କେଲି-କାନନଙ୍କ ‘ଲ'ଟୁନ୍ସ’ ବ୍ୟଙ୍ଗ ମାଧ୍ୟମରେ ଶିଶୁଙ୍କ ପାଇଁ ଆଇନ ଶିକ୍ଷା

କେଲି-କାନନଙ୍କ ‘ଲ'ଟୁନ୍ସ’
ବ୍ୟଙ୍ଗ ମାଧ୍ୟମରେ ଶିଶୁଙ୍କ ପାଇଁ ଆଇନ ଶିକ୍ଷା

Friday November 13, 2015,

2 min Read

ଭାରତର ଆଇନ ବ୍ୟବସ୍ଥାରେ ଉନ୍ନତି ପାଇଁ ଦୁଇ ଆଇନଜୀବୀ ଭଉଣୀ କାନନ୍ ଧରୁ ଓ କେଲି ଧରୁ ଯେତେବେଳେ ଉଦ୍ୟମ ଆରମ୍ଭ କରନ୍ତି, ତାଙ୍କ ପାଇଁ ସବୁଠୁ ବଡ଼ ପରିତାପର ବିଷୟ ଥିଲା ଯେ ଦେଶରେ ପାରିତ ଆଇନଗୁଡ଼ିକ ବାବଦରେ ଆମର ନାଗରିକମାନେ ପ୍ରାୟ ଅଜ୍ଞ । ଏବଂ ନାଗରିକମାନେ ବ୍ୟବସ୍ଥା ଠାରୁ ବି ବିଚ୍ଛିନ୍ନ । ତେଣୁ ଆଇନଗୁଡ଼ିକୁ କୌତୁକପ୍ରଦ ଓ ସହଜ କରିବା ଲାଗି ଲ'ଟୁନ୍ସ ପ୍ରକଳ୍ପ(ପ୍ରୋଜେକ୍ଟ ଲ'ଟୁନ୍ସ) ମାଧ୍ୟମରେ ଏକ ବୋଧଗମ୍ୟ ପନ୍ଥା ଆବିଷ୍କାର କଲେ ଏଇ ଦୁଇଭଉଣୀ ।

image


ପାଞ୍ଚ ବର୍ଷ ତଳେ ରିସର୍ଚ୍ଚ ଫାଉଣ୍ଡେସନ୍ ଫର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ(ଆର୍ଏଫ୍ଜିଆ) ନାମରେ ଏକ ଅନୁଷ୍ଠାନ ଗଢ଼ି ଭଗ୍ନୀଦ୍ୱୟ ଦେଶରେ ଆଇନ ସୁଧାର ଆଣିବାକୁ ଉଦ୍ୟମ ଆରମ୍ଭ କଲେ । ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଠା ମଣ୍ଡଳୀରେ ଥିବା ଜାତୀୟ ଜ୍ଞାନ ଆୟୋଗ ସହ କାମ କରିଥିବା କାନନ୍ ପିଲାଙ୍କ ପାଇଁ ଏକ ବୋଧଗମ୍ୟ ଆଇନ ବ୍ୟଙ୍ଗ କାର୍ଟୁନ୍ ମାଳା ପ୍ରକାଶ କରିବାକୁ ଚିନ୍ତାକଲେ । ୨୦୧୩ରେ ୱାର୍ଲ୍ଡ ଇକନୋମିକ ଫୋରମର ଏକ ସଭାରେ ସେ ଏଭଳି ରଚନାତ୍ମକ ଚିନ୍ତାଧାରା ପ୍ରକଟ କଲେ । ୱାର୍ଲ୍ଡ ବ୍ୟାଙ୍କ ଭଳି ବହୁ ଅନୁଷ୍ଠାନର ଗବେଷଣା ପ୍ରକଳ୍ପ ସହ ଜଡ଼ିତ ଥିବା କେଲି ମଧ୍ୟ କାନନଙ୍କ ଯୋଜନାକୁ ବେଶ୍ ମୂଲ୍ୟବାନ ମନେକଲେ । ଏକାଠି ସେମାନେ ଏଭଳି ଯୋଜନାକୁ ଫଳବତୀ କରିବା ଲାଗି ଏକ ଗୋଷ୍ଠୀ ଗଠନ କଲେ ।

image


ବିଦ୍ୟାଳୟମାନଙ୍କରେ ସାମାଜିକ ଶିକ୍ଷା ବେଶ୍ ଜଟିଳ । ତେବେ ଦୁଇ ଭଉଣୀ ସ୍କୁଲ ଛାତ୍ରଙ୍କ ପାଇଁ ଆଉ ଗୋଟେ ମଜାଦାର ଉପାୟ ବାଛିଲେ । କାର୍ଟୁନ୍ ହିଁ ଏଥିପାଇଁ ଥିଲା ସର୍ବୋକ୍ରୃଷ୍ଟ । ଏହିପରି ଭାବେ ଭଳିକି ଭଳି କମିକ୍-ମାଳାକୁ ନେଇ ‘ଲ'ଟୁନ୍ସ’ର ପରିପ୍ରକାଶ ଘଟିଲା ।

