ଯୋଗ ଗୁରୁରୁ ରିଟେଲ ଗୁରୁ 

0

ଯେତେବେଳେ ବିଶ୍ୱବ୍ୟାପୀ ‘ଯୋଗ’ର ପ୍ରଭାବ ବୃଦ୍ଧି ପାଇଲା, ସେତେବେଳେ ଭାରତୀୟ ସଂସ୍କୃତି, ଖାଦ୍ୟଦ୍ରବ୍ୟ ଏବଂ ଭାରତ ତିଆରି ଜିନିଷପତ୍ର ମଧ୍ୟ ସାରା ପୃଥିବୀରେ ଆଦର ଲାଭ କଲା । ସିଧାସଳଖ କହିଲେ, ଭାରତ ନିଜ ପାଇଁ ବିଶ୍ୱ ଦରବାରରେ ଏକ ବଡ ମାର୍କେଟ୍ ପାଇଲା । ଆଉ ଆଶ୍ଚର୍ଯ୍ୟର କଥା ଯେ, ଏହି ସୁଯୋଗରେ କିଛି ସାଧୁସନ୍ଥ ମଧ୍ୟ ବ୍ୟବସାୟୀ ପାଲଟିଗଲେ । ଏମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ହରିଦ୍ୱାରର ଯୋଗଗୁରୁ ବାବା ରାମଦେବ । ଯିଏକି ଜନ ଲୋକପାଳ ବିଲ୍ ସପକ୍ଷରେ ୨୦୧୧ରେ ଚାଲିଥିବା ଆନ୍ଦୋଳନ ପରେ ଖୁବ୍ ଚର୍ଚ୍ଚାକୁ ଆସିଥିଲେ । ପରେ ୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଘୋଷଣା କରି ସେ ପୁଣି ଚର୍ଚ୍ଚାକୁ ଆସିଥିଲେ ।

Image : ET
Image : ET

ଟିଭିରେ ନିୟମିତ ଯୋଗ ଶିକ୍ଷା ଦେବାପରେ ବାବା ରାମଦେବଙ୍କର ଭକ୍ତ ଓ ସମର୍ଥକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ଏହି ଲୋକପ୍ରିୟତାକୁ ଆଧାର କରି ସେ ୨୦୦୬ରେ ଆରମ୍ଭ କରିଥିବା ଆୟୁର୍ବେଦ ଫାର୍ମ ‘ପତଞ୍ଜଳି ଆୟୁର୍ବେଦ’କୁ ପୁଣି ଚାଲୁ କରିଥିଲେ । ପ୍ରଥମେ ପ୍ରଥମେ ଏହା ସେତେଟା ଜଣାଶୁଣା ନଥିଲେ ବି, ଏବେ ପତଞ୍ଜଳିର ବ୍ୟବସାୟ ସାମ୍ରାଜ୍ୟ ବିଲିଅନ୍ ଡଲାର୍ ଆଡକୁ ଗତି କରୁଛି ।

