ଦାରିଦ୍ର୍ୟର ଅନ୍ଧକାରରୁ ଆସିଥିବା ଛାୟା ଆଜି ଅନ୍ୟମାନଙ୍କ ପାଇଁ ଅଶାର ଆଲୋକ

"ନାରୀ ଆପଣା ଭିତରେ ସଂପୂର୍ଣ୍ଣ। ନାରୀ କରିପାରେ ସୃଷ୍ଟି,ସଂରଚନା ଓ ରୂପାନ୍ତର," - ଡାୟାନ ମେରିଚାଇଲ୍ଡ

0

"ମୁଁ ଜଣେ ବାଳିକା ବା ନାରୀକୁ ଦୈନିକ ଅତିକମରେ ୫୦୦ ଟଙ୍କା ରୋଜଗାର କରି ବାର ଶିକ୍ଷା ଦେଇ ପାରିବି ଯାହା ଦ୍ଵାରା କି ସେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ନହୋଇ ନିଜ ଗୋଡରେ ଛିଡା ହୋଇପାରିବ ।

ଏ ହେଉଛି ଅହମଦାବାଦର ଛାୟା ସୋନାଭେନଙ୍କ ସହ ହୋଇଥିବା ଆଳାପର କିୟଦଂଶ, ଯେ କି ଉଚ୍ଚଶିକ୍ଷାରୁ ବଂଚିତା ଜଣେ ନାରୀ ନିଜ ଉଦ୍ୟମ ବଳରେ ଯୁବତୀ ଓ ମହିଳାମାନଙ୍କୁ ସିଲାଇ ଶିକ୍ଷା ଦେବା ସହିତ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି । ସେ ନିଜେ ଉଚ୍ଚ ଶିକ୍ଷାରୁ ବଂଚିତ ହୋଇଥିଲେ ମଧ୍ୟ ନିଜର ଦୁଇ ପୁଅଙ୍କୁ ସଫ୍ଟୱେୟର ଇଂଜିନିୟର କରିପାରିଛନ୍ତି ଓ ସେମାନେ ଆଇଟି କଂପାନୀରେ କାର୍ଯ୍ୟରତ ।

ମୁଁ ଅତ୍ୟନ୍ତ ଗରିବୀରେ ବଢ଼ି ଯାହା ଅନୁଭବ କରିଛି ତାହା ମୋର ପିଲାମାନଙ୍କୁ କ୍ଷେତ୍ରରେ ନ ଘଟୁ ଏହାହିଁ ମୋର ପ୍ରଧାନ ଉଦ୍ଦେଶ୍ୟ ଥିଲା ଓ ମୋର ପଥପ୍ରଦର୍ଶକ ଥିଲା । ମୋର ଦୁଇ ପୁଅ ଆଜି ଶିକ୍ଷିତ ହୋଇ ପ୍ରତିଷ୍ଠା ଲାଭ କରିଥିବାଦେଖି ମୁଁ ଆଜି ଗର୍ବିତ । ସେମାନେ ଭଲ ରୋଜଗାର କରୁଛନ୍ତି ଓ ତେଣୁ ଆମକୁ ଅର୍ଥ ନେଇ କୌଣସି ଅସୁବିଧା ନାହିଁ ତଥାପି ସେଇ ପୁରୁଣା ଦିନ ଗୁଡିକର ସ୍ମୃତି ମନେ ପଡିଗଲେ ଆଖି ଭରିଆସେ ବୋଲି ଛାୟା କୁହନ୍ତି।

ସାଧାରଣ ଭାବେ ବିତିଥିବା ପିଲାଦିନ

ମହାରାଷ୍ଟ୍ରର ଜଲଗାାଁଓ ଜିଲ୍ଲାର ଧାରଣଗାଁଓ ନାମକ ଏକ ଛୋଟ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଛାୟା ପିଲାଟି ଦିନରୁ ଗରିବୀର ସୀମାରେଖାରେ ବଢ଼ି ଆସିଥିଲେ । ସେମାନେ ସାତ ଭାଇଭଉଣୀ କେବଳ ତାଙ୍କ ପିତାଙ୍କ ରୋଜଗାର ଉପରେ ନିର୍ଭରଶୀଳ ଥିଲେ । ଦାରିଦ୍ର୍ୟର କଷାଘାତ ମଧ୍ୟରେ ସେ ବହୁକଷ୍ଟରେ ଦଶମ ଯାଏ ଶିକ୍ଷା ଲାଭ କରିଥିଲେ । ଉଚ୍ଚଶିକ୍ଷା ଜୀବନରେ ଏକ ସୁଦୂର ସ୍ଵପ୍ନ ଥିଲା ।

ସେ ଗୁଜୁରାଟର ଜଣେ ଟେକ୍ସଟାଇଲ ମିଲର କର୍ମଚାରୀଙ୍କୁ ବିବାହ କରି ନିଜ ସ୍ୱାମୀଙ୍କ ସହ ଅହମଦାବାଦକୁ ଆସିଥିଲେ । ୮୦ ଦଶକରେ ତାଙ୍କ ସ୍ୱାମୀଙ୍କର ଏହି ଚାକିରୀ ଏକ ସମ୍ମାନ ଜନକ ଚାକିରୀ ଥିଲା । । କିନ୍ତୁ ସମୟ କ୍ରମେ ମିଲଟି ବନ୍ଦ ହେବାକୁ ବସିଲା ଓ ତାଙ୍କ ସ୍ୱାମୀ ବେକାର ହୋଇ ବସିଲେ । ତେଣୁ ସେ ନିଜର ଗୁଜୁରାଣ ମେଣ୍ଟାଇବାକୁ ଅଟୋ ରିକ୍ସା ଚଳାଇବା ଆରମ୍ଭ କଲେ ।

ଆର୍ଥିକ ସ୍ଵାଧୀନତା

ଛାୟା ନିଜ ସ୍ୱାମୀଙ୍କ ଆର୍ଥିକ ଦୁର୍ଗତିର ନୀରବ ଦର୍ଶକ ସାଜିଥିଲେ ବି ଏହା ଦ୍ୱାରା ତାଙ୍କ ସ୍ୱାମୀ ତାଙ୍କୁ କୌଣସି କ୍ଷତି ପହଂଚିବାକୁ ଦେଇନଥିଲେ । ଏହା ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଲା ଓ ସେ ନିଜେ କିଛି କରି ନିଜର ପରିବାରକୁ ସହାୟତା ପ୍ରଦାନ କରିବାକୁ ଚାହିଁଲେ । ତେଣୁ ସେ ସିଲାଇ ଶିକ୍ଷା ନେଇ ପରେ ଅନ୍ୟମାନଙ୍କୁ ସିଲାଇ ଶିକ୍ଷା ଦେଇ ଦୁଇ ପଇସା ରୋଜଗାର କରି ନିଜ ପରିବାରରେ ସହଯୋଗୀ ହେବାକୁ ସ୍ଥିର କଲେ । କିନ୍ତୁ ତାଙ୍କ ଶାଶୁଘର ଲୋକମାନେ ଏହାକୁ ସହଜରେ ଗ୍ରହଣ କରିନଥିଲେ । ତଥାପି ତାଙ୍କ ସ୍ୱାମୀଙ୍କ ସହଯୋଗରେ ସେ ସେମାନଙ୍କୁ ମନାଇବାକୁ ସକ୍ଷମ ହୋଇଥିଲେ । ସେ ନିହାତି ଭାବରେ କିଛି କରି ଦେଖାଇବାକୁ ମନେ ମନେ ଶପଥ ନେଲେ । ମହିଳାମାନଙ୍କ ଲୁଗା ସିଲାଇ ଶିଖିବାକୁ ତାଙ୍କୁ ତିନିମାସ ସମୟ ଲାଗିଲା ଓ କ୍ରମେ ସେ ଘରୁ କାମ କରିବାକୁ ଅର୍ଡରମାନ ପାଇବାକୁ ଲାଗିଲେ । ନିଜର କଥା ଓ କାମ ଦ୍ୱାରା ସେ ଖୁବ ଶୀଘ୍ର ଗ୍ରାହକମାନଙ୍କର ଏକ ବଡ ନେଟୱର୍କ ବନାଇ ପାରିଲେ । କ୍ରମେ ଅଧିକରୁ ଅଧିକ କାମ ଆସିବାକୁ ଲାଗିଲା । ଏହା ଦ୍ୱାରା ତାଙ୍କର ନିଜ ଉପରେ ବିଶ୍ୱାସ ବଢ଼ିବାକୁ ଲାଗିଲା ଓ ସେ ଗରିବ ମହିଳା ଓ ବାଳିକାମାନଙ୍କୁ ସିଲାଇ ଶିକ୍ଷା ଦେବାକୁ ଆରମ୍ଭ କଲେ। ଏହା ପରେ ଛାୟାଙ୍କ ‘ଦେବ ଶ୍ରୀ’ ସିଲାଇ ଶିକ୍ଷାକେନ୍ଦ୍ର ଆରମ୍ଭ ହେଲା ଓ ଅଧିକ ରୁ ଅଧିକ ମହିଳା ଯୋଗଦେଲେ ।

ଏହି ସମୟରେ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମହେଲା । ସେ ତାଙ୍କର ଦୁଇ ପୁଅଙ୍କୁ ଇଂରାଜୀ ମାଧ୍ୟମରେ ପାଠ ପଢ଼ାଇବାକୁ ସ୍ଥିର କଲେ ଯାହାକି ସେ ତାଙ୍କ ପିଲାଦିନେ ପାଇବାରୁ ବଂଚିତ ହୋଇଥିଲେ । ସେତେବେଳକୁ ପରିବାରର ଆର୍ଥିକ ସ୍ଥିତି ଏଥିପାଇଁ ଏତେ ସ୍ୱଛଳ ହୋଇନଥିଲେ ବି ସେ ନିଜର ଏହି ସିଦ୍ଧାନ୍ତରେ ଅଟଳ ରହି ସଫଳ କଲେ ।

ତାଙ୍କ ପ୍ରେରଣାର ଉତ୍ସ ପଚାରିଲେ ସେ ତାଙ୍କ ମାଁ'ଙ୍କ କଥା କୁହନ୍ତି, ଯେ କି ଏକ ବଡ ପରିବାରର ଦାୟୀତ୍ୱ ସମ୍ଭାଳି କମ ଉପାର୍ଜ୍ଜନରେ ବି ସମସ୍ତଙ୍କୁ ସର୍ବଦା ଖୁସି ରଖିପାରୁଥିଲେ ।

ଆରମ୍ଭ ହେବାଠୁ ଆଜିର ଦିନକୁ ଏହାକୁ ୨୫ ବର୍ଷ ବିତି ଯାଇଥିଲେ ବି ଏପରି କୌଣସି ଦିନ ନାହିଁ ଯେଉଁଦିନ ମୋ ଶ୍ରେଣୀଗୃହରେ ପିଲା ନାହାଁନ୍ତି ବୋଲି ସେ କୁହନ୍ତି ।

ନିଜେ ହେଲେ ପରିବର୍ତ୍ତନର ଅନ୍ୟ ନାମ

ସେ ୩୦୦୦ରୁ ଅଧିକ ଗରିବ ମହିଳାଙ୍କୁ ସିଲାଇ ଶିକ୍ଷା ଦେଇଥିବାର କୁହନ୍ତି ଯେଉଁମାନେ କି ଆଜି ନିଜର ସିଲାଇ ବ୍ୟବସାୟ ଜରିଆରେ ସେମାନଙ୍କ ପରିବାରକୁ ଆର୍ଥିକ ସହଯୋଗ କରୁଛନ୍ତି । ଏହା ତାଙ୍କୁ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରିବା ସହ ଗର୍ବିତ କରିଥାଏ । ଏପରି କେତେକ ମହିଳା ଯେଉଁମାନଙ୍କୁ ମୁଁ ଶିଖାଇଥିଲି ସେମାନେ ସେମାନଙ୍କ ଝିଅମାନଙ୍କୁ ଏବେ ମୋ ନିକଟକୁ ଶିକ୍ଷା ପାଇଁ ପଠାଉଛନ୍ତି ବୋଲି ସେ ହସି କୁହନ୍ତି ।

ଛାୟାଙ୍କ ପୁଅ ଜୟ କୁହନ୍ତି ଥରେ ଜଣେ ପିତା ତାଙ୍କର ପୋଲିଓ ଆକ୍ରାନ୍ତ ଭିନ୍ନକ୍ଷମ ଝିଅକୁ ନେଇ ସିଲାଇ ଶିକ୍ଷା ପାଇଁ ତାଙ୍କ ମାଙ୍କ ନିକଟରେ ପହଂଚିଲେ । ଝିଅଟିର ଗୋଡ ଦୁର୍ବଳ ଥିବାରୁ ସେ ସିଲାଇ ଶିକ୍ଷାଲାଭ କରିବା କଷ୍ଟକର ଥିଲା । ତେଣୁ ଅନେକ ସ୍ଥାନରୁ ସେ ଆଡମିସନ ନେବାରୁ ବଂଚିତ ହୋଇଥିଲା । କିନ୍ତୁ ତାଙ୍କ ମା ସଙ୍ଗେ ସଙ୍ଗେ ତାକୁ ଗ୍ରହଣ କଲେ ଓ ତା ପାଇଁ ଏକ ସ୍ୱତନ୍ତ୍ର ସିଲାଇ ମେସିନର ଯୋଗାଡ କରିଥିଲେ । ଚାରିମାସ ପରେ ସେହି ଝିଅଟି ସିଲାଇ ଶିଖି ତାର ନିଜର ଭରଣ ପୋଷଣ କରିବା ପାଇଁ ସକ୍ଷମ ହୋଇପାରିଲା ।

ନାରୀ ଶକ୍ତି

ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଉଥିବା ଛାୟା ଅଧିକରୁ ଅଧିକ ମହିଳାଙ୍କୁ ସିଲାଇ ଶିକ୍ଷା ଦେଇ ସେମାନଙ୍କୁ ତାଙ୍କ ନିଜ ପରି ଆର୍ଥିକ ସ୍ୱାବଲମ୍ବୀ ହୋଇ ନିଜର, ନିଜ ପରିବାରର ତଥା ନିଜ ପିଲାମାନଙ୍କ ସହଯୋଗରେ ଯୋଗଦାନ କରି ପାରିବକୁ ସମର୍ଥ କରିବାକୁ ଚାହାଁନ୍ତି ।

ମୂଳ ଲେଖା - ତନବୀ ଦୁବେ

ଭାଷାନ୍ତର - ସୌରଭ ପରିଡ଼ା