେଲା ‘ମଧୁର ଅନୁଭବ’। ଏଥିରେ ମୁଖ୍ୟତ ଆମେ ପ୍ରାକୃତିକ ଓ ପ୍ରକ୍ରିୟାକରଣ ନହୋଇଥିବା ଖାଦ୍ୟ ପରିବେଷଣ କରିଥାଉ। ଏହା ଗହମରୁ ତିଆରି ଓ ଏହା ଚିନି ରହିତ, ଯାହା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ କରିଥାଏ। ଏହି ପ୍ରକାର ଖାଦ୍ୟ ଆମ ଦେଶରେ ସମ୍ପୁର୍ଣ ନୂତନ। କେବଳ ଆମେ ହିଁ ଏହି ପ୍ରକାରର ଖାଦ୍ୟ ଆମ ହୋଟେଲ ଚେନ୍ ମାଧ୍ୟମରେ ଯୋଗାଇ ଦେଉଛୁ ଯାହାକି ଗ୍ରାହକମାନଙ୍କ ପାଇଁ ଏକ ମଧୁର ଅନୁଭବ ଆଣିଦେଇଛି। କିନ୍ତୁ ଏ ପ୍ରକାରର ଉଚ୍ଚ ଗୁଣବତ୍ତାଯୁକ୍ତ ଖାଦ୍ୟ ଗ୍ରାହକମାନଙ୍କୁ ସର୍ବଦା ଯୋଗାଇବା ସହଜ ନୁହେଁ। କାରଣ ଏହା ବିଦେଶରୁ ଆମଦାନୀ ହୋଇଥାଏ ଓ ଏହାର ମାନ ସର୍ବଦା ସମାନ ନଥାଏ। ସରକାର ମଧ୍ୟ ସମୟ ସମୟରେ ଖାଦ୍ୟ ଉତ୍ପାଦର ମାନ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ଆମେ ଆଜି ଯାଏ କେବେବି ଖାଦ୍ୟର ମାନ ସହ ସାଲିଶ କରିନୁ। ଆମ ଖାଦ୍ୟର ମାନ ସର୍ବଦା ସମାନ ରହିଆସିଛି।

image


ବିନମ୍ରତାର ସହ ସଫଳତା

AMAIରେ ଆମେ ସବୁ ବେଳେ ଗ୍ରାହକଙ୍କୁ କେନ୍ଦ୍ରିତ କରି ସବୁକିଛି କରିଥାଉ। ଆମେ ସର୍ବଦା ଆମର ଗ୍ରହକଙ୍କ ଚାହିଦା ପୂରଣ କରିବା ପାଇଁ ଚେଷ୍ଟାରତ। ଜଣେ ଗ୍ରାହକ ଆମଠାରୁ କଣ ଚାହେଁ, ସେଥି ନିମନ୍ତେ ଆମେ ସର୍ବଦା ଯତ୍ନଶୀଳ। କାରଣ AMAI ଏକ ଅଭିଜାତ୍ୟରେ ଭରା ଖାଦ୍ୟ ବ୍ରାଣ୍ଡ୍ ଯାହାକି କେବଳ ଲୀଲା ଗୃପର ପଞ୍ଚତାରକା ହୋଟେଲ ମାନଙ୍କରେ ଉପଲବ୍ଧ। ଏହା ସର୍ବସାଧାରଣଙ୍କ ପାଇଁ ନୁହେଁ,ବରଂ ଏକ ନିର୍ଦ୍ଧିଷ୍ଟ ଶ୍ରେଣୀର ଗ୍ରାହକମାନଂକ ନିମନ୍ତେ ଉଦ୍ଧିଷ୍ଟ। AMAIର ଲୋକପ୍ରିୟତାର ପ୍ରମାଣ ହେଲା ଯେ ଆଉ କେତେକ ହୋଟେଲ୍ ଚେନ୍ ମାନେ ଏହାର ନକଲ କରିବାରେ ଲାଗିଲେ। କିନ୍ତୁ ସେମାନେ ଏଥିରେ ବିଫଳ ହେଲେ କାରଣ ସେମାନେ କେବେବି ଆମଭଳି ଗୁଣବତ୍ତା ଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିପାରିଲେ ନାହିଁ। ଆଜି AMAI ଲୀଲାଗୃପ୍ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଓ ଲୀଲା ହୋଟେଲର ଖାଦ୍ୟର ମାନକୁ ଆହୁରି ଉଚ୍ଚ କରିପାରିଛି। ପରିବର୍ତ୍ତିତ ଯୁଗ ସହ ନିଜକୁ ପରିବର୍ତ୍ତନ କରିବାର ପ୍ରକ୍ରିୟାରେ ଏହା ନିଜକୁ ସାମିଲ କରିପାରିଛି। ଆଉ ଏହାର ସବୁ ଶ୍ରେୟ ମୁଁ ମୋ ଜେଜେବାପା ଓ ବାପାଙ୍କୁ ଦେବି।

ମହିଳା ଉଦ୍ୟୋଗୀ

image


AMAIରେ ମୋର ସବୁ କର୍ମଚାରୀ ମାନେ ମହିଳା ଅଟନ୍ତି। ମୋର ସେଲସ୍ ପ୍ରତିନିଧିଠାରୁ ଆରମ୍ଭକରି କୁକ ପର୍ଯ୍ୟନ୍ତ ସବୁ କର୍ମଚାରୀ ମହିଳା। ମୁଁ ଏଥିରେ ପ୍ରଥମରୁ ଯୁବା ମହିଳା ମାନଙ୍କୁ କାମ କରିବାର ସୁଯୋଗ ଦେଇଛି, ଯାହାଫଳରେ ମୁଁ ସେମାନଙ୍କ ଦକ୍ଷତାକୁ ଜାଣିବା ସହ ସେମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ମଧ୍ୟ କରିଛି। ଏହା ଫଳରେ ସେମାନେ ସେମାନଙ୍କ ଦକ୍ଷତାର ସଠିକ ଉପଯୋଗ କରିପାରିଲେ।

ମୁଁ ଚାହେଁ କି ମୋର ସଫଳତାର କାହାଣୀ ଅନ୍ୟ ମହିଳା ଉଦ୍ୟୋଗୀ ମାନଙ୍କୁ ଆଗକୁ ଯିବାରେ ସାହାଯ୍ୟ କରୁ। ମହିଳା ଉଦ୍ୟୋଗୀ ମାନେ ସର୍ବଦା ନିଜେ ନିଜକୁ ଦୃଢ ରଖିବାକୁ ପଡିବ। ବ୍ୟବସାୟ କରିବା ସମୟରେ ସେମାନଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ପଡିଵ। ସେମାନେ କେବେବି ଧୈର୍ଯ୍ୟହରା ହେବା ଉଚିତ ନୁହେଁ। ଏହାହିଁ ସଫଳ ଉଦ୍ୟୋଗୀ ହେବାର ମୁଳମନ୍ତ୍ର।