‘ବିଦ୍ୟା’: ବସ୍ତିରେ ବହି ବସ୍ତାନିର ବ୍ୟବସ୍ଥା, ବାରଦୁଆର ହେଉଥିବା ଲୋକଙ୍କୁ ଆତ୍ମନିର୍ଭର କରୁଥିବା ସଂସ୍ଥା

‘ବିଦ୍ୟା’: ବସ୍ତିରେ ବହି ବସ୍ତାନିର ବ୍ୟବସ୍ଥା, ବାରଦୁଆର ହେଉଥିବା ଲୋକଙ୍କୁ ଆତ୍ମନିର୍ଭର କରୁଥିବା ସଂସ୍ଥା

Monday December 28, 2015,

5 min Read

ରଶ୍ମୀ ମିଶ୍ରା ‘ବିଦ୍ୟା’ ନାମକ ସଂସ୍ଥା ଆରମ୍ଭ କରିଥିଲେ

• ଶିକ୍ଷାରୁ ବଂଚିତ ରହିଥିବା ପିଲାଙ୍କ ପାଇଁ ‘ବିଦ୍ୟା’

• ଦିଲ୍ଲୀ, ମୁମ୍ବଇ ଓ ବାଙ୍ଗାଲୋରରେ ଚାଲିଛି କାମ

• ଦୁଇ ଲକ୍ଷ ବ୍ୟକ୍ତିଙ୍କୁ କରିଛି ଆତ୍ମନିର୍ଭର

“ମୋତେ ଏକୁଟିଆ ଆରମ୍ଭ କରିବାକୁ ପଡିଥିଲା | ମୁଁ ଜାଣିଥିଲି ଏଥିପାଇଁ ଅର୍ଥ ଯୋଗାଡ କରିବା ବହୁତ ବଡ ସମସ୍ୟା | କିନ୍ତୁ ଏକ ସାମାଜିକ ଉଦ୍ୟମୀ ଭାବେ ଭାରତର ବସ୍ତି ଅଂଚଳର କାମ କରିବା ଏକ ବଡ କଷ୍ଟକର କାମ।"
image


୧୯୮୫ରେ ଥରେ ଆଇଆଇଟି କ୍ୟାମ୍ପସର ବାହାର ପଟେ କାଦୁଅରେ ଖେଳୁଥିବା ପାଂଚଜଣ ଝିଅକୁ ଦେଖିଥିଲେ | ଏଥିରୁ ସେ ଦେଶର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ହୃଦୟଙ୍ଗମ କରିପାରିଥିଲେ | ଭାରତର ଜଣାଶୁଣା ଓ ନାମୀ ଶିକ୍ଷଣ ସଂସ୍ଥାର ଆଖପାଖରେ ରହୁଥିବା ଝିଅମାନଙ୍କୁ ସାଧାରଣ ପାଠ ପଢିବାର ମଧ୍ୟ ଅବସର ନଥିଲା | ରଶ୍ମୀ ସେହି ସମୟରେ ଏଭଳି କିଛି କାମ କରିବାକୁ ନିଷ୍ପତି ନେଲେ, ଯେଉଁଥିରେ ଏଭଳି ପିଲାମାନେ ଉପକୃତ ହୋଇପାରିବେ | ସେହି ଦିନର ନିଷ୍ପତି ଆଜି ସଫଳ ରୂପାୟନ କରିପାରିଛନ୍ତି ସେ | ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୋରର ବିଭିନ୍ନ ବସ୍ତି ପିଲାମାନଙ୍କୁ ସେ ପଢାଇବା ପାଇଁ ବ୍ୟବସ୍ଥା କରିଛନ୍ତି |

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ସ୍ନାତକ କରିଥିବା ରଶ୍ମୀ ‘ବିଦ୍ୟା’ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଗଢି ପିଲା, ଯୁବକ ଓ ବୟସ୍କର ବିକାଶ ଦିଗରେ କାମ କରିଆସୁଛନ୍ତି |

image


ପାଂଚଟି ପିଲାଙ୍କୁ ନେଇ ନିଜ ଘରୁ ଶିକ୍ଷାଦାନ ଆରମ୍ଭ କରିଥିବା ରଶ୍ମୀ ପରେ କିଛି ସ୍ୱେଚ୍ଛାସେବୀଙ୍କ ସହାୟତାର ସ୍ଥାନୀୟ ବସ୍ତିପିଲାଙ୍କୁ ନେଇ ଅନୌପଚାରିକ କ୍ଲାସ୍ ଆରମ୍ଭ କରିଥିଲେ | ପରେ ୨୦୧୦ରେ ‘ବିଦ୍ୟା’ର ପ୍ରଥମ ସ୍କୁଲ ଖୋଲିଲା | ଦିଲ୍ଲୀ ପାଖ ଗୁଡଗାଓଁରେ ୫ ଏକର ଜମିରେ ହୋଇଥିବା ଏହି ସ୍କୁଲରେ ୧୦୦୦ ଶିକ୍ଷାର୍ଥୀ ପଢିବା ପାଇଁ ବ୍ୟବସ୍ଥା ରହିଛି | ଏଠାରେ ଅଳ୍ପଖର୍ଚରେ ଗରିବ ପିଲାମାନଙ୍କୁ ପଢାଯାଉଛି |