image


ବେଶ୍ ବୋଧଗମ୍ୟ ଓ ଉତ୍ସାହପ୍ରଦ କାର୍ଟୁନ୍ ମାଧ୍ୟମରେ ଜଟିଳ ଆଇନ ଓ ଅଧିକାରକୁ ଚିତ୍ରିତ କଲା ଲ'ଟୁନ୍ସ । ଶିଶୁ ମନସ୍ତତ୍ତ୍ଵବିତଙ୍କ ସହ ପରାମର୍ଶ କ୍ରମେ ଛାତ୍ରଛାତ୍ରୀଙ୍କୁ ବାନ୍ଧିରଖିବା ଭଳି ଲ'ଟୁନ୍ସ ପ୍ରସ୍ତୁତ କରାଗଲା । ଉଭୟ ମନୋରଂଜନ ଓ ଶିକ୍ଷାର ଏକ ଫେଣ୍ଟାଫେଣ୍ଟି ରୂପ ହୋଇ ଉଭା ହୋଇଥିବା ଏ ଲ'ଟୁନ୍ସ କେବଳ ଛାତ୍ର ନୁହେଁ, ଯେ କୌଣସି ବୟସର ନାଗରିକ ପାଇଁ ମଧ୍ୟ ଖାପ ଖାଇଲା । ଭାରତୀୟ ଆଇନ ବ୍ୟବସ୍ଥା ବିଷୟରେ ଜଣାଇବା ଲାଗି ଲ'ଟୁନ୍ସ ଏବେ ଶିକ୍ଷାନୁଷ୍ଟାନମାନଙ୍କ ପାଇଁ ସର୍ବୋକ୍ରୃଷ୍ଟ ଉପାୟ ପାଲଟିଛି ।

image


ଉଭୟ ଡିଜାଇନ୍ ଓ ଶିକ୍ଷା କ୍ଷେତ୍ରର ଦକ୍ଷ ବ୍ୟକ୍ତିଙ୍କୁ ନେଇ ଲ'ଟୁନ୍ସ ଗୋଷ୍ଠୀ ଗଠିତ ହୋଇଛି । ମୌଳିକ ଅଧିକାର, ମାନବାଧିକାର, ଶିଶୁମାନଙ୍କ ଅଧିକାର, ସାମାଜିକ ଦାୟିତ୍ୱ ଏବଂ ବହୁ ପ୍ରସଙ୍ଗକୁ ଏବେ ଲ'ଟୁନ୍ସ ମାଧ୍ୟମରେ ବେଶ୍ ବୋଧଗମ୍ୟ କରାଯାଇ ପାରିଛି ।

ଜାନୁଆରୀ ୨୦୧୪ରେ ପ୍ରଥମ ପରୀକ୍ଷାମୂଳକ ଲ'ଟୁନ୍ସ ପ୍ରଦର୍ଶନ କରାଯାଇଥିଲା । ଛାତ୍ରମାନେ ଏହାକୁ ଏତେମାତ୍ରାରେ ପସନ୍ଦ କଲେ ଯେ ଏହାର ଉଦ୍ୟୋକ୍ତା ଓ ଶିକ୍ଷାବିତମାନେ ମଧ୍ୟ ଉତ୍ସାହିତ ହେଲେ । ପଢ଼ା ବହି ଅପେକ୍ଷା ଅଧିକ ଛାତ୍ର ଲ'ଟୁନ୍ସ ମାଧ୍ୟମରେ ପଢ଼ିବାକୁ ପସନ୍ତ କଲେ । ପରିସଂଖ୍ୟାନ ଅନୁସାରେ ୭୦ ପ୍ରତିଶତ ଛାତ୍ର ଲ'ଟୁନ୍ସ ପଛରେ ଥିବା ଆଇନ କୁ ଧରିପାରିଲେ । ନଭେମ୍ବର ୨୦୧୪ରେ ଦୁଇଟି ମୌଳିକ ଅଧିକାରକୁ ନେଇ ପ୍ରଥମ ଭାଗ ଲ'ଟୁନ୍ସ ପ୍ରକାଶ ପାଇଲା । ଲ'ଟୁନ୍ସର ନାୟକ ପୁଗ୍ଲୁକୁ କୁନି ପାଠକମାନେ ବେଶ୍ ପସନ୍ଦ କଲେ।

ଏହାପରେ ଲ'ଟୁନ୍ସମାଳା ପ୍ରସ୍ତୁତିରେ ଲାଗିପଡ଼ିଲେ ଧରୁ ଭଗ୍ନୀଙ୍କ ସହଯୋଗୀ ଗୋଷ୍ଠୀ । ଏହି ପ୍ରକଳ୍ପକୁ ଚୂଡ଼ାନ୍ତ ରୂପରେଖ ଦେବାକୁ ଏବେ ଦୁଇ ଭଉଣୀ ଜନସାଧାରଣଙ୍କ ଠାରୁ ଅର୍ଥ ଅନୁଦାନ ଗ୍ରହଣ(କ୍ରାଉଡ୍ ଫଣ୍ଡିଂ)ରେ ଲାଗିଛନ୍ତି । ଭବିଷ୍ୟତରେ ସାରାଦେଶରେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ଲଟୁନ୍ସ ଉପଲବ୍ଧ କରିବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି । ପୁଣି ଅନୁଦାନ ବଢ଼ିଲେ ଭାବବିନିମୟ ଭିତ୍ତିକ ୱେବସାଇଟ୍ ଓ ମୋବାଇଲ୍ ଆପ୍ସ ମଧ୍ୟ ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରହିଛି ।