ଘରୋଇ ନିରାପତ୍ତା: ପ୍ରତିଷ୍ଠା ହେବ ୧ ହଜାର ସ୍ମାର୍ଟ ତାଲିମ୍ କେନ୍ଦ୍ର

ଘରୋଇ ନିରାପତ୍ତା: ପ୍ରତିଷ୍ଠା ହେବ ୧ ହଜାର ସ୍ମାର୍ଟ ତାଲିମ୍ କେନ୍ଦ୍ର

Wednesday December 30, 2015,

2 min Read

ଦେଶରେ କୁଶଳୀ ଶ୍ରମଶକ୍ତିକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଯୋଜନାରେ ଦେଶର ଯୁବକଯୁବତୀ ମାନଙ୍କୁ ଘରୋଇ ନିରାପତ୍ତା କ୍ଷେତ୍ରରେ ନିଯୁକ୍ତି ପାଇଁ ତାଲିମ୍ ପ୍ରଦାନ କରିବେ । ଏଥି ନିମନ୍ତେ ଆଗାମୀ ୩ ବର୍ଷ ମଧ୍ୟରେ ପ୍ରାୟ ୧ ହଜାର ସ୍ମାର୍ଟ ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଏଠାରେ ଆୟୋଜିତ ୧୦ତମ ନିରାପତ୍ତା କୌଶଳ ତାଲିମ୍ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର କୌଶଳ ବିକାଶ ତଥା ଉଦ୍ୟୋଗିକ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡି କହିଛନ୍ତି । ଏହି ସମ୍ମିଳନୀ ନିରାପତ୍ତା କ୍ଷେତ୍ର ଦକ୍ଷତା ଉନ୍ନତିକରଣ ପରିଷଦ (ଏସ୍ଏସ୍ଏସ୍ଡିସି) ଏବଂ କେନ୍ଦ୍ରୀୟ ଘରୋଇ ନିରାପତ୍ତା ଉଦ୍ୟୋଗ ସଂଘ (ସିଏପିଏସ୍ଆଇ) ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ଆଗାମୀ ୩ ମାସ ମଧ୍ୟରେ ଜାତୀୟ କୌଶଳ ବିକାଶ ପରିଷଦ(ଏନ୍ଏସଡିସି) ଅଧିନରେ କାର୍ଯ୍ୟକରୁଥିବା ଏସ୍ଏସ୍ଏସ୍ଡିସି ୬୦ ହଜାର ଘରୋଇ ନିରାପତ୍ତା ରକ୍ଷୀଙ୍କୁ ତାଲିମ୍ ତଥା ପ୍ରମାଣପତ୍ର ପ୍ରଦାନ କରିବ ବୋଲି ଶ୍ରୀ ରୁଡି ସୂଚନା ଦେଇଛନ୍ତି ।

image


ଏସ୍ଏସ୍ଏସ୍ଡିସି ଦ୍ୱାରା ଆୟୋଜିତ ହେଉଥିବା ଏହି ତାଲିମ୍ କାର୍ଯ୍ୟକ୍ରମ ବର୍ତମାନ ସାରା ଦେଶରେ ଚାଲୁଥିବା ବେଳେ ଏଥି ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୩୦୦ ତାଲିମ୍ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ପ୍ରକାଶଯେ ଭାରତରେ ମାତ୍ର ୪.୫ ପ୍ରତିଶତ କୁଶଳୀ ଶ୍ରମ ଶକ୍ତି ରହିଥିବା ବେଳେ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ର ଯଥା- କୋରିଆ (୯୬ ପ୍ରତିଶତଞ୍ଜ), ଜାପାନରେ ୮୦ ପ୍ରତିଶତ, ଜର୍ମାନୀରେ ୭୦ ପ୍ରତିଶତ, ଯୁକ୍ତରାଜ୍ୟରେ ୬୮ ପ୍ରତିଶତ, ଯୁକ୍ତରାଷ୍ଟ୍ର ଆମେରିକାରେ ୮୫ ପ୍ରତିଶତ ଏବଂ ଚୀନରେ ୪୬ ପ୍ରତିଶତ କୁଶଳୀ ଶ୍ରମ ଶକ୍ତି ରହିଛନ୍ତି । ଭାରତ କୁଶଳୀ ଶ୍ରମ ଶକ୍ତି ସୃଷ୍ଟିରେ ଉନ୍ନତନଥିବା ବେଳେ କେନ୍ଦ୍ର ସରକାର ଏଥିପ୍ରତି ଯତ୍ନବାନ ରହିଥିବା ଶ୍ରୀ ରୁଡି ଗୁରୁତ୍ୱାରୋପ କରିଛନ୍ତି ।

image


ଏହି ତାଲିମ୍ ଗ୍ରହଣ କରି ସାରିବା ପରେ ପ୍ରମାଣ ପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ପ୍ରମାଣପତ୍ର ଆଗାମୀ ଦିନରେ କୌଣସି ସ୍ଥାନରେ କର୍ମ ନିଯୁକ୍ତିରେ ସହାୟକ ହୋଇ ପାରିବ । ବର୍ତ୍ତମାନ ଘରୋଇ ନିରାପତ୍ତା ଏଜେନ୍ସି ଆଇନ୍ ୨୦୦୫ ମୁତାବକ ପ୍ରତ୍ୟେକ ସୁରକ୍ଷାକର୍ମୀଙ୍କୁ ଅନ୍ୟୁନ ୧୬୦ ତାଲିମ ବ୍ୟବସ୍ଥା ରହିଥିବା ବେଳେ ୧୦୦ ଘଂଟାର କ୍ଲାସରୁମ ତାଲିମ୍ ତଥା ୬୦ଘଣ୍ଟାର ଅନ ଜବ ତାଲିମ୍ ବ୍ୟବସ୍ଥା ରହିଛି । 

image


ଏହି କାର୍ଯ୍ୟକ୍ରମ ଅଧିନରେ ୨ ଲକ୍ଷ ଘରୋଇ ନିରାପତ୍ତା କର୍ମୀଙ୍କୁ ତାଲିମ୍ ପ୍ରଦାନ କରାଯାଇଥିବା ବେଳେ ଆଗାମୀ ୩ ବର୍ଷ ମଧ୍ୟରେ ୮୦ ଲକ୍ଷଙ୍କୁ ତାଲିମ୍ ପ୍ରଦାନ କରାଯିବ । ସେହିଭଳି ୧ ହଜାର ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ରୁଡି ସୂଚନା ଦେଇଛନ୍ତି । ନୂଆ ଦିଲ୍ଲୀରେ ଦୁଇ ଦିନ ବ୍ୟାପି ଆୟୋଜିତ ହେଉଥିବା ଏହି ସମ୍ମୀଳନୀକୁ ପୂର୍ବତନ ଗୃହମନ୍ତ୍ରୀ ଏବଂ ପଞ୍ଜାବର ରାଜ୍ୟପାଳ ଉଦଘାଟନ କରିଥିବା ବେଳେ ଏସ୍ଏସ୍ଏସ୍ଡିସି ଏବଂ ସିଏପିଏସଆଇ ମହାସଚିବ ମହେଶ ଶର୍ମା, ଏସ୍ଏସ୍ଏସ୍ଡିସିର ଅଧ୍ୟକ୍ଷ କନୱର ବିକ୍ରମ ସିଂ ଉପସ୍ଥିତ ଥିଲେ ।

image


ପ୍ରକାଶଯେ ସାରା ଦେଶର ୬୦୦ ଜିଲାରେ ୧୫ ହଜାରରୁ ଅଧିକ ନିରାପତ୍ତା ସେବା ଫାର୍ମ ରହିଛି । ଆର୍ଥିକ ତଥା କର୍ପୋରେଟ୍ ଜଗତ ବୃଦ୍ଧି ତଥା ନିରାପତ୍ତା ସେବାର ଗୁରୁତ୍ୱ ବୃଦ୍ଧି ହେବାରୁ ଏହା ୨୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଉଦ୍ୟୋଗ, କାର୍ଯ୍ୟାଳୟ, ଆଇଟି ପାର୍କ, ଘରୋଇ ଭିତିଭୂମି, ବିମାନ ନ୍ଦର, ମେଟ୍ରୋଷ୍ଟେସନ୍, ସପିଂ ମଲର ବୃଦ୍ଧି ଘଟିବା ସହିତ ଏହି କ୍ଷେତ୍ରରେ ବୃଦ୍ଧି ଘଟୁଛି । ନିକଟରେ ପ୍ରକାଶିତ ଗ୍ରାଂଟ୍ ଥୋର୍ଣ୍ଟନ ଏବଂ ଏଫ୍ଆଇସିସିଆଇ ଦ୍ୱାରା ପ୍ରଦତ ରିପୋର୍ଟ ମୁତାବକ ଦେଶରେ ୪୦ ହଜାର କୋଟିର ଘରୋଇ ନିରାପତ୍ତା ସେବା ଉଦ୍ୟୋଗ ରହି ଥିବା ବେଳେ ଆଗାମୀ ୨୦୨୦ ସୁଦ୍ଧା ଏହା ୮୦ ହଜାର କୋଟିରେ ପହଂଚିବ ।