ଶିଳ୍ପ ସଂସ୍ଥାଙ୍କ ପାଇଁ ସହଜ ବ୍ୟବସ୍ଥା, ଏଣିକି ଅନଲାଇନରେ ସରକାରୀ କାମ

ଶିଳ୍ପ ସଂସ୍ଥାଙ୍କ ପାଇଁ ସହଜ ବ୍ୟବସ୍ଥା, ଏଣିକି ଅନଲାଇନରେ ସରକାରୀ କାମ

Friday January 29, 2016,

2 min Read

ଶିଳ୍ପସଂସ୍ଥାମାନେ ବିଭିନ୍ନ ସରକାରୀ କାମ ପାଇଁ ବାରମ୍ବାର ବିଭିନ୍ନ ଅଫିସକୁ ଦୌଡିଥାନ୍ତି | ପୁଣି ଅଫିସ୍ ରେ ଏସବୁ କାମ କରିବା ବ୍ୟବସ୍ଥା ମଧ୍ୟ ଜଟିଳ | ଏଥିପାଇଁ ଅନେକ ଶିଳ୍ପ ସଂସ୍ଥା ରାଜ୍ୟରେ ବ୍ୟବସାୟ ଆରମ୍ଭ କରିବାକୁ ଅନାଗ୍ରହ ପ୍ରକାଶ ମଧ୍ୟ କରନ୍ତି | କିନ୍ତୁ ଏସବୁ ସମାଧାନ ଆସିଯାଇଛି | ରାଜ୍ୟରେ ଆରମ୍ଭ ହୋଇଯାଇଛି ଅଟୋମେଟେଡ୍ ପୋଷ୍ଟ ଆଲଟମେଣ୍ଟ ଆପ୍ଲିକେସନ୍ | ଓଡିଶାରେ ଅଧିକ ଶିଳ୍ପସଂସ୍ଥାକୁ ଆକୃଷ୍ଟ କରିବା ଓ ବ୍ୟବସାୟକୁ ସହଜ କରିବା ଲକ୍ଷ୍ୟରେ ରାଜ୍ୟ ଶିଳ୍ପ ଉନ୍ନୟନ୍ନ ନିଗମ(ଇଡକୋ) ପକ୍ଷରୁ ଏହି ଆପ୍ଲିକେସନ୍ ପ୍ରସ୍ତୁତ ହୋଇଛି | ଦୀର୍ଘ ବର୍ଷ ଧରି ଚାଲିଆସିଥିବା ବ୍ୟବସ୍ଥାର ସରଳୀକରଣ ଆବେଦନ, ଦେୟ ପ୍ରଦାନ ଓ ଅନ୍ୟାନ୍ୟ କାର୍ଯ୍ୟରେ ସ୍ୱଚ୍ଛତା ଓ ଦାୟିତ୍ୱବୋଧତା ବଜାୟ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ |

ଏହି ବ୍ୟବସ୍ଥାରେ ଅନେକ ଗୁଡିଏ ବିଶିଷ୍ଟତା ରହିଛି | ଅତିରିକ୍ତ ଜମି ଆବଣ୍ଟନ, ଜମି ପ୍ରତିବଦଳ, ଏକତ୍ରିକରଣ, ନାମ ଓ ଶୈଳୀ ପରିବର୍ତ୍ତନ, ମାଲିକାନା ସତ୍ତ୍ୱ ବଦଳାଇବା, ବନ୍ଧକ ପାଇଁ ଅନୁମତି, ନିର୍ଦ୍ଦେଶକ ପରିବର୍ତ୍ତନ, ମାମଲାଗୁଡିକ ହସ୍ତାନ୍ତର ଓ ଅନ୍ୟାନ୍ୟ ଜମି ଆବଣ୍ଟନ ଆଦି ପାଇଁ ଏହି ଆପ୍ଲିକେସନ୍ ସହାୟକ ହେବ | ପୂର୍ବରୁ ଏସବୁ ଅନଲାଇନ୍ ରେ କରିବା ସୁବିଧା ନଥିଲା | ଏଥିପାଇଁ ଇଡକୋ ଅଫିସ୍ ଯିବାକୁ ପଡୁଥିଲା |

ରାଜ୍ୟରେ ସହଜ ବ୍ୟବସାୟ(ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍)ବ୍ୟବସ୍ଥାର ୭୦ ପ୍ରତିଶତ ପୂରଣ ହୋଇଛି | ଏହି ଆପ୍ଲିକେସନ୍ ଫଳରେ ଏ କ୍ଷେତ୍ରରେ ଦେଶର ପ୍ରଥମ ତିନିଟି ରାଜ୍ୟ ମଧ୍ୟରେ ଓଡିଶା ସ୍ଥାନ ପାଇବ ବୋଲି ଆଶା କରାଯାଉଛି | ଇଡକୋ ଅଧିନରେ ଥିବା ୯୮୧ଟି ଶିଳ୍ପ ସଂସ୍ଥା, ୧୦୪ଟି ଶିଳ୍ପାଂଚଳ, ୨ଟି ଅର୍ଥନୈତିକ ଜୋନ୍, ଗୋଟିଏ ଶିଳ୍ପ ପାର୍କ, ଚାରି ହଜାର ବ୍ୟାବସାୟିକ ୟୁନିଟ୍ ଏହି ବ୍ୟବସ୍ଥାରୁ ଲାଭ ପାଇପାରିବେ | ଅନଲାଇନ୍ ମାଧ୍ୟମରେ ସେମାନେ ସବୁ କିଛି ନିଜ ଅଫିସରେ ଥାଇ ଜାଣିପାରିବେ |

image


ଏ ସମ୍ପର୍କରେ ଇଡକୋ ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂହ କହନ୍ତି,

ଏହି ଆପ୍ଳିକେସନ୍ ଦ୍ୱାରା ଆମେ ମଧ୍ୟ ବହୁତ ସୁବିଧା ପାଇବୁ | ଆମେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡିକୁ ଅନୁମୋଦନ ଦେବ ସହ ଉଦ୍ୟୋଗୀମାନଙ୍କ ଅଭିଯୋଗ ଓ ଅନୁରୋଧକୁ ସହଜରେ ଗ୍ରହଣ କରିପାରିବୁ | କ୍ଷେତ୍ର ପରିଦର୍ଶନ ପାଇଁ ମୋବାଇଲ୍ ଆପ୍ ର ବ୍ୟବହାର ସହ ଏମ୍‌ଆଇଏସ୍ ରିପୋର୍ଟ ସମ୍ପର୍କରେ ତଥ୍ୟ ମିଳିପାରିବ |

କିପରି କାମ କରିବ ଏହି ଆପ୍ଳିକେସନ୍ :

ଗତ ୨୭ ତାରିଖରୁ ଇଡକୋ ସହ ସମ୍ବନ୍ଧିତ ଶିଳ୍ପସଂସ୍ଥା ଓ ଉଦ୍ୟୋଗମାନେ ଅଟୋମେଟେଡ୍ ପୋଷ୍ଟ ଆଲଟମେଣ୍ଟ ଆପ୍ଲିକେସନ୍ ରେ ନିଜକୁ ପଂଜିକୃତ କରିପାରିବେ | ଏଥିପାଇଁ ସେମାନଙ୍କୁ www.idco.in ଖୋଲିବାକୁ ପଡିବ | ଲଗ୍ ଇନ୍ ସ୍ଥାନରେ ଉଦ୍ୟୋଗମାନଙ୍କ ପାଇଁ ଉଦ୍ଦିଷ୍ଟ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ | ନୂଆ ଉଦ୍ୟୋଗପତିମାନଙ୍କୁ ସାଇନ୍ ଅପ୍ କରିବାକୁ ପଡିବ | ନିର୍ଧାରିତ ଫର୍ମ ପୂରଣ କରିବାକୁ ହେବ | ଆପଣ ଯେଉଁ କାମ ପାଇଁ ଆପ୍ଳିକେସନ୍ ଖୋଲିଛନ୍ତି, ତାହାର ଦରକାରୀ କାଗଜପତ୍ର ଅପଲୋଡ୍ କରିବାକୁ ପଡିବ | ତାପରେ ରେଜିଷ୍ଟ୍ରେସନ୍ ବଟମ୍ ଉପରେ କ୍ଲିକ୍ କରିବାକୁ ହେବ | ଏଥିରେ କୌଣସି ସମସ୍ୟା ହେଲେ ଇଡକୋ ପକ୍ଷରୁ ଏକ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ରଖାଯାଇଛି | ତାହା ହେଲା ୧୮୦୦-୩୪୫-୧୭୩୩ | ଏହି ନମ୍ବରକୁ ଫୋନ୍ କରି ଏହି ବିଷୟରେ ଅଧିକ ତଥ୍ୟ ଜାଣିହେବ |

image


ଅଟୋମେଟେଡ୍ ପୋଷ୍ଟ ଆଲଟମେଣ୍ଟ ଆପ୍ଲିକେସନ୍ ମାଧ୍ୟମରେ ଉଦ୍ୟୋଗଗୁଡିକ ଅନଲାଇନ୍ ପଂଜିକରଣ, ଆବଣ୍ଟନ ପରବର୍ତ୍ତୀ ଆବେଦନ, ମଂଜୁର, ଦେୟ ପ୍ରଦାନ, ଏସଏମଏସ୍ ଆଲର୍ଟ ବ୍ୟବସ୍ଥା, ତଥ୍ୟ ସଂଶୋଧନ, ମୋବାଇଲ୍ ମାଧ୍ୟମରେ ସ୍ଥିତି ଅନୁଧ୍ୟାନ ଆଦି କରିପାରିବେ |