ରାଜସ୍ଥାନର ଅଭିଶପ୍ତ ମହିଳା ମେହେନ୍ତରଙ୍କ ଜୀବନରେ ମୁକ୍ତିର ସ୍ଵାଦ ଦେଇଛି ‘ନୟୀ ଦିଶା’

0

ଉଷା ଚଉମାର ନା ଜାଣିଥିଲା ପରିଷ୍କାର ପରିଚ୍ଛନ୍ନ ରହିବାର ମାନେ କଣ ନା କେବେ କୌଣସି ଦେବାଦେବୀଙ୍କୁ ପୂଜା କରିଥିଲା ନା ସ୍ପର୍ଶ କରିଥିଲା। ସ୍ୱାସ୍ଥ୍ୟ ବା ସ୍ଵାସ୍ଥ୍ୟରକ୍ଷା ତା’ ଜୀବନର ଅଂଶ କେବେ ନ ଥିଲା, ଯେପରି ନ ଥିଲା ଆତ୍ମସମ୍ମାନ ବା ମର୍ଯ୍ୟାଦା।

କିନ୍ତୁ ଏ ସବୁ ବର୍ତ୍ତମାନ ଉଷା ଚଉମାର ପାଇଁ ଅତୀତ, ଯିଏ ଦିନେ ମନୁଷ୍ୟର ମଳ ନିଜ ହାତରେ ଉଠାଉଥିଲା। ନୟୀ ଦିଶା ତାକୁ ଏଇ ଅଭିଶପ୍ତ ଜୀବନରୁ ଉଦ୍ଧାର କରି ଅଲୱାର ରାଜସ୍ଥାନରେ ଥଇଥାନ କରିପାରିଛି।

ଚାଳିଶ ବର୍ଷରୁ ସାମାନ୍ୟ ଅଧିକ ବୟସ୍କ ଉଷା ବର୍ତ୍ତମାନ ଝୋଟ ବ୍ୟାଗ ତିଆରି କରିବା, ଆଚାର ତିଆରି ତଥା ବିଉଟି ପାର୍ଲରରେ କାମ କରିବା ପାଇଁ ତାଲିମ ନେଉଛି। ଏବେ ଉଷାଙ୍କର ଆୟ ତାଙ୍କୁ ମିଳୁଥିବା ମାସିକ ୩୭୦୦ ଟଙ୍କା ଷ୍ଟାଇପେଣ୍ଡ ବାଦ ନିଜେ କରୁଥିବା ଆୟ ମାସକୁ ପାଞ୍ଚ ହଜାରରୁ ବେଶି। ଯେଉଁଲୋକ ମାନେ ତାଙ୍କୁ ଅସ୍ପୃଶ୍ୟ ବୋଲି ଦୂର କରିଦେଇଥିଲେ ଆଜି ବାହାଘର ଓ ଅନ୍ୟାନ୍ୟ ଉତ୍ସବରେ ତାଙ୍କୁ ଡାକୁଛନ୍ତି। କିନ୍ତୁ ଅତୀତ ଜୀବନର ଦାଗ ଏବେ ବି ତାଙ୍କ ମନରୁ ଲିଭିନାହିଁ। ସତ ବର୍ଷ ବୟସରୁ ସେ ମେହେନ୍ତର କାମ ଆରମ୍ଭ କରିଥିଲେ। ଜୀବନଧାରଣ କରିବା ପାଇଁ ଆଉ କୌଣସି ରାହା ନଥିଲା। ତାକୁ ତା’ ମା’ଙ୍କ ପଦାଙ୍କ ଅନୁସରଣ କରିବାକୁ ପଡ଼ିଥିଲା। ୧୪ ବର୍ଷରେ ବିବାହ ହେଲା। ବରପାତ୍ରର ଯୋଗ୍ୟତା ମପା ହେଉଥିଲା କେତେ ସଂଖ୍ୟକ ପାଇଖାନା ସଫା କରିବା ତା’ ପାଖରେ ଥିଲା।

Image : The Wire (L), SKA (R)
Image : The Wire (L), SKA (R)

ବାସ ତା’ପରେ ତିନୋଟି ଦଶନ୍ଧି ତା’ର କଟିଗଲା, ଉଠା ପାଇଖାନାରୁ ଲୋକଙ୍କର ମଳ ନିଜ ହାତରେ ସଫା କରି। ସେ ପାଞ୍ଚରୁ ଦଶ ଘରେ ଏ କାମ କରୁଥିଲା। ତାକୁ ମିଳୁଥିଲା ଜଣ ପିଛା ଦଶ ଟଙ୍କା ଏବଂ ମିଳେ କିଛି ବାସୀ ରୁଟି ବା ବଳିଥିବା ଅଇଁଠା। ଯେତେବେଳେ ଏକ ଏନଜିଓ ତା’ର ଉଦ୍ଧାର କରି ଥଇଥାନ କରିବା ପ୍ରସ୍ତାବ ଦେଲା, ସେ ଭାବିଲା ଯେ ସେମାନେ ଥଟ୍ଟା କରୁଛନ୍ତି। କିନ୍ତୁ ତା’ ଜୀବନରେ ପରିବର୍ତ୍ତନ ଆସିଲା। ତାକୁ Portsmouth ବିଶ୍ଵବିଦ୍ୟାଳୟର British Association of South Asian Studies ନିମନ୍ତ୍ରଣ କଲେ ତା’ର କାହାଣୀ ଶୁଣାଇବା ପାଇଁ। ସେ କିପରି ଏକ ନୀଚ ଅସ୍ପୃଶ୍ୟ ଜୀବନରୁ ଆସି ସମାଜର ମୂଲ୍ୟବୋଧକୁ ପ୍ରଶ୍ନ କରିପାରିଲା ଓ ଦେଖାଇଦେଇ ପାରିଲା ଯେ ବଞ୍ଚିବା ପାଇଁ ମେହେନ୍ତର ଜୀବନଠାରୁ ଆହୁରି ସମ୍ମାନଜନକ ଜୀବନ ଅଛି ଏବଂ ତା’ପରି ଅନେକଙ୍କୁ ପ୍ରେରଣା ଦେଇପାରିଲା ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ।

ବର୍ତ୍ତମାନ ରାଜସ୍ଥାନର ଅଲୱାର ଓ ଟଙ୍କ୍ ଦୁଇ ସହରରେ ନିଜ ହାତରେ ସଫା କରୁଥିବା ମେହେନ୍ତର ଆଉ ନାହାନ୍ତି। ଏହା ହୋଇପାରିଲା ଏକ ସରଳ ଓ ଉନ୍ନତ ଧରଣର ପାଇଖନା ନିର୍ମାଣ କୌଶଳ ଫଳରେ। ଅଲୱାର ସହରରେ ୧୩୦ଟି ଉଠା ପାଇଖାନାକୁ ଦୁଇ ଖାତ ବିଶିଷ୍ଟ କମ୍ପୋଷ୍ଟ ପାଇଖାନାକୁ ପରିବର୍ତ୍ତିତ କରାଗଲା। ତେଣୁ ମାନୁଆଲ ମେହେନ୍ତରଙ୍କ ଆବଶ୍ୟକତା ଆଉ ପଡିଲା ନାହିଁ।

ଏହି ମେହେନ୍ତର (ମୁଖ୍ଯତଃ ମହିଳା ମେହେନ୍ତର) ମାନଙ୍କୁ ସ୍ବାବଲମ୍ବୀ କରିବା ଲାଗି ‘ନଇ ଦିଶା’ ଏକ ଧନ୍ଦାମୂଳକ ଶିକ୍ଷା ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା କଲା। ସେହି ମେହେନ୍ତର ଜାତିର ଅପେକ୍ଷାକୃତ ସଚେତନ ମହିଳାଙ୍କ ସକ୍ରିୟ ସହଯୋଗରେ ଏହି ତାଲିମ କେନ୍ଦ୍ର ଚାଲିଲା। ପ୍ରଥମରୁ ହିଁ ଉତ୍ସାହଜନକ ଫଳ ମିଳିଲା। ୨୮ ଜଣ ମହିଳା ଖାଦ୍ୟ ପ୍ରସ୍ତୁତିକରଣ, ବିଉଟି କେୟାର, ଏମ୍ବ୍ରୋଡରୀ ଏବଂ ସିଲେଇ କାମରେ ତାଲିମ ନେଇ ସଫଳ ଜୀବନଯାପନ କରୁଛନ୍ତି। ଉଷା ଚଉମାର ତା’ଭିତରୁ ଜଣେ।

ମାୟାକୁ ୨୦୦୩ରେ ଉଦ୍ଧାର କରାହେଲା। ଅନେକ ବର୍ଷ ଅସ୍ପୃଶ୍ୟ ଭାବେ ଜୀବନ ବିତାଇବା ପରେ ଏବେ ସେ ଶାନ୍ତିରେ ଅଛି। ସଫାସୁତୁରା ରହିଲେ ଯେ ଏତେ ଭଲ ଲାଗେ ସେ ଆଗରୁ କେବେ ଜାଣି ନ ଥିଲା। ସେ ଜାଣି ନ ଥିଲା ଯେ ପ୍ରତିଦିନ ଗାଧୋଇବା ତା’ର ଦୈନନ୍ଦିନ ଜୀବନର ଏକ ଅଂଶ ହେଇପାରିବ। ଆଜି ତା’ର ନିଜର ପକ୍କାଘର ଅଛି। ସେଥିରେ ପାଇଖାନା ବି ଅଛି। ସେ ଘରକୁ ରଙ୍ଗୀନ ଟେଲିଭିଜନ ବି ଆଣିଛି। ସେ ଏବେ ‘ନୟୀ ଦିଶା’ର ଜଣେ ସକ୍ରିୟ ସଭ୍ୟ। ସେ କିଛି ଛେଳି କିଣିଛି ଏବଂ ଗୋଟିଏ ଘୁଷୁରୀ ଫାର୍ମ ବି କରିଛି।

Image : The Wire
Image : The Wire

ଲକ୍ଷ୍ମୀନନ୍ଦାକୁ ତା’ର ମା ମାନୁଆଲ ମେହେନ୍ତର ହେବା ଶିଖାଇଥିଲା। ଲକ୍ଷ୍ମୀ ବିନା ପ୍ରତିବାଦରେ ଏହି କୌଳିକ ପେଶାକୁ ଆଦରି ନେଇଥିଲା। ପିଢି ପରେ ପିଢି ତା’ର ପରିବାର ଏଇଆ ହିଁ କରି ଆସୁଥିଲେ। ତା’ର ବି ଅଭ୍ଯାସ ହୋଇଗଲା। ସେ ପାଉଥିଲା ଜଣ ପିଛା ପାଞ୍ଚଟଙ୍କା ଏବଂ ପ୍ରାୟ ୫୦ରୁ ୬୦ ଘରେ ପାଇଖାନା ସଫା କରୁଥିଲା। ଫୁଙ୍ଗୁଳା ହାତରେ ମଣିଷ ଗୁହ ସେ ବାଲଟିରେ ଭର୍ତ୍ତି କରୁଥିଲା ଏବଂ ମୁଣ୍ଡରେ ବୋହି ନେଇଯାଉଥିଲା। ଅଇଁଠା ଖାଦ୍ୟ ତା’ ପାଖକୁ ଫିଙ୍ଗି ଦିଆଯାଏ ଏବଂ ପିଇବା ପାଣି ବି ଦୂରରୁ ଢାଳି ଦିଆଯାଏ।

ଏବେ ନୟୀ ଦିଶା ତାକୁ ଉଦ୍ଧାର କଲାପରେ ଲକ୍ଷ୍ମୀ ଓ ତା ପରିବାରର ଜୀବନଯାତ୍ରା ବଦଳିଛି। ତା’ର ଛୁଆମାନେ ସ୍କୁଲ ଯାଉଛନ୍ତି। ତା’ ଜୀବନର ସ୍ମରଣୀୟ ଘଟଣା ହେଉଛି ନ୍ୟୁୟର୍କରେ ମିଳିତ ଜାତିସଂଘର ସମ୍ମାନଜନକ ଉତ୍ସବରେ ‘Mission Sanitation’ରେ ଯୋଗ ଦେବା।