ହଳେ ଚକାର ସ୍ଵପ୍ନ : SMV Wheels କିପରି ରିକ୍ସା ଚାଳକଙ୍କ 'ଅପନା ରିକ୍ସା' ସ୍ଵପ୍ନ ସାକାର କରୁଛି

ହଳେ ଚକାର ସ୍ଵପ୍ନ : SMV Wheels କିପରି ରିକ୍ସା ଚାଳକଙ୍କ 'ଅପନା ରିକ୍ସା' ସ୍ଵପ୍ନ ସାକାର କରୁଛି

Friday November 06, 2015,

5 min Read

ସ୍ଵପ୍ନ ଓ ଅଭିଳାଷ, ଜୀବନ ଗାଡିର ଇନ୍ଧନ। ଜୀବନ ଗାଡିକୁ ଆଗକୁ ଗଡେଇବାରେ ଏହି ଦୁଇଟିର ବଡ ହାତ। ଆମେ ସଭିଏଁ ଛୋଟ ହେଉ ବା ବଡ, କିଛି ନ କିଛି ପାଇବାର ସ୍ଵପ୍ନ ଦେଖିଥାଉ। ଏକ ରିକ୍ସାବାଲା କ୍ଷେତ୍ରରେ ତା’ ପାଇଁ ଏକ ସ୍ଵପ୍ନ ହେଲା ନିଜର ଗୋଟେ ରିକ୍ସା କିଣିବା – ‘ଅପନା ରିକ୍ସା’। ହଜାର ହଜାର ରିକ୍ସାଚାଳକଙ୍କର ଏହି ସ୍ଵପ୍ନକୁ ସାକାର କରିବାରେ ସହାୟତା କରିବା ଥିଲା ନବୀନ କୃଷ୍ଣାଙ୍କର ଲକ୍ଷ୍ୟ। ନବୀନ ହେଉଛନ୍ତି SMV wheelsର ପ୍ରତିଷ୍ଠାତା।

image


SMV wheels ବାରାଣାଶୀ ସ୍ଥିତ ଏକ ସାମାଜିକ ଉଦ୍ୟୋଗ ଯାହାକି ସାଇକେଲ ରିକ୍ସା ଚାଳକ ମାନଙ୍କ ପାଇଁ କାମ କରେ। ଏହି କମ୍ପାନୀ ଗରିବ ରିକ୍ସାଚାଳକ ମାନଙ୍କୁ ବିଳମ୍ବିତ ଦେୟ ଯୋଜନାରେ ସାଇକେଲ ରିକ୍ସା ବିକ୍ରୟ କରିଥାଏ। ରୃଣ ସୁଝିବାର ଏହି ସୁବିଧା ଯୋଗୁ ସେମାନେ ଏକ ବର୍ଷ ସମୟ ଅବଧିରେ ଅଳ୍ପ ଅଳ୍ପ କରି ସାପ୍ତାହିକ ଭାବେ ପଇସା ଦେଇଥାନ୍ତି। ବର୍ଷକ ପରେ ରିକ୍ସା ଚାଳକ ସେହି ରିକ୍ସାର ପୂରାପୂରି ଭାବେ ମାଲିକ ହେଇଯାଆନ୍ତି। ତା' ସହ ଏପରି ସାପ୍ତାହିକ ଭାବେ ଦେୟ ପଇଠ କରିବା ଦ୍ଵାରା ତାଙ୍କର ଏକ ଭଲ କ୍ରେଡିଟ ଇତିହାସ ହେଇଯାଏ ଯାହାକି ଆଗକୁ ଯାଇ ତାଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେଇଥାଏ। ଯଦି ଆଗକୁ ଯାଇ ତାଙ୍କୁ ରୃଣର ଆବଶ୍ୟକତା ପଡେ ତେବେ ଏହି କ୍ରେଡିଟ ଇତିହାସ ଦ୍ଵାରା ସେମାନେ ଖୁବ ସୁବିଧାର ସହ ରୃଣ ପାଇପାରିବେ। ଏତଦ ବ୍ୟତୀତ ଏହି କମ୍ପାନୀ ରିକ୍ସା ଚାଳକଙ୍କ ଜୀବନ, ଶାରୀରିକ ଅକ୍ଷମତା, ରିକ୍ସା ଚୋରି ଓ ଦୁର୍ଘଟଣା ପାଇଁ ବୀମା ମଧ୍ୟ ଯୋଗାଇଥାଏ। ସରକାରୀ ନିୟମ ଅନୁସାରେ ରିକ୍ସା ଚାଳକ ମାନଙ୍କ ପାଇଁ ଆବଶ୍ୟକ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ମଧ୍ୟ କମ୍ପାନୀ ତାଙ୍କର ସହାୟତା କରିଥାଏ।

