ଭୁବନେଶ୍ୱର ପୁସ୍ତକ ମେଳା : ଓଡ଼ିଶାର ପ୍ରଥମ ବହିମେଳା

ମେଳାର ମୁଖ୍ୟ ଉଦ୍ୟୋକ୍ତା ବରେନ୍ଦ୍ର କୃଷ୍ଣ ଧଳଙ୍କ ସହ ସାକ୍ଷାତକାର

ଭୁବନେଶ୍ୱର ପୁସ୍ତକ ମେଳା : ଓଡ଼ିଶାର ପ୍ରଥମ ବହିମେଳା

Thursday February 25, 2016,

4 min Read

image


ଚଳିତ ମାର୍ଚ୍ଚ ୨ ତାରିଖରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଉଛି ୩୨ ତମ ଭୁବନେଶ୍ୱର ପୁସ୍ତକ ମେଳା । ୧୨ ଦିନ ବ୍ୟାପୀ ହେବାକୁ ଥିବା ଏହି ମେଳା ହେଉଛି ରାଜ୍ୟର ପ୍ରଥମ ପୁସ୍ତକ ମେଳା । ୧୯୮୫ ମସିହାରୁ ନିରବଚ୍ଛିନ୍ନ ଭାବେ ଆୟୋଜିତ ହୋଇ ଆସୁଥିବା ଏହି ମେଳା ପରେ ରାଜ୍ୟରେ ଏକ ପୁସ୍ତକ ଆନ୍ଦୋଳନ ଠିଆ କରାଇବାରେ ସଫଳ ହୋଇଛି । ଏହା ଦେଖାଦେଖି କେବଳ ଭୁବନେଶ୍ୱରରେ ଏବେ ୫ରୁ ଅଧିକ ପୁସ୍ତକମେଳା ଆୟୋଜିତ ହେଉଥିବା ବେଳେ ରାଜ୍ୟବ୍ୟାପୀ ପ୍ରାୟ ୧୦୦ ବହିମେଳା ହେଉଛି । ରାଜ୍ୟରେ ବହି ବିକ୍ରିର ବଜାର ବୁଡ଼ିବାକୁ ବସିଥିବା ବେଳେ ପୁସ୍ତକମେଳାର ଅଭ୍ୟୁଦୟ ପୁଣି ପାଠକ-ପ୍ରକାଶକ-ଲେଖକ ଶୃଙ୍ଖଳକୁ ଶକ୍ତ କରିଛି ବୋଲି କହନ୍ତି ଏହି ମେଳାର ମୁଖ୍ୟ ଉଦ୍ୟୋକ୍ତା ତଥା ମେଳା କମିଟି ସଂପାଦକ ବରେନ୍ଦ୍ର କୃଷ୍ଣ ଧଳ ।

image


ଓଡ଼ିଶାରେ ପୁସ୍ତକମେଳାର ଇତିହାସ, ସ୍ଥିତି ଓ ଭବିଷ୍ୟତକୁ ନେଇ ଶ୍ରୀ ଧଳଙ୍କ ସହ ୟୋରଷ୍ଟୋରିର ସାକ୍ଷାତକାରର ସଂପାଦିତ ଅଂଶ ନିମ୍ନରେ ଦିଆଗଲା ।

ୟୋରଷ୍ଟୋରି: ଓଡ଼ିଶାରେ ପୁସ୍ତକମେଳା ଆୟୋଜନର ପ୍ରେରଣା କେଉଁଠୁ ପାଇଲେ?

ବରେନ୍ଦ୍ର କୃଷ୍ଣ ଧଳ: ଓଡ଼ିଆ ପୁସ୍ତକ ପ୍ରକାଶନ ୮୦ ଦଶକ ଆରମ୍ଭରେ ଏକ ପ୍ରକାର ସ୍ଥାଣୁ ହୋଇ ଯାଇଥିଲା । ପ୍ରକାଶନର ପେଣ୍ଠସ୍ଥଳୀ ଥିଲା କଟକ। କାହ୍ନୁଚରଣ, ସୁରେନ୍ଦ୍ର ମହାନ୍ତି, ବିଭୂତି ପଟ୍ଟନାୟକ, ବୀଣାପାଣି ମହାନ୍ତି ଓ ରବି ପଟ୍ଟନାୟକଙ୍କ ଭଳି ପ୍ରସିଦ୍ଧ ଲେଖକଙ୍କ ବହି ଗୋଟିଏ ଗୋଟିଏ ସଂସ୍କରଣ ଶେଷ ହେବାକୁ ୭-୮ ବର୍ଷ ଲାଗି ଯାଉଥିଲା । ମୋର ନିଜର ସେତେବେଳକୁ ୩ଟି ଉପନ୍ୟାସ ଓ ୨ଟି ଗଳ୍ପ ସଂକଳନ ପ୍ରକାଶ ପାଇ ସମାନ ଅବସ୍ଥା ଭୋଗୁଥାନ୍ତି । ସେତେବେଳେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରେରଣାରେ ଆମେ ଲେଖକ ସାମ୍ମୁଖ୍ୟ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ସାହିତ୍ୟ ଉତ୍ସବ ଆରମ୍ଭ କରିଥାଉ । ଦିନେ କଟକର କିଛି ଜଣାଶୁଣା ପ୍ରକାଶକ ମୋ ପାଖକୁ ଆସି କହିଲେ- କିଛି ଗୋଟେ କରନ୍ତୁ, ନହେଲେ ଉପନ୍ୟାସ ଛାପା ବନ୍ଦ ହୋଇଯିବ ।

ପ୍ରକାଶକଙ୍କ କଥା ଶୁଣି ମୁଁ ଚିନ୍ତିତ ହେଲି । ୧୯୮୪ ଫେବ୍ରୁଆରିରେ ଦିଲ୍ଲୀରେ ଏନବିଟି ପକ୍ଷରୁ ବିଶ୍ୱ ପୁସ୍ତକମେଳା ଚାଲିଥାଏ । ମୁଁ ଦିଲ୍ଲୀ ଯାଇଥିଲି । ସେତିକିବେଳେ ଆମ ରାଜ୍ୟ ଏକ ପୁସ୍ତକମେଳା କରିବା କଥା ମୋ ମୁଣ୍ଡରେ ଢୁକିଲା । ଏନବିଟି କର୍ତୃପକ୍ଷଙ୍କ ସହ ଏ ସମ୍ପର୍କରେ ଆଲୋଚନା କଲି । ୧୯୮୫ରେ ଲେଖକ ସାମ୍ମୁଖ୍ୟ ଓ ଏନବିଟି ମିଳିତ ଭାବେ ଆରମ୍ଭ କଲେ ପ୍ରଥମ ଭୁବନେଶ୍ୱର ପୁସ୍ତକମେଳା ।

ୟୋଷ୍ଟୋ: ବର୍ତ୍ତମାନ ରାଜ୍ୟରେ ପୁସ୍ତକମେଳା ଏକ ଆନ୍ଦୋଳନ ଭାବେ ଠିଆ ହୋଇଛି । ତିନି ଦଶନ୍ଧି ତଳର ସ୍ଥିତିକୁ ଫେରି ଚାହିଁଲେ, କେମିତି ମନେକରନ୍ତି?

ବକୃଧ: ୧୯୮୬ରୁ ଆମେ ସ୍ବାଧୀନ ଭାବେ ମେଳା ଆୟୋଜନ କଲୁ । ଅର୍ଥାଭାବରୁ ୧୨ ବର୍ଷ ଯାଏଁ ଭୁବନେଶ୍ୱରରେ ଭିନ୍ନଭିନ୍ନ ସ୍ଥାନରେ ପୁସ୍ତକମେଳା କଲୁ । ଏମିତିକି ସେତେବେଳେ ଆମେ ନିରାପତ୍ତା କର୍ମୀ ରଖି ପାରୁନଥିଲୁ । ମୋର ମନେଅଛି, ରାତିରେ ମୁଁ, ଖଗେଶ୍ୱର ମହାପାତ୍ର, ବିଜୟକୃଷ୍ଣ ମହାନ୍ତି, ରବି ପଟ୍ଟନାୟକ ଓ ଉତ୍ତମ ନାୟକ ମେଳା ପରିସରରେ ଶୋଉଥିଲୁ ।

