ସିଜୋଫ୍ରେନିଆ ଉପରେ କ’ଣ କହନ୍ତି ରେଶମା ଭାଲିଆପାନ୍

ସିଜୋଫ୍ରେନିଆ ଉପରେ କ’ଣ କହନ୍ତି ରେଶମା ଭାଲିଆପାନ୍

Monday November 23, 2015,

3 min Read

୨୦୦୪ ମସିହାରୁ ମାନସିକ ସ୍ଵାସ୍ଥ୍ୟ, ଭିନ୍ନକ୍ଷମ, ଯୌନତା, ମାନବାଧିକାର ଆଦି ପ୍ରସଙ୍ଗରେ ସ୍ଵର ଉଠାଇ ଆସିଛନ୍ତି ରେଶମା ଭାଲିଆପ୍ପାନ୍ । ସିଜୋଫ୍ରେନିଆ ରୋଗ ସହ ନିଜର ଯାତ୍ରା ସମ୍ପର୍କରେ ବି ସେ ବହୁବାର ଲେଖିଛନ୍ତି ଓ କହିଛନ୍ତି ।

image


ତାଙ୍କୁ ଦେଖୁଦେଖୁ ଯେ କେହି ପ୍ରଥମେ ପାଗଳ ବୋଲି ମନେକରିବ, କାରଣ ସେ ଗୋଟେ କିମାକାର ରୂପ ନେଇ ସର୍ବଦା ଉଭା ହୁଅନ୍ତି । ମୁଣ୍ଡରେ ଗୋଲାପୀ କେଶ, ହାତରେ ଟାଟୁ ଓ ମୁହଁରେ ଫୋଡେ଼ଇ । ସେ କେବେ ଚୁପ ହୋଇବସିବା ଲୋକ ନୁହନ୍ତି । ତେବେ ସେ ଯେବେ ରାଗନ୍ତି ବା ବ୍ୟସ୍ତ ହୁଅନ୍ତି ଲୋକେ ଏହାକୁ ତାଙ୍କର ଚିରାଚରିତ ବ୍ୟବହାର ଭାବିବା ବଦଳରେ ତାଙ୍କୁ ସିଜୋଫ୍ରେନିକ ବୋଲି ମନେକରନ୍ତି ।

ରେଶମା କହନ୍ତି, "ମୋ ପାଇଁ ସବୁଠୁ ବଡ଼ କଷ୍ଟକର ଥିଲା ଲୋକଙ୍କ ଭାବନା ବଦଳେଇବା । ସେମାନେ ମୋତେ ସାଧାରଣ ବ୍ୟକ୍ତି ନଭାବି ସିଜୋଫ୍ରେନିକ ଭାବୁଥିଲେ । ଅନ୍ୟମାନଙ୍କ ଭଳି ମୋର ବି ଗୋଟେ ସ୍ଵତନ୍ତ୍ର ବ୍ୟକ୍ତିତ୍ୱ ରହିଛି । ସେ ବ୍ୟକ୍ତିତ୍ୱକୁ ସିଜୋଫ୍ରେନିକର ଆଖ୍ୟା ଦିଆନଯାଉ । ସିଜୋଫ୍ରେନିକ ବ୍ୟକ୍ତିଙ୍କ ସମସ୍ୟା ହେଲା ସେମାନଙ୍କର ଯେ ଅସ୍ତିତ୍ୱ ଅଛି, ଏକଥା ସଭିଏଁ ଭୁଲିଯାଆନ୍ତି । ସେମାନଙ୍କୁ ପାଗଳଗାରଦ, ମୁକ୍ତିକେନ୍ଦ୍ର କିମ୍ବା ଘର ଭିତରେ ରଖାଯାଏ । ସିଜୋଫ୍ରେନିଆ ରୋଗ ଥିବା ଆମ ଭଳି ବ୍ୟକ୍ତିମାନେ ପାଗଳ ନୁହନ୍ତି । ବେଳେ ବେଳେ ଆମେ ଭିନ୍ନ ଆଚରଣ କରୁ ସତ, ଆପଣ କ’ଣ କହୁଛନ୍ତି ବୁଝିପାରୁନା । କିନ୍ତୁ ଯେତେବେଳେ ଆମେ ଭଲ, ସତରେ ସେତେବେଳେ ଆମେ ବହୁତ ବହୁତ ବହୁତ ଭଲ," ଏ କଥା କହି ହସି ଦିଅନ୍ତି ରେଶମା ।

image


ଯେତେବେଳେ ତାଙ୍କୁ ୨୨ ବର୍ଷ ଡାକ୍ତର କହିଲେ ଯେ ସେ ସିଜେଫ୍ରେନିଆରେ ପୀଡ଼ିତ । ପରେ ସେ ଔଷଧ ଖାଇଲେ ଓ ନିୟମିତ ମନ-ଡାକ୍ତରଙ୍କ ପାଖକୁ ଯାଉଥିଲେ । ତେବେ କିଛି ଦିନ ପରେ ସେ ଔଷଧ ଛାଡ଼ିଦେଲେ । ତାଙ୍କ ପରିବାର ଓ ବନ୍ଧୁ ଏହାକୁ ସହଜରେ ଗ୍ରହଣ କରିନଥିଲେ । କିନ୍ତୁ ସେମାନେ ତାଙ୍କୁ ଅଟକାଇ ପାରିନଥିଲେ । ସେ ସାଧାରଣ ମଣିଷ, ସାଧାରଣ ରେଶମା ଭଳି ବଞ୍ଚିବା ଆରମ୍ଭ କଲେ ।

ରେଶମାଙ୍କର ଜନ୍ମ ମାଲେସିଆରେ ଓ ସେ ପୁନାରେ ନିଜ ସାନଭଉଣୀ ଓ ୪ଟି ବିଲେଇ ସହ ରହନ୍ତି । ସେ ସାମରିକ କଳା ଶିଖାନ୍ତି, ଚିତ୍ର କରନ୍ତି, ଅନୁକରଣ(ମାଇମ୍) ଦେଖାନ୍ତି, ଧ୍ୟାନ କରନ୍ତି, ସଭାରେ ବକ୍ତା ସାଜନ୍ତି, ଲେଖନ୍ତି, ବହୁତ କିଛି କରନ୍ତି ।

image


‘ମୁଁ କିଛି ନିର୍ଦ୍ଦିଷ୍ଟ କାମ ନିୟମିତ କରିବାକୁ ଚାହେ, କିନ୍ତୁ କେଉଁଟା କରିବି ପାଏନା ।’ କହନ୍ତି ରେଶମା ।

ସେ ପୁଣି କହନ୍ତି, “ଭାରତରେ ୨୦୦୦ରୁ ଅଧିକ ଜାତୀୟ ଆଇନ ରହିଛି ଓ ସେଥି ମଧ୍ୟରୁ ୨୦୦ରେ ‘ଅନ୍ସାଉଣ୍ଡ୍ ମାଇଣ୍ଡ୍(ମାନସିକ ବିକୃତ) ଶବ୍ଦ ବ୍ୟବହୃତ ହୋଇଛି । ୧୯୮୭ ମାନସିକ ସ୍ଵାସ୍ଥ୍ୟ ଆଇନରେ ଏ ଶବ୍ଦ ବାରମ୍ବାର ବ୍ୟବହୃତ ହୋଇଛି । ଆଉ ଗୋଟେ ଉଦାହରଣ ଦେଉଛି । ୧୯୩୭ ଇଣ୍ଡିଆ ଏଆରକ୍ରାଫ୍ଟ ନିୟମର ଧାରା ୨୪(କ)ର ଭାଗ ୩ ଦେଖନ୍ତୁ । ସେଥିରେ ମଧ୍ୟ ଉଲ୍ଲେଖ ରହିଛି । ମାନସିକ ସ୍ଵାସ୍ଥ୍ୟକୁ ନେଇ ଥିବା ପୁରୁଣା ଆଇନଗୁଡ଼ିକରେ ପରିବର୍ତ୍ତନ ଆବଶ୍ୟକ ।”

image


ରେଶମାଙ୍କୁ ନେଇ ସିଜୋଫ୍ରେନିଆ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର କରିଛନ୍ତି ଅପର୍ଣା ସାନ୍ୟାଲ, ‘ଏ ଡ୍ରପ୍ ଅଫ୍ ସନ୍ସାଇନ୍’ । ଏହା ତାଙ୍କ ଜୀବନ ବଦଳେଇଦେଲା ବୋଲି ରେଶମା କହନ୍ତି । ସିଜୋଫ୍ରେନିଆ ଉପରେ ତର୍କ ଅଭାବରୁ ଏଯାଏଁ ବହୁ ଭ୍ରମ ଧାରଣା ରହିଆସିଥିବା କହିଛନ୍ତି ରେଶମା । ଆମେ ଭାବୁଛେ ଡାକ୍ତର ଈଶ୍ୱର । ଆମ ଜୀବନ ଉପରୁ ଘୋଡ଼ଣୀ କାଢ଼ି ମଇଳା ଫିଙ୍ଗିବା ପରିବର୍ତେ ଆମେ ରୋଗ ହୋଇଛି ଭାବି ଡାକ୍ତରଙ୍କ ପାଖକୁ ଯାଉଛେ ।


ତେବେ ଶେଷରେ ଆମେ ଦେଖିବା ସିଜୋଫ୍ରେନିଆକୁ ରେଶମା କେମିତି ବର୍ଣନା କରନ୍ତି । ସେ କହନ୍ତି- ମୋ ଶବ୍ଦକୋଷରେ ସିଜୋଫ୍ରେନିଆ ମଣିଷର ବାହାରେ ଏ ପାଗଳ ପୃଥିବୀରେ ହିଁ ଥାଏ । ଆମେ କେବଳ ଏହାକୁ ଅନୁକରଣ କରିଥାଉ ଏବଂ ଏତେ ଭିତରକୁ ନେଇଯାଉ ଯେ ଲାଗେ ଏହା ଆମ ଭିତରର ଅବସ୍ଥା । କିମ୍ବା ଏମିତି କହିଲେ, "ପୃଥିବୀରେ ଆମେ ଯାହା ଅଙ୍ଗେ ନିଭେଇଥାଉ କାଳକ୍ରମେ ତାହା ଆମ ନିଜର ଅଂଶ ପାଲଟିଯାଏ । ସ୍ଥିତିବାଦୀତା-ଦେବାଳିଆ ସମାଜରେ ଆମେ ଆମ ନିଜର ନୁହେଁ, ବରଂ ସବୁକିଛିର ଦର୍ପଣ ଚିତ୍ର କେବଳ। "

ରେଶମାଙ୍କ ବିଷୟରେ ଅଧିକ ଜାଣିବାକୁ ଓ ତାଙ୍କର ୧୦୦୦+ ହେୟାର ସ୍ଟାଇଲ ଦେଖିବା ପାଇଁ ତାଙ୍କର ୱେବସାଇଟ ଚେକ କରନ୍ତୁ।

ମୂଳ ଲେଖା - ଫ୍ରାନ୍ସେସା ଫରାରିଓ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା