ନିଶାକୁ ପେଶା କରିବାର ଅନନ୍ୟ ଉଦାହରଣ: ସଫଳ ସମ୍ମୋହନ ଚିକିତ୍ସିକା ଅନୁଜା ପାଠକ

ନିଶାକୁ ପେଶା କରିବାର ଅନନ୍ୟ ଉଦାହରଣ: ସଫଳ ସମ୍ମୋହନ ଚିକିତ୍ସିକା ଅନୁଜା ପାଠକ

Saturday November 14, 2015,

4 min Read

Tanishq ଦ୍ଵାରା ପ୍ରାୟୋଜିତ Mia Women Series ମଧ୍ୟରୁ ଏହି କାହାଣୀ ଗୋଟିଏ। ଏହି କାହାଣୀମାନଙ୍କରେ ଆମେ ସାହସୀ, ସଫଳ ଓ ପ୍ରେରଣାଦାୟୀ ମହିଳାମାନଙ୍କର ସଫଳତାର ଗାଥା ପ୍ରଦର୍ଶନ କରିଥାଉ। (ଏ ସମସ୍ତ କାହାଣୀ ଉପରେ HerStoryର ସମ୍ପୂର୍ଣ ସମ୍ପାଦକୀୟ କର୍ତ୍ତୁତ୍ଵ ରହିଛି।)

“ଅନ୍ୟମାନଙ୍କ ଜୀବନର ଅନ୍ଧକାରକୁ ଦୂରେଇ ଦେବା ପାଇଁ ଯଦି ଚାହୁଁଛ ତାହାଲେ ପ୍ରଥମେ ନିଜ ଭିତରର ଅନ୍ଧକାରକୁ ଆବିଷ୍କାର କର,” ପ୍ରଖ୍ୟାତ ମନୋବିଜ୍ଞାନୀ କାର୍ଲ ୟୁଙ୍ଗଙ୍କର ଏହି ମନ୍ତବ୍ୟକୁ ସମସ୍ତ ମନୋବୈଜ୍ଞାନିକ ଚିକିତ୍ସାର ମୂଳଭିତ୍ତି ବୋଲି ଅନୁଜା ପାଠକ ଭାବନ୍ତି। ଅନୁଜା ଜଣେ ସମ୍ମୋହନ ଚିକିତ୍ସା ବିଶାରଦ। ସମ୍ମୋହନ ଚିକିତ୍ସା ମନୋବୈଜ୍ଞାନିକ ଚିକିତ୍ସାର ଗୋଟିଏ ପ୍ରକ୍ରିୟା। ଏହି ଚିକିତ୍ସା ଦ୍ୱାରା ରୋଗୀକୁ ତାର ଅବଚେତନ ସ୍ତରକୁ ନେଇ ଯାଇ ତାର ଚିନ୍ତାଧାରା, ଭାବନା ଓ ବ୍ୟବହାରରେ ପରିବର୍ତ୍ତନ ଅଣା ଯାଇପାରେ। କ୍ରୋଧ ନିୟନ୍ତ୍ରଣ, ନିଦ୍ରାହୀନତା, ମାନସିକ ଚାପ ଓ କଷ୍ଟ ନିୟନ୍ତ୍ରଣ କରିବାରେ ସମ୍ମୋହନ ଚିକିତ୍ସା ବେଶ ଉପଯୋଗୀ। ଏପରିକି କର୍କଟ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ଏହି ଚିକିତ୍ସା ଅନେକ ସାହାଯ୍ୟ କରିଥାଏ।

image


ପାହାଡ ଜଙ୍ଗଲ ଘେରା ଶିଲଂ ସହରରେ ଅନୁଜାଙ୍କ ଜନ୍ମ। ପିଲାଦିନରୁ ମନୋବିଜ୍ଞାନ ଚିକିତ୍ସା କ୍ଷେତ୍ରରେ ତାଙ୍କର ଆଗ୍ରହ ଥିଲା। ଜଣେ ସମ୍ମୋହନ ଚିକିତ୍ସକ ଭାବେ କାମ ଆରମ୍ଭ କରିବା ପୂର୍ବରୁ ଅନୁଜା କର୍ପୋରେଟ ଜଗତରେ ସଫଳତାର ସହ କାମ କରିଥିଲେ। ଏହା ସହିତ ଲେଖା ଲେଖି ଓ ଶିକ୍ଷକତା ମଧ୍ୟ କରିଥିଲେ। ସମ୍ମୋହନ ଚିକିତ୍ସା ଭଳି ଏକ ନିଆରି ବୃତ୍ତିକୁ ଅନୁଜା ନିଜ ପାଇଁ କିପରି ବାଛିଲେ ତାହା ବୋଧ ହୁଏ ଅନେକଙ୍କୁ ଆଶ୍ଚର୍ଯ୍ୟକର ମନେ ହୋଇପାରେ। ତାଙ୍କ ପରିବାର ଲୋକେ ଓ ବନ୍ଧୁମାନେ କୁହନ୍ତି ଯେ ପିଲାଦିନେ ଅନୁଜା ଘଟଣା ଓ ମଣିଷମାନଙ୍କୁ ଗଭୀର ଭାବେ ଅନୁଧ୍ୟାନ କରୁଥିଲେ। ଏହି ପ୍ରବୃତ୍ତି ତାଙ୍କ ଭିତରେ ଦିନକୁ ଦିନ ବଢି ଚାଲିଲା ଓ ଶେଷରେ ସେ ସମ୍ମୋହନ ଚିକିତ୍ସାକୁ ନିଜର ବୃତ୍ତି ଭାବେ ବାଛି ନେଲେ ବୋଲି ଅନୁଜା ମତ ଦିଅନ୍ତି।

ନିଜେ ଶିଖିବା ପାଇଁ ହିଁ ଅନୁଜା ସମ୍ମୋହନ ବିଦ୍ୟାର ବିଭିନ୍ନ ବିଭାଗ ଉପରେ ପଢାପଢି କରିବା ଆରମ୍ଭ କରିଥିଲେ। ଆଉ ପେଷାଦାର ଭାବେ ଏହି ଚିକିତ୍ସା ଆରମ୍ଭ କରିବାର ଅନୁଭୂତି ଅକସ୍ମାତ ଥିଲା ବୋଲି ଅନୁଜା କୁହନ୍ତି। ତାଙ୍କର ଜଣେ ଚିକିତ୍ସକ ବନ୍ଧୁ ତାଙ୍କ ପାଖକୁ ଚିକତ୍ସା ପାଇଁ ପ୍ରଥମେ ଜଣେ ଅଳ୍ପ ବୟସ୍କା ମହିଳାଙ୍କୁ ପଠାଇ ଥିଲେ। ମହିଳା ଜଣକ ନିଜ ଶୈଶବ ଓ ବୈବାହିକ ଜୀବନରେ ଅନେକ ପ୍ରକାର ନିର୍ଯାତନାର ଶିକାର ହୋଇଥିଲେ। ଅନୁଜା ତାଙ୍କ ଭିତରେ ଭାଙ୍ଗି ପଡିଥିବା ଆତ୍ମବିଶ୍ଵାସକୁ ପୁନର୍ଜୀବିତ କରିପାରିବା ସହ ତାଙ୍କ ବ୍ୟକ୍ତିତ୍ଵରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆଣି ପାରିଥିଲେ। ଏହି ପରିବର୍ତ୍ତିତ ଅନୁଭୂତି ଉଭୟ ଅନୁଜା ଓ ଉକ୍ତ ମହିଳାଙ୍କ ପାଇଁ ସୁଖଦ ଥିଲା। ଚିକିତ୍ସା ସାରିଲା ପରେ ମହିଳା ଜଣକ ଅନୁଭବ କରିପାରିଲେ ଯେ ତାଙ୍କ ବନ୍ଦୀତ୍ଵର ଅବସାନ ଘଟିଲା। ଚିକିତ୍ସାର ଶେଷ ଦିନ ଉକ୍ତ ମହିଳାଙ୍କ ହସ ତାଙ୍କ ହୃଦୟରେ ଅପାର ଖୁସି ଭରି ଦେଇଥିଲା ବୋଲି ଅନୁଜା କୁହନ୍ତି। ଏହାପରେ ଅନୁଜା ଆଉ ପଛକୁ ଫେରି ଚାହିଁ ନଥିଲେ ଓ ସମ୍ମୋହନ ଚିକିତ୍ସାକୁ ନିଜ ପୂର୍ଣ୍ଣକାଳୀନ ବୃତ୍ତି ଭାବେ ଗ୍ରହଣ କଲେ।

୨୦୦୬ ମସିହାରେ ଅନୁଜାଙ୍କ ଦେହରେ ଗମ୍ଭୀର ଶାରୀରିକ ଅସୁସ୍ଥତା ଦେଖା ଦେଲା। ପରିବର୍ତ୍ତନ ପାଇଁ ସେ ମାତ୍ର ୩୦୦୦ ଟଙ୍କା ଧରି ବାଙ୍ଗାଲୋର ଚାଲି ଆସିଲେ। ଏହି ସମୟରେ ତାଙ୍କୁ ତାଙ୍କ ବନ୍ଧୁମାନେ ବହୁତ ସାହାଯ୍ୟ କରିଥିଲେ ଓ ଅନୁଜା ନିଜ ଜୀବନକୁ ଆଉ ଥରେ ନୂଆ କରି ଗଢିବା ଆରମ୍ଭ କଲେ। ଏହା ଉପରେ ନିଜର ମତ ରଖି ଅନୁଜା କୁହନ୍ତି, “ ଆପଣଙ୍କ ଚିନ୍ତାଧାରା ଓ ଭାବନା ହିଁ ଆପଣଙ୍କ ଦୁନିଆ ତିଆରି କରେ। ଆପଣ ଯଦି ଚମତ୍କାରିତାରେ ବିଶ୍ଵାସ ରଖନ୍ତି ତେବେ ଏହା ଅବଶ୍ୟ ଘଟିବ।"

ମନୋବିଜ୍ଞାନୀ ବା ସମ୍ମୋହନ ଚିକିତ୍ସାବିତଙ୍କ ପାଖକୁ ଚିକିତ୍ସା ପାଇଁ ଯିବା ଆଜି ମଧ୍ୟ ଭାରତୀୟ ସମାଜରେ ଏତେ ଦୂର ଗ୍ରହଣୀୟ ନୁହେଁ। ଜୀବନ ଶୈଳୀରେ ପରିବର୍ତ୍ତନ ଆମ ଉପରେ ଥିବା ମାନସିକ ଚାପକୁ ଅନେକ ମାତ୍ରାରେ ବଢେଇ ଦେଇଛି। ଜୀବନରେ ସଠିକ ସନ୍ତୁଳନ ରକ୍ଷା କରିବା ପାଇଁ ଅନେକ ପ୍ରକାରର ଚିକିତ୍ସା ଉପଲବ୍ଧ। ଏ କ୍ଷେତ୍ରରେ ସମ୍ମୋହନ ଚିକିତ୍ସା ଲୋକମାନଙ୍କୁ ନିଜ ଜୀବନରେ ସଠିକ ଭାରସାମ୍ୟ ରଖିବା ପାଇଁ ସାହାଯ୍ୟ କରିପାରିବ ବୋଲି ଅନୁଜା ମତ ଦିଅନ୍ତି। ଅନୁଜାଙ୍କ ପାଖକୁ ଚିକିତ୍ସା ପାଇଁ ଭିନ୍ନ ଭିନ୍ନ ପୃଷ୍ଠଭୂମିର ବ୍ୟକ୍ତିମାନେ ଆସନ୍ତି। ଏମାନଙ୍କ ମଧ୍ୟରୁ କାହାର ବୈବାହିକ ଜୀବନର ସମସ୍ୟା ଥାଏ ତ କିଏ ପରକୀୟା ପ୍ରୀତି ସମସ୍ୟାର ସମ୍ମୁଖୀନ ହେଉ ଥାଆନ୍ତି। ଆଉ କିଏ ଚାକିରୀ ଜନିତ ସମସ୍ୟା ଆଣି ଆସନ୍ତି ତ ପୁଣି କିଏ ନିଜ ସନ୍ତାନ ସନ୍ତତିଙ୍କ ସହ ଝଗଡା ବିଷୟରେ ସମାଧାନର ସୂତ୍ର ପଚାରନ୍ତି।

ପ୍ରତି ରବିବାର ଦିନ ସତ୍ୟ ସାଇ ସେବା ସଂଗଠନ ଦ୍ୱାରା ଆୟୋଜିତ ବାଲ ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ଅନୁଜା ଶିକ୍ଷାଦାନ କରନ୍ତି। ଏହା ଛଡା ପ୍ରତି ମାସରେ ଅନୁଜା ‘Cutting the Ties That Bind’ ନାମରେ ଗୋଟିଏ କର୍ମଶାଳାର ଆୟୋଜନ କରନ୍ତି। ଅବଚେତନ ମନରେ ଥିବା ଭୟ, ପ୍ରତିକ୍ରିୟା ଓ ଭାବନାକୁ ଚେତନ ମନ ସହ ଯୋଡିବା ପାଇଁ ଏହି କର୍ମଶାଳାରେ Phyllis Krystal ପ୍ରକ୍ରିୟା ମାଧ୍ୟମରେ ଶିକ୍ଷା ଦିଆଯାଏ। ପଢିବା ଓ ଲେଖାଲେଖିରେ ମଧ୍ୟ ଅନୁଜାଙ୍କ ରୁଚି ରହିଛି। ସେ ପଶୁ ପକ୍ଷୀମାନଙ୍କୁ ଖୁବ ଭଲ ପାଆନ୍ତି ଓ ସେମାନଙ୍କ ପାଇଁ କାମ କରୁଥିବା ସଂସ୍ଥା WRRC ଓ CUPAରେ ସ୍ଵେଚ୍ଛାସେବୀ ଭାବେ ଅନୁଜା କାମ କରିଛନ୍ତି।

ଜୀବନର ପ୍ରତିଟି ଦିଗର ନିଜସ୍ୱ ଗୁରୁତ୍ଵ ରହିଛି। ପେଷାଦାର ଓ ବ୍ୟକ୍ତିଗତ ଜୀବନରେ ନିଜର ଭୂମିକାକୁ ସେ ସଠିକ ଓ ସନ୍ତୁଳିତ ଭାବେ ନିଭେଇ ପାରିଛନ୍ତି। ପାରିବାରିକ ଜୀବନରେ ନିଜ ସ୍ଵାମୀଙ୍କ ଠାରୁ ସେ ବହୁତ ସହାୟତା ପାଇଛନ୍ତି ବୋଲି ଅନୁଜା କୁହନ୍ତି। ତାଙ୍କ ଠାରୁ ଉତ୍ସାହ ପାଇଁ ନଥିଲେ ଜଣେ ସଫଳ ସମ୍ମୋହନ ଚିକିତ୍ସକ ହେବା ସମ୍ଭବ ନଥିଲା ବୋଲି ଅନୁଜା ମତ ଦିଅନ୍ତି। ଭବିଷ୍ୟତରେ ନିଜ କାମକୁ ଅଧିକ ପ୍ରଭାବଶାଳୀ ଓ ଲୋକାଭିମୁଖୀ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।