ପାହାଚ ପରେ ପାହାଚ ସଫଳତା ଆଡକୁ

ପ୍ରଥମରୁ ‘ପତଞ୍ଜଳି’ କେବଳ ଔଷଧ ଉତ୍ପାଦନ କରୁଥିଲା । କିନ୍ତୁ ୨୦୧୪ ପରେ ଏହାର ଉତ୍ପାଦନ କ୍ଷେତ୍ର ବୃଦ୍ଧି ପାଇଲା । ଏବେ ଏହି ଫାର୍ମ ନୁଡୁଲ୍ସଠାରୁ ଆରମ୍ଭ କରି ଡିଟରଜେଂଟ୍ ଏବଂ ପର୍ସନାଲ୍ କେୟାର ଦ୍ରବ୍ୟ ମଧ୍ୟ ଉତ୍ପାଦନ କରୁଛି । ଏବେ ପତଞ୍ଜଳିର ନିଜସ୍ୱ ଅନଲାଇନ ବଜାର ସହିତ ମୋଟ ୫ ହଜାର ଫ୍ରାଂଚାଇଜି ଷ୍ଟୋର୍ ରହିଛି । ତା' ବ୍ୟତୀତ ବ୍ୟବସାୟକୁ ବ୍ୟାପକ କରିବାକୁ, ପତଞ୍ଜଳି ଏବେ ‘ଫ୍ୟୁଚର ଗ୍ରୁପ୍’ ଓ ‘ବିଗ୍ ବଜାର’ ସହ ସହବନ୍ଧିତ ହୋଇଛି । ‘ବିଗ୍ ବାସ୍କେଟ୍’ ପରି ଅନଲାଇନ ଗ୍ରୋସରି ବିକ୍ରେତାଙ୍କ ପାଖରେ ବି ପତଞ୍ଜଳି ଉତ୍ପାଦିତ ଜିନିଷପତ୍ର ମିଳୁଛି । ତେବେ ଫାର୍ମର ତିନି ଚାରିଟି ଉତ୍ପାଦନ, ଯେମିତିକି ଘିଅ, ମହୁ ଓ ଦାନ୍ତଘଷା ପେଷ୍ଟ୍ ର ବିକ୍ରି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବା ବେଳେ ଅନ୍ୟ ଦ୍ରବ୍ୟର ବିକ୍ରିବଟା, ପରିମାଣ ଦୃଷ୍ଟିରୁ ସେତେଟା ଅଧିକ ନୁହେଁ ।

କନ୍ସଲ୍ଟିଂ ଫାର୍ମ ‘ଟେକ୍ନୋପାର୍କ’ର ଚେୟାରମ୍ୟାନ୍ ଅରବିନ୍ଦ ସିଂଘଲଙ୍କ ମତରେ,

ପତଞ୍ଜଳିର ଉତ୍ପାଦନ କିଣିବାକୁ ଗ୍ରାହକମାନଙ୍କର ଗୋଟେ ବଡ ଚେନ୍ କାମ କରୁଛି । ସ୍ଥାନୀୟତା ଭିତ୍ତିରେ ଉତ୍ପାଦନର ଲୋକପ୍ରିୟତା ରହିଛି । ଆଉ ଏହା ହିଁ ପତଞ୍ଜଳିର ଅସଲ ବଳ । ମଲ୍ଟି ନ୍ୟାସନାଲ କମ୍ପାନୀ ଗୁଡିକ ଭଳି, ଏହାର ମାର୍କେଟିଂ ଖର୍ଚ୍ଚ ଆଦୌ ଅଧିକା ନୁହେଁ । ଯୋଗାଣ ଓ ବଣ୍ଟନ ବ୍ୟବସ୍ଥା ଅତ୍ୟନ୍ତ ପାରମ୍ପରିକ ।

ଅଗଷ୍ଟ ୨୦୧୫ରେ ସିଏଲ୍ଏସ୍ଏ ରିସର୍ଚ୍ଚ ସଂସ୍ଥା ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ, ଗତ ୪ ବର୍ଷ ଭିତରେ ନିଜ ରୋଜଗାରକୁ ତିନିଗୁଣା କରି ପାରିଥିବା ‘ପତଞ୍ଜଳି ଆୟୁର୍ବେଦ’, ଗତ ଆର୍ଥିକ ବର୍ଷ ଶେଷସୁଦ୍ଧା ୨୫୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ସୃଷ୍ଟି କରିପାରିଛି । ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଏହା ଦୁଇଗୁଣା ରାଜସ୍ୱ ସଂଗ୍ରହ ସହ ୫୦୦୦ କୋଟି ଛୁଇଁବ ବୋଲି ଆଶା କରାଯାଉଛି । ଶେଷତମ ରିପୋର୍ଟ ଅନୁଯାୟୀ, ଏହି ଫାର୍ମ ଏବେସୁଦ୍ଧା ୪୫୦୦ କୋଟି ଟଙ୍କାରେ ପହଞ୍ଚି ସାରିଲାଣି । ୨୦୧୬-୧୭ ଆର୍ଥିକ ବର୍ଷରେ ୭୦୦୦ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ପାଇଁ ଫାର୍ମର ଟାର୍ଗେଟ୍ କୌଣସି ବଡ କଥା ନୁହେଁ ନିଶ୍ଚିତ ।

ଆଶ୍ଚର୍ଯ୍ୟଜନକ ବିଜେତା

ବଜାରରେ ଏବେ ପ୍ରତିଯୋଗିତା ବଢୁଛି । କିନ୍ତୁ ପତଞ୍ଜଳିରେ କ୍ଷୀପ୍ର ପ୍ରଭାବ ବିସ୍ତାର, ବହୁଦେଶୀୟ କମ୍ପାନୀ ଗୁଡିକୁ ଭାରତ ପାଇଁ ନୂଆ ଯୋଜନା କରିବାକୁ ବାଧ୍ୟ କରିଛି । ଅରବିନ୍ଦ ସିଙ୍ଘଲଙ୍କ ମତରେ- ‘ଯେହେତୁ ସେମାନେ ‘ନ୍ୟାଚୁରାଲ ପ୍ରଡକ୍ଟ’ ସହ ପ୍ରତିଯୋଗିତା କରିବାକୁ ଚାହୁଁଛନ୍ତି, ତେଣୁ ଭାରତ ପାଇଁ ରାତାରାତି କୌଣସି ସଫଳ ଯୋଜନା ତିଆରି କରିବା ଏତେଟା ସହଜ ହୋଇନପାରେ । ସେମାନଙ୍କୁ ଭାରତୀୟ ଇକୋ-ସିଷ୍ଟମ୍ ସହ ନିଜକୁ ଖାପ ଖୁଏଇବାକୁ ପଡିବ ।’

ବହୁଦେଶୀୟ କମ୍ପାନୀ ନେସଲେ, କୋଲ୍ଗେଟ୍, ଆଇଟିସି ଏବଂ ଭାରତୀୟ ବ୍ରାଣ୍ଡ ଡାବର ଓ ଗୋଦରେଜ ପ୍ରମୁଖ କମ୍ପାନୀଙ୍କୁ ପତଞ୍ଜଳି କେବଳ କଡା ଝଟକା ଦେଇନି, ଏହାର ବ୍ୟାବସାୟିକ ଅଭିବୃଦ୍ଧି ନୂଆ ଜେନେରେସନ୍ର ବିଜିନେସ୍ ମଡେଲ୍ ସହ ସାମଞ୍ଜସ୍ୟ ରଖୁଛି । ‘ଉବର’ ଏବଂ ‘ଓଲା’ କମ୍ପାନୀ ବିଭିନ୍ନ ଯୋଜନାରେ ଯେପରି କିଛି ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ହୋଇଛନ୍ତି, ପତଞ୍ଜଳି ମଧ୍ୟ ମହାରାଷ୍ଟ୍ର ସରକାରଙ୍କଠାରୁ ବଳକା ଜଙ୍ଗଲଜାତ ଦ୍ରବ୍ୟ କ୍ରୟ କରିବାକୁ ଅନୁବନ୍ଧିତ ହୋଇଛି ।

ରାମଦେବ କହିଛନ୍ତି, ଦେଶରେ ୫ଟି ଫୁଡ୍ ପାର୍କ ପ୍ରତିଷ୍ଠା କରିବାକୁ ତାଙ୍କର ଯୋଜନା ଅଛି । ତା ମଧ୍ୟରୁ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଗୋଟିଏ ଲେଖାଁ ପାଇଁ ନିଶ୍ଚିତ ହୋଇସାରିଛି । କୌତୂହଳର ପ୍ରସଙ୍ଗ ହେଲା, ପତଞ୍ଜଳି କର୍ତୃପକ୍ଷ ଆବଶ୍ୟକ କରୁଥିବା କଞ୍ଚାମାଲ୍, ସିଧାସଳଖ ଚାଷୀଙ୍କଠାରୁ ସେମାନଙ୍କ କ୍ଷେତରୁ କିଣୁଥିବାରୁ, ମଝିରେ ରହି ଲାଭ ମାରିନେଉଥିବା ବ୍ୟବସାୟୀଙ୍କର ଛୁଟି ହୋଇଯାଇଛି । ଫଳରେ ଫାର୍ମକୁ ୨୦ ପ୍ରତିଶତ ପରିଚାଳନାଗତ ଲାଭ ମିଳୁଛି । ସେହି କାରଣରୁ ପତଞ୍ଜଳିର ଉତ୍ପାଦନ ଡାବର ଓ ଅନ୍ୟ ପ୍ରମୁଖ କମ୍ପାନୀର ବ୍ରାଣ୍ଡଠାରୁ, ବଜାରରେ ୩୦ ପ୍ରତିଶତ ଶସ୍ତାରେ ମିଳୁଛି । ଖୁଚୁରା ବେପାରି ୧୦ରୁ ୨୦ ପ୍ରତିଶତ ଓ ଡିଷ୍ଟ୍ରିବ୍ୟୁଟର ମାନେ ୪ରୁ ୫ ପ୍ରତିଶତ ଲାଭ ପାଉଛନ୍ତି ।

ବିନା ବଡବଡିଆରେ

ଯେତେବେଳେ କି ଅନ୍ୟ ବଡ କମ୍ପାନୀମାନେ ମାନବ ସମ୍ବଳ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ସେତେବେଳେ ପତଞ୍ଜଳି ଏକ ସ୍ୱଳ୍ପ ଖର୍ଚ୍ଚାନ୍ତ ମ୍ୟାନେଜମେଣ୍ଟ ଟିମ୍ ଦ୍ୱାରା ପରିଚାଳିତ, ଯେଉଁଥିରେ କି କୌଣସି ଜଣାଶୁଣା ମ୍ୟାନେଜମେଣ୍ଟ ବଡବଡିଆଙ୍କ ନାଁ ନାହିଁ । ଟିମ୍ ର ଅଧିକାଂଶ ସଦସ୍ୟ, ଆୟୁର୍ବେଦ ଓ ସେବାରେ ବିଶ୍ୱାସ କରୁଥିବା ଯୁବକ । ବାବା ରାମଦେବ ଦାବି କରନ୍ତି ଯେ, ଫାର୍ମରେ ତାଙ୍କର କୌଣସି ଭାଗିଦାରି ନାହିଁ । ତାଙ୍କ ସହ-ପ୍ରତିଷ୍ଠାତା, ଜଣାଶୁଣା ଯୋଗ ଓ ଆୟୁର୍ବେଦ ବିଶେଷଜ୍ଞ ଆଚାର୍ଯ୍ୟ ବାଳକୃଷ୍ଣ ହେଉଛନ୍ତି ଫାର୍ମର ପରିଚାଳନା ନିର୍ଦ୍ଦେଶକ । ପରିଚାଳନାଗତ ମତାନ୍ତର ପାଇଁ, ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ଆଇଆଇଟି-ଆଇଆଇଏମ୍ଏ ସ୍କଲାର ଏସ୍.କେ.ପାତ୍ର ୨୦୧୪ରେ ଫାର୍ମ ଛାଡିଥିଲେ ।

ବ୍ୟବସାୟରେ ସଫଳତା ପାଇଁ ଏମବିଏ ଡିଗ୍ରୀ ହୁଏତ ଯଥେଷ୍ଟ ନୁହେଁ । ବିଲ୍ ଗେଟ୍ସ ଓ ମାର୍କ ଜୁକରବର୍ଗ, ପାଠ ଅଧାରୁ କଲେଜ ଛାଡିଥିଲେ । ମାତ୍ର କିଛି ବର୍ଷରେ ପତଞ୍ଜଳିର ଅଭିବୃଦ୍ଧି ହାର ହଠାତ୍ ଆମକୁ ଅଡୁଆ ଲାଗୁଥାଇ ପାରେ, କିନ୍ତୁ ୧୯୮୦ରେ ‘ଗାର୍ଡେନ୍ ଭରେଲି’ ଶାଢି ଏହିପରି ଏକ ବ୍ୟତିକ୍ରମ ଥିଲା ।

କୋଟିଏ ଟଙ୍କାର ପ୍ରଶ୍ନ

କେହିକେହି ଅନୁମାନ କରୁଥିବେ, ବାବା ରାମଦେବଙ୍କ ଖ୍ୟାତି ପତଞ୍ଜଳିର ବ୍ୟାବସାୟିକ ଅଭିବୃଦ୍ଧିରେ ସହାୟକ ହେଉଛି । କିନ୍ତୁ ଏହା କେବଳ ଏକମାତ୍ର କାରଣ ନୁହେଁ । ଅରବିନ୍ଦ ସିଂଘଲଙ୍କ ମତରେ- ‘ରାମଦେବ କେବେବି ଧନୀମାନଙ୍କର ଗୁରୁ ନୁହଁନ୍ତି । କିନ୍ତୁ ସେମାନେ ବି ପତଞ୍ଜଳିର ଜିନିଷ କିଣନ୍ତି । କିନ୍ତୁ ଏବେ ଆଶା ବଢୁଛି ।’

ତେବେ ପତଞ୍ଜଳିର ଏହି ବ୍ୟବସାୟକୁ ଆର୍ଟ ଅଫ୍ ଲିଭିଂ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବ୍ୟବସାୟ ସହ ତୁଳନା କରାଯାଉଛି । ଦଶବର୍ଷ ପୁରୁଣା ‘ଶ୍ରୀ ଶ୍ରୀ ଆୟୁର୍ବେଦ ପ୍ରଡକ୍ଟସ’ କମ୍ପାନୀ, ହେଲ୍ଥ ଡ୍ରିଙ୍କ୍, ପର୍ସନାଲ୍ କେୟାର ଜିନିଷପତ୍ର ଓ ଆଉକିଛି ଆନୁସଙ୍ଗିକ ଉତ୍ପାଦନ, ୬୦୦ ଫ୍ରାଞ୍ଚାଇଜି ଷ୍ଟୋର ଏବଂ କମ୍ପାନୀର ନିଜସ୍ୱ ଅନ୍ଲାଇନ୍ ପ୍ଲାଟଫର୍ମରେ ବିକ୍ରି କରୁଛି । କିନ୍ତୁ ପତଞ୍ଜଳିର ରେକର୍ଡ ଭାଙ୍ଗିବା ସହଜ ହୋଇନପାରେ । ଯଦି ପତଞ୍ଜଳି ସହ କୌଣସି କମ୍ପାନୀର ତୁଳନା କରାଯାଏ, ତେବେ ତାହା ହେଉଛି ଇ-କମର୍ସ ମାର୍କେଟ୍ ‘ୟୁନିକର୍ଣ୍ଣ ଫ୍ଲିପକାର୍ଟ’, ଯାହାକି ପତଞ୍ଜଳିର ଗୋଟିଏ ବର୍ଷ ପରେ ଆରମ୍ଭ ହୋଇ ମଧ୍ୟ, ଦୁଇବର୍ଷ ତଳେ ୧ ବିଲିୟନ୍ ଡଲାର୍ ଗ୍ରସ୍ ମର୍ଚ୍ଚାଣ୍ଡାଇଜ୍ ଭେଲୁ (ଜିଏମ୍ଭି) ଛୁଇଁପାରିଛି ।

ଏବେ କୋଟିଏ ଟଙ୍କାର ପ୍ରଶ୍ନ ହେଲା, ଧର୍ମୀୟ ଭାବନା ପାଇଁ ପ୍ରସିଦ୍ଧ ଗୋଟିଏ ସହରରେ, ଏକ ବିଲିୟନ୍ ଡଲାର୍ ବିଜିନେସ୍ ଫାର୍ମ ପ୍ରତିଷ୍ଠା କରି ପାରିଥିବା ଯୋଗଗୁରୁ ବାବା ରାମଦେବ, ଆଗାମୀ ଦିନରେ ଏମବିଏ ଛାତ୍ରଛାତ୍ରୀଙ୍କ ପାଇଁ ଏକ ‘କେସ୍ ଷ୍ଟଡି’ ବା ପାଠ୍ୟ ଉଦାହରଣ ହୋଇପାରିବେ କି?