image


ନବୀନ SMV Wheelsର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ। ସେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରୁ ସମାଜସେବାରେ ମାଷ୍ଟର ଡିଗ୍ରୀ ମଧ୍ୟ କରିଛନ୍ତି। ଏହି କମ୍ପାନୀ ଆରମ୍ଭ କରିବା ପୂର୍ବରୁ ନବୀନ ଅଟୋ ରିକ୍ସା ଚାଳକ ମାନଙ୍କ ସଙ୍ଗେ ଅନେକ କାମ କରିଥିଲେ ଓ ନଗର ଉନ୍ନୟନ ମନ୍ତ୍ରାଳୟର ଏକ ଫଣ୍ଡିଙ୍ଗ ଶାଖା CAPARTର ଗ୍ରାମୀଣ ବିକାଶ କେନ୍ଦ୍ରରେ କାମ କରୁଥିଲେ। ତା' ସହିତ ସେ ରିକ୍ସା ବ୍ୟାଙ୍କ ପ୍ରୋଜେକ୍ଟର ଜାତୀୟ ସଂଯୋଜକ ମଧ୍ୟ ଥିଲେ। ସେ ତ୍ରୀପୁରା, ତାମିଲନାଡୁ ଓ ଗୁଜୁରାଟରେ ରିକ୍ସା ବ୍ୟାଙ୍କର ସଂପ୍ରସାରଣ ସହ ଶାଖା ଅଫିସ ସ୍ଥାପିତ କରିବାରେ ସହାୟତା କରିଥିଲେ।

ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ଆସାମର ୧୨୦୦ ରିକ୍ସା ଚାଳକଙ୍କୁ ରିକ୍ସାର ମାଲିକ ହେବା କାର୍ଯ୍ୟରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶଗ୍ରହଣ କରିଥିଲେ। ସେ ଏହି ପ୍ରୋଜେକ୍ଟର ଲକ୍ଷ୍ନୋ, ଆଲ୍ଲାହବାଦ ଓ ବାରାଣାଶୀରେ ସମ୍ପ୍ରସାରଣରେ ସହାୟତା କରିଥିଲେ। ଏହି କାର୍ଯ୍ୟ କରିବା ସମୟରେ ହିଁ ସେ ତାଙ୍କ ନିଜର ସଂସ୍ଥା ଆରମ୍ଭ କରିବାର ପ୍ରେରଣା ପାଇଥିଲେ। 

"ମୁଁ ଦେଖିଲି ଯେ ରିକ୍ସା ବଣ୍ଟନ ଏକ ପୋଷଣୀୟ ବ୍ୟବସାୟୀକ ମଡେଲ ହେଇପାରିବ ଯାହା ବିକ୍ରୟର ଚାହିଦାକୁ ବଢେଇବ। ଏକ ମାଗଣା ରିକ୍ସା ବଣ୍ଟନର ଏନଜିଓ ନ କରି ପ୍ରଚଳିତ ବଣ୍ଟନ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ହଟେଇବା ଓ ରିକ୍ସା ଚାଳକ ମାନଙ୍କୁ ନିଜର ରିକ୍ସା କିଣିବାରେ ସାହାଯ୍ୟ କରି ତାଙ୍କର ଆତ୍ମବିଶ୍ଵାସ ସହ ସମ୍ମାନବୋଧ ବଢେଇବାକୁ ଇଚ୍ଛା କରି ମୁ ଏହି କମ୍ପାନୀ ପ୍ରତିଷ୍ଠା କଲି," କୁହନ୍ତି ନବୀନ।

SMV Wheels ଏପ୍ରିଲ ୨୦୧୦ରେ ପ୍ରତିଷ୍ଠା ହେଲା ସେହି ବର୍ଷ ନଭେମ୍ବର ମାସରେ ନିଜର ପ୍ରଥମ ରିକ୍ସା ବିକ୍ରୟ କଲା। ରିକ୍ସା ଚାଳକ ଗୋଷ୍ଠୀର ଲୋକଙ୍କ ପାଇଁ ନବୀନଙ୍କର ଥିବା ଆବେଗ ଓ ନିଜର ବ୍ୟବସାୟୀକ ମଡେଲ ଉପରେ ଥିବା ଅସୀମ ବିଶ୍ଵାସ କିଛି ଅନ୍ତର୍ଜାତୀୟ ନିବେଶକଙ୍କୁ ଟାଣିଆଣିପାରିଲା। ନବୀନଙ୍କର ପ୍ରଚେଷ୍ଟା ଯୋଗୁ ୨୦୧୧ରେ SMV Wheels ସଂକଳ୍ପ ପୁରସ୍କାର ଓ ଫର୍ସ୍ଟ ଲାଇଟ ଭିଲେଜ କାପିଟାଲ ପୁରସ୍କାର ପାଇପାରିଲା। ଏହି ନିବେଶଟି Unreasonable Instituteରେ ଫାଇନାଲିଷ୍ଟ ହେଇଥିଲା ଓ ତା' ସହ ଏକ ପରିବର୍ତନୀୟ ଡିବେଞ୍ଚର ବିତ୍ତ ପୋଷଣ ଭାବେ ୩୦୦,୦୦୦ ଆମେରିକୀୟ ଡଲାର ମଧ୍ୟ ପାଇପାରିଲା। ଏହି ଧନରାଶି କମ୍ପାନୀକୁ ବଢେଇବାରେ ଖର୍ଚ୍ଚ ହେଲା। ସଂପ୍ରସାରଣର ପ୍ରଥମ ପର୍ଯ୍ୟାୟରେ ଏହା ଜୌନପୁରରେ ତାର ଏକ ଶାଖା ଅଫିସ ଖୋଲିଛି। ଖୁବ ନିକଟରେ ନବୀନ ଗୁଣାତ୍ମକ ମାନର ଅଭିବୃଦ୍ଧି ଓ ଅଯଥା ଖର୍ଚ୍ଚ କମାଇବା ପାଇଁ ଏହାର ବଣ୍ଟନ ବ୍ୟବସ୍ଥାକୁ ଅନ୍ତରୀଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି।

ନବୀନଙ୍କ ମତରେ ଗରିବ ଲୋକଙ୍କୁ ରିକ୍ସା ବାଣ୍ଟିବା ଏକ କିଛି ନୂଆ ପରିକଳ୍ପନା ନୁହେଁ। କିନ୍ତୁ SMV Wheelsର ରିକ୍ସା ବଣ୍ଟନ ପ୍ରତି ଥିବା 'ଲାଭକାରୀ' କମ୍ପାନୀର ଦୃଷ୍ଟିକୋଣ ଅନେକ ନିବେଶକଙ୍କୁ ଆକର୍ଷିତ କରୁଛି। ଏହି ବ୍ୟବସାୟିକ ମଡେଲଟି ଏକ ଦୀର୍ଘସ୍ଥାୟୀ ଓ ପୋଷଣୀୟ ମଡେଲ କାରଣ ଏଥିରେ ପୁଞ୍ଜିର ବାରମ୍ବାର ବିନିଯୋଗ ହେଇପାରେ। ରିକ୍ସା ଚାଳକଟିର ଆତ୍ମବିଶ୍ଵାସ ମଧ୍ୟ ଉଲ୍ଲେଖନୀୟ ଭାବେ ବଢେ କାରଣ ସେ ତାର ନିଜ ଅର୍ଜିତ ଧନରେ ରିକ୍ସା କିଣି ପାରୁଛି ଓ କୌଣସି ଦାନଧର୍ମର ପାତ୍ର ହେଇନାହିଁ। 

"SMV Wheels ରିକ୍ସାଚାଳକଙ୍କ ସହ ଏକ ସମ୍ପର୍କ ରଖେ ଯାହାକି ବୀମା, ଆଇନଗତ ମାମଲାରେ ସାହାଯ୍ୟ ଇତ୍ୟାଦିରୁ ବଳବତ୍ତର ହେଇଥାଏ। ଆମର ଗ୍ରାହକ ମାନେ ତାଙ୍କର ସମ୍ମାନବୋଧ ଓ ଆତ୍ମବିଶ୍ଵାସର ସହ ବ୍ୟବସାୟ କରିପାରନ୍ତି," କୁହନ୍ତି ନବୀନ।

କମ୍ପାନୀ ପ୍ରକୃତ ଦାମରୁ ଅଳ୍ପ ଅଧିକ ଦାମରେ ରିକ୍ସା ବିକ୍ରୟ କରି ତାର ଲାଭ ଅର୍ଜିଥାଏ। ତା' ଛଡା ରିକ୍ସା ପଛପଟେ ବିଜ୍ଞାପନ ଜାଗା ବିକ୍ରି କରି କିଛି ଟଙ୍କା ରୋଜଗାର କରିଥାଏ। ଏହି ପଇସାରେ ରିକ୍ସା ଚାଳକର ମଧ୍ୟ ଅଂଶ ଥାଏ। SMV Wheels ରିକ୍ସା, ତାର ଇନସୁରାନ୍ସ, ଲାଇସେନ୍ସ ସହ ୧୧,୫୦୦ ଟଙ୍କାରେ କିଣିଥାଏ। ଏଥିରେ KYC ପଦ୍ଧତି ପାଇଁ ଲାଗୁଥିବା ପ୍ରଶାସନିକ ଖର୍ଚ୍ଚ , ଫିଲ୍ଡ କର୍ମୀଙ୍କର ସାପ୍ତାହିକ ପରିଦର୍ଶନ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ସାମିଲ ଥାଏ। କ୍ରେତା ମାନେ ଏକ ବର୍ଷ ଧରି ଏକ ଚଳନୀୟ ସାପ୍ତାହିକ ଦେୟ ପଇଠ କରି ରିକସାର ମାଲିକାନା ପାଇଥାନ୍ତି।

SMV Wheelsରେ ବର୍ତ୍ତମାନ ୧୫ ଜଣ ସଦସ୍ୟ କାମ (ଉଭୟ ବାରାଣାଶୀ ଓ ଜୌନପୁର ମିଶାଇ) ଏବଂ ଝାରଖଣ୍ଡରେ ଶୀଘ୍ର ସ୍ଥାପିତ ହେବାକୁ ଯାଉଥିବା ଏକ ଶାଖା ପାଇଁ ଆଉ ୩ ଜଣଙ୍କୁ ନିଯୁକ୍ତି ଦିଆଯିବାର ଯୋଜନା ଅଛି। ବର୍ତ୍ତମାନ ମୋଟାମୋଟି ୧୨୦୦ ରିକ୍ସା ଓ ପୂରାପୂରି ମାଲିକାନା ପାଇସାରିଥିବା ମୋଟ ୧୫୦ ରିକ୍ସା ଚାଳକ ଅଛନ୍ତି। 

"ଆସନ୍ତା ଦଶନ୍ଧି ମଧ୍ୟରେ ଦେଶରେ ଥିବା ପ୍ରାୟ ୧୦ ନିୟୁତ ରିକ୍ସା ଚାଳକଙ୍କ ମଧ୍ୟରୁ ଆମେ କମ ରୁ କମ ୨୦ ପ୍ରତିଶତଙ୍କୁ ଏହି ସୁବିଧା ଯୋଗାଇବାର ଯୋଜନା ରଖିଛୁ," କୁହନ୍ତି ନବୀନ। 

ଏହି କମ୍ପାନୀ ନିକଟରେ ଉତ୍ତର ପ୍ରଦେଶ ସରକାର ସହ ସୋଲାର ରିକ୍ସା ଆରମ୍ଭ କରିବାର ଏକ ମିଳିତ ଉଦ୍ୟମରେ ସାମିଲ ହେଇଛି ଓ ୫୦ ଜଣ ସୋଲାର ରିକ୍ସା ଚାଳକଙ୍କୁ ସଫଳତାର ସହ ପ୍ରଶିକ୍ଷଣ ଦେଇସାରିଛି।

SMV Wheels ଆଜି ଏକ ସଫଳ ଉଦ୍ୟୋଗ ମାନଙ୍କ ଭିତରେ ଗଣା ହେଉଥିଲେହେଁ ଏହାର ପ୍ରାରମ୍ଭିକ ଦିନ ଗୁଡିକ ବିଲକୁଲ ସହଜ ନଥିଲା। 

"ପ୍ରାରମ୍ଭିକ ଦିନ ଗୁଡିକ ଖୁବ କଷ୍ଟକର ଥିଲା। ବାରାଣାଶୀର ନିବେଶକଙ୍କ ପାଖରେ ପହଞ୍ଚିବା କଷ୍ଟ ଥିଲା କାରଣ ଆମ କମ୍ପାନୀ କୌଣସି ବଡ ସହର, ଯଥା ଦିଲ୍ଲୀ ମୁମ୍ବାଇ ଭଳି ସହରର ନଥିଲା। ପାଖାପାଖି ୧୦୦୦ ପ୍ରସ୍ତାବ, ଦିଲ୍ଲୀ ଓ ମୁମ୍ବାଇରେ ୫୦୦ରୁ ଅଧିକ ପାୱାରପଏନ୍ଟ ପ୍ରେଜେନ୍ଟେଶନ ଓ ଦେଢ ବର୍ଷ ପରେ ଆମେ ଆମର ପ୍ରଥମ ପୁଞ୍ଜି ଯୋଗାଡ କରିପାରିଲୁ," ମନେ ପକାନ୍ତି ନବୀନ। 

ସେ ଏତେ ସବୁକିଛି ଭିଡଭର୍ତି ଲୋକାଲ ଟ୍ରେନରେ ଯାତ୍ରା କରି, ରାସ୍ତା କଡ ଚାଳିଆ ହୋଟେଲରେ ଖାଇ ଓ ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରି ପାଇଛନ୍ତି। ଆଜି ସେସବୁ ସଂଘର୍ଷ ବିଷୟରେ ମନେ ପକାଇ ନବୀନଙ୍କୁ ଅନେକ ସନ୍ତୋଷ ମିଳେ। ଆଜି ସେ ଖାଲି ଜଣେ ସଫଳ ଉଦ୍ୟୋଗୀ ନୁହେଁ ବରଂ ଅନେକ ରିକ୍ସା ଚାଳକଙ୍କ ଜୀବନରେ କିଛି ଫରକ ଆଣିପାରିଛନ୍ତି ବୋଲି ଆନନ୍ଦ ଅନୁଭବ କରନ୍ତି।