ଦଶ ପଇସାର ରଜା: ଦାଶିଆ ଅଜା

ଓଡ଼ିଶା ପାଠାଗାର ଆନ୍ଦୋଳନର ପିତାମହ ସେଇ ଅପାଠୁଆ ବୃଦ୍ଧ

0
ଓଡ଼ିଶା ପାଠାଗାର ଆନ୍ଦୋଳନର ପିତାମହ ସେଇ ଅପାଠୁଆ ବୃଦ୍ଧ
ଓଡ଼ିଶା ପାଠାଗାର ଆନ୍ଦୋଳନର ପିତାମହ ସେଇ ଅପାଠୁଆ ବୃଦ୍ଧ
ସୃଷ୍ଟିର ବହୁ ବିଚିତ୍ର, ଦଇବବନ୍ତ ବହୁ ପ୍ରେରଣାର ଅଭିବ୍ୟକ୍ତି ଭିତରୁ ଏ ନିର୍ଜନ ପଲ୍ଲୀର ଦାଶରଥୀ ପଟ୍ଟନାୟକଙ୍କ ଅନୁଷ୍ଠାନ ଅନ୍ୟତମ । ଏହାକୁ ଦର୍ଶନ କଲେ, ଏକ ବିଶେଷ ଆବିଷ୍କାରର ଆନନ୍ଦ ମିଳେ । ମନେହୁଏ, ଉତ୍ସାହ ଓ ପ୍ରେରଣା ଥିଲେ ବାସ୍ତବି ବହୁ ଅସମ୍ଭବ ପ୍ରାୟ ସ୍ଵପ୍ନ ବାସ୍ତବ ହୋଇଯାଏ ।

ଓଡ଼ିଶା ସାରା ଦାଶିଆ ଅଜା ନାମରେ ପରିଚିତ ଦାଶରଥୀ ପଟ୍ଟନାୟକଙ୍କ ପାଠାଗାର ଓ ସଂଗ୍ରହାଳୟ ପରିଦର୍ଶନ କରିବା ପରେ ପରିଦର୍ଶକ ଅଭିବ୍ୟକ୍ତି ଭାବେ ଏ କଥା ଲେଖିଥିଲେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ମନୋଜ ଦାସ । କେବଳ ମନୋଜ ଦାସ ନୁହନ୍ତି, ଦେଶର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ପ୍ରତିଷ୍ଠିତ ଲେଖକ, ବୁଦ୍ଧିଜୀବୀ, ରାଜନେତା ଓ ଗବେଷକ ଦାଶିଆ ଅଜାଙ୍କ ଅନୁଷ୍ଠାନ ପରିଦର୍ଶନ କରି ଅଭିଭୂତ ହୋଇଛନ୍ତି । ଲେଖକ ଓ ଗବେଷକ ଜଗନ୍ନାଥ ପ୍ରସାଦ ଦାସଙ୍କ ଭଳି ଅନେକେ ଦାଶିଆ ଅଜାଙ୍କ ଅନୁଷ୍ଠାନରେ ବହୁଦିନ ରହି ନିଜର ଗବେଷଣା ଉପଯୋଗୀ ତଥ୍ୟ ଯୋଗାଡ଼ କରିଛନ୍ତି । କାଲିଫର୍ଣିଆ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଜୋନା ଉଇଲିଅମ୍ସଙ୍କ ସମେତ ବହୁ ବିଦେଶୀ ଗବେଷକ ମଧ୍ୟ ଏ ଅନୁଷ୍ଠାନରେ ପାଦ ଦେଇଛନ୍ତି ।

ଦାଶରଥୀ ପଟ୍ଟନାୟକଙ୍କ କଥା ମନେପଡ଼ିଲେ ସହସା ଆଖି ସାମନାକୁ ଆସେ ସେଇ ହସହସ ଉଜ୍ଜ୍ୱଳ ମୁହଁ; ଅଣ୍ଟାରେ ଗେରୁଆ ଧୋତି, ମୁଣ୍ଡରେ ନାଲି ଗାମୁଛାର ଠେକା, କାଖରେ ବହି, ଡାହାଣ ହାତରେ ବାଡ଼ି ଆଉ ବାମ ହାତରେ କଲମ ଓ ଜବକାଚ । ଏଇ ସାଧାରଣ ପରିପାଟୀ ତଳେ ଲୁଚି ରହିଥିଲା ଅସାଧାରଣ ବ୍ୟକ୍ତିତ୍ୱ । ଏଇ ଚେହେରାରେ ସେ ବୁଲୁଥିଲେ ସାରା ରାଜ୍ୟ । ସେ ବିଶେଷ ପାଠ ପଢ଼ି ନଥିଲେ, କିନ୍ତୁ ଏକକ ପ୍ରଚେଷ୍ଠାରେ ଗଢ଼ିଥିଲେ ଓଡ଼ିଶାର ସବୁଠୁ ବଡ଼ ପାଠାଗାର, ପ୍ରଥମ ଗ୍ରାମ୍ୟ ସଂଗ୍ରହାଳୟ ଓ ଏକ ସାହିତ୍ୟ ଅନୁଷ୍ଠାନ; ବାଞ୍ଛାନିଧି ପାାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଓ ଯଦୁମଣି ସାହିତ୍ୟ ସଂସଦ । ତାଙ୍କ ପଛରେ କୌଣସି ରାଜନୈତିକ ଆଶୀର୍ବାଦ, ବ୍ୟାପକ ପୁଞ୍ଜି ଅଥବା ଲୋକବଳ କିଛି ବି ନଥିଲା । ପରିଣତ ବୟସରେ ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ ନିପଟ ମଫସଲ ଗାଁରେ ସେ ପ୍ରତିଷ୍ଠା କରିଥିଲେ ସଂସ୍କୃତିର ମହାଦ୍ରୁମ । ଆଉ ଏଥିପାଇଁ ସେ ଭେଟୁଥିବା ଲୋକଙ୍କ ଠାରୁ ମାତ୍ର ୧୦ ପଇସା ଲେଖାଏଁ ସହଯୋଗ ରାଶି ମାଗୁଥିଲେ ।

ଚାକିରି ଜୀବନ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଉଦୟପୁର ନାମରେ ଏକ ନିପଟ ମଫସଲ ଗାଁରେ ୧୯୦୭ ମସିହା ଜୁଲାଇ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ଦାଶିଆ ଅଜା । ୪ର୍ଥ ଶ୍ରେଣୀ ଉତ୍ତୀର୍ଣ ହେବା ପରେ ତାଙ୍କ ପାଠ ପଢ଼ାରେ ଡୋର ବନ୍ଧାହେଲା । ୧୯୨୮ ମସିହାରେ ମାସକୁ ୭ ଟଙ୍କା ଦରମାରେ ନୟାଗଡ଼ ରିଜର୍ଭ ପୁଲିସରେ କନେଷ୍ଟବଳ ଭାବେ ସେ ଚାକିରି ଜୀବନ ଆରମ୍ଭ କଲେ । ୧୯୩୩ରୁ ୧୯୩୭ ଯାଏଁ ୮ ଟଙ୍କା ଦରମାରେ ବଲାଙ୍ଗିର ଧୁଳିଆପଦା ପ୍ରାଇମେରି ସ୍କୁଲରେ ଶିକ୍ଷକତା କଲେ । ୧୯୩୮ ମସିହାରେ ରଣପୁରରେ ମାସକୁ ୧୫ ଟଙ୍କା ଦରମାରେ ଫରେଷ୍ଟର ଚାକିରି କଲେ । ୧୯୪୦ରେ ବିବାହ କଲେ ଓ ୧୯୪୪ରେ ତାଙ୍କ ପିତୃବିୟୋଗ ଘଟିଲା । ୧୯୪୬ରେ ଚାକିରି ଛାଡ଼ି ଜମିଜମା ସର୍ଭେ ଟ୍ରେନିଂ ସ୍କୁଲରେ ପାଠ ପଢ଼ିଲେ । ସେଠୁ ଉତ୍ତୀର୍ଣ ହୋଇ କ୍ୟାମ୍ପ ଖୋଲିବା ପାଇଁ ଆଠମଲ୍ଲିକ ଗଲେ । ତେବେ ସେଠାରେ କ୍ୟାମ୍ପ ଚାକିରି ଛାଡ଼ି ୧୯୪୯ରେ କିଶୋରନଗର ଠାରେ ନିଜେ ଏକ ସର୍ଭେ ସ୍କୁଲ ଖୋଲିଲେ ଦାଶିଆ ଅଜା; ଦାଶରଥୀ ପଟ୍ଟନାୟକ ଶିକ୍ଷାନୁଷ୍ଠାନ । ଏଥିପାଇଁ ଗାଁରେ ତାଙ୍କୁ ଜମି ବିକିବାକୁ ପଡ଼ିଥିଲା । ୧୯୫୪ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କ୍ୟାମ୍ପ ଖୋଲି ନିଜ ଅନୁଷ୍ଠାନ ପକ୍ଷରୁ ସହସ୍ରାଧିକ ଛାତ୍ରଙ୍କୁ ଉତ୍ତୀର୍ଣ କରାଇଲେ।

ଖୁଣ୍ଟାତଡ଼ା ରଜା

୧୯୫୪ରେ ଗାଁକୁ ଫେରି ଚାଷ କରିବାକୁ ମନ କଲେ ଦାଶରଥୀ ପଟ୍ଟନାୟକ । ପୈତୃକ ଜମି ବହୁତ କମ । ଏଣୁ ୬-୭ ଏକର ଅନାବାଦୀ ଜମି ଦଖଲକୁ ଆଣି ସେସବୁରୁ ଖୁଣ୍ଟା(ଚେର ଓ ଗଛର ବଳକା ଗଣ୍ଡି) ତାଡ଼ି ଚାଷ ଉପଯୋଗୀ କଲେ । ତେଣୁ ତାଙ୍କୁ ଏଥିପାଇଁ ସମେସ୍ତ ଖୁଣ୍ଟାତଡ଼ା ରଜା ବୋଲି ଡାକିଲେ । ଗାଁରେ ଥାଇ ‘କଳିଙ୍ଗ’ ଖବର କାଗଜ ପାଇଁ ସେ ସାମ୍ବାଦିକତା ବି କରୁଥିଲେ । ତେବେ ସାମ୍ବାଦିକତା ପାଇଁ ଅନେକଙ୍କ ଅପ୍ରିୟ ପାତ୍ର ହେବାରୁ ପୁଣି ଖୁଣ୍ଟାତଡ଼ାରେ ମନ ଲଗାଇଲେ । ଜଙ୍ଗଲ ସଫା କରି ଆଖପାଖର ଚାଷୀମାନଙ୍କୁ ନେଇ ଚକବନ୍ଦୀ କରାଇଲେ । ପରେ ସରକାର ଯେଉଁ ଚକବନ୍ଦୀ କାମ କଲେ ତାହା ୧୯୫୪ରୁ ସେ କରି ସାରିଛନ୍ତି ବୋଲି ନିଜ ଆତ୍ମକଥାରେ ଲେଖିଛନ୍ତି ଦାଶିଆ ଅଜା । ଅଜା ଲେଖିଛନ୍ତି-

୧୯୫୯ ଯାଏଁ ସକାଳୁ ଉଠି ଖୁଣ୍ଟା ତାଡେ଼ ଓ ଦ୍ୱିପ୍ରହରେ ଶୁଏ । ମୋର ଗୋଟିଏ ଅଭ୍ୟାସ ଧାଡ଼ିଏ ନ ପଢ଼ିଲେ ଜମା ନିଦ ହୁଏନି କିମ୍ବା ଉପରବେଳା କାମ କରିପାରେନି । ସେତେବେଳେ ଆମ ଘରେ କି ଗାଁରେ ସେମିତି ବହି ନଥିଲା। ଘରେ ଯାହା ବି ଥିଲା ସବୁ ପଢ଼ି ସାରିଥିଲି । ଗାଁରେ ଯାହା ପାଖରେ ଯାହା ଥିଲା ସେସବୁ ମଧ୍ୟ ସରିଲା । ଗାଁ ଆଖପାଖରୁ ତାଳପତ୍ର ପୋଥୀ ମାଗିଆଣି ପଢ଼ିଲି, ସେ ବି ସରିଲା । ନୂଆଗାଁ ଅପର ପ୍ରାଇମେରି ସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ତ୍ରିପାଠୀଙ୍କ ପାଖକୁ ଗଲି ବହି ମାଗିବାକୁ । ସେ କହିଲେ, ‘ପଟ୍ଟନାୟକେ ଆଉ ତ ବହି ମିଳିବନି । କ’ଣ କରିବା?’ ମୁଁ ନିରବ ରହିଲି । ସେ ପୁଣି କହିଲେ, ‘ଏଠି ଲାଇବ୍ରେରିଟାଏ କରିବା ।’

ବାଞ୍ଛାନିଧି ପାାଠାଗାର
ବାଞ୍ଛାନିଧି ପାାଠାଗାର

ପାଞ୍ଚ ଖଣ୍ଡ ବହିରୁ ଲକ୍ଷେ

ଉପରୋକ୍ତ ଘଟଣାର ତିନି ଚାରିଦିନ ପରେ ହେଡ଼ମାଷ୍ଟର ଆସି ଗୋଟିଏ ପୁରୁଣା ଟିଣ ଟ୍ରଙ୍କ୍‍ ଓ ୫ ଖଣ୍ଡ ବହି ଦେଇ ଚାଲିଗଲେ । ୫ ଖଣ୍ଡ ବହି କହିଲେ ଭାଗବତ ଏକାଦଶ ସ୍କନ୍ଦ, ଗୁରୁବାର ମାଣବସା ବହି, ଜହ୍ନିଓସା ବହି, ଖୁଦୁରୁକୁଣି ଓସା ବହି ଓ ଆଚାର୍ଯ୍ୟ ମହାଶୟଙ୍କ ଗୀତା । ବାସ ସେଇ ପାଞ୍ଚ ଖଣ୍ଡ ବହିରୁ ଦାଶିଆ ଅଜାଙ୍କର ପାଠାଗାର ଆରମ୍ଭ ହୋଇ ଲକ୍ଷାଧିକ ବହିର ଗନ୍ତାଘର ପାଲଟିଲା । ୧୯୫୯ରେ ଗଢ଼ାହେଲା ବାଞ୍ଛାନିଧି ପାାଠାଗାର ।

ଏକା ଏକା ରାଜ୍ୟ ସାରା ବୁଲି ବହି ସଂଗ୍ରହ କରୁଥିଲେ ଦାଶିଆ ଅଜା । ରାଜ୍ୟ ଓ ଦେଶବାହାରେ ଥିବା ଲୋକଙ୍କ ଠାରୁ ବି ବହି ଆଣୁଥିଲେ । ଦାଶିଆ ଅଜା ସାରା ବର୍ଷ ବୁଲୁଥିଲେ । ତାଙ୍କର ବଡ଼ ଗୁଣ ହେଲା ଦୈନିକ ସେ ଲେଖକମାନଙ୍କୁ ପୋଷ୍ଟକାର୍ଡ ଲେଖୁଥିଲେ । ଲେଖା ପଢ଼ି ଉତ୍ସାହିତ କରୁଥିଲେ ଓ ଅଚାନକ ସେମାନଙ୍କ ଘରେ ବି ପହଞ୍ଚି ଯାଉଥିଲେ । ଯାହାକୁ ଭେଟୁଥିଲେ ତାଙ୍କ ଠାରୁ ସହଯୋଗ ଅର୍ଥ ଭାବେ ମାଗୁଥିଲେ ମାତ୍ର ୧୦ ପଇସା । ଏକକ ପ୍ରଚେଷ୍ଟାରେ ୫୦ ହଜାରରୁ ଅଧିକ ବହି ଓ ୬୫ ହଜାରରୁ ଅଧିକ ପତ୍ରିକାରେ ସମୃଦ୍ଧ ହେଲା ବାଞ୍ଛାନିଧି ପାାଠାଗାର । ଏଠାରେ ରହିଛି ବିଭିନ୍ନ ଭାଷାର ଅଭିଧାନ, ୩ ହଜାର ବିରଳ ବହି ଓ ୧୯୫୯ରୁ ୧୯୯୭ ପର୍ଯ୍ୟନ୍ତ ବହୁ ଦୈନିକ ଖବରକାଗଜ ।

ଶ୍ରୀ ଅରବିନ୍ଦ ସଂଗ୍ରହାଳୟ
ଶ୍ରୀ ଅରବିନ୍ଦ ସଂଗ୍ରହାଳୟ

ପାଠାଗାର ପରେ ସଂଗ୍ରହାଳୟ

୧୯୭୩ରେ ସେହି ଉଦୟପୁର ଗାଁରେ ଦାଶିଆ ଅଜା ପ୍ରତିଷ୍ଠା କଲେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ । ୫୦୦୦ରୁ ଅଧିକ ତାଳପତ୍ର ପୋଥୀ, ପୁରାତନ ଯୁଗରୁ ଏଯାବତ ମୁଦ୍ରା, ଅସ୍ତ୍ରଶସ୍ତ୍ର, ଚେରମୂଳି, ବିଶିଷ୍ଠ ବ୍ୟକ୍ତିଙ୍କ ବ୍ୟବହୃତ ଦ୍ରବ୍ୟ, ପୂରାତନ ଦସ୍ତାବିଜ୍‍, ଫସିଲ, ବିଭିନ୍ନ ସଭ୍ୟତାର ବେଶପୋଷାକ ଓ ଅଳଙ୍କାର, ଡାକଟିକଟ, ସଂଗୀତ ଯନ୍ତ୍ର, ମୂଲ୍ୟବାନ ପଟ୍ଟଚିତ୍ର ଆଦି ୩୯ଟି ବିଭାଗରେ ବିଭିନ୍ନ ଦୁର୍ଲଭ ପଦାର୍ଥ ରହିଛି ଏହି ସଂଗ୍ରହାଳୟରେ ।

୧୯୭୫ ମସିହାରେ ସେଠାରେ ଯଦୁମଣି ସାହିତ୍ୟ ସଂସଦ ନାମରେ ଏକ ସାରସ୍ଵତ ଅନୁଷ୍ଠାନ ପ୍ରତିଷ୍ଠା କଲେ ଦାଶିଆ ଅଜା । ତାଙ୍କ ମୃତ୍ୟୁ ଯାଏଁ ପ୍ରତିବର୍ଷ ଏଠାରେ ଏକ ସାରସ୍ଵତ କୁମ୍ଭମେଳା ହେଉଥିବା ବେଳେ ତାଙ୍କ ଅନ୍ତେ ଏବେ ସେଥିରେ ଭଟ୍ଟା ପଡ଼ିଛି ।

ଅମର ଅଜା

୧୯୯୭ ମସିହା ସେପ୍ଟେମ୍ବର ୧୨ ତାରିଖରେ ୯୦ ବର୍ଷ ବୟସରେ ପ୍ରାଣତ୍ୟାଗ କଲେ ଦାଶିଆ ଅଜା । ତେବେ ତାଙ୍କର ତିନୋଟି ଅନୁଷ୍ଠାନ ତାଙ୍କୁ ଚିରଦିନ ଅମର କରିଦେଇଛି । ସରକାରୀ ପ୍ରୋତ୍ସାହନରେ ଦାଶିଆ ଅଜାଙ୍କ ସ୍ଵପ୍ନ ଓ ସଂଘର୍ଷ ଏବେ ଏକ ବିଶାଳ ଅନୁଷ୍ଠାନର ରୂପ ନେଇଛି । ତିନୋଟି ଯାକ ଅନୁଷ୍ଠାନକୁ ମିଶାଇ ଦାଶରଥୀ ପଟ୍ଟନାୟକ ଫାଉଣ୍ଡେସନ୍‍ ଟ୍ରଷ୍ଟ ଗଠନ କରାଯାଇଛି । ଦାଶିଆ ଅଜାଙ୍କ ନାତି ଦୀପକ ଏହାର ପରିଚାଳନା କରୁଥିବା ବେଳେ ନୟାଗଡ଼ ଜିଲ୍ଲାପାଳ ଏହାର ଟ୍ରଷ୍ଟି ଅଛନ୍ତି । ଦୁଃଖର କଥା ଏବେ ଅର୍ଥର ଅଭାବ ନଥିବା ସତ୍ତ୍ୱେ ଦାଶିଆ ଅଜା ଜୀବିତ ଥିବା ବେଳେ ଅନୁଷ୍ଠାନ ଯେଭଳି ଚଳଚଂଚଳ ଥିଲା ତାହା ଆଉ ଦେଖିବାକୁ ମିଳୁନାହିଁ ।

ଅଜା ହିନ୍ଦୁ ଶ୍ରାଦ୍ଧ ରୀତିକୁ ମାନୁ ନଥିଲେ । ସେ ନିଜର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉନଥିଲେ ଓ ତାଙ୍କ ପାଇଁ ନଦେବାକୁ ମନା କରିଯାଇଥିଲେ । ମୃତ୍ୟୁ ପରେ ତାଙ୍କୁ ଅନୁଷ୍ଠାନ ପରିସରରେ ସମାଧି ଦିଆଯାଇଛି । ଅନୁଷ୍ଠାନ ପ୍ରବେଶ ଦ୍ୱାର ଆଗରେ ରହିଛି ତାଙ୍କର ପ୍ରତିମୂର୍ତି ଓ ତା ତଳକୁ ଝଟକୁଛି ଅଜାଙ୍କ କଲମରୁ ଝରି ଆସିଥିବା ସେହି ଦାର୍ଶନିକ ବକ୍ତବ୍ୟ-

ମଣିଷ ଆପଣା ଧନ ପର,
ଯେତେ ପାରୁଛ ମଣିଷ ଧର ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା subhransupanda@yahoo.co.in ରେ ଯୋଗାଯୋଗ କରାଯାଇ ପାରିବ।