ଦିଲ୍ଲୀ ପୁଲିସ୍‌ ର ଦୁଇ କନଷ୍ଟେବଳଙ୍କ ପାଠ ପଢାଇବା ନିଶା : ବସ୍ତିପିଲାଙ୍କ ପାଇଁ ଥାନା ପାଲଟିଛି ସ୍କୁଲ

ଦିଲ୍ଲୀ ପୁଲିସ୍‌ ର ଦୁଇ କନଷ୍ଟେବଳଙ୍କ ପାଠ ପଢାଇବା ନିଶା : ବସ୍ତିପିଲାଙ୍କ ପାଇଁ ଥାନା ପାଲଟିଛି ସ୍କୁଲ

Thursday January 07, 2016,

3 min Read

ପୁଲିସ୍ କଥା କହିଲେ ଲୋକଙ୍କ ମନରେ ଅଲଗା ଭାବନା ଆସେ | ଅନେକ ସମୟରେ ସେମାନେ ଦମନମୂଳକ କାମରେ ବ୍ୟସ୍ତ ଥାନ୍ତି ଓ ଲୋକଙ୍କୁ ବିଭିନ୍ନ ପ୍ରସଙ୍ଗରେ ନିଜର ଭୟଙ୍କର ରୂପ ଦେଖାଇଥାନ୍ତି | କିନ୍ତୁ ଦିଲ୍ଲୀ ପୁଲିସ୍ ରେ ଚାକିରି କରିଥିବା କନଷ୍ଟେବଳ ମମତା ଓ ନିଶାଙ୍କ କ୍ଷେତ୍ରରେ ଏହି ଭାବନା ସଂପୂର୍ଣ୍ଣ ଭୁଲ୍ ପ୍ରମାଣିତ ହୁଏ | ଏହି ଦୁଇ ଜଣ ଗରିବ ପିଲାମାନଙ୍କୁ ପାଠ ପଢାଇବା କାମରେ ଲାଗିଛନ୍ତି |

image


ଉତ୍ତର ଦିଲ୍ଲୀର ତିମାରପୁର ଓ ରୂପନଗର ପୁଲିସ୍ ଥାନା ଅଂଚଳରେ ଥିବା ବସ୍ତିପିଲାମାନଙ୍କୁ ଏମାନେ ପାଠ ପଢାଇବା ସହିତ ସେମାନଙ୍କୁ ବିଭିନ୍ନ ବିଷୟରେ ସଚେତନତା କରାଯାଉଛି | ଯାହା ଫଳରେ ସେମାନେ କୌଣସି ଅପରାଧିକ କାର୍ଯ୍ୟକଳାପ ବିରୋଧରେ ପୁଲିସର ସହାୟତା କରିପାରିବେ |

ୟୋରଷ୍ଟୋରୀକୁ ମମତା କହନ୍ତି,

“ତିମାରପୁର ଓ ରୂପନଗର ଥାନା ଅଂଚଳରେ ବହୁ ସଂଖ୍ୟାରେ ବସ୍ତି ରହିଛି | ଏହି ବସ୍ତିରେ ରହୁଥିବା ଅଧିକାଂଶ ଲୋକ ନିଜ ପରିବାର ଚଳାଇବା ପାଇଁ ଛୋଟବଡ କାମ କରନ୍ତି | ସ୍କୁଲ ସମୟ ପରେ ଏମାନେ ଏପଟ ସେପଟ ବୁଲନ୍ତି ଓ କୁସଙ୍ଗରେ ପଡି ଅପରାଧିକ କାର୍ଯ୍ୟକଳାପରେ ମାତିବାର ଆଶଙ୍କା ରହିଛି | ପୁଣି ଝିଅପିଲାଙ୍କ ଅବସ୍ଥା ତ ଆହୁରି ଖରାପ | ସେମାନଙ୍କ ସହ ଅପରାଧ ହେବାର ଆଶଙ୍କା ଅଧିକ |”

ଏଭଳି ପରିସ୍ଥିତିରେ ଏହି ଦୁଇ ପୁଲିସ୍ ଥାନାରେ କନଷ୍ଟେବଳ ମମତା ନେଗୀ(ତିମାରପୁର) ଓ କନଷ୍ଟେବଳ ନିଶା (ରୂପନଗର) ଏହି ପିଲାମାନଙ୍କୁ ପାଠ ପଢାଇବା ସହିତ ସେମାନଙ୍କୁ ଆତ୍ମରକ୍ଷା କରିବାର କୌଶଳ ଶିକ୍ଷା ଦେଉଛନ୍ତି |

image


ନିଶା କହନ୍ତି,

ପ୍ରତ୍ୟେକ ଥାନାରେ ପ୍ରାୟ ୫୦ ପିଲା ପାଠପଢିବାକୁ ଆସନ୍ତି | ଏଥିରୁ ଅଧିକାଂଶ ହେଉଛନ୍ତି ସରକାରୀ ସ୍କୁଲରେ ପଢୁଥିବା ପିଲା କିମ୍ବା କୌଣସି କାରଣରୁ ଅଧାରୁ ପାଠ ଛାଡିଥିବା ପିଲା | ଅଧିକାଂଶ ପିଲାଙ୍କ ମଧ୍ୟରେ ପ୍ରତିଭା ରହିଛି, କିନ୍ତୁ ଠିକ୍ ବାଟ ଓ ପରାମର୍ଶ ଅଭାବରୁ ସେମାନଙ୍କ ମଧ୍ୟରୁ କିଛି ପଛାଇ ଯାଇଛନ୍ତି | ଥାନାରେ ସ୍କୁଲ ସିଲାବସ୍ ବ୍ୟତୀତ ଇଂରେଜୀ, ଗଣିତ ଓ ସାଧାରଣ ‌ଜ୍ଞାନ ଆଦି ଉପରେ ବିଶେଷ ଭାବେ ପଢାଯାଇଥାଏ |

ମମତା କହନ୍ତି,

‘ମୁଁ ନିଜେ ଏକ ସରକାରୀ ସ୍କୁଲରେ ପଢିଛି | ଏହି ସ୍କୁଲମାନଙ୍କରେ କେବଳ ବିଭିନ୍ନ ବ୍ୟବସ୍ଥାରେ ଅଭାବ ଥାଏ ତାହା ନୁହେଁ, ଶିକ୍ଷକମାନେ କେବଳ ନାମକୁ ମାତ୍ରା ପଢାଇଥାନ୍ତି | ସମସ୍ତଙ୍କ ପାଖରେ ଟିଉସନ୍ ପଢିବାକୁ ପଇସା ନଥାଏ | କିନ୍ତୁ ଭଲକଥା ହେଉଛି ଯେ ବାପା ମାମାନେ ଗରିବ ଓ ଅଶିକ୍ଷିତ ହେଲେ ମଧ୍ୟ ସେମାନେ ପିଲାମାନଙ୍କୁ ପ୍ରତିଦିନ ଥାନାକୁ ପଢିବା ପାଇଁ ଛାଡୁଛନ୍ତି |’

ନିଶା କହନ୍ତି,

ମୁଁ ଦିଲ୍ଲୀ ପୁଲିସରେ ଯୋଗଦେବା ପୂର୍ବରୁ ପିଲାଙ୍କୁ ଟିଉସନ୍ କରୁଥିଲି | ପିଲାଙ୍କୁ ପଢାଇବା ବାହାନାରେ ନିଜକୁ ମଧ୍ୟ କିଛି ଶିଖିବାକୁ ପଡୁଛି | ଏଠାରେ ପଢୁଥିବା ପିଲାମାନଙ୍କ ଭିତରେ ବହୁତ ଭଲ ଗୁଣ ଅଛି | କେବଳ ସେମାନଙ୍କୁ ଠିକ୍ ରାସ୍ତାରେ ନେବାର ଆବଶ୍ୟକତା ରହିଛି |

ଏଠାରେ ପଢୁଥିବା ନିଖିଲ କହନ୍ତି, ମୋର ଇଂରେଜୀ ଭଲ ହେଉନଥିଲା | କିନ୍ତୁ ଏଠାରେ ପଢିବା ଦିନରୁ ଧୀରେ ଧୀରେ ଏଥିରେ ସୁଧାର ଆସିଛି | ଇଂରେଜୀ ପରୀକ୍ଷାରେ ଭଲ ନମ୍ବର ମଧ୍ୟ ରହୁଛି | ନିଶା ମାମ୍ ଆମକୁ ସବୁବେଳେ ବଡ ହୋଇ ଦେଶସେବା କରିବାକୁ କହନ୍ତି | ଯାହା ମୋତେ ବହୁତ ଭଲ ଲାଗେ | ଆଉଜଣେ ଛାତ୍ରୀ କାଜଲ କହନ୍ତି, ମମତା ମାମ୍ ଆମକୁ କେବଳ ପଢାଉନାହାନ୍ତି, ତାହା ସହିତ ସେ ନାଚ ଓ ଯୋଗ ମଧ୍ୟ ଶିଖାନ୍ତି | ପ୍ରତିଯୋଗୀତାରେ ଜିତିଲେ ସେ ଆମକୁ ଚକୋଲେଟ୍ ଓ ପେନ୍ ଦିଅନ୍ତି | ମାମ୍ ଆମକୁ ଅକ୍ଷରଧାମ ମନ୍ଦିର ବୁଲାଇବାକୁ ମଧ୍ୟ ନେଇ ଯାଇଥିଲେ | ଯେଉଁଠାରେ ଆମେ ଆମ ସଂସ୍କୃତି ବିଷୟରେ ଅନେକ କିଛି ଶିଖିବାକୁ ପାଇଲୁ |

ଦିଲ୍ଲୀ ପୁଲିସ୍ ର ‘ସି ଟୁ ଶକ୍ତି’ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଚାଲିଛି | ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦିଲ୍ଲୀ ପୁଲିସ୍ ବିଭିନ୍ନ କଲେଜରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ଟ୍ରେନିଂ ଦେଉଛନ୍ତି ଓ ଝିଅମାନଙ୍କୁ କମେଣ୍ଟ ପାସ୍ କରୁଥିବା ଅସାମାଜିକ ବ୍ୟକ୍ତିଙ୍କୁ ଧାରିବା ଲାଗି ଅଭିଯାନ ହେଉଛି |

ତେବେ ମମତା ଓ ନିଶା ନିଜର ଆଗ୍ରହ ଓ ଲୋକସେବା ମନୋବୃତ୍ତି ଯୋଗୁଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବସ୍ତିପିଲାମାଙ୍କୁ ପଢାଇ ଏକ ପୁଲିସ୍ ବିଭାଗରେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି |

ମୂଳ ଲେଖା - ଅନମୋଲ

ଭାଷାନ୍ତର - ଅଖଣ୍ଡ