୧୯୯୫-୯୬ ବେଳକୁ ମେଳା ନିଜ ଗୋଡ଼ରେ ଠିଆହେଲା । ପ୍ରଦର୍ଶନୀ ପଡ଼ିଆ ସ୍ଥାୟୀ ମେଳା କ୍ଷେତ୍ର ପାଲଟିଲା । ୧୯୯୯ ପର୍ଯ୍ୟନ୍ତ ଭୁବନେଶ୍ୱର ପୁସ୍ତକମେଳାକୁ ଛାଡ଼ିଦେଲେ ରାଜ୍ୟରେ ଅନ୍ୟତ୍ର କେଉଁଠି ପୁସ୍ତକମେଳା ହେଉନଥିଲା । ପରେ ରାଉରକେଲା ଓ ସମ୍ବଲପୁରରେ ମେଳା ହେଲା । ମୋ ପାଖରେ ଯାହା ତଥ୍ୟ ଅଛି, ରାଜ୍ୟରେ ଏବେ ୯୮ଟି ବହିମେଳା ହେଉଛି । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ମନରେ ଆତ୍ମସନ୍ତୋଷ ଆସୁଛି, ଅନ୍ତତଃ ଆମେ ଯେଉଁ ବୀଜ ବପନ କରିଥିଲୁ ତାହା ଏବେ ମହାଦ୍ରୁମରେ ପରିଣତ ହୋଇଛି ।


image


ୟୋଷ୍ଟୋ: କେବଳ ଭୁବନେଶ୍ୱରରେ ଏବେ ୫ଟି ବହିମେଳା ହେଉଛି । ଆପଣଙ୍କ ଉତ୍ଥାନକୁ ଏହା ପ୍ରଭାବିତ କରୁଛି କି?

ବକୃଧ: ଭୁବନେଶ୍ୱରରେ ବିଭିନ୍ନ ସମୟରେ ୪ରୁ ୬ଟି ପର୍ଯ୍ୟନ୍ତ ପୁସ୍ତକମେଳା ହେଉଛି ଓ ବନ୍ଦ ହେଉଛି । କିଏ କ’ଣ କଲା ସେଥିପାଇଁ ଆମେ ବିଶେଷ ବିବ୍ରତ ନୋହୁଁ । ୧୯୮୫ରୁ ଆରମ୍ଭ ହୋଇଥିବା ଏ ବହିମେଳା ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି । ମୋତେ ୭୭ ବର୍ଷ ହେଲାଣି । ଯୁଗଳ କିଶୋର ଦତ୍ତଙ୍କୁ ୮୭ ଏବଂ ସାତକଡ଼ି ହୋତାଙ୍କୁ ୮୫ ବର୍ଷ ହେଲାଣି । ଖଗେଶ୍ୱର ମହାପାତ୍ର ଯେ କି ପୁସ୍ତକମେଳା ଆରମ୍ଭ ବେଳେ ଶାନ୍ତିନିକେତନରୁ ମାସେ ଛୁଟି ନେଇ ଆସୁଥିଲେ, ଏବେ ୮୩ ଟପିଲେଣି । ଆମ ସହ ଦୁଇଜଣ ଯୁବ ସଦସ୍ୟ ସାମିଲ ହୋଇଛନ୍ତି । ଅଶୋକ ମହାନ୍ତି ଓ ପବିତ୍ର ପ୍ରଧାନ। ଆମେମାନେ ବୟସର ଅପରାହ୍ନରେ । ସେମାନେ ଯଦି ଆମଠୁ ସମ୍ପୂର୍ଣ ମେଳା ଦାୟିତ୍ୱ ନେବେ ତେବେ ଏହା ଆଗକୁ ବଞ୍ଚି ରହିବ । ଅନ୍ୟ ମେଳା ହେବା ଦ୍ୱାରା ଭୁବନେଶ୍ୱର ମେଳା ଆଦୌ ପ୍ରଭାବିତ ହୋଇନାହିଁ କି ହେବନାହିଁ । ସହରର ଜନସଂଖ୍ୟା, ଲୋକଙ୍କ ପଠନ ରୁଚି ବଢ଼ୁଛି । ତେଣୁ ମେଳା ସଂଖ୍ୟ ବଢ଼ିଲେ ଭଲ ।

ୟୋଷ୍ଟୋ: ବହିର ବଜାର ଏବେ ସଂପ୍ରସାରିତ ହୋଇଛି । ଜଣେ ନିଜ ଦୁଆର ମୁହଁକୁ ବହିଟିଏ ମଗାଇ ପାରୁଛି । ଛାପାବହିର ବିକଳ୍ପ ମଧ୍ୟ ଆସିଗଲାଣି । ମନୋରଂଜନ ଓ ପ୍ରଜ୍ଞାସାଧନର ଅନ୍ୟ ମାଧ୍ୟମମାନେ ମଧ୍ୟ ମୁଣ୍ଡ ଟେକିଲେଣି । ଏଭଳି ସମୟରେ ବହି ଆଉ ବହିମେଳାର ଭବିଷ୍ୟତ କ’ଣ?

ବକୃଧ: ୧୯୮୦ ମସିହାରେ ଓଡ଼ିଶାରେ ବର୍ଷକୁ ୧୦୦ରୁ ୧୨୦ ଓଡ଼ିଆ ବହି ଛପା ହେଉଥିଲା । ସେତେବେଳେ ଓଡ଼ିଆ ବହିର ଭବିଷ୍ୟତ ନେଇ ଅନେକେ ଚିନ୍ତିତ ହୋଇପଡ଼ିଲେ । ପୁସ୍ତକମେଳା ଆରମ୍ଭର ୩୦ ବର୍ଷ ପରେ ଓଡ଼ିଆ ବହି ସଂଖ୍ୟା ବର୍ଷକୁ ୪୦୦୦ରେ ପହଞ୍ଚିଛି । ପୁସ୍ତକମେଳାର ଏହା ହିଁ ସବୁଠୁ ବଡ଼ ସଫଳତା । ସେତେବେଳେ ଗୋଟିଏ ବହି ପାଇବା ଲାଗି ଜଣକୁ କଟକ ଯିବାକୁ ପଡ଼ୁଥିଲା । ଏବେ ତ ସବୁଠି ପୁସ୍ତକମେଳା ହେଲାଣି। ବହିର ଅନେକ ବିକଳ୍ପ ପ୍ରସ୍ତୁତ ହୋଇଛି ସତ, କିନ୍ତୁ ମୁଁ ମନେକରେ ଛାପା ବହିର ଗୁରୁତ୍ୱ ସବୁଦିନେ ରହିବ । ଟିଭି, କମ୍ପ୍ୟୁଟରର ପ୍ରସାର ସତ୍ତ୍ୱେ ଯେଭଳି ଛାପା ଖବରକାଗଜ ସଂଖ୍ୟା ଓ ପ୍ରସାରଣ ବୃଦ୍ଧି ପାଇଚାଲିଛି ଠିକ ସେହିପରି ଛାପା ବହିର ସ୍ବାତନ୍ତ୍ର୍ୟ ବଜାୟ ରହିବ । ପ୍ରତିବର୍ଷ ନୂଆନୂଆ ବହିମେଳା ମୁଣ୍ଡ ଟେକୁଛି । ଏହା ହିଁ ବହିର ଜୟଯାତ୍ରାର ସବୁଠୁ ବଡ଼ ଉଦାହରଣ ।

ଏହି ପ୍ରକାରର ପ୍ରେରଣାଦାୟକ କାହାଣୀ ପଢିବା ପାଇଁ ଆମର Facebook ପେଜ like କରନ୍ତୁ। 

ପଢନ୍ତୁ କିଛି ସମ୍ବନ୍ଧିତ କାହାଣୀ - 

ଓଡିଶାରେ ଚାଲିଲା ବୁକ୍ ଅନ୍ ହ୍ୱିଲ : ଗାଁ ପିଲାଙ୍କ ପାଖକୁ ଯିବ ବହି ଗାଡି

ଓଡ଼ିଆ ଭାଷା ପାଇଁ କିଛି ଆନ୍ତର୍ଜାତୀୟ ଇଣ୍ଟରନେଟ ପ୍ରକଳ୍ପ

ବସ୍ତିପିଲାଙ୍କୁ ବହିଖାତା ଧରାଇବାର ଏକ ଅଭିନବ ପ୍ରୟୋଗଶାଳା: ମ୍ୟୁଜିୟମ ସ୍କୁଲ

ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।