ପରିବର୍ତ୍ତନରେ ‘ବିଦ୍ୟା’ର ଭୂମିକା

୨୮ ବର୍ଷ ହେଲା ‘ବିଦ୍ୟା’ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଗରିବ ପିଲାମାନଙ୍କୁ ଶିକ୍ଷିତ ଓ ସମର୍ଥ କରିବାରେ ତା’ର ପ୍ରୟାସ ଜାରି ରଖିଛି | ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଶିକ୍ଷା ସହ ସମ୍ବନ୍ଧିତ ହୋଇଥାଏ, କିନ୍ତୁ କେବଳ ଶିକ୍ଷାରେ ସୀମିତ ନଥାଏ | ପିଲାମାନଙ୍କୁ ଭବିଷ୍ୟତରେ ସେମାନଙ୍କର କ୍ୟାରିୟର ବାଛିବା ଲାଗି ଏହା ଅବସର ପ୍ରଦାନ କରିଥାଏ | ‘ବିଦ୍ୟା’ ଇଂରେଜୀ ଓ କମ୍ପ୍ୟୁଟର ବିଷୟରେ ସାକ୍ଷରତା କାର୍ଯ୍ୟକ୍ରମ ଏବଂ ଦକ୍ଷତା-ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳାଇଛି | ମହିଳା ସ୍ୱାସ୍ଥ୍ୟ, ମହିଳା ଅଧିକାର, ପରିବେଶ ଆଦି ବିଷୟ ସହ ସଂଯୁକ୍ତ ଉପରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱ ଦିଆଯାଇଥାଏ | ବୟସ୍କମାନଙ୍କୁ ସାକ୍ଷରତା କାମ ମଧ୍ୟ ଏଠାରେ ଚାଲିଛି | ଯୁବା-ପ୍ରବନ୍ଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଅଧାରୁ ପାଠ ଛାଡିଥିବା ଯୁବକମାନଙ୍କ ପାଇଁ କମ୍ପ୍ୟୁଟର ସାକ୍ଷରତା, ଲାଇଫ୍ ସ୍କିଲ ଆଦି ବିଷୟ ଉପରେ ବିଶେଷ କ୍ଲାସ କରାଯାଏ | ଅଷ୍ଟମ, ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାକୁ ଚାହୁଁଥିବା ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ୍‌ କରାଯାଏ |

image


ମହିଳାମାନଙ୍କର ଆତ୍ମବିଶ୍ୱାସ ବଢାଇବାରେ ‘ବିଦ୍ୟା’ ସେମାନଙ୍କୁ ସହଯୋଗ କରୁଛି | ସେମାନଙ୍କୁ ସ୍କିଲ ଡେଭଲପମେଂଟ୍, କ୍ଷୁଦ୍ର ଋଣ ବ୍ୟବସ୍ଥା କରି ସେମାନଙ୍କୁ ଆତ୍ମନିର୍ଭର କରିବା ଲାଗି ପ୍ରୟାସ କରୁଛି | ଅନେକ ସ୍ୱେଚ୍ଛାସେବୀ ସଂସ୍ଥାଗୁଡିକୁ ସେମାନଙ୍କ ଅଂଚଳର ହସ୍ତଶିଳ୍ପ ତିଆରି କରିବା ଲାଗି ପ୍ରଶିକ୍ଷଣ ଦେଉଛି ଓ ସେମାନେ ଶିଖିବା ପରେ ପ୍ରସ୍ତୁତ କରୁଥିବା ସାମଗ୍ରୀ ବିକିବା ଲାଗି ବ୍ୟବସ୍ଥା କରୁଛି | ମୁମ୍ବାଇରେ କ୍ୟାଣ୍ଟିନ୍ ମାଧ୍ୟମରେ କ୍ଷୁଦ୍ର ଓ ସଂଗଠିତ ନିଗମର କର୍ମଚାରୀମାନଙ୍କୁ ଭୋଜନର ବନ୍ଦୋବସ୍ତ କରାଯାଇଛି |

ରଶ୍ମୀଙ୍କ ଜୀବନ କଥା

ରଶ୍ମୀ ଅନୁଭବ କଲେ ଯେ ପିଲାଙ୍କର ତ ପଢାଲେଖା ପାଇଁ ଆଗ୍ରହ ରହିଛି, କିନ୍ତୁ ସେମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳୁନାହିଁ | ସେ ଅଷ୍ଟ୍ରେଲିଆ ଦୂତାବାସରେ ଭଲ ଚାକିରି ଛାଡି ବିଦ୍ୟା ଦାନକୁ ନିଜର ଲକ୍ଷ୍ୟ ବୋଲି ବାଛି ନେଇଥିଲେ ଓ ‘ବିଦ୍ୟା’ ଆରମ୍ଭ କରିଥିଲେ | ସେ ବସ୍ତି ଅଂଚଳ ବୁଲି ଦେଖିଲେ ଓ ସେଠାରେ ଥିବା ପିଲାମାନଙ୍କୁ ନିଜର ପରିଯୋନାରେ ସାମିଲ କଲେ | ଏହାପରେ ସେ ଏଥିପାଇଁ ଭଲ୍ୟୁଂଟରଙ୍କୁ ଯୋଗାଡ କରିବାରେ ସଫଳ ହେଲେ | ବର୍ତ୍ତମାନ ତାଙ୍କ ସଂସ୍ଥାରେ ୩୫୦ କର୍ମଚାରୀ ଓ ୫୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ଅଛନ୍ତି |

ଏଥିପାଇଁ ଅର୍ଥ ଯୋଗାଡ କରିବା ଥିଲା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ | ସେ କହନ୍ତି, ପ୍ରଥମେ ମୁଁ ଯେତେବେଳେ ପିଲାଙ୍କ ପାଇଁ ଅର୍ଥ ମାଗିବାକୁ ଯାଉଥିଲି, କେହି ମନା କରିଦେଲେ ଭାରି ଖରାପ ଲାଗେ | ସେତେବେଳେ ସେ ମଦର ଟେରେସାଙ୍କ କଥା ମନେ ପକାଇଲେ | ସେ ଥରେ ଜଣେ ବଡ ବ୍ୟବସାୟୀଙ୍କୁ ନିଜ ସେବା କାର୍ଯ୍ୟ ଅର୍ଥ ମାଗିବାକୁ ଯାଇଥିଲେ | ତାଙ୍କୁ ପ୍ରାୟ ଘଂଟାଏ ଅପେକ୍ଷା କରିବାକୁ ପଡିଲା | ତାପରେ ମାଲିକ ଆସି ତାଙ୍କ ଉପରକୁ ଛେପ ପକାଇ ବିଦା କରାଇବାକୁ ଉଦ୍ୟମ କଲେ | ମଦର ଟେରେସା କହିଥିଲେ – ଛେପଟା ତ ମୋ ପାଇଁ ଥିଲା, ଆଉ ମୋ ପିଲାଙ୍କ ପାଇଁ ତ କିଛି ଦିଅ | ରଶ୍ମୀ ଏଥିରୁ ବହୁତ ପ୍ରଭାବିତ ହୋଇଛନ୍ତି |

‘ବିଦ୍ୟା’ର ସହାୟତାରେ ଜୀବନରେ ସଫଳତା ପାଇଥିବା ଲୋକଙ୍କ କଥା କହିଲା ବେଳେ ସେ ନିଜକୁ ଗୌରବାନ୍ୱିତ ମନେ କରନ୍ତି | ଏହାର ସବୁ ଶ୍ରେୟ ନିଜ ଟିମ୍‌ ଓ ଭଲ୍ୟୁଣ୍ଟିଅର୍ ମାନଙ୍କୁ ଦେଇଥାନ୍ତି | ଏଥିରୁ ଜଣାପଡେ, ସେ ତାଙ୍କ କାମ ସହ କେତେ ଜଡିତ |

ସଫଳତାର କାହାଣୀ

ନୀଲମଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ତାଙ୍କ ଉପରେ ତିନି ପିଲାଙ୍କ ବୋଝ ପଡିଲା | ‘ବିଦ୍ୟା’ ସହାୟତାରେ ସେ ମୌଳିକ ଶିକ୍ଷା ଗ୍ରହଣ କଲେ ଓ ଶିଳ୍ପକଳା ଶିଖିଲେ | ୩୦୦୦ ଟଙ୍କାର ଋଣ ନେଇ ସେ ନିଜର ଶିଳ୍ପକଳା ବ୍ୟବସାୟ ଆରମ୍ଭ କଲେ | ତାଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରାଇଲେ | ଏବେ ନୀଲମଙ୍କ ସଂସ୍ଥାରେ ୩୦୦ ଝିଅ କାମ କରୁଛନ୍ତି | ଯେ ନିଜେ ବେସାହାରା ଥିଲେ, ‘ବିଦ୍ୟା’ର ସହାୟତାରେ ସେ ଏବେ ଅନ୍ୟମାନଙ୍କୁ ରୋଜଗାର ଦେଇପାରୁଛନ୍ତି |

କିଛି ବର୍ଷ ପୂର୍ବେ ହିମାଚଳ ପ୍ରଦେଶର କିନୌର ଜିଲ୍ଲାର ଜଣେ ପିଲା ଘର ଛାଡି ତାଙ୍କ ପାଖକୁ ଆସିଥିଲା | ରଶ୍ମୀଙ୍କୁ ଭେଟି ସେ କିହଲା, “ତମେ ମୋତେ ଇଂଜିନିୟର୍ କରିପାରିବ ? ମୁଁ ପଂଚମ ପାସ୍ କରିଛି |” ରଶ୍ମୀ ସେ ଦିନର କଥାକୁ ମନେ ପକାଇ କୁହନ୍ତି, ବିଗତ ଦିନର ସେହି ପିଲା ଭଦ୍ରସେନ୍ ନେଗି ଆଜି ଜଣେ ସଫଳ ଇଂଜିନିୟର ଭାବେ ଲସ୍ ଏଂଜେଲସରେ ଚାକିରି କରୁଛନ୍ତି | ‘ବିଦ୍ୟା’ର ସହାୟତାରେ ଅଭିଭୂତ ଭଦ୍ରସେନ୍ ଏବେ ବି ଏହି ସଂସ୍ଥାକୁ ସାହାଯ୍ୟର ହାତ ବଢାଇ କିନୌର ଜିଲ୍ଲାରେ ପିଲାଙ୍କ ଶିକ୍ଷା ପାଇଁ କାମ କରୁଛନ୍ତି |

ଏମିତି ‘ବିଦ୍ୟା’ର ସହାୟତାରେ ଜୀବନରେ ପରିବର୍ତ୍ତନ ଆଣିଥିବା ଆଉ ଜଣେ ବ୍ୟକ୍ତି ହେଉଛନ୍ତି ବତ୍ସଳା | ଏମିତି ଏକ ସମୟ ଥିଲା ସେ ଦଶ ଜଣଙ୍କ ଘରେ ବାସନ ମାଜି ଜୀବନ ନିର୍ବାହ କରୁଥିଲେ | ‘ବିଦ୍ୟା’ର ବାଙ୍ଗାଲୋର କେନ୍ଦ୍ରରେ ସେ ଇଂରେଜୀ ଶିକ୍ଷା କରି ସେ ଏବେ ଗୋଟିଏ ହସ୍ପିଟାଲରେ ରେସପନିଷ୍ଟ ଅଛନ୍ତି | ଆଉ ଜଣେ ଝିଅ ହେଉଛନ୍ତି ମମତା | ପୋଲିସ୍ ଗ୍ରସ୍ତ ଥିବାରୁ ବସ୍ତି ଲୋକମାନେ ତାଙ୍କୁ ହେୟ ‌ଚକ୍ଷୁରେ ଦେଖୁଥିଲେ | କିନ୍ତୁ ‘ବିଦ୍ୟା’ର ସହାୟତାରେ ସେ ପଢାଲେଖା ଶିଖିବା ସହ କମ୍ପ୍ୟୁଟର ଚଳାଇବା ଜାଣିଲେ | ଏବେ ସେ ନିଜର ସାଇବର କାଫେ ଖୋଲି ଆତ୍ମନିର୍ଭର ହୋଇ ପାରିଛନ୍ତି |

ଏଇତ ଥିଲା କେତେକ ଉଦାହରଣ | ଏମିତି ଦୁଇଲକ୍ଷରୁ ଅଧିକ ପିଲା, ଯୁବକ ଓ ମହିଳା ‘ବିଦ୍ୟା’ର ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇଛନ୍ତି ବୋଲି କୁହନ୍ତି ରଶ୍ମୀ | ଏହି କାମରେ ତାଙ୍କୁ ବେଶ୍ ଆନନ୍ଦ ମିଳୁଛି ଓ ଏହାକୁ ଆଗକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ |

ମୂଳ ଲେଖା - ଅଜିତ ହର୍ଷେ

ଭାଷାନ୍ତର - ଅଖଣ୍